ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁୟାରୀ ୩ରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 01 JAN 2023 10:47AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୩, ୨୦୨୩ ପୂର୍ବାହ୍ନ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସସି)କୁ ସମ୍ବୋଧିତ କରିବେ ।

ଚଳିତ ବର୍ଷ ଆଇଏସସିର ମୁଖ୍ୟ ବିଷୟବସ୍ତୁ ରହିଛି “ନିରନ୍ତର ବିକାଶ ସହ ମହିଳା ସଶକ୍ତିକରଣରେ ବିଜ୍ଞାନ ଓ ପ୍ରଯୁକ୍ତି” । ନିରନ୍ତର ବିକାଶ, ମହିଳା ସଶକ୍ତିକରଣ ଏବଂ ଏହାକୁ ହାସଲ କରିବାରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ସମ୍ପର୍କରେ ଆଲୋଚନା ଏଥିରେ ସାମିଲ ରହିବ । ପ୍ରତିଯୋଗୀମାନେ ଶିକ୍ଷା, ଗବେଷଣା ଓ ଉଦ୍ୟୋଗର ଉଚ୍ଚତମ ସ୍ତରରେ ଅଧିକରୁ ଅଧିକ ମହିଳାଙ୍କ ଭାଗିଦାରୀ ସମ୍ପର୍କରେ ଆଲୋଚନା କରିବା ସହିତ ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା, ଗବେଷଣା ସୁଯୋଗ ଓ ଅର୍ଥନୈତିକ ଭାଗିଦାରୀରେ ମହିଳାଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଅବସର ସନ୍ଧାନ କରିବେ । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ପ୍ରଦର୍ଶିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ, ଯେଉଁଥିରେ ବିଶିଷ୍ଟ ମହିଳା ବୈଜ୍ଞାନିକମାନେ ବକ୍ତୃତା ପ୍ରଦାନ କରିବେ ।

ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସସି) ସହ ଆଉ କିଛି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ଋଚି ଓ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ପାଇଁ ଶିଶୁ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । ଜୈବ- ଅର୍ଥନୀତିକୁ ସମୃଦ୍ଧ କରିବା ସହ ଯୁବପୀଢିଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବାକୁ କୃଷକ ବିଜ୍ଞାନ କଂଗ୍ରେସ ମଞ୍ଚ ପ୍ରଦାନ କରିବ । ଏହି ଅବସରରେ ଜନଜାତି ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । ସ୍ଥାନୀୟ ପ୍ରାଚୀନ ଜ୍ଞାନ ପ୍ରଣାଳୀ ଓ ପ୍ରୟୋଗ ସହ ଜନଜାତି ମହିଳାଙ୍କ ସଶକ୍ତିକରଣର ବିଜ୍ଞାନଭିତ୍ତିକ ପ୍ରଦର୍ଶନ ପାଇଁ ଏହା ମଞ୍ଚ ପ୍ରଦାନ କରିବ । 

୧୯୧୪ରେ ବିଜ୍ଞାନ କଂଗ୍ରେସର ପ୍ରଥମ ଅଧିବେଶନ ଆୟୋଜିତ ହୋଇଥିଲା । ଆଇଏସସିର ୧୦୮ତମ ବାର୍ଷିକ ଅଧିବେଶନ ଚଳିତ ବର୍ଷ ଶତବାର୍ଷିକୀ ପାଳନ କରୁଥିବା ରାଷ୍ଟ୍ରସନ୍ଥ ତୁକଦୋଜୀ ମହାରାଜ ନାଗପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ । 

 

SR



(Release ID: 1887870) Visitor Counter : 151