ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନାଗପୁର ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Posted On: 11 DEC 2022 10:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁର ଓ ବିଳାସପୁରକୁ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ନାଗପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସର ରେଳ ଡବାଗୁଡିକୁ ନୀରିକ୍ଷଣ କରିବା ସହ ଅନବୋର୍ଡ ସୁବିଧାଗୁଡିକ ସମୀକ୍ଷା କରିଛନ୍ତି । ଶ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ ଲୋକୋମୋଟିଭ ଇଞ୍ଜିନର ନିୟନ୍ତ୍ରଣ କେନ୍ଦ୍ର ନୀରିକ୍ଷଣ କରିବା ସହ ନାଗପୁର ଓ ଅଜନି ରେଳ ଷ୍ଟେସନ ବିକାଶ ଯୋଜନା ସମୀକ୍ଷା ମଧ୍ୟ କରିଛନ୍ତି । ଏହାଦ୍ୱାରା ନାଗପୁରରୁ ବିଳାସପୁର ଯାତ୍ରା ସମୟ ୭-୮ ଘଣ୍ଟାରୁ ହ୍ରାସ ପାଇ ୫ ଘଣ୍ଟା ୩୦ ମିନିଟ ହେବ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନାଗପୁର ଓ ବିଳାସପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲି । ଏହି ଟ୍ରେନ ଯୋଗୁଁ ଯୋଗାଯୋଗ ଆହୁରି ବଢିବ ।”

ନାଗପୁର ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ଶିନ୍ଦେ, ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିଆରୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରି ଉପସ୍ଥିତ ଥିଲେ ।

ପୃଷ୍ଠଭୂମି   

ଏହି ଟ୍ରେନ ଆରମ୍ଭ ଦ୍ୱାରା ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବା ସହ ଭ୍ରମଣ ପାଇଁ ଆରାମଦାୟକ ଓ ଦ୍ରୁତ ମାଧ୍ୟମ ଉପଲବ୍ଧ ହେବ । ନାଗପୁରରୁ ବିଳାସପୁର ଯାତ୍ରା ସମୟ ୫ ଘଣ୍ଟା ୩୦ ମିନିଟ ହେବ । ଏହା ଦେଶରେ ଆରମ୍ଭ ହୋଇଥିବା ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ ଓ ପୂର୍ବ ଟ୍ରେନଗୁଡିକ ତୁଳନାରେ ଉନ୍ନତ ତଥା ପୂର୍ବାପେକ୍ଷା ହାଲକା ଓ କମ ସମୟ ମଧ୍ୟରେ ଅଧିକ ବେଗ ହାସଲ କରିବ । ବନ୍ଦେ ଭାରତ ଏକ୍ସପ୍ରେସ ୨.୦ରେ ମାତ୍ର ୫୨ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ବେଗରେ ପହଞ୍ଚିବା ଓ ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ଗତି ହାସଲ କରିବା ଭଳି ଅତ୍ୟାଧୁନିକ ଓ ଉନ୍ନତ ବୈଶିଷ୍ଟ୍ୟ ରହିଛି । ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସର ଓଜନ ୩୯୨ ଟନ ରହିଛି । ପୂର୍ବ ସଂସ୍କରଣରେ ଏହା ୪୩୦ ଟନ ଥିଲା । ଏଥିରେ ୱାଇ-ଫାଇ କଣ୍ଟେଣ୍ଟ ଅନ ଡିମାଣ୍ଡ ସୁବିଧା ମଧ୍ୟ ରହିଛି । ପ୍ରତ୍ୟେକ କୋଚରେ ଯାତ୍ରୀଙ୍କୁ ସୂଚନା ଓ ମନୋରଞ୍ଜନ ପ୍ରଦାନ ପାଇଁ ୩୨ ଇଞ୍ଚର ସ୍କ୍ରିନ ରହିଛି । ପୂର୍ବ ସଂସ୍କରଣରେ ଏହା ୨୪ ଇଞ୍ଚର ଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ପରିବେଶ ଅନୁକୂଳ ରହିବ କାରଣ ଏହାର ଶୀତତାପ ନିୟନ୍ତ୍ରଣ ଯନ୍ତ୍ରଗୁଡିକ ୧୫ ପ୍ରତିଶତ ଅଧିକ ବିଜୁଳି ବଞ୍ଚାଇବ । ଟ୍ରାକ୍ସନ ମୋଟରର ଧୂଳିକଣା ରହିତ ଶୁଦ୍ଧ ବାୟୁ ଚଳପ୍ରଚଳ ସହ ଯାତ୍ରା ଅଧିକ ଆରାମଦାୟକ ହେବ । କେବଳ ଏକଜିକ୍ୟୁଟିଭ ଶ୍ରେଣୀ ଯାତ୍ରୀଙ୍କୁ ମିଳୁଥିବା ସାଇଡ ରିକ୍ଲାଇନର ସିଟ୍ ସୁବିଧା ସମସ୍ତ ଶ୍ରେଣୀ ପାଇଁ ଉପଲବ୍ଧ ହେବ । ଏକଜିକ୍ୟୁଟିଭ କୋଚଗୁଡିକରେ ୧୮୦ ଡିଗ୍ରୀ ଘୂର୍ଣ୍ଣାୟମାନ ସିଟ୍ ଭଳି ବୈଶିଷ୍ଟ୍ୟ ଉପଲବ୍ଧ ହେବ ।

ନୂଆ ଡିଜାଇନର ବନ୍ଦେ ଭାରତ ଏକ୍ସପ୍ରେସରେ ଏୟାର ପ୍ୟୁରିଫିକେସନ ପାଇଁ ରୁଫ ମାଉଣ୍ଟେଡ ପ୍ୟାକେଜ ୟୁନିଟ (ଆରଏମପିୟୁ)ରେ ଫଟୋ- କାଟାଲିଟିକ ଅଲଟ୍ରାଭାୟୋଲେଟ ଏୟାର ପ୍ୟୁରିଫିକେସନ ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ (ସିଏସଆଇଓ), ଚଣ୍ଡିଗଡଙ୍କ ସୁପାରିଶ ଅନୁଯାୟୀ ଏହି ବ୍ୟବସ୍ଥାକୁ ଆରଏମପିୟୁର ଉଭୟ ପାର୍ଶ୍ୱରେ ଡିଜାଇନ ଓ ସ୍ଥାପିତ କରାଯାଇଛି, ଯାହାଦ୍ୱାରା ତାଜା ବାୟୁ ଓ ଫେରୁଥିବା ବାୟୁ ମାଧ୍ୟମରେ ଆସୁଥିବା ଜୀବାଣୁ, କୀଟାଣୁ ଓ ବ୍ୟାକ୍ଟେରିଆକୁ ଛାଣି ଶୁଦ୍ଧ ବାୟୁ ଫିଲ୍ଟର ଓ ସଫା କରାଯାଇପାରିବ । 

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଅନ୍ୟ ଉନ୍ନତ ଓ ବିମାନ ଭଳି ଯାତ୍ରୀ ଅଭିଜ୍ଞତା ପ୍ରଦାନ କରିବ । ଏଥିରେ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଟ୍ରେନ କୋଲିଜନ ଆଭଏଡାନ୍ସ ବ୍ୟବସ୍ଥା- କଭଚ ଭଳି ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ମଧ୍ୟ ରହିଛି । 

<\center>

 

SR



(Release ID: 1882517) Visitor Counter : 218