କୋଇଲା ମନ୍ତ୍ରଣାଳୟ
ମହାନଦୀ କୋଲଫିଲ୍ଡ ପକ୍ଷରୁ ବିହଙ୍ଗମ ଡ୍ରୋନ୍ ଟେକ୍ନୋଲୋଜି ଓ ସର୍ବାଧୁନିକ ଉପକରଣ ମୁତୟନ
Posted On:
03 FEB 2023 3:18PM by PIB Bhubaneshwar
କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରମୁଖ ରାଷ୍ଟ୍ରାୟତ ଉଦ୍ୟୋଗ ମହାନଦୀ କୋଲଫିଲ୍ଡ (ଏମ୍ସିଏଲ୍) କୋଇଲା ଖଣିରେ ବିହଙ୍ଗମ ଡ୍ରୋନ ଟେକ୍ନୋଲୋଜି ଏବଂ ସର୍ବାଧୁନିକ ନିରାପତ୍ତା ଉପକରଣମାନ ମୁତୟନ କରିଛି । ବିହଙ୍ଗମ ଏକ ୱେବଭିତ୍ତିକ ପୋର୍ଟାଲ ଏବଂ ଏହା ସହିତ ଡ୍ରୋନ ତଥା ଗ୍ରାଉଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ସମ୍ପୃକ୍ତ । ଏହି ପୋର୍ଟାଲ ଅଧିକୃତ ବ୍ୟକ୍ତି ବିଶେଷଙ୍କୁ ଖଣି ଭିତରର ବାସ୍ତବ କାର୍ଯ୍ୟକଳାପର ଚିତ୍ର ଆକ୍ସେସ୍ କରିବାର ସୁଯୋଗ ଦିଏ । ଏକ ଉତ୍ସର୍ଗୀକୃତ ୪୦ଏମ୍ବିପିଏସ୍ ଇଣ୍ଟରନେଟ ଲିଜ୍ ଲାଇନ ମାଧ୍ୟମରେ ଖଣି ନିକଟରେ ଏହି ଆକ୍ସେସ୍ ସୁବିଧା ଉପଲବ୍ଧ ହୋଇପାରିବ ।
ଡ୍ରୋନ ଉଡାଇବା ପାଇଁ ଏଥିରେ ଏକ ନିୟନ୍ତ୍ରଣ କେନ୍ଦ୍ର ରହିଛି । ଏହି ବ୍ୟବସ୍ଥାକୁ ପୋର୍ଟାଲ ମାଧ୍ୟମରେ ଯେ କୌଣସି ସ୍ଥାନରୁ ପରିଚାଳିତ କରି ହେବ । ଏହି କାର୍ଯ୍ୟ ଏବେ ଏକ ପାଇଲଟ ପ୍ରକଳ୍ପ ଭାବେ ତାଳଚେରର ଭୁବନେଶ୍ୱରୀ ଓ ଲିଙ୍ଗରାଜ ଓପନକାଷ୍ଟ କୋଇଲା ଖଣିରେ କାର୍ଯ୍ୟକାରୀ ହୋଇଛି । ପରିବେଶ ପର୍ଯ୍ୟବେକ୍ଷଣ, ଭଲ୍ୟୁମ ମେଜରମେଣ୍ଟ ଏବଂ ଖଣି ଖନନ ପ୍ରକ୍ରିୟାର ଡିଜିଟାଇଜେସନ ନିମନ୍ତେ ଆବଶ୍ୟକ ହେଉଥିବା ଖଣିର ଫଟୋଗ୍ରାମେଟ୍ରିକ୍ ମ୍ୟାପିଂ ପାଇଁ ଏମ୍ସିଏଲ୍ ଏବେ ଡ୍ରୋନ ଟେକ୍ନୋଲୋଜି ଉପଯୋଗ କରୁଛି ।
କୋଇଲା ଉତ୍ପାଦନକୁ ଅଧିକ ବଢାଇବା ସହିତ ତାହାର ରେକର୍ଡ ରଖିବା ନିମନ୍ତେ ମଧ୍ୟ ଏମ୍ସିଏଲ୍ ସର୍ବାଧୁନିକ ଟେକ୍ନୋଲୋଜି ବ୍ୟବହାର କରୁଛି । ସେହିଭଳି ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଅତ୍ୟାଧୁନିକ ଉପକରଣକୁ ଉପଯୋଗ କରାଯାଉଛି । କୋଇଲା ଷ୍ଟକିୟାର୍ଡରେ ପାଣି ଛିଞ୍ଚିବା ପାଇଁ ଏମ୍ସିଏଲ୍ ଏବେ ରୋବୋଟିକ୍ ନୋଜଲ ୱାଟର ସ୍ପ୍ରେୟାର ବ୍ୟବହାର କରୁଛି । କୋଇଲା କମ୍ପାନୀମାନେ ରୋବୋର୍ଟ ଦ୍ୱାରା ପରିଚାଳିତ ଅଗ୍ନି ନିର୍ବାପକ ଏବଂ ଧୂଳି ଦମନ ଅଗ୍ରଣୀ ଟେକ୍ନୋଲୋଜି ବ୍ୟବହାର କରିପାରୁଛନ୍ତି । ଏହି କାମ ବିପଜ୍ଜନକ ହୋଇଥିବାରୁ ଯନ୍ତ୍ର ମାଧ୍ୟମରେ ନିରାପଦରେ ଏହା କରାଯାଉଛି ।
ନୂଆ ଯନ୍ତ୍ର ମାଧ୍ୟମରେ ୭୦ମିଟର ଦୂରକୁ ପାଣିକୁ ଜଳୀୟ ବାଷ୍ପ ଆକାରରେ ସ୍ପ୍ରେ କରିବା ସମ୍ଭବ ହେଉଛି । ଏହି ସ୍ପ୍ରେୟାରରେ ଲାଗିଥିବା ନୋଜଲ ସ୍ୱାଇଭେଲ ନୋଜେଲ ନାମରେ ପରିଚିତ । ଏହା ୨୮ କିଲୋଲିଟର ଦକ୍ଷତା ବିଶିଷ୍ଟ ଏକ ପାଣି ଟ୍ୟାଙ୍କର ସହିତ ସଂଯୁକ୍ତ ।
ମହାନଦୀ କୋଲଫିଲ୍ଡ କମ୍ପାନୀ ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୋଳ ଜିଲ୍ଲାରେ କୋଇଲା ଖନନ, ଉତ୍ତୋଳନ, ପରିବହନ ଓ ବିକ୍ରିବଟା ସହିତ ସମ୍ପୃକ୍ତ । ଭାରତରେ ମୋଟ କୋଇଲା ଉତ୍ପାଦନରେ ମହାନଦୀ କୋଲଫିଲ୍ଡର ଅବଦାନ ୨୦% ।
*****
TKM/SLP
(Release ID: 1896174)
Visitor Counter : 188