ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ବାଲି ଠାରେ ‘ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ


ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତର ଦାୟିତ୍ୱ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଆଧାର : ଜି- ୨୦ ବୈଠକରେ ମତ ରଖିଲେ - ଧର୍ମେନ୍ଦ୍ର ପ୍ରଧାନ

ୟୁଏଇ, ସିଙ୍ଗାପୁର ଓ ସାଉଦିଆରବ ଶିକ୍ଷା ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଶିକ୍ଷା ଓ ଦକ୍ଷତା ବିକାଶକୁ ମଜଭୁତ୍ କରିବା ଉପରେ ଗୁରୁତ୍ୱାରୋପ

ଶିକ୍ଷା ମାଧ୍ୟମରେ ଜି- ୨୦ ରାଷ୍ଟ୍ର ସମୂହର ଥିବା ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ପାଇଁ କଲେ ଆହ୍ୱାନ

ଜି- ୨୦ ରାଷ୍ଟ୍ର ସମୂହଙ୍କ ସହ ମିଶି ଭାରତ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭାରତରେ ଭର୍ଚ୍ଚୁଆଲ ସ୍କୁଲ କାର୍ଯ୍ୟକ୍ଷମ ହୋଇଛି

ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନାର କାର୍ଯ୍ୟ ଜାରୀ ରହିଛି

ୟୁଏଇ ସହ ବୈଠକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ସମସ୍ୟା ଉପସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ

ଶିକ୍ଷା ଏକତ୍ରିକରଣର ଉତ୍କୃଷ୍ଟ କେନ୍ଦ୍ର ସ୍ଥାପନା ନେଇ ସିଙ୍ଗାପୁର ଶିକ୍ଷା ମନ୍ତ୍ରୀଙ୍କ ସହମତି

ଯୁବବର୍ଗଙ୍କୁ ରୋଜଗାର ଆଧାରିତ ଦକ୍ଷତା ବୃଦ୍ଧି କରିବା ଉପରେ ସହ ଆଲୋଚନା

Posted On: 01 SEP 2022 6:32PM by PIB Bhubaneshwar

ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ ଶିକ୍ଷା ଓ ଉତ୍ତର ଦାୟିତ୍ୱ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ବୋଲି ଆଜି ବାଲି ଠାରେ ଆୟୋଜିତ ‘ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶିକ୍ଷା ମାଧ୍ୟମରେ ଜି- ୨୦ ରାଷ୍ଟ୍ର ସମୂହର ଥିବା ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।  

ସ୍ଥାୟୀ ବିକାଶ ଲକ୍ଷ୍ୟ ୪(ଏମସଡ଼ିଜି -୪) ୨୦୩୦ ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ପ୍ରାଥମିକତା ଦେଇ ଆସୁଛି । ଭାରତ ଆଜୀବନ ଶିକ୍ଷା ସୁଯୋଗ ପ୍ରଦାନ କରିବା ସହ ଜି-୨୦ର ଦୂରଦୃଷ୍ଟିକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଅଛି । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ମାଧ୍ୟମରେ ସ୍ଥାୟୀ, ସମାବେଶୀ ଶିକ୍ଷା ଓ ଦକ୍ଷତା ବିକାଶ ଗଠନ କରିବା ସହ ଶିକ୍ଷଣର ସୃଜନଶୀଳ ଦକ୍ଷତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଅଛି । ଭାରତରେ ଭର୍ଚ୍ଚୁଆଲ ସ୍କୁଲ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନାର କାର୍ଯ୍ୟ ଜାରୀ ରହିଛି । ଆଗାମୀ ଦିନରେ ଭାରତୀୟ ଭାଷାରେ ଶିକ୍ଷା ଆଧାରିତ ୨୬୦ରୁ ଉର୍ଦ୍ଧ୍ୱ ଟିଭି ଚ୍ୟାନେଲ୍ ସ୍ଥାପନା କରିବା ପାଇଁ ଯାଉଛି । ଏକବିଂଶ ଶତାବ୍ଦୀର ଦକ୍ଷତାକୁ ପୂରଣ କରିବା ପାଇଁ ଜି- ୨୦ ସମୂହ ରାଷ୍ଟ୍ରଙ୍କ ସହ ମିଶି ଭାରତ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୟୁଏଇର ଶିକ୍ଷା ମନ୍ତ୍ରୀ ଡା. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ ଏବଂ ସିଙ୍ଗାପୁରର ଶିକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼. ମହମ୍ମଦ ଓ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ହମ୍ମଦ ବିନ୍ ମହମ୍ମଦ ଅଲ ସେକଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି । ଏହି ତିନି ଦେଶର ଶିକ୍ଷା ମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ଦିଗରେ ଆଲୋଚନା ହୋଇଛି ।

ଭାରତ ଏବଂ ୟୁଏଇ ଦକ୍ଷତା ଆଧାରିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉଭୟ ଦେଶକୁ ସମୃଦ୍ଧ କରିବା ଦିଗରେ ସମ୍ପର୍କକୁ ଆହୁରି ବ୍ୟାପକ କରିବା ପାଇଁ ୟୁଏଇ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଉଭୟ ସମ୍ମତି ପ୍ରକାଶ କରିଛନ୍ତି । ଉଭୟ ଦେଶର ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ ମଧ୍ୟରେ ଶିକ୍ଷା, ଗବେଷଣା, ଦକ୍ଷତା ସହଯୋଗକୁ ଆନୁଷ୍ଠାନିକ ପଦ୍ଧତିରେ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀ ବିନିମୟ ଏବଂ ଦକ୍ଷତା ସାମଞ୍ଜସ୍ୟ ଢାଞ୍ଚା ମାଧ୍ୟମରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବ୍ୟାପକ କରିହେବ । ଏହି ବୈଠକରେ ଶ୍ରୀ ପ୍ରଧାନ ୟୁଏଇରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ସେଠାରେ କାର୍ଯ୍ୟ କରୁଥିବା ଭାରତୀୟମାନେ ଭାରତର ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଡିଗ୍ରୀ ସହ ଜଡ଼ିତ ସମସ୍ୟା ମଧ୍ୟ ଉପସ୍ଥାପନ କରିଥିଲେ । ଏହି ବିଷୟକୁ ଗୁରୁତ୍ୱର ସହ ନେଇ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ୟୁଏଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଭାରତର ବିକାଶରେ ୟୁଏଇ ଏକ ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ଶ୍ରୀ ପ୍ରଧାନ ଏହାକୁ ପ୍ରଶଂସା କରିଥିଲେ ।  

ସେହିପରି ସିଙ୍ଗାପୁର ଶିକ୍ଷାମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଆନୁଷ୍ଠାନିକ ସହଯୋଗ, ଡୁଆଲ ଡିଗ୍ରୀ, ଯୁଗ୍ମ ଦକ୍ଷତା ପ୍ରମାଣପତ୍ର, ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅର୍ଦ୍ଧ କୌଶଳ ପ୍ରବାସୀ ଭାରତୀୟଙ୍କୁ କାର୍ଯ୍ୟ ଅନୁମତି ପ୍ରଦାନ କରାଯିବା ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଶିକ୍ଷା, ପ୍ରାଥମିକ ଶିକ୍ଷା, ଦକ୍ଷତା ବିକାଶ, ପ୍ରଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ, ଉଦ୍ୟମିତା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ସରକାର ମଧ୍ୟରେ ଢ଼ାଞ୍ଚାଗତ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଏହାବ୍ୟତିତ ଶିକ୍ଷା ଏକତ୍ରିକରଣର ଉତ୍କୃଷ୍ଟ କେନ୍ଦ୍ର ସ୍ଥାପନା, ଦକ୍ଷତା ବିକାଶ, ଶିଳ୍ପ ଅନୁଷ୍ଠାନକୁ ମ୍ୟାପିଂ କରି ଯୁବବର୍ଗଙ୍କୁ ରୋଜଗାର ଆଧାରିତ ଦକ୍ଷତା ବୃଦ୍ଧି କରି ଉଭୟ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

***



(Release ID: 1856107) Visitor Counter : 154