ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଦେଶର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି : କେନ୍ଦ୍ର ସରକାର


ଅକ୍ଟୋବର ୧, ୨୦୨୨ ସୁଦ୍ଧା ପ୍ରାୟ ୨୨୭ ଲକ୍ଷ ମେଟ୍ରିକ ଟନ ଗହମ, ୨୦୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ମହଜୁଦ ଅଛି, ଏହା ବଫର ଷ୍ଟକ ସର୍ତ୍ତାବଳୀ ଠାରୁ ଯଥେଷ୍ଟ ଅଧିକ

Posted On: 17 OCT 2022 6:54PM by PIB Bhubaneshwar

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ସରକାରଙ୍କ ଅନ୍ୟ ଯୋଜନା ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ସମେତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ରେ ବିତରଣ ପାଇଁ ଆବଶ୍ୟକ ଅତିରିକ୍ତ ଖାଦ୍ୟଶସ୍ୟର ଚାହିଦା ପୂରଣ କରିବା ଲାଗି କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ହୋଇ ରହିଛି । ୧ ଅକ୍ଟୋବର, ୨୦୨୨ ସୁଦ୍ଧା ପ୍ରାୟ ୨୨୭ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୨୦୫ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ରୀୟ ପୁଲରେ ଗଚ୍ଛିତ ରହିଛି । ଏହି ପରିମାଣ ବଫର ଷ୍ଟକ ସର୍ତ୍ତାବଳୀ/ପରିଚାଳନା ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ।

ଏନଏଫଏସଏ ଅଧୀନରେ ଆବଶ୍ୟକ ଚାହିଦାକୁ ପୂରଣ କରିବା ପରେ, ଅନ୍ୟ କଲ୍ୟାଣମୂଳକ ଯୋଜନା ଏବଂ ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟ ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ବିତରଣ କରିବା ପରେ ମଧ୍ୟ ୧ ଏପ୍ରିଲ ୨୦୨୩ ସୁଦ୍ଧା କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ପରିମାଣରେ ଷ୍ଟକ ଉପଲବ୍ଧ ରହିବ ଯାହାକି ବଫର ସର୍ତ୍ତାବଳୀ ଠାରୁ ଅଧିକ ଏବଂ ଅତିରିକ୍ତ ହୋଇଥିବ । ସବୁ ଆବଶ୍ୟକତା ପୂରଣ କରିବା ପରେ ୧ ଏପ୍ରିଲ ୨୦୨୩ ସୁଦ୍ଧା ଆନୁମାନିକ ୧୧୩ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୨୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ରହିଥିବ । ଏହା ବଫର ସର୍ତ୍ତାବଳୀ/ପରିଚାଳନା ଆବଶ୍ୟକତା ଯଥାକ୍ରମେ ୭୫ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୧୩୬ ଲକ୍ଷ ମେଟ୍ରିକ ଟନ ଚାଉଳ ଠାରୁ ଯଥେଷ୍ଟ ଅଧିକ ।

 

ଚଳିତ ୨୦୨୨-୨୩ ଖରିଫ ବିପଣନ ଋତୁରେ ଖରିଫ ଧାନ କ୍ରୟ ଆରମ୍ଭ ହୋଇସାରିଛି । ୧୬ ଅକ୍ଟୋବର ୨୦୨୨ ସୁଦ୍ଧା ପ୍ରାୟ ୫୮ ଲକ୍ଷ ମେଟ୍ରିକ ଟନ ଧାନ (୩୯ ଲକ୍ଷ ମେଟ୍ରିକ ଟନ ଚାଉଳ) କିଣାଯାଇ ସାରିଛି । ଏହି ପରିମାଣ ୨୦୨୧-୨୨ ଖରିଫ ବିପଣନ ଋତୁରେ କିଣାଯାଇଥିବା ଧାନ ତୁଳନାରେ ଯଥେଷ୍ଟ ଅଧିକ । ଦେଶରେ ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହୋଇଛି ଏବଂ ଧାନ ଫସଲ ଅମଳ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି ।

ଚଳିତ ୨୦୨୨-୨୩ ଖରିଫ ବିପଣନ ଋତୁରେ, ୭୭୧ ଲକ୍ଷ ମେଟ୍ରିକ ଟନ ଧାନ (୫୧୮ ଲକ୍ଷ ମେଟ୍ରିକ ଟନ ଚାଉଳ) କିଣାଯିବ ବୋଲି ଆକଳନ କରାଯାଇଛି । ରବି ଧାନକୁ ମିଶାଇଲେ, ସମ୍ପୂର୍ଣ୍ଣ ୨୦୨୨-୨୩ ଖରିଫ ବିପଣନ ଋତୁରେ ୯୦୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଏପ୍ରିଲ ୨୦୨୩ ପରଠାରୁ ଗହମ କ୍ରୟ ଆରମ୍ଭ ହେବ । ଦେଶରେ ଏ ବର୍ଷ ଭଲ ବୃଷ୍ଟିପାତ ହୋଇଥିବାରୁ ପରବର୍ତ୍ତୀ ରବି ଋତୁରେ ଗହମ ଉତ୍ପାଦନ ଏବଂ କ୍ରୟ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି ।

‘‘ନ୍ୟୁଟ୍ରି ସେରେଲ୍ସ’’ କୁହାଯାଉଥିବା ମୋଟା ଶସ୍ୟର ଉଚ୍ଚ ପୋଷକ ତତ୍ତ୍ୱକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୨-୨୩ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅଧୀନରେ  ୧୩.୭୨ ଲକ୍ଷ ମେଟ୍ରିକ ଟନ୍‌ ମୋଟା ଶସ୍ୟ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୨୧-୨୨ ଖରିଫ ବିପଣନ ଋତୁରେ ସରକାର ୬.୩୦ ଲକ୍ଷ ମେଟ୍ରିକ ଟନ୍‌ ମୋଟା ଶସ୍ୟ କିଣିଥିଲେ ।

କୋଭିଡ – ୧୯ କାରଣରୁ ଦେଶର ଗରିବ ଲୋକମାନଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଗରିବଙ୍କ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପିଡିଏସ ଓ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ମିଳୁଥିବା ଖାଦ୍ୟଶସ୍ୟ ବ୍ୟତୀତ ପିଏମଜିକେଏୱାଇ ଅଧୀନରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି । ଏଥିପାଇଁ ମୋଟ୍‌ ୧୧୨୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପିଏମଜିକେଏୱାଇ ଅଧୀନରେ ଆବଣ୍ଟନ କରାଯାଇଛି । କେନ୍ଦ୍ର ସରକାର ଏଥିପାଇଁ ମୋଟ୍‌ ୩.୯୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି । ଏଭଳି ବିପୁଳ ପରିମାଣରେ ଖାଦ୍ୟଶସ୍ୟ ସାଧାରଣ ଲୋକଙ୍କ ଯୋଗାଇ ଦିଆଯିବା ସହିତ ରପ୍ତାନି ଉପରେ ନିୟନ୍ତ୍ରଣ ଲାଗୁ କରାଯାଇଛି, ଯାହାଫଳରେ ଏସବୁ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟ ତୁଳନାରେ ଘରୋଇ ବଜାରରେ ଦରଦାମ ବୃଦ୍ଧିକୁ ସ୍ଥିର ରଖାଯିବା ସମ୍ଭବ ହୋଇପାରିଛି ।

ଦେଶରେ ମହଜୁଦ ଖାଦ୍ୟଶସ୍ୟର ବିବରଣୀ ନିମ୍ନରେ ଦିଆଯାଇଛି:

ଲକ୍ଷ ମେଟ୍ରିକ ଟନରେ ତଥ୍ୟ

ସାମଗ୍ରୀ

୧ ଅକ୍ଟୋବର ୨୦୨୨ ସୁଦ୍ଧା ଷ୍ଟକ୍‌ ସ୍ଥିତି

୧ ଅକ୍ଟୋବର ୨୦୨୨ ସୁଦ୍ଧା ବଫର ସର୍ତ୍ତାବଳୀ

୧ ଏପ୍ରିଲ ୨୦୨୩ ସୁଦ୍ଧା ଆନୁମାନିକ ଷ୍ଟକ ସ୍ଥିତି

୧ ଏପ୍ରିଲ ୨୦୨୩ ସୁଦ୍ଧା ବଫର ସର୍ତ୍ତାବଳୀ

ଗହମ

227

205

113

75

ଚାଉଳ

205

103

237

136

 

*****

P.S.

 



(Release ID: 1868630) Visitor Counter : 153