ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଳ ଷ୍ଟେସନର ପୁନଃବିକାଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 28 SEP 2022 4:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ବିକାଶ ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏସବୁ ଷ୍ଟେସନର ବିକାଶ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ରେଳ ଷ୍ଟେସନଗୁଡ଼ିକ ହେଲେ:

1. ନୂଆଦିଲ୍ଲୀ ରେଳ ଷ୍ଟେସନ;

2. ଅହମ୍ମଦାବାଦ ରେଳ ଷ୍ଟେସନ; ଏବଂ

3. ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ

 

ଯେକୌଣସି ସହର ପାଇଁ ରେଳ ଷ୍ଟେସନ ଏକ ଗୁରୁତ୍ବପୂର୍ଣ୍ଣ ଏବଂ କେନ୍ଦ୍ରୀୟ ସ୍ଥାନ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରେଳବାଇର ରୂପାନ୍ତରଣରେ ଷ୍ଟେସନଗୁଡ଼ିକର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ଆଜିର କ୍ୟାବିନେଟ ନିଷ୍ପତ୍ତି ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ଏକ ନୂତନ ମାର୍ଗ ପ୍ରଶସ୍ତ କରିବ । ଦେଶରେ ୧୯୯ଟି ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଜାରି ରହିଛି । ଏଥିମଧ୍ୟରୁ ୪୭ଟି ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଜାରି କରାଯାଇ ସାରିଛି । ଅବଶିଷ୍ଟ ଷ୍ଟେସନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ଏବଂ ଡିଜାଇନ କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ୩୨ଟି ଷ୍ଟେସନର ବିକାଶ କାର୍ଯ୍ୟରେ ଅଗ୍ରଗତି ଜାରି ରହିଛି । ଦେଶର ତିନୋଟି ବଡ଼ ରେଳ ଷ୍ଟେସନ ଯଥା ନୂଆଦିଲ୍ଲୀ ରେଳ ଷ୍ଟେସନ , ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ ଏବଂ ଅହମ୍ମଦାବାଦ ରେଳ ଷ୍ଟେସନର ବିକାଶ ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଷ୍ଟେସନ ଡିଜାଇନରେ ମାନକ ଉପାଦାନ ଗୁଡ଼ିକ ହେବ:

  • ପ୍ରତ୍ୟେକ ଷ୍ଟେସନରେ ଏକ ପ୍ରଶସ୍ତ ପରିସର ବା ରୁଫ ପ୍ଲାଜା (୩୬/୭୨/୧୦୮ ମିଟର) ରହିବା ସହିତ ଖୁଚୁରା ବ୍ୟବସାୟ, କ୍ୟାଫେଟେରିଆ, ଅବସର ବିନୋଦନ ସମେତ ସବୁ ଯାତ୍ରୀ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ ।
  • ସହରର ଉଭୟ ପାର୍ଶ୍ବ ଷ୍ଟେସନ ସହିତ ଯୋଡ଼ି ହେବ, ରେଳ ଟ୍ରାକର ଉଭୟ ପାର୍ଶ୍ବରେ ଷ୍ଟେସନ ବିଲ୍ଡିଂ ରହିବ ।
  • ଫୁଡ କୋର୍ଟ, ଯାତ୍ରୀ ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ସ୍ଥାନ ଆଦି ସୁବିଧା ଷ୍ଟେସନରେ ଉପଲବ୍ଧ ହେବ।
  • ସହର ଭିତରେ ରହିଥିବା ଷ୍ଟେସନଗୁଡ଼ିକରେ ଏକ ସିଟି ସେଣ୍ଟର ବା ସହର କେନ୍ଦ୍ରସ୍ଥଳୀ ଭଳି ସ୍ଥାନ ରହିବ ।
  • ଷ୍ଟେସନଗୁଡ଼ିକୁ ଆରାମଦାୟକ କରିବା ଲାଗି ଯଥେଷ୍ଟ ଆଲୋକୀକରଣ, ମାର୍ଗ ସନ୍ଧାନ ସଙ୍କେତ/ଚିହ୍ନ, ଆକାଉଷ୍ଟିକ୍ସ, ଲିଫ୍ଟ/ଏସ୍କେଲେଟର୍ସ/ଟ୍ରାଭେଲେଟର୍ସ ରହିବ। 
  • ଯଥେଷ୍ଟ ପାର୍କିଂ ସୁବିଧା ସହିତ ସୁଗମ ଟ୍ରାଫିକ ଗତିବିଧି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।
  • ମେଟ୍ରୋ, ବସ ଆଦି ଅନ୍ୟ ପରିବହନ ମାଧ୍ୟମ ସହିତ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯିବ।
  • ସୌର ଶକ୍ତି, ଜଳ ସଂରକ୍ଷଣ/ଜଳ ପୁନଃଚକ୍ରଣ ଏବଂ ବୃକ୍ଷ ଘନତାରେ ସୁଧାର ସହିତ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ବ୍ୟବହାର କରାଯିବ ।
  • ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ସୁବିଧା ଯୋଗାଇ ଦେବା ଲାଗି ବିଶେଷ ଧ୍ୟାନ ଦିଆଯିବ ।
  • ଇଣ୍ଟେଲିଜେଣ୍ଟ ବିଲ୍ଡିଂ ଅବଧାରଣା ସହିତ ଏସବୁ ଷ୍ଟେସନଗୁଡ଼ିକର ବିକାଶ କରାଯିବ ।
  • ଆଗମନ/ପ୍ରସ୍ଥାନ ପାଇଁ ଅଲଗା ବ୍ୟବସ୍ଥା ରହିବ, କୋଳାହଳ ମୁକ୍ତ ପ୍ଲାଟଫର୍ମ, ଉନ୍ନତ ପୃଷ୍ଠଭୂମି, ସମ୍ପୂର୍ଣ୍ଣ ଛାତ ଆଚ୍ଛାଦିତ ପ୍ଲାଟଫର୍ମ ନିର୍ମାଣ କରାଯିବ।
  • ସିସିଟିଭି ଏବଂ ଆକ୍ସେସ କଣ୍ଟ୍ରୋଲ ସଂଯୋଗ କରାଯିବା ସହିତ ଷ୍ଟେସନଗୁଡ଼ିକୁ ନିରାପଦ କରାଯିବ।
  • ଏଗୁଡ଼ିକ ଆଦର୍ଶ ଷ୍ଟେସନ ଅଟ୍ଟାଳିକା ହେବ ।

 

*******

P.S.



(Release ID: 1863135) Visitor Counter : 131