ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ


ସାମାଜିକ ନ୍ୟାୟ ‘ଡିଜିଟାଲ’ ନବ ସୃଜନର ଲକ୍ଷ୍ୟ ହେବା ଉଚିତ: ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ

Posted On: 07 JAN 2023 2:19PM by PIB Bhubaneshwar

ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଅନୁପ୍ରାଣିତ, ଉତ୍ସାହିତ ଓ ସ୍ୱୀକୃତି ପ୍ରଦାନ କରି ନ ଥାଏ, ଏହା ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକୁ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ । ଏହି ପୁରସ୍କାର ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଜନସାଧାରଣଙ୍କୁ ଡିଜିଟାଲ ଶାସନର ସଫଳ ପ୍ରୟୋଗ ଦିଗରେ ସମର୍ଥ କରିଥାଏ । 

ରାଷ୍ଟ୍ରପତି ପୁରସ୍କାର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଆଣି ଲୋକଙ୍କ ସେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ବେଶ୍ ଆନନ୍ଦଦାୟକ । ଏହା ଦ୍ୱାରା ନାଗରିକମାନେ ସଶକ୍ତ ହେବା ସହିତ, ଡାଟା ସେୟାରିଂ ଓ ବ୍ୟାବସାୟିକ ସୁଗମତା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି ।

 ରାଷ୍ଟ୍ରପତି କହିଛନ୍ତି ଯେ ସାମାଜିକ ନ୍ୟାୟ ପ୍ରଦାନ, ଡିଜିଟାଲ ନବସୃଜନ (ଇନୋଭେସନ)ର ପ୍ରମୁଖ ଲକ୍ଷ୍ୟ ହେବା ଉଚିତ । ଏବେ ଦେଶରେ ଯେଉଁ ଡିଜିଟାଲ ବିଭାଜନ ବା ସହର ମଫସଲ ଭିତରେ ଡିଜିଟାଲ ତାରତମ୍ୟ ରହିଛି; ଟେକ୍‌ନୋଲୋଜି ମାଧ୍ୟମରେ ତାହାର ଦୂରୀକରଣ କରାଯାଇପାରିଲେ ଭାରତ ଏକ ଜ୍ଞାନ ଅର୍ଥନୀତିରେ ପରିଣତ ହୋଇପାରିବ । ଭାରତ ଏ ଦିଗରେ ଯେଉଁ ପଦକ୍ଷେପ ନେଉଛି ତାହା ଇପ୍‌ସିତ୍ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ରାଷ୍ଟ୍ରପତି ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ‘ଡିଜିଟାଲ ଅନ୍ତ୍ୟୋଦୟ ଯାତ୍ରା ପଥରେ ଭାରତ ଉପଯୁକ୍ତଭାବେ ଆଗେଇ ଚାଲିଛି ଏବଂ ଏଥିରେ ସମାଜର ଅବହେଳିତ ଓ ବଂଚିତ ବର୍ଗଙ୍କୁ ସାମିଲ କରି ସେମାନଙ୍କ ଅର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି । 

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିôଲେ ଯେ ଭାରତରେ ଡିଜିଟାଲ ପରିବର୍ତ୍ତନର କାହାଣୀ, ନବସୃଜନ, ରୂପାୟନ ଓ ସମସ୍ତଙ୍କୁ ସମ୍ପୃକ୍ତ କରିବାର କାହାଣୀ । ସମଗ୍ର ବିଶ୍ୱକୁ ଅଧିକ ସୁଗମ, ସମାନ ଏବଂ ସମାବେଶୀ କରିବା ପାଇଁ ଅଧିକରୁ ଅଧିକ ସହଯୋଗ ଭିତ୍ତିକ ମଞ୍ଚ ସୃଷ୍ଟି ମାଧ୍ୟମରେ ନୂଆ ନୂଆ ଅଭିନବ ସମାଧାନ ସୂତ୍ର ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । 

ସେ ଆହୁରି କହିଛନ୍ତି ଭାରତୀୟ ଆଇଟି କମ୍ପାନୀମାନେ ବିଦେଶୀଙ୍କୁ ଭାରତର ପ୍ରତିଭାର ମୂଲ୍ୟ ବୁଝିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ଆମେ ବର୍ତ୍ତମାନର ନୀତିର ସଦୁପଯୋଗ କରି ଆମର ସୂଚନା ପ୍ରଯୁକ୍ତି ପରିବେଶକୁ ଆହୁରି ସୁଦୃଢ କରିବା ସହିତ ସପ୍ଟଓୟାର ଓ ହାର୍ଡଓୟାର କ୍ଷେତ୍ରରେ ଭାରତକୁ ଏକ ବୈଶ୍ୱିକ ପାୱାର ହାଉସରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଏ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ପରିଣତ ହେବା ନିମନ୍ତେ ଭାରତ ଇନୋଭେଟିଭ ମେଡ୍ ଇନ୍ ଇଣ୍ଡିଆ ଟେକ୍‌ନୋଲୋଜି ପ୍ରସ୍ତୁତ କରିବା ଉଚିତ । 

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ନୂଆ ଜ୍ଞାନ, ଅନ୍ତର୍ଦୃଷ୍ଟି ଓ ସମସ୍ୟା ସମାଧାନ ସୂତ୍ର ସୃଷ୍ଟିରେ ଦାତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ସଫଳତା ବିନିଯୋଗର ନୂଆ କ୍ଷେତ୍ର ସୃଷ୍ଟି କରିଥାଏ । ତେଣୁ ଆମେ ସରକାରୀ ଡାଟା ବ୍ୟବହାରକୁ ଅଧିକ ଗଣତାନ୍ତ୍ରିକ କରିବା ଉଚିତ । ଏହା ପଥରେ ଯୁବ ଟେକ୍ନୋଲୋଜି ଉତ୍ସାହୀମାନେ ଏହାକୁ ବ୍ୟବହାର କରି ସ୍ଥାନୀୟ ଡିଜିଟାଲ ସଲ୍ୟୁସନ୍ସର ବାଟ ବାହାର କରିପାରିବେ ।

ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ ଭାରତର ସରକାରୀ ସଂସ୍ଥାମାନେ ଯେଉଁ ନବ ସୃଜନକାରୀ ପ୍ରୟାସ ତୃଣମୂଳ ସ୍ତରରେ ହାତକୁ ଦେଇଛନ୍ତି ଏବଂ ଘରୋଇ-ସରକାରୀ ଅଂଶୀଦାରୀରେ ଷ୍ଟାର୍ଟଅପ୍‌ଗୁଡିକ ସହିତ ଯେଉଁ ସହଯୋଗ ରଖିଛନ୍ତି ତାହା ବେଶ ଉତ୍ସାହର ବିଷୟ । ସବୁ ନାଗରିକଙ୍କ ଜୀବନ ଧାରଣର ମାନକୁୁ ବଢାଇ ସେମାନଙ୍କୁ ଜୀବନକୁ ସୁଖଦ କରିବାର ଆହ୍ୱାନକୁ ସାକାର କରିବାକୁ ଆମକୁ ବ୍ରତୀ ହେବାକୁ ପଡିବ । ଏଥିପାଇଁ ନ୍ୟାୟପାଳିକା, ଭୂ-ପଞ୍ଜୀକରଣ, ସାର ଓ ଉର୍ବରକ ଉପଯୋଗ, ସାଧାରଣ ବଣ୍ଟନ ବ୍ୟବସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମକୁ କାମ କରିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି । 

 

*****

TKM/SLP



(Release ID: 1889467) Visitor Counter : 129