କୋଇଲା ମନ୍ତ୍ରଣାଳୟ

ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ କୋଇଲା ପରିବହନ ପାଇଁ ମାର୍ଗ ପ୍ରଶସ୍ତ କରିବ ଏମସିଆରଏଲ ରେଳ କରିଡର


ପାରାଦୀପ ଓ ଧାମରା ବନ୍ଦରକୁ ଦ୍ରୁତ କୋଇଲା ପରିବହନ ପାଇଁ ସୁବିଧା ଯୋଗାଇ ଦେବ ଏହି ରେଳ କରିଡର

ଚଳିତ ବର୍ଷ କାର୍ଯ୍ୟକ୍ଷମ ହେବ ୧୪ କିମି ଲମ୍ବ ଅନୁଗୁଳ-ବଳରାମ ରେଳ ଲାଇନ୍‌

Posted On: 11 JUL 2022 4:21PM by PIB Bhubaneshwar

 

ତାଳଚେଳ କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ (ଏମସିଆରଏଲ) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି । ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ କ୍ଷେତ୍ରରେ ଏମସିଆରଏଲର ରେଳ କରିଡର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଏହି ରେଳ କରିଡର ଧାମରା ଏବଂ ପାରାଦୀପ ବନ୍ଦରକୁ ଦ୍ରୁତ ଗତିରେ ଅଧିକ ସଂଖ୍ୟାରେ କୋଇଲା ରେକ୍‌ ପରିବହନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବ । ଭିଡ଼ମୁକ୍ତ ରେଳ ନେଟୱର୍କ ପ୍ରତିଷ୍ଠା ହେବା ଫଳରେ କୋଇଲା ପରିବହନ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଅନ୍ୟପଟେ ବନ୍ଦର ନିକଟରେ ସହଜରେ କୋଇଲା ପହଞ୍ଚିବା ଫଳରେ ଜାହାଜ ଯୋଗେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରକୁ ସହଜରେ କୋଇଲା ପଠାଇବା ସମ୍ଭବ ହୋଇପାରିବ । ସାମୁଦ୍ରିକ ମାର୍ଗରେ କୋଇଲା ପରିବହନ ରେଳ ନେଟୱର୍କରେ ପରିବହନ ତୁଳନାରେ ଅପେକ୍ଷାକୃତ ଶସ୍ତା ବିକଳ୍ପ ହେବ ।

ତାଳଚେର କୋଇଲା କ୍ଷେତ୍ରରୁ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ଏମସିଆରଏଲ ଅଧୀନରେ ପର୍ଯ୍ୟାୟକ୍ରମେ ରେଳ ଲାଇନ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଉଚ୍ଚ ପ୍ରଭାବଯୁକ୍ତ ପ୍ରକଳ୍ପ ଅଧୀନରେ ଏମସିଆରଏଲ ପର୍ଯ୍ୟାୟ ୧ ଏବଂ ପର୍ଯ୍ୟାୟ ୨ ପ୍ରକଳ୍ପ ନିର୍ମାଣ ପାଇଁ କୋଇଲା ମନ୍ତ୍ରଣାଳୟ ପୂର୍ବରୁ ସ୍ଥାନ ଚିହ୍ନଟ କରିସାରିଛି । 

ଅନ୍ୟପକ୍ଷରେ ୩୧.୦୮.୨୦୧୫ରେ ଏମସିଆରଏଲ ଗଠନ କରାଯାଇଥିଲା । ଏଥିରେ ମହାନଦୀ କୋଇଲାଫିଲ୍ଡସ୍‌ ଲିମିଟେଡ (ଏମସିଏଲ)ର ୬୪%, ଆଇଆରସିଓଏନର ୨୬% ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (ଇଡକୋ)ର ୧୦% ଅଂଶଧନ ରହିଛି ।

ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ଏମସିଆରଏଲ ଅଧୀନରେ ରେଳ ଲାଇନ ନିର୍ମାଣ କରାଯାଉଛି । ଭାରତୀୟ ରେଳ ନେଟୱର୍କର ଅନୁଗୁଳ ଏବଂ ଜରପଡ଼ା ଷ୍ଟେସନ ଏହି ପ୍ରକଳ୍ପ ଅଧୀନରେ ଆସୁଛି । ଅନ୍ୟପଟେ ଏମସିଏଲର ତାଳଚେର-ବଳରାମ ଘରୋଇ ସାଇଡିଂ ଅଧୀନରେ ବଳରାମ ଷ୍ଟେସନକୁ ବର୍ତ୍ତମାନର ଲୋଡିଂ ଷ୍ଟେସନ ଭାବେ ସାମିଲ କରାଯାଇଛି ।

ଚଳିତ ବର୍ଷ ସୁଦ୍ଧା ଏମସିଆରଏଲ ପର୍ଯ୍ୟାୟ -୧ (ଅନୁଗୁଳ-ବଳରାମ) ୧୪ କିମି ଲମ୍ବ ରେଳ ଲାଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ । ତାଳଚେର କୋଇଲା ଖଣିରେ ଥିବା ଏମସିଏଲ ଖଣିରୁ ଏହି ରେଳ ଲାଇନ ଜରିଆରେ ୨୫ ନିୟୁତ ଟନ୍‌ କୋଇଲା ପରିବହନ କରାଯିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଏମସିଆରଏଲ ପର୍ଯ୍ୟାୟ-୨ ପ୍ରକଳ୍ପ ଅଧୀନରେ ୫୪ କିଲୋମିଟର ଲମ୍ବର ବଳରାମ-ଜରପଡ଼ା-ତେନ୍ତୁଲୋଇ ରେଳ ଲାଇନ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ତାଳଚେର କୋଇଲା କ୍ଷେତ୍ରର ଦକ୍ଷିଣ ପାର୍ଶ୍ବ ଏବଂ କେନ୍ଦ୍ରୀୟ ଭାଗରେ ଥିବା ଆବଣ୍ଟିତ କୋଇଲା ଖଣିକୁ ରେଳ ସଂଯୋଗ କରିବ ।

ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଛି, ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜଙ୍ଗଲ ମଞ୍ଜୁରି ମିଳିସାରିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ତାଳଚେର କୋଇଲା କ୍ଷେତ୍ରରେ ଥିବା ସିଆଇଏଲ ଏବଂ ଅଣ-ସିଆଇଏଲ ~୫୮ ନିୟୁତ ଟନ, କୋଇଲା ଖଣିରୁ କୋଇଲା ପରିବହନ ପାଇଁ ସୁବିଧା ମିଳିପାରିବ ।

ସୂଚନା ଯୋଗ୍ୟ ଯେ, ମହାନଦୀ କୋଲ୍‌ ଫିଲ୍ଡସ୍‌ର ତାଳଚେର କୋଇଲା କ୍ଷେତ୍ର ଦେଶର ଅନ୍ୟତମ ବୃହତ କୋଇଲା କ୍ଷେତ୍ର ପାଇଁ ପରିଗଣିତ ହୋଇଥାଏ । ଏଠାରେ ଦେଶର ମୋଟ୍‌ ଆନୁମାନିକ କୋଇଲା ସମ୍ପଦର ୧୫% ଅର୍ଥାତ୍‌ ୫୨ ବିଲିୟନ ଟନ କୋଇଲା ଗଚ୍ଛିତ ହୋଇ ରହିଛି । ତାଳଚେର କୋଇଲା କ୍ଷେତ୍ରରେ ଥିବା ଖଣିଜ ସମ୍ପଦ ମଧ୍ୟରୁ, ୬୩%ରୁ ଅଧିକ (୩୩ ବିଲିୟନ ଟନ) ୩୦୦ ମିଟର ଗଭୀରତା ମଧ୍ୟରେ ରହିଛି, ଫଳରେ ଏଠାରେ ଓପନକାଷ୍ଟ ମାଇନିଂ ଜରିଆରେ କୋଇଲା ଉତ୍ତୋଳନ କରାଯାଇପାରିବ ।

ତାଳଚେର କୋଇଲା କ୍ଷେତ୍ରରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଏବଂ ଆବଣ୍ଟିତ କୋଇଲା ଖଣିରୁ ୨୦୨୨ ଆର୍ଥିକ ବର୍ଷରେ ୯୫ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ହୋଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ ନିୟତୁ ଟନ ଏବଂ ୨୦୩୦ ଆର୍ଥିକ ବର୍ଷରେ ୩୦୦ ନିୟୁତ ଟନ କୋଇଲା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି ।

 

*****

P.S



(Release ID: 1840814) Visitor Counter : 205