ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ମରିସିୟସ, ତାଞ୍ଜାନିଆ, ଜିମ୍ବାଓ୍ୱେ ଏବଂ ଘାନାର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ପୃଥକ ବୈଠକ

ଶିକ୍ଷା, ଦକ୍ଷତା ବିକାଶ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୪ଟି ଆଫ୍ରିକୀୟ ଦେଶର ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଦେଇ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାର ପଟ୍ଟଚିତ୍ର ହେଉଛି, ଭାରତ ଆଉ ଆଫ୍ରିକା ଭିତରେ ସମ୍ପର୍କର ସେତୁ

ଉଭୟ ଦେଶର ବନ୍ଧୁତାର ଏହି ପଟ୍ଟଚିତ୍ର ଅନନ୍ୟ ନିଦର୍ଶନ

ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ଯୋଗଦାନକୁ ନେଇ ଆଲୋଚନା ଫଳପ୍ରଦ ହୋଇଛି

Posted On: 24 NOV 2022 5:02PM by PIB Bhubaneshwar

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ ୪ଟି ଆଫ୍ରିକୀୟ ଦେଶ ତଥା ମରିସୟସ, ତାଞ୍ଜାନିଆ, ଜିମ୍ବାଓ୍ୱେ ଏବଂ ଘାନାର ଶିକ୍ଷା ମନ୍ତ୍ରୀଙ୍କ ସହ ପୃଥକ ପୃଥକ ବୈଠକ କରିଛନ୍ତି । ବୈଠକରେ ଶିକ୍ଷା, ଦକ୍ଷତା ବିକାଶ, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗୀ ହେବା ଦିଗରେ ବିସ୍ତୁତ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସବୁ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ଭାବରେ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ ।
 

111.jpg 1.22.jpg


ମରିସିୟସର ଉପ ପ୍ରଧାନମନ୍ତ୍ରୀ ତଥା ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଲିଲା ଦେଭି ଦୁକୁନ ଲୁଚୁମୁନଙ୍କ ସହ ସାକ୍ଷାତ୍ କରି ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ଷମତା ଗଠନ ଦିଗରେ ବିସ୍ତୁତ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସିୟସ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଭାରତ ମରିସିୟସକୁ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ଜ୍ଞାନ ଏବଂ ଦକ୍ଷତା ବିକାଶର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି ।

2.1.jpg 2.2.jpg


ତାଞ୍ଜାନିଆ ଏବଂ ଜାଞ୍ଜିବାରର ଶିକ୍ଷା ଓ ଧନ୍ଦାମୂଳକ ତାଲିମ ମନ୍ତ୍ରୀ ଲୀଲା ମହମ୍ମଦ ମୁସାଙ୍କ ସହ ଜ୍ଞାନ ଏବଂ କୌଶଳରେ ଭାଗିଦାରୀତାକୁ ଦ୍ୱିପାକ୍ଷିକ ସମ୍ପର୍କର ମଖ୍ୟ ସ୍ତମ୍ଭ ଭାବରେ ଗଠନ କରିବା ଦିଗରେ ଫଳପ୍ରଦ ଆଲୋଚନା ହୋଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ତାଞ୍ଜାନିଆକୁ ଆଇଆଇଟି ପ୍ରକଳ୍ପ ପ୍ରତିଷ୍ଠା କରିବାରେ ସହଯୋଗ କରୁଛି । ଫଳସ୍ୱରୂପ ତାଞ୍ଜାନିଆରେ ଥିବା ଆଇଆଇଟି ଆଫ୍ରିକାର ପ୍ରଯୁକ୍ତିବିଦ୍ୟା ଶିକ୍ଷା କ୍ଷେତ୍ରରେ ଏକ ପେଣ୍ଠସ୍ଥଳୀ ଭାବରେ ପରିଣତ ହୋଇପାରିବ । ଜାଞ୍ଜିବାରରେ ଏକବିଂଶ ଶତାବ୍ଦୀ ଦକ୍ଷତା କେନ୍ଦ୍ର ସ୍ଥାପନ କରିବା ପାଇଁ ଭାରତ ଇଚ୍ଛାପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ ଜଣାଇଥିଲେ । ଜାତୀୟ ଶିକ୍ଷା ନୀତି ଭାରତରେ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି । ଶ୍ରୀ ପ୍ରଧାନ ଆଫ୍ରିକା ଓ ତାଞ୍ଜାନିଆ ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢିବା ପାଇଁ ନିମନ୍ତ୍ରଣ କରିଥିଲେ ।
 

3.1.jpg 3.2.jpg


ସେହିପରି ଜିମ୍ବାଓ୍ୱେର ଶିକ୍ଷା ଓ ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ମନ୍ତ୍ରୀ ରେମର୍ ମାଚିନଙ୍ଗୁରାଙ୍କ ସହ ଶିକ୍ଷା ଏବଂ ଦକ୍ଷତା ବିକାଶରେ ସହଭାଗୀତାକୁ ଦୃଢ଼ କରିବା ସହ ଉଭୟ ଦେଶ ମଧ୍ୟରେ କ୍ଷମତା ଗଠନ, ଶିକ୍ଷା ଓ ଦକ୍ଷତା ବିକାଶକୁ ନେଇ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଆଲୋଚନା ହୋଇଥିଲା  । ଏହାବ୍ୟତିତ ଘାନାର ଶିକ୍ଷା ମନ୍ତ୍ରୀ ଜନ୍ ନୀତିମ ଫରଦୁଜରଙ୍କ ସହ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆହୁରି ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତ ଓ ଘାନା ମଧ୍ୟରେ ପୌଢ଼ ଶିକ୍ଷାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ଦିଗରେ ପ୍ରସ୍ତାବ ରଖିଥିଲେ ।

ସବୁ ଶିକ୍ଷା ମନ୍ତ୍ରୀଙ୍କ ପଟ୍ଟଚିତ୍ର ଉପହାର ସ୍ୱରୂପ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ପଟ୍ଟଚିତ୍ର ହେଉଛି, ଭାରତ ଆଉ ଆଫ୍ରିକା ଭିତରେ ସମ୍ପର୍କର ସେତୁ। ଉଭୟ ଦେଶର ବନ୍ଧୁତାର ଏହି ପଟ୍ଟଚିତ୍ର ଅନନ୍ୟ ନିଦର୍ଶନ ।  

ଉଲ୍ଲେଖଯୋଗ୍ୟ, ଏହି ବୈଠକ ବ୍ୟତିତ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ ଆଉ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇସିଏଚଆର ଦ୍ୱାରା ପ୍ରସ୍ତୁତ ପୁସ୍ତକ “ଭାରତ ଗଣତନ୍ତ୍ରର ଜନନୀ” ଉନ୍ମୋଚନ କରିଥିଲେ ।

ROM


(Release ID: 1878670) Visitor Counter : 158