ଅର୍ଥ ମନ୍ତ୍ରଣାଳୟ

ଶ୍ରୀମତୀ ସୀତାରମଣ କହିଲେ, ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ମୁଦ୍ରାସ୍ଫୀତିର ପରିଚାଳନା ସାଙ୍ଗକୁ ଅଭିବୃଦ୍ଧିକୁ ସୁରକ୍ଷିତ ରଖିବ

Posted On: 15 OCT 2022 10:04AM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୱାଶିଂଟନ ଡିସିରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟାଳୟଠାରେ ବାର୍ଷିକ ବୈଠକ ୨୦୨୨ ବେଳେ ଆୟୋଜିତ ଅନ୍ତର୍ଜାତୀୟ ମୁଦ୍ରା ଓ ଆର୍ଥିକ କମିଟି (ଆଇଏମଏଫସି) ବୈଠକରେ ଯୋଗଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଇଏମଏଫସିର ବୈଠକ ଏଭଳି ସମୟରେ ହେଉଛି ଯେବେ କି ବୈଶ୍ୱିକ ଅର୍ଥନୈତିକ ପରିଦୃଶ୍ୟ ଅନେକ ସମସ୍ୟା ଘେରରେ ରହିଛି । ସେଗୁଡ଼ିକ ମଧ୍ୟରେ ବୃହତ ଅର୍ଥନୀତିଗୁଡ଼ିକରେ ପ୍ରମୁଖ ନକାରାତ୍ମକ ରିସ୍କ-ଅଭିବୃଦ୍ଧି କୈନ୍ଦି୍ରକ ମାନ୍ଦାବସ୍ଥା, ବର୍ତ୍ତମାନ ଜାରିରହିଥିବା ଭୂ-ରାଜନୈତିକ ପରିସ୍ଥିତି ଯୋଗୁ ସୃଷ୍ଟ ସୀମାପାର ପ୍ରଭାବ, ଖାଦ୍ୟ ଓ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିଜନିତ ଚାପ ଯାହା କି ଦୁର୍ବଳ ଅର୍ଥନୀତିଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।

ଶ୍ରୀମତୀ ସୀତାରମଣ କହିଛନ୍ତି, ବୈଶ୍ୱିକ ବାଧାବିଘ୍ନ ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ଯଥାଯଥ ସ୍ଥିତିରେ ରହିବ ଏବଂ ୨୦୨୨-୨୩ ଆର୍ଥିକବର୍ଷରେ ୭% ଅଭିବୃଦ୍ଧି ହାସଲ କରିବ । ଅନୁକୂଳ ଘରୋଇ ନୀତି ସଂକ୍ରାନ୍ତ ବାତାବରଣ ଏବଂ ଅଭିବୃଦ୍ଧିକୁ ସମୃଦ୍ଧ ପାଇଁ ପ୍ରମୁଖ ଢାଞ୍ଚାଗତ ସଂସ୍କାର ଉପରେ ସରକାରଙ୍କ ନିରନ୍ତର ଫୋକସର ଫଳସ୍ୱରୂପ ଏଭଳି ହୋଇଥିବା ସେ କହିଛନ୍ତି । ଭାରତ ସରକାର ମୁଦ୍ରାସ୍ଫୀତି ପରିଚାଳନା ସାଙ୍ଗକୁ ଅଭିବୃଦ୍ଧିକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ‘‘ଦେଶର ବିଶାଳ ସାଧାରଣ ବଣ୍ଟନ ନେଟୱର୍କ ଜରିଆରେ ଆମେ ଗତ ୨୫ ମାସ ଧରି ୮୦୦ ନିୟୁତରୁ ଅଧିକ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିମନ୍ତେ ମାଗଣାରେ ଖାଦ୍ୟଶସ୍ୟ ଉପଲବ୍ଧତାକୁ ସୁନିଶ୍ଚିତ କରିଛୁ ।’’

ଶ୍ରୀମତୀ ସୀତାରମଣ କହିଛନ୍ତି, ଗରିବଙ୍କ ନିକଟରେ ଆର୍ଥିକ ସେବା ଅନ୍ତିମ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ସରକାରଙ୍କ ପ୍ରମୁଖ ପ୍ରାଥମିକତା ରହିଆସିଛି ଏବଂ ଭାରତର ଡିଜିଟାଲ ଲୋକକୈନ୍ଦି୍ରକ ଭିତ୍ତିଭୂମି ଏଥିରେ ବିଶେଷ ସହାୟକ ହୋଇପାରିଛି । ଅର୍ଥମନ୍ତ୍ରୀ କହିଛନ୍ତି, ଆଜି ଡିଜିଟାଲ ପେମେଣ୍ଟ ଅଭିନବକରଣ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ରହିଛି ଏବଂ ବିଶ୍ୱରେ ଆମର ଦେଣନେଣ ଖର୍ଚ୍ଚ ସବୁଠୁ କମ୍ ରହିଛି ।

ଶ୍ରୀମତୀ ସୀତାରମଣ କହିଛନ୍ତି, ‘‘ବିଶ୍ୱ ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ସକାଶେ ଆଇଏମଏଫ ବିକାଶଶୀଳ ଓ ସ୍ୱଳ୍ପ ଆୟ ବର୍ଗର ରାଷ୍ଟ୍ରଗୁଡ଼ିକ ପାଇଁ ଆବଶ୍ୟକ ସମ୍ବଳ ଉପଲବ୍ଧ କରାଇବା ଆବଶ୍ୟକ ବୋଲି ମୁଁ ବିଶ୍ୱାସ କରୁଛି । ତେଣୁ ବିଶ୍ୱ ଅର୍ଥନୀତିରେ ବିକାଶଶୀଳ ବଜାର ଅର୍ଥନୀତିଗୁଡ଼ିକ (ଇଏମଇଏସ)ର ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କର ଭୋଟିଂ କ୍ଷମତା ବଢ଼ାଇବା ଲାଗି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ୧୬ତମ ଜିଆରକୁ୍ୟ ଶେଷ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ସ୍ୱଳ୍ପ ଆୟକାରୀ ରାଷ୍ଟ୍ରଗୁଡ଼ିକର ଋଣ ସଂକଟ ବିଶ୍ୱ ଆର୍ଥିକ ସୁଧାର ପାଇଁ ଏକ ପ୍ରମୁଖ ନକାରାତ୍ମକ ବିପଦ ଅଟେ । ତେଣୁ, ବାଲାନ୍ସ ଅଫ ପେମେଣ୍ଟ ସଂକ୍ରାନ୍ତ ଦୁର୍ବଳତାଗୁଡ଼ିକର ମୁକାବିଲା ପାଇଁ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବା ଉଚିତ । ଏହି ସନ୍ଦର୍ଭରେ, ଖାଦ୍ୟ ସଂକଟର ମୁକାବିଲା ଲାଗି ସହାୟତା ପାଇଁ ଆଇଏମଏଫର ସଦ୍ୟ ନୂଆ ‘ଫୁଡ୍ ଶକ୍ ୱିଣ୍ଡୋ’ ପଦକ୍ଷେପକୁ ଶ୍ରୀମତା ସୀତାରମଣ ସ୍ୱାଗତ କରିଛନ୍ତି ।

ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ସମାନତା ସିଦ୍ଧାନ୍ତ ସହିତ ବହୁପାକ୍ଷିକ ଦୃଷ୍ଟିକୋଣର ମହତ୍ତ୍ୱ ଏବଂ ସାଧାରଣ କିନ୍ତୁ ପୃଥକ ଦାୟିତ୍ୱବୋଧ ଓ ସମ୍ବନ୍ଧିତ କ୍ଷମତାଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଶ୍ରୀମତୀ ସୀତାରମଣ ଦର୍ଶାଇଛନ୍ତି ଯେ ଭାରତ ଆମର ସଦ୍ୟ ରାଷ୍ଟ୍ରୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନଗୁଡ଼ିକ ମାଧ୍ୟମରେ ଏକ ମହତ୍ତ୍ୱାକାଂକ୍ଷୀ ଜଳବାୟୁ ପଦକ୍ଷେପ ମାର୍ଗ ଧାର୍ଯ୍ୟ କରିଛି, ଯାହା କି ସବୁଜଗୃହ ବାଷ୍ପ ନିର୍ଗମନରୁ ଆର୍ଥିକ ବିକାଶକୁ ପୃଥକ କରିବା ନିମନ୍ତେ ଉଚ୍ଚତମ ସ୍ତରରେ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି । ଅର୍ଥମନ୍ତ୍ରୀ ରେଖାଙ୍କିତ କରିଛନ୍ତି ଯେ ବିକଶିତ ଦେଶଗୁଡ଼ିକରୁ ବିକାଶଶୀଳ ଦେଶଗୁଡ଼ିକୁ ଜଳବାୟୁ ଅର୍ଥ ଓ ସ୍ୱଳ୍ପ-ଖର୍ଚ୍ଚ ଜଳବାୟୁ ପ୍ରଯୁକ୍ତିଗୁଡ଼ିକର ସ୍ଥାନାନ୍ତରଣ ବେଶ ଗୁରୁତ୍ୱପୂର୍ଣ୍ଣ ।

ବିଶ୍ୱ ସାମ୍ନା କରୁଥିବା ରଣନୀତିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲାରେ ସହାୟତା ପାଇଁ ଅର୍ଥମନ୍ତ୍ରୀ ଆଜି ବିଶ୍ୱ ସମୁଦାୟର ସମନ୍ୱିତ ପ୍ରତିକି୍ରୟା ଲୋଡ଼ିଛନ୍ତି ।

***

SR



(Release ID: 1868137) Visitor Counter : 181