ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ


ଡିଆରଡିଓ ଏବଂ ଭାରତୀୟ ନୌସେନା ଦ୍ୱାରା ଓଡ଼ିଶା ଉପକୂଳରେ ସମ୍ପନ୍ନ ହେଲା ଫ୍ଲାଇଟ୍ ଟେଷ୍ଟ

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2022 3:11PM by PIB Bhubaneshwar

ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା । ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା । ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍‌ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା । ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ପଦ୍ଧତିରେ ଭିଏଲ-ଏସଆରଏସଏଏମ ପ୍ରଣାଳୀକୁ ଡିଜାଇନ ଏବଂ ବିକଶିତ କରାଯାଇଛି ।

ପରୀକ୍ଷଣ ସମୟରେ, ଫ୍ଲାଇଟ୍‌ ଡେଟାକୁ ବ୍ୟବହାର କରି କ୍ଷେପଣାସ୍ତ୍ରର ଗତିପଥ ଏବଂ ପ୍ରଦର୍ଶନ ମାନକ ଅନୁଧ୍ୟାନ କରାଯାଇଥିଲା । ଚାନ୍ଦିପୁର ଆଇଟିଆର ପକ୍ଷରୁ ମୁତୟନ କରାଯାଇଥିବା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଟେଲିମେଟ୍ରୀ ପ୍ରଣାଳୀ ଭଳି ବିଭିନ୍ନ ଦୂର ମାପନ ଉପକରଣ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଡିଜାଇନ ଏବଂ ଏହାକୁ ବିକଶିତ କରିବାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା (ଡିଆରଡିଏଲ), ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଏବଂ ପୁଣେର ଆର ଏଣ୍ଡ ଡି ଇଞ୍ଜିନିୟର୍ସ ଭଳି ବିଭିନ୍ନ ଡିଆରଡିଓ ପ୍ରୟୋଗଶାଳାର ଯୋଗଦାନ ରହିଥିଲା। ଏସବୁ ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ପ୍ରଣାଳୀର ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ଆକାଶମାର୍ଗ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ବୋଲି ସେ କହିଛନ୍ତି ।

ସଫଳ ଫ୍ଲାଇଟ୍‌ ଟେଷ୍ଟରେ ନିୟୋଜିତ ସବୁ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି । ସେ ଆହୁରି କହିଛନ୍ତି ଯେ ସମୁଦ୍ର ଉପରେ ଦୋଳାୟମାନ ଗତିରେ ଆସୁଥିବା ବିପଦ (ସି-ସ୍କିମିଂ ଟାର୍ଗେଟ) ସମେତ ଆକାଶମାର୍ଗରୁ ଆସୁଥିବା ସବୁ ପ୍ରକାର ସ୍ୱଳ୍ପ ଦୂରଗାମୀ ବିପଦକୁ ବିଧ୍ୱଂସ କରିବାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର କ୍ଷମତାକୁ ଅଧିକ ସୁଦୃଢ଼ କରିବ ।

 

*******

P.S.


(ରିଲିଜ ଆଡି: 1853886) ପରିଦର୍ଶକ କାଉଣ୍ଟର : 305