କୋଇଲା ମନ୍ତ୍ରଣାଳୟ

୩୦୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅନୁଗୁଳ-ବଳରାମ ରେଳ ଲାଇନ ଉଦ୍‌ଘାଟିତ


ଏହା ଦ୍ୱାରା କୋଇଲା ପରିବହନ ଦୈନିକ ୪୦ହଜାର ଟନ୍ ଅଧିକ ହେବ

Posted On: 29 DEC 2022 4:00PM by PIB Bhubaneshwar

୧୪କିଲୋମିଟର ଦୀର୍ଘ ଅନୁଗୁଳ-ବଳରାମ ରେଳ ଲାଇନ ଉଦ୍‌ଘାଟିତ ହେବା ସହ ତାଳଚେର କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନରେ ବିଶେଷ ସୁବିଧା ହେବ । ଏହାଫଳରେ ମହାନଦୀ କୋଲଫିଲ୍ଡ-ଏମ୍‌ସିଏଲ୍‌ରୁ ଦୈନିକ ୪୦ହଜାର ଟନରୁ ଅଧିକ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଯାଇପାରିବ । ୩୦୦କୋଟି ଟଙ୍କା ବ୍ୟୟରେ ଅନୁଗୁଳ-ବଳରାମ ରେଳ ସଂଯୋଗୀକରଣ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାରମ୍ଭ କରିବା ଯୋଗୁଁ ଏମ.ସି.ଏଲ ପ୍ରତିଦିନ ଅଧିକ ୧୦ରେକ କୋଇଲା ପରିବହନ କରିପାରିବ । 

ମହାନଦୀ କୋଲ ରେଲୱେ ଲିମିଟେଡ(ଏମ୍‌ସିଆରଏଲ) ଦ୍ୱାରା ନିର୍ମତ ଏହି ଏମସିଏଲ, ଆଇଆରସିଓଏନ୍ ଇଣ୍ଟର ନ୍ୟାସନାଲ ଲିମିଟେଡ ଓ ଇଡ୍‌କୋର ମିଳିତ ପ୍ରକଳ୍ପକୁ ଆଜି କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ, ଦୂରସଂଚାର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍‌ଘାଟନ କରିଛନ୍ତି । 

ଅନୁଗୁଳ-ବଳରାମ ରେଳ ସଂଯୋଗ ୬୮ କିଲୋମିଟର ଦୀର୍ଘ ଅନୁଗୁଳ-ବଳରାମ-ପୁତୁଗାଡିଆ ଜରପଡା- ତେନ୍ତୁଲୋଇ ଭିତର କରିଡରର ପ୍ରଥମ ପର୍ଯ୍ୟାୟ ହୋଇଥିବାବେଳେ, ଏହା ଓଡିଶାର ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣିରୁ କୋଇଲା ପରିବହନରେ ସହାୟକ ହେବ । ଏହି ଭିତର କରିଡରକୁ ଦୁଇଟି ପର୍ଯ୍ୟାୟରେ ଏମ୍‌.ସି.ଆର.ଏଲ ତ୍ୱରାନ୍ୱିତ କରୁଛି । ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ-ବଳରାମ ୧୪କିଲୋମିଟର ସଂଯୋଗୀକରଣ କାର୍ଯ୍ୟକାରୀ ହୋଇଥିବାବେଳେ ୫୪ କିଲୋମିଟର ଦୀର୍ଘ ବଳରାମ-ପୁତୁଗାଡିଆ-ଜରପଡା-ତେନ୍ତୁଲୋଇ ରେଳ ସଂଯୋଗ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୧୭୦୦ କୋଟି ଟଙ୍କା ବ୍ୟୟରେ ଆଇଆରସିଓଏନ ଆନ୍ତର୍ଜାତିକ ଲିମିଟେଡ ସଂସ୍ଥା ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଛି । 

କୋଇଲା ମନ୍ତ୍ରଣାଳୟ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା, କୋଲ ଇଣ୍ଡିଆ ଲିମିଟେଡ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରୱାଲ, ଏମସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓ.ପି.ସିଂ, ଏମ୍‌ସିଆରଏଲ ଅଧ୍ୟକ୍ଷ ଶ୍ରୀ କେଶବ ରାଓ, ଏମସିଏଲ ନିର୍ଦ୍ଦେଶକ (କାର୍ମିକ) ଶ୍ରୀ ଯୁଗଳ କିଶୋର ବୋରା, ଏମସିଏଲ୍ ଯାନ୍ତ୍ରିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ବେହୁରା ଓ ଅର୍ଥ ନିର୍ଦ୍ଦେଶକ ଏହି ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।

କୋଇଲା ମନ୍ତ୍ରଣାଳୟର ପ୍ରତିନିଧିଭାବେ ଏମସିଆରଏଲ ଓ ଏମସିଏଲର ଶତକଡା ୬୪ଭାଗ ଅଂଶଧନ ଥିବାବେଳେ, ରେଳ ମନ୍ତ୍ରଣାଳୟର ପ୍ରତିନିଧିଭାବେ ଇରକନ୍‌ର ଶତକଡା ୨୬ଭାଗ ଓ ଓଡିଶା ସରକାରଙ୍କ ପ୍ରତିନିଧି ଇଡ୍‌କୋର ଶତକଡା ୧୦ଭାଗ ଅଂଶଧନ ରହିଛି । ଏହି ସଂଯୁକ୍ତ ପଦକ୍ଷେପ ୨୦୧୫ରେ ଗଠନ କରାଯାଇଥିଲା ।

ଏହି ରେଳ ସଂଯୋଗ ତାଳଚେର କୋଇଲା ଖଣି ବ୍ୟତୀତ ଖଣିଜ ଉତ୍ପାଦନକାରୀଙ୍କ ଆବଣ୍ଟିତ କୋଲବ୍ଲକରୁ ଶୁଷ୍କ ଇନ୍ଧନ ଅପସାରଣରେ ମଧ୍ୟ ସହାୟତା କରିବ ।

*****

SM/SLP



(Release ID: 1887371) Visitor Counter : 172


Read this release in: English , Urdu , Tamil , Telugu