ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ଅନୁଗୋଳ ଠାରେ ଇଏସଆଇସି ହସ୍‌ପିଟାଲ୍‌ ଓ ଝାରସୁଗୁଡ଼ା ଠାରେ ଉପ-ଆଞ୍ଚଳିକ କାର୍ଯ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଏହି ହସ୍‌ପିଟାଲ୍ ମାଧ୍ୟମରେ ଅନଗୋଳ ଓ ଆଖପାଖ ଅଞ୍ଚଳର 3 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ

ଶ୍ରମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଶ୍ରମ ଶକ୍ତିର ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରୁଛି : ଶ୍ରୀଯୁକ୍ତ ପ୍ରଧାନ

ଭୁବନେଶ୍ବର, ଯାଜପୁର ଓ ପାରାଦୀପ ଠାରେ ତିନିଟି ନୂଆ ଇଏସଆଇସି ହସ୍‌ପିଟାଲ୍ ସ୍ଥାପନ କରାଯିବ : କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ତେଲି

ପୋଷ୍ଟ କରାଯିବା ଦିନାଙ୍କ: 15 JUN 2022 4:57PM by PIB Bhubaneswar

ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ଆଠ ବର୍ଷ ମଧ୍ୟରେ ଦେଶ ପାଇଁ ଅନେକଗୁଡ଼ିଏ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଓ ଅନୁଗୋଳ ଠାରେ ଇଏସଆଇସି ହସ୍‌ପିଟାଲର ଉଦ୍‌ଘାଟନ ଏଥି ମଧ୍ୟରୁ ଅନ୍ୟତମ। ଅନୁଗୋଳ ଓ ଝାରସୁଗୁଡ଼ା ଠାରେ ଅନେକ ଉଦ୍ୟୋଗ ରହିଛି ଓ ସେହିପରି ଏଠାରେ ଶ୍ରମ ଶକ୍ତି ସଂଖ୍ୟା ମଧ୍ୟ ଅଧିକ। ତେଣୁ ଏହି ସବୁ ଲୋକମାନଙ୍କର ସୁସ୍ଥତା ହେଉଛି ସରକାରଙ୍କ ଦାୟୀତ୍ବ ଓ ଏହି ହସ୍‌ପିଟାଲ୍ ଏବଂ ଉପ-ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଆଜି ଅନୁଗୋଳ ଠାରେ ଏହି ହସ୍‌ପିଟାଲକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ଅବସରରେ ସେ କହିଛନ୍ତି ଯେ, ଏହା ଓଡ଼ିଶାର ଲୋକମାନଙ୍କ ପାଇଁ ସଞ୍ଜିବନୀ ଭଳି କାର୍ଯ୍ୟ କରିଛି ଓ କୋଭିଡ୍ ମହାମାରୀର ଦ୍ବିତୀୟ ଲହରୀ ସମୟରେ ଅନେକ ଲୋକଙ୍କର ଜୀବନ ରକ୍ଷା କରିଛି।

ମନ୍ତ୍ରୀଙ୍କ ସହିତ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି ଆଜି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଏହି ହସ୍‌ପିଟାଲ୍ ମାଧ୍ୟମରେ ସୁପର ସ୍ପେଶିଆଲିଟି ସେବା ସହିତ ଅନୁଗୋଳ ଓ ଆଖପାଖ ଅଞ୍ଚଳର 3 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହା ସହିତ ଉପ-ଆଞ୍ଚଳିକ କାର୍ଯ୍ୟାଳୟ, ଝାରସୁଗୁଡ଼ା ମାଧ୍ୟମରେ ଓଡ଼ିଶାର 13 ଟି ଜିଲ୍ଲାର ପ୍ରାୟ 2 ଲକ୍ଷ କର୍ମଚାରୀମାନେ ଉପକୃତ ହେବେ। 

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ ମୋଦୀ ସରକାର ରୟାଲଟି ବ୍ୟବସ୍ଥା ବଦଳରେ ଜିଲ୍ଲା ଖଣିଜ ପାଣ୍ଠି ଯୋଜନା ପ୍ରଣୟନ କରିଛନ୍ତି ଯାହା ସହାୟତାରେ ଖଣିଜ ସମୃଦ୍ଧ ଜିଲ୍ଲା ଗୁଡ଼ିକ ଏହାର ବିକାଶ ପାଇଁ କେନ୍ଦ୍ରରୁ ପ୍ରତ୍ୟକ୍ଷ ଭାବରେ ପାଣ୍ଠି ପାଉଛନ୍ତି। ଶ୍ରୀଯୁକ୍ତ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସର୍ବନିମ୍ନ ମଜୁରୀକୁ ଗତ ଆଠ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ପ୍ରାୟ 50 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

ଇ-ଶ୍ରମ ଡାଟାବେସ ବିଷୟରେ ସୂଚନା ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ ଏବଂ ଶ୍ରମ ମନ୍ତ୍ରଣାଳୟ ଶ୍ରମଶକ୍ତିର ଦକ୍ଷତା ବିକାଶ ତାଲିମ ପାଇଁ ସହଯୋଗ କରୁଛି। ସେ କହିଛନ୍ତି ଯେ ଇ-ଶ୍ରମ ମାଧ୍ୟମରେ କେନ୍ଦ୍ର ବର୍ତ୍ତମାନ ପ୍ରାୟ 27 କୋଟି ପଞ୍ଜୀକୃତ ଶ୍ରମିକଙ୍କ ସୂଚନା ସଂଗ୍ରହ କରିଛି ଏବଂ ଏହି ତଥ୍ୟ ବର୍ତ୍ତମାନ ଅନେକ ସାମାଜିକ କ୍ଷେତ୍ରର ବିସ୍ତାର ଏବଂ ଦକ୍ଷତା ବିକାଶ ତାଲିମ ସହିତ ସେମାନଙ୍କ ଲାଭ ପାଇଁ ବ୍ୟବହୃତ ହେବ।

ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି କହିଛନ୍ତି ଯେ ଓଡ଼ିଶାରେ ତିନୋଟି ନୂତନ ଇଏସଆଇସି ହସ୍‌ପିଟାଲ୍‌ କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁର କରାଯାଇଛି। ଏଗୁଡ଼ିକ ହେଉଛି ଭୁବନେଶ୍ୱର ଠାରେ 150 ଶଯ୍ୟା ବିଶିଷ୍ଟ, ଯାଜପୁରର ଡୁବୁରୀ ଠାରେ 100 ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପ ଠାରେ 30 ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍। ସେ କହିଛନ୍ତି ଯେ ଶ୍ରମଶକ୍ତି ହେଉଛି ଦେଶ ବିକାଶର ମେରୁଦଣ୍ଡ ଏବଂ ଭାରତ ସରକାର ସେମାନଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି।

ଇ-ଶ୍ରମ ପଦକ୍ଷେପ ବିଷୟରେ ଶ୍ରୀଯୁକ୍ତ ତେଲି କହିଛନ୍ତି ଯେ ଅଣ-ସଂଗଠିତ କ୍ଷେତ୍ରରୁ ଓଡିଶାର ପ୍ରାୟ 1.3 କୋଟି ଶ୍ରମିକ ସମେତ ସମୁଦାୟ 27 କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନଙ୍କ ପାଇଁ ବିଭିନ୍ନ ସାମାଜିକ ସୁବିଧା ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ଶ୍ରୀ ତେଲି ମଧ୍ୟ ପିଏମ୍‌ ଶ୍ରମ ଯୋଗୀ ମାନଧନ ଯୋଜନା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଏକ ନୂତନ ସୁବିଧାର ଉପସ୍ଥାପନ କରାଯାଉଛି ଯଦ୍ବାରା ଅଣସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ନିଯୁକ୍ତିଦାତାମାନେ ସେମାନଙ୍କର ସଂପୃକ୍ତ କର୍ମଚାରୀଙ୍କ ପାଇଁ ପେନ୍‌ସନ ପ୍ରଦାନ କରିପାରିବେ।

ଓଡ଼ିଶାର ଶ୍ରମ ଓ ଇଏସଆଇର ମନ୍ତ୍ରୀ, ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଏମପି ଶ୍ରୀ ମହେଶ ସାହୁ, ଶ୍ରୀ ସୁରେଶ ପୁଜାରୀ ଓ ଡିଜି, ଇଏସଆଇସି ଶ୍ରୀଯୁକ୍ତ ଏମ.ଏସ. ଭାଟିଆ ଏହି ଅବସରରେ ଉପସ୍ଥିତ ରହିଥିଲେ। 

BS


(ରିଲିଜ ଆଡି: 1834380) ପରିଦର୍ଶକ କାଉଣ୍ଟର : 236
ଏହି ରିଲିଜ ପଢନ୍ତୁ : English , Urdu , हिन्दी