ପୋଷ୍ଟ କରାଯିବା ଦିନାଙ୍କ:
16 AUG 2022 5:26PM by PIB Bhubaneswar
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ସ୍ୱାସ୍ଥ୍ୟ ସୁବିଧାଗୁଡିକର ରେଜିଷ୍ଟ୍ରି (ଏଫଏଚଆର) ଏବଂ ସ୍ୱାସ୍ଥ୍ୟ ସେବା ସହ ଜଡିତ ପେଶାଦାରମାନଙ୍କ ରେଜିଷ୍ଟ୍ରି (ଏଚପିଆର)ରେ ଡାଟା ରେକର୍ଡ କାର୍ଯ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରଦର୍ଶନକୁ ଭିତ୍ତି କରି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର କାର୍ଯ୍ୟାନ୍ୱୟନ ପାଇଁ ପାଣ୍ଠି ଆବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏହି ପ୍ରଦର୍ଶନଭିତ୍ତିକ ପାଣ୍ଠି ଆବଣ୍ଟନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର ବ୍ୟବସ୍ଥିତ କାର୍ଯ୍ୟାନ୍ୱୟନରେ ସହାୟତା କରିବ । ଏହି ଯୋଜନା ଅନୁଯାୟୀ ଯାଞ୍ଚ ହୋଇଥିବା ଏଣ୍ଟ୍ରିଗୁଡିକ ସହ ପ୍ରମୁଖ ଜାତୀୟ ରେଜିଷ୍ଟ୍ରିଗୁଡିକୁ ମଜବୁତ କରାଯାଉଛି ।
ଏନଏଚଏ ଦ୍ୱାରା ପୂର୍ବରୁ ଜାରି ଦିଶାନିର୍ଦ୍ଦେଶ ଅନୁଯାୟୀ, ପାଞ୍ଚ ବର୍ଷ (ଆର୍ଥିକ ବର୍ଷ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ) ଅବଧି ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) କାର୍ଯ୍ୟାଳୟ ସ୍ଥାପନ ପାଇଁ ୫୦୦ କୋଟି ଟଙ୍କା ରେଖାଙ୍କିତ କରାଯାଇଛି । ଏହି ପାଣ୍ଠିର ୨୦ ପ୍ରତିଶତ ଅର୍ଥାତ ୧୦୦ କୋଟି ଟଙ୍କା ପ୍ରୋତ୍ସାହନ ଆଧାରିତ ପାଣ୍ଠି ଭାବେ ନିର୍ଦ୍ଧାରିତ ହୋଇଛି । ଏହି ଦୃଷ୍ଟିଭଙ୍ଗୀ ଆଗେଇ ନେବାକୁ ଏନଏଚଏ ସମ୍ପର୍କିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ନିର୍ଦ୍ଧାରିତ ଅବଧି ମଧ୍ୟରେ ପଞ୍ଜିକୃତ ଓ ଯାଞ୍ଚ ହୋଇଥିବା ସଂସ୍ଥାଗୁଡିକ ସଂଖ୍ୟା (ଡାକ୍ତର, ନର୍ସ ଆଦିଙ୍କ ଭଳି ସ୍ୱାସ୍ଥ୍ୟ ସେବା ସହିତ ଜଡିତ ପେଶାଦାର ଓ ଡାକ୍ତରଖାନା, କ୍ଲିନିକ, ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର, ଡାଏଗ୍ନୋଷ୍ଟିକ ଲ୍ୟାବ, ଫାର୍ମାସି ଭଳି ସ୍ୱାସ୍ଥ୍ୟ ସୁବିଧା) ସନ୍ଦର୍ଭରେ ସମ୍ପର୍କିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରଦର୍ଶନକୁ ଭିତ୍ତି କରି ପାଣ୍ଠି ଆବଣ୍ଟନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ଏହି ପଦକ୍ଷେପ ସମ୍ପର୍କରେ ସିଇଓ, ଏନଏଚଏ, ଡା. ଆର.ଏସ. ଶର୍ମା କହିଛନ୍ତି- ଏଚପିଆର ଓ ଏଫଏଚଆର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର ପ୍ରମୁଖ ସ୍ତମ୍ଭ । ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟ ସେବା ସହ ଜଡିତ ପେଶାଦାର ଓ ସ୍ୱାସ୍ଥ୍ୟ ସୁବିଧାଗୁଡିକୁ ପଞ୍ଜିକୃତ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରେରଣାଦାୟୀ ସମର୍ଥନ ସାହାଯ୍ୟରେ ଆମେ ଡିଜିଟାଲ ସ୍ୱାସ୍ଥ୍ୟ ସେବାଗୁଡିକର ଲାଭ ଲୋକଙ୍କ ନିକଟରେ ପହଞ୍ଚାଇ ପାରିବା । ପଞ୍ଜିକରଣ ବେଳେ ପ୍ରଦାନ କରାଯାଇଥିବା ବିବରଣୀଗୁଡିକ ଯାଞ୍ଚ କରିବା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମ୍ପର୍କିତ ସଂସ୍ଥାଗୁଡିକ ଉତ୍ତରଦାୟୀ ରହିବେ । ସେମାନଙ୍କ ସମର୍ଥନ ସ୍ୱାସ୍ଥ୍ୟ ସେବା ସହ ଜଡିତ ପେଶାଦାର ଓ ସ୍ୱାସ୍ଥ୍ୟ ସୁବିଧାଗୁଡିକ ସମ୍ପର୍କରେ ଜାତୀୟ ସ୍ତରରେ ରେଜିଷ୍ଟ୍ରି ପ୍ରସ୍ତୁତିରେ ସହାୟକ ହେବ । ଯାହା ସ୍ୱାସ୍ଥ୍ୟ ସେବା ଆଶାୟୀଙ୍କ ପାଇଁ ଉପଯୋଗୀ ସୂଚନା ଉତ୍ସ ହେବ ।
ସ୍ୱାସ୍ଥ୍ୟ ସୁବିଧା ରେଜିଷ୍ଟ୍ରି (ଏଚଏଫଆର) ଓ ସ୍ୱାସ୍ଥ୍ୟସେବା ସହ ଜଡିତ ପେଶାଦାରମାନଙ୍କ ରେଜିଷ୍ଟ୍ରି (ଏଚପିଆର) ସଂଖ୍ୟା ବୃଦ୍ଧି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର ଲକ୍ଷିତ ଉଦ୍ଦେଶ୍ୟ ସାଧନ କରିବା ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ପ୍ରଦର୍ଶନ ଭିତ୍ତିକ ପାଣ୍ଠି ପ୍ରଦାନ ଏହି ଦିଗରେ ଏକ ଉପକ୍ରମ । ସେହି ଅନୁଯାୟୀ, ଏନଏଚଏ ପାଣ୍ଠି ଆବଣ୍ଟନ ମାନଦଣ୍ଡଗୁଡିକୁ ଏହି ପ୍ରକାରେ ସୂଚାଇଛନ୍ତି:
ଡିସେମ୍ବର ୩୧, ୨୦୨୨ ପର୍ଯ୍ୟନ୍ତ ଏଚଏଫଆର ଓ ଏଚପିଆରରେ ହୋଇଥିବା ପ୍ରତ୍ୟେକ ଏଣ୍ଟ୍ରିର ଯାଞ୍ଚ ପାଇଁ ୧୦୦ ଟଙ୍କା
ଜାନୁୟାରୀ ୧, ୨୦୨୩ରୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ଏଚଏଫଆର ଓ ଏଚପିଆରରେ ହୋଇଥିବା ପ୍ରତ୍ୟେକ ଏଣ୍ଟ୍ରିର ଯାଞ୍ଚ ପାଇଁ ୫୦ ଟଙ୍କା ।
ମାର୍ଚ୍ଚ ୩୧, ୨୦୨୩ ପରେ ଏଚଏଫଆର ଓ ଏଚପିଆରରେ ହୋଇଥିବା ପ୍ରତ୍ୟେକ ଏଣ୍ଟ୍ରିର ଯାଞ୍ଚ ପାଇଁ କୌଣସି ପାଣ୍ଠି ପ୍ରଦାନ କରାଯିବ ନାହିଁ
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏବିଡିଏମରେ ପୂର୍ଣ୍ଣକାଳୀନ କିମ୍ବା ସ୍ୱଳ୍ପକାଳୀନ ମାନବ ସମ୍ବଳ ମୁତୟନ ପାଇଁ ଏହି ପାଣ୍ଠି ଉପଯୋଗ କରିପାରିବେ ।
ଏବିଡିଏମ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ: https://abdm.gov.in/
SR