ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ଧାନ ନଡାରୁ ପେଲେଟ ଏବଂ ଅଙ୍ଗାର ପ୍ରସ୍ତୁତ କାରଖାନା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ପ୍ରଦାନର ନିର୍ଦ୍ଦେଶାବଳୀ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ


ନଡା ପୋଡି ସମସ୍ୟାର ସମାଧାନ ପାଇଁ ମିଳିତଭାବେ କାମ କରିବାର ଆବଶ୍ୟକତା ରହିଛି: ଭୂପେନ୍ଦ୍ର ଯାଦବ

ଧାନ ଓ ନଡାର ବ୍ୟବହାର ତଥା ପ୍ରକ୍ରିୟାକରଣ ପାଇଁ ୫୦କୋଟି ଟଙ୍କାର ସହାୟତା ବ୍ୟବସ୍ଥା ରହିଛି

ଆବର୍ଜନାକୁ ସମ୍ପଦରେ ପରିଣତ କରିବା ପାଇଁ ଏହା ଏକ ପାଇଲଟ ପ୍ରୋଜେକ୍ଟ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ

“ଏହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛ ଭାରତ’ ଲକ୍ଷ୍ୟ ପୂରଣ ହୋଇପାରିବ”

Posted On: 13 OCT 2022 6:17PM by PIB Bhubaneshwar

ଦେଶରେ ଧାନ ନଡା ପୋଡି ଜନିତ ସମସ୍ୟାର ସମାଧାନ ପାଇଁ ଆଜି ଏଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଧାନନଡାର ଉପଯୁକ୍ତ ବ୍ୟବହାର ଓ ପରିଚାଳନା କରି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଉଦ୍ୟୋଗତ୍ତ୍ୱ /ଶିଳ୍ପ ସ୍ଥାପନ କଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ତାହାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଉନ୍ମୋଚନ କରିଥିଲେ । ଏହି ନିର୍ଦ୍ଦେଶାବଳୀ ଅନୁସାରେ ନଡାକୁ ପେଲେଟ ବା ଗୋଳାରେ ଏବଂ ଏହାକୁ ତାପଜ ପ୍ରକ୍ରିୟାରେ ଅଙ୍ଗାରରେ ପରିଣତ କରିବା (ପେଲେଟାଇଜେସନ ଓ ଟରିଫ୍ୟାକସନ) ଲାଗି ପ୍ଲାଣ୍ଟ ସ୍ଥାପନ କଲେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ସରକାର ଏକକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ।

ପେଲେଟାଇଜେସନ ବା ଗୋଲା ପ୍ରସ୍ତୁତି କାରଖାନା ପାଇଁ ସର୍ବାଧିକ ୭୦ଲକ୍ଷ ଟଙ୍କା ଟରିଫ୍ୟାକସନ ପ୍ଲାଣ୍ଟ ପାଇଁ ସର୍ବୋଚ୍ଚ ୧. ୪କୋଟି ଟଙ୍କାର ଆର୍ଥିକ ସହାୟତା ଏକକାଳୀନ ସରକାର ଯୋଗାଇଦେବେ । ଏଥି ପାଇଁ ମୋଟ ୫୦କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଅନୁମାନ ଅନୁସାରେ ଦେଶରେ ବାର୍ଷିକ ୧୦ଲକ୍ଷ ମେଟ୍ରିକ ଟନ୍ ନଡାଭିତ୍ତିକ ପେଲେଟ ବା ଗୋଳା ଉତ୍ପାଦିତ ହେଲେ ତାହା ତାପଜ ବିଦ୍ୟୁତ୍ କେନ୍ଦ୍ର, ବିଭିନ୍ନ୍ ଉଦ୍ୟୋଗ ଆଦିରେ ଇନ୍ଧନଭାବେ ବ୍ୟବହୃତ ହୋଇପାରିବ । ଏହା ଫଳରେ ଗ୍ରାମ୍ୟ ଅର୍ଥ ନୀତି ଅଧିକ କ୍ରିୟାଶୀଳ ହେବାସହିତ ଉଦ୍ୟମିତା ଓ ରୋଜଗାର ବଢିବ । ସର୍ବୋପରି ନଡା ପୋଡି ଜନିତ ପ୍ରଦୂଷଣ ସମସ୍ୟା ଦୂର ହୋଇପାରିବ ।

            ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ତାଙ୍କ ଭାଷଣରେ କହିଥିଲେ ଯେ ନଡାର ଉପଯୁକ୍ତ ବିିନିଯୋଗ ପାଇଁ ପ୍ଲାଣ୍ଟମାନ ହେଲେ ନଡା ପୋଡି ସମସ୍ୟା ଅନେକାଂଶରେ ଦୂର ହେବ । ଚାଷୀ ଓ ଲୋକେ ନଡା ସଂଗ୍ରହ କରି ତାହାକୁ ପ୍ଲାଣ୍ଟକୁ  ବିକି ଲାଭବାନ ହୋଇପାରିବେ । ଏହା ପରିବେଶ ପ୍ରଦୂଷଣକୁ ଦୂର କରିବା ସହିତ ଲୋକଙ୍କୁ ରୋଜଗାର ଯୋଗାଇ ଦେବ । ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବା ପ୍ରୟାସରେ ଏହା ଏକ ପାଇଲଟ୍ ପ୍ରୋଜେକ୍ଟ । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତଲକ୍ଷ୍ୟ ପୂରଣ ହୋଇପାରିବ । ଏହି ପ୍ଲାଣ୍ଟଗୁଡିକ କାର୍ଯ୍ୟକ୍ଷମ ହେଲେ ଚାଷୀମାନେ ଆଉ ଅଧିକ ନଡା ନ ପୋଡି ତାହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବିନିଯୋଗ କରିବେ । କୋଇଲା ସହିତ ନଡାକୁ ଯାନ୍ତ୍ରିକ ପଦ୍ଧତିରେ ମିଶେଇ ପେଲେଟ ତିଆରି କରାଯିବ । ନଡା ପୋଡି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ  ପଦକ୍ଷେପ ନେଉଛନ୍ତି । ଏଥିରେ ସମସ୍ତେ ସହଯୋଗ କରିବାକୁ ଶ୍ରୀ ଯାଦବ ଆହ୍ୱାନ ଜଣାଇଛନ୍ତି । ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପ୍ରଦୂଷଣ ସ୍ଥିତିକୁ ବିଚାରକୁ ନେଇ ଶିଳ୍ପ ସଂସ୍ଥାମାନଙ୍କୁ ୨୦୨୨ରୁ ପିଏନ୍‌ଜି ବା ଜୈବ ଗ୍ୟାସ ଇନ୍ଧନ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜୈବ ଇନ୍ଧନରେ ଯୋଗାଣରେ ଯେଉଁ ଅଭାବ ରହିଛି ତାହାକୁ ନଡାରୁ ପ୍ରସ୍ତୁତ ଚାର୍କୋଲ(କୋଇଲା) ଓ ପେଲେଟ ପୂରଣ କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 ଏହି ନିର୍ଦ୍ଦେଶାବଳୀ ବା ଗାଇଡ୍‌ଲାଇନ ଅନୁସାରେ ଜାତୀୟ ରାଜଧାନୀ କ୍ଷେତ୍ର(ଏନ୍‌ସିଆର୍‌) ପଞ୍ଜାବ, ହରିୟାଣା ଏବଂ ଏନ୍‌ସିଆର ଅନ୍ତର୍ଭୁକ୍ତ ରାଜସ୍ଥାନ ଓ ଉତ୍ତରପ୍ରଦେଶର ଜିଲ୍ଲାଗୁଡିକରେ ଏଭଳି ୟୁନିଟ୍ ସ୍ଥାପନ ହେଲେ ସମ୍ପୃକ୍ତ ଉଦ୍ୟୋଗୀ ସରକାରୀ ସହାୟତା ପାଇବେ । ସେମାନଙ୍କୁ ଚାଷୀଙ୍କ ଠାରୁ ନଡା କିଣିବାକୁ ଚୁକ୍ତି କରିବାକୁ ପଡିବ । ଆଗ୍ରହୀ ଉଦ୍ୟୋଗୀ ଏହି ଶିଳ୍ପ ସ୍ଥାପନ କରିବାକୁ ଆବେଦନ କରିବାକୁ ମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ପୁଞ୍ଜି ଲଗାଣ ସମୟରେ ସରକାର ଏକକାଳୀନ ଏହି ଅର୍ଥ ସହାୟତା ଯୋଗାଇଦେବେ ।

ମନ୍ତ୍ରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ଅନୁସାରେ ନନ୍‌ଟରିଫାଏଡ୍ ପ୍ଲାଣ୍ଟ ପାଇଁ ଟନ୍ /ଆୱାର ପିଛା ଏବେ ୧୪ଲକ୍ଷ ଏବଂ ଟରିଫାଏଡ ପ୍ଲାଣ୍ଟ ନିମନ୍ତେ ୨୫ଲକ୍ଷ ଟଙ୍କା ସରକାର ପ୍ରୋତ୍ସାହନ ରାଶି ବାବଦରେ ଯୋଗାଇ ଦେଉଛନ୍ତି । ଏହା ସର୍ବାଧିକ ୭୦ଲକ୍ଷରୁ ୧. ୪କୋଟି ଟଙ୍କା ପର୍ଯ୍ୟନ୍ତ ଉଭୟ ପ୍ଲାଣ୍ଟ ପାଇଁ ଯଥାକ୍ରମେ ନିର୍ଦ୍ଦାରିତ ହୋଇଛି । ସେ ଆହୁରି କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଶସ୍ୟ ଭିତ୍ତିକ ଇଥାନେଲ ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୧୯୦ ଉଦ୍ୟୋଗୀଙ୍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛି । ସବୁ ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ୪୫ରୁ ୫୦ଦିନ ମଧ୍ୟରେ ଅନୁମତିପତ୍ର ପାଇଛନ୍ତି । ଦୁଇମାସ ତଳେ ଦେଶର ପ୍ରଥମ ୨ଜି ଇଥାନେଲ ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ପାନିପଥଠାରେ ଉଦ୍‌ଘାଟନ କରିଥିଲେ । ଏହି ପ୍ଳାଣ୍ଟରେ  ବାର୍ଷିକ ଦୁଇଲକ୍ଷ ଟନ୍ ଧାନନଡା ଓ କୁଟା ବ୍ୟବହୃତ ହୋଇପାରିବ ବୋଲି ସେ କହିଛନ୍ତି ।

            ଏହି କାର୍ଯ୍ୟକ୍ରମରେ ବାୟୁ ମାନ ପରିଚାଳନା ଆୟୋଗର ଅଧ୍ୟକ୍ଷ, ଜଙ୍ଘଲ ବିଭାଗର ମହା ନିର୍ଦ୍ଦେଶକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଏସ୍‌ପିସିପିର ଅଧ୍ୟକ୍ଷ, ନୀତି ଆୟୋଗ, କୃଷି ମନ୍ତ୍ରଣାଳୟ ଓ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧି, ଏନ୍‌ସିଆରର ଡେପୁଟି କମିଶନର, ଏନ୍‌ଟିପିସି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ପ୍ରତିନିଧି, ଉଦ୍ୟୋଗଜଗତ ଓ ବିଭିନ୍ନ ସମ୍ପୃକ୍ତ ପକ୍ଷର ପ୍ରତିନିଧି ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଉତ୍ତର  ଭାରତରେ, ବିଶେଷକରି ରାଜଧାନୀ ଦିଲ୍ଲୀର ଆଖାପାଖ ଅଞ୍ଚଳରେ ଶୀତଦିନେ ଧାନକଟା ପରେ ଚାଷୀମାନେ କ୍ଷେତରେ ଥିବା ନଡାରେ ବ୍ୟାପକଭାବେ ନିଆଁ ଲଗାଇ ତାହାକୁ ନଷ୍ଟ କରିବା ସହିତ ରବି ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିଥାନ୍ତି । ଏହାଫଳରେ ପ୍ରବଳ ଧୂଆଁ ଯୋଗୁଁ ଏକାଦି କ୍ରମେ ସମ୍ପୃକ୍ତ ଅଞ୍ଚଳ ଅନେକ ଦିନ ଆଚ୍ଛାଦିତ ହୋଇ ରହି ଗୁରୁତର ବାୟୁ ପ୍ରଦୂଷଣ ସୃଷ୍ଟି କରିଥାଏ । ଏହାର ସମାଧାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

 

*****

TKM/SLP


(Release ID: 1867574) Visitor Counter : 183