ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 29 JUN 2022 3:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍‌ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟର ନିଷ୍ପତ୍ତି ୧ ଅକ୍ଟୋବର ୨୦୨୨ ଠାରୁ ଲାଗୁ ହେବ । ଏହି ନିଷ୍ପତ୍ତି ଫଳରେ ସମସ୍ତ ଅନ୍ବେଷଣ ଏବଂ ଉତ୍ପାଦନ (ଇଏଣ୍ଡପି) ଅପରେଟରଙ୍କ ପାଇଁ ସ୍ବାଧୀନ ବିପଣନ ସୁନିଶ୍ଚିତ ହୋଇପାରିବ । ସରକାର, କିମ୍ବା ତାଙ୍କ ନୋମିନୀ ଅଥବା ସରକାରୀ କମ୍ପାନୀଗୁଡ଼ିକୁ ଅଶୋଧିତ ତୈଳ ବିକ୍ରି କରିବା ଲାଗି ଉତ୍ପାଦନ ସହଭାଗିତା ଚୁକ୍ତିନାମା (ପିଏସସି)ର ସର୍ତ୍ତକୁ ତଦନୁଯାୟୀ କୋହଳ କରାଯିବ । ସବୁ ଇଏଣ୍ଡପି କମ୍ପାନୀଙ୍କୁ ଏବେ ଘରୋଇ ବଜାରରେ ନିଜ କ୍ଷେତ୍ରରୁ ଅଶୋଧିତ ତୈଳ ବିକ୍ରି କରିବା ନିମନ୍ତେ ସ୍ବାଧୀନତା ମିଳିପାରିବ । ସବୁ ଚୁକ୍ତିନାମାରେ ରୟାଲିଟି, ଉପକର, ଆଦି ଭଳି ରାଜସ୍ବର ଗଣନା ଏକସମାନ ଆଧାରରେ ହିସାବ କରାଯିବ । ତେବେ ପୂର୍ବ ବ୍ୟବସ୍ଥା ଭଳି, ରପ୍ତାନି ନିମନ୍ତେ ଅନୁମତି ମିଳିବ ନାହିଁ ।

କ୍ୟାବିନେଟର ଏହି ନିଷ୍ପତ୍ତି ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଦେବ, ଅପଷ୍ଟ୍ରିମ୍‌ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ୨୦୧୪ ଠାରୁ ଆରମ୍ଭ କରାଯାଇଥିବା ବିଭିନ୍ନ ପରିବର୍ତ୍ତନକାରୀ ସଂସ୍କାରକୁ ତ୍ବରାନ୍ବିତ କରିବ । ବ୍ୟବସାୟିକ ସୁଗମତା ଏବଂ ଅପରେଟର/ଉଦ୍ୟୋଗମାନଙ୍କୁ ଆବଶ୍ୟକତା ଅନୁଯାୟୀ ପରିଚାଳନା ସମ୍ବନ୍ଧୀୟ ସୁବିଧା ଯୋଗାଇ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏଥିପାଇଁ ତୈଳ ଏବଂ ଗ୍ୟାସ ଉତ୍ପାଦନ, ମୌଳିକ ଭିତ୍ତିଭୂମି ଓ ବିପଣନ ସହ ଜଡ଼ିତ ନୀତିକୁ ଆହୁରି ଅଧିକ ସ୍ବଚ୍ଛ କରାଯାଇଛି ।

*******

P.S.

 



(Release ID: 1838038) Visitor Counter : 133