ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରି : ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ରପ୍ତାନି ପ୍ରୋତ୍ସାହନ ଯୋଜନାରେ ମିଳିବ ଏହି ସୁବିଧା


ଏହି ନିଷ୍ପତ୍ତି ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ସୁବିଧା ଦେବା ସହ ଏହାକୁ ସହଜ କରିବ

Posted On: 09 NOV 2022 5:20PM by PIB Bhubaneshwar

ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ ଆବଶ୍ୟକ ସଂଶୋଧନ କରିଛନ୍ତି ଭାରତ ସରକାର । ଏହାଦ୍ବାରା ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥ ପଇଠ ଏବଂ ରପ୍ତାନି/ଆମଦାନୀ କାରବାର କରାଯାଇପାରିବ । ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ପୂର୍ବରୁ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ପକ୍ଷରୁ ଅନୁଚ୍ଛେଦ ସଂଖ୍ୟା ୨.୫୨ (ଡି) ବୈଧ ବିଜ୍ଞପ୍ତି ସଂଖ୍ୟା ୩୩/୨୦୧୫-୨୦ ଜରିଆରେ ସେପ୍ଟେମ୍ବର ୧୬, ୨୦୨୨ରେ ଭାରତୀୟ ମୁଦ୍ରାରେ ଇନଭଏସ ପ୍ରସ୍ତୁତି, ଅର୍ଥପଇଠ ଏବଂ ରପ୍ତାନି ଓ ଆମଦାନୀ କାରବାରକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ୧୧ ଜୁଲାଇ ୨୦୨୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ.ପି. (ଡିଆଇଆର ସିରିଜ) ବିଜ୍ଞପ୍ତି ସଂଖ୍ୟା ୧୦ ଜରିଆରେ ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁର କରିଥିଲା ଏବଂ ଡିଜିଏଫଟି ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିଥିଲା।

ଉପରୋକ୍ତ ବିଜ୍ଞପ୍ତିକୁ ଆଗକୁ ବଢ଼ାଇ, ବୈଦେଶିକ ବାଣିଜ୍ୟ ନୀତିର ଅନୁଚ୍ଛେଦ ୨.୫୩ରେ ଆବଶ୍ୟକ ପରିବର୍ତ୍ତନ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ,  ଭାରତୀୟ ମୁଦ୍ରାରେ ରପ୍ତାନି ପ୍ରାପ୍ତି ପାଇଁ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ରପ୍ତାନି ଲାଭ/ଆର୍ଥିକ ପ୍ରୋତ୍ସାହନ/ରପ୍ତାନି ଉତ୍ତରଦାୟିତ୍ବ ପୂରଣକୁ ଅନୁମତି ଦେବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଭାରତୀୟ ମୁଦ୍ରାରେ ରପ୍ତାନି ଅସୁଲି ପାଇଁ ସଂଶୋଧିତ ବ୍ୟବସ୍ଥା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରପ୍ତାନି ପାଇଁ ଆମଦାନୀ (ଏଫଟିପିର ଅନୁଚ୍ଛେଦ ୨.୪୬), ଷ୍ଟାଟସ ହୋଲ୍ଡର ବା ସ୍ଥିତିଧାରକ ଭାବେ ମାନ୍ୟତା ପାଇଁ ରପ୍ତାନି ପ୍ରଦର୍ଶନ (ଏଫଟିପିର ଅନୁଚ୍ଛେଦ ୩.୨୦), ଅଗ୍ରୀମ ପ୍ରାଧିକରଣ (ଏଏ) ଏବଂ ଶୁଳ୍କ ମୁକ୍ତ ଆମଦାନୀ ପ୍ରାଧିକରଣ (ଡିଏଫଆଇଏ) ଯୋଜନା ଅଧୀନରେ ରପ୍ତାନି କାରବାର ପ୍ରାପ୍ତି ପାଇଁ (ଏଫଟିପିର ଅନୁଚ୍ଛେଦ ୪.୨୧) ଏବଂ ରପ୍ତାନି ପ୍ରୋତ୍ସାହନ ପୁଞ୍ଜିଗତ ବସ୍ତୁ (ଇପିସିଜି) ଯୋଜନା (ଏଚବିପିର ଅନୁଚ୍ଛେଦ ୫.୧୧) ଅଧୀନରେ ରପ୍ତାନି କାରବାରର ପ୍ରାପ୍ତି ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହି ଅନୁଯାୟୀ, ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ, ଲାଭ/ରିହାତି/ରପ୍ତାନି ବାଧ୍ୟତା ପୂରଣକୁ ୧୧ ଜୁଲାଇ ୨୦୨୨ରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ଟଙ୍କାର ପ୍ରାପ୍ତି ନିମନ୍ତେ ସମ୍ପ୍ରସାରଣ କରାଯାଇଛି । ଭାରତୀୟ ମୁଦ୍ରାର ଅନ୍ତର୍ଜାତୀୟକରଣରେ ଆଗ୍ରହକୁ ଦୃଷ୍ଟିରେ ରଖି, ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ସୁଗମ କରିବା ତଥା ସେଥିରେ ସରଳତା ଆଣିବା ଲାଗି ନୀତିଗତ ସଂଶୋଧନ ଆରମ୍ଭ କରାଯାଇଛି ।

*******

P.S.



(Release ID: 1874818) Visitor Counter : 147