ରେଳ ମନ୍ତ୍ରଣାଳୟ
ରେଳ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀଙ୍କ ସୁଖ ସୁବିଧା ପାଇଁ ଏକ ମାସ ବ୍ୟାପୀ ସର୍ବ ଭାରତୀୟ ଅଭିଯାନ
ମହିଳାଙ୍କ ପାଇଁ ସଂରକ୍ଷିତ କୋଚ୍କୁ ବେଆଇନ ଭାବେ ପ୍ରବେଶ କରିଥିବା ୫୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ/ଲୋକଙ୍କୁ ଗିରଫ କରାଯାଇଛି
ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ କୋଚ୍ରେ ଅନୁପ୍ରବେଶ ଏବଂ ସେମାନଙ୍କ ସିଟ୍ ଜବରଦଖଲ କରିଥିବା ୬୩୦୦ରୁ ଅଧିକ ଯାତ୍ରୀ ଗିରଫ ହୋଇଛନ୍ତି
Posted On:
06 JAN 2023 3:30PM by PIB Bhubaneshwar
ରେଳ ସୁରକ୍ଷା ବଳ ବା ଆର୍ପିଏଫ ପକ୍ଷରୁ ରେଳଯାତ୍ରୀଙ୍କ ସୁଖସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା । ଏହି ଅଭିଯାନ କାଳରେ ମହିଳାଙ୍କ ପାଇଁ ସଂରକ୍ଷିତ କୋଚରେ ବେଆଇନଭାବେ ପ୍ରବେଶ କରି ଯାତ୍ରା କରୁଥିବା ୫୧୦୦ରୁ ଅଧିକ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି । ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ପ୍ରବେଶ କରି ଯାତ୍ରା କରିବା ଓ ସେମାନଙ୍କ ଆସନକୁ ଅକ୍ତିଆର କରିବା ଅଭିଯୋଗରେ ଅନ୍ୟ ୬୩୦୦ ଯାତ୍ରୀଙ୍କୁ ଆରପିଏଫ ଗିରଫ କରିଛି ।
ରେଳବାଇ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଯାତ୍ରା କରୁଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜୋରିମାନା ଆକାରରେ ଉଭୟ ଗୋଷ୍ଠୀର ଦୋଷୀଙ୍କଠାରୁ ଯଥାକ୍ରମେ ୬.୭୧ ଲକ୍ଷ ଏବଂ ୮.୬୮ଲକ୍ଷ ଟଙ୍କା ଆଦାୟ କରାଯାଇଛି ।
କିଛି ଲୋକ ବିନା ଟିକେଟରେ ଟ୍ରେନରେ ଚଢି ଯାତ୍ରୀଙ୍କ ସିଟ୍ରେ ଜବରଦସ୍ତ ବସିବା, ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଗଣ୍ଡଗୋଳ ଓ ଅପରାଧ ଆଦି ଘଟାଇବା ଘଟଣାର ଖବର ନିୟମିତଭାବେ ଦେଶର ବିଭିନ୍ନ ଅଞ୍ଚଳରୁ ମିଳୁଥିଲା । ଏହି ଖବର ପାଇବା ପରେ ଆରପିଏଫ କର୍ତ୍ତୃପକ୍ଷ ଦେଶବ୍ୟାପୀ ଏକମାସିଆ ଅଭିଯାନ ଚଳାଇଥିଲେ ।
ଏହି ଅଭିଯାନ କାଳରେ ଦୂରଗାମୀ ଟ୍ରେନର ସାଧାରଣ ବଗିରେ କିଛି ଅସାଧୁ ଲୋକ ଟାୱେଲ ପକାଇ ସିଟ୍ ଜବରଦଖଲ କରିବା ସହିତ ତାହାକୁ ଯାତ୍ରୀମାନଙ୍କୁ ବିକିବା ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଏହି ବେଆଇନ ସିଟ୍ ଅକ୍ତିଆର ଘଟଣାର ୩୬ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାତ୍ରୀଙ୍କ ସୁଖସୁବିଧା ପ୍ରତି ନିୟମିତ ଧ୍ୟାନ ଦେବାକୁ ଓ ଅଭିଯାନ ଚଳାଇବାକୁ ଆର୍ପିଏଫ୍ର କ୍ଷେତ୍ର କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।
ରେଳ ସମ୍ପତ୍ତି, ରେଳ ଯାତ୍ରୀ, ଯାତ୍ରା ଅଞ୍ଚଳ ଏବଂ ତତ୍ସଂଲଗ୍ନ ସମସ୍ତ ବିଷୟର ନିରାପତ୍ତା ରକ୍ଷା ଦାୟିତ୍ୱ ଆର୍ପିଏଫ୍ ଉପରେ ନ୍ୟସ୍ତ । ବିଶେଷକରି ଯାତ୍ରୀମାନେ ଯେପରି ବିନା ଭୟ ଓ ହରକତରେ ସୁବିଧାରେ ଯାତ୍ରା କରିପାରିବେ ତାହା ଦେଖିବା ଏବଂ ଏଥିପାଇଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆର୍ପିଏଫ୍ର ଦାୟିତ୍ୱ । ରେଳବାଇ ନିୟମ ଅନୁସାରେ କୌଣସି ବ୍ୟକ୍ତି ବେଆଇନ ଭାବେ ଯାତ୍ରୀଙ୍କ ସିଟ୍କୁ ଅକ୍ତିଆର କରିପାରିବେ ନାହିଁ। ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ । ସେମାନଙ୍କ ଆସନ ମଧ୍ୟ ଅକ୍ତିଆର କରିବା ଆଇନ ବିରୋଧୀ । ଏହାଛଡା ବେଆଇନଭାବେ ସିଟ୍ ଅଧିକାର କରିବା, ଟ୍ରେନରେ ତୃତୀୟ ଲିଙ୍ଗର ବ୍ୟକ୍ତି ପଶି ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ମଧ୍ୟ ଧର୍ତ୍ତବ୍ୟ ଅପରାଧ ।
*****
TKM/SLP
(Release ID: 1889262)
Visitor Counter : 154