ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ପତଞ୍ଜଳି ସହିତ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କର ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ


ପତଞ୍ଜଳି ସହିତ ସହଭାଗୀତାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା କରିବା ପାଇଁ ଶ୍ରୀ ଅର୍ଜୁନ ମୁଣ୍ଡା ପତଞ୍ଜଳି ଦଳ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି

ଔଷଧୀୟ ଉଦ୍ଭିଦ ଗୁଡିକରେ ପରିପୂର୍ଣ୍ଣ ଆଦିବାସୀ ଅଂଚଳରେ ହର୍ବାଲ୍ ଔଷଧ ଆଜୀବିକା ମିଶନର ଏକ ଅଂଶ ହେବା ଉଚିତ୍ : ଶ୍ରୀ ଅର୍ଜୁନ ମୁଣ୍ଡା

ଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ସଂସ୍କୃତି, ଆଦିବାସୀ ଜ୍ଞାନ ଏବଂ ସେମାନଙ୍କର ପରମ୍ପରା ବିଷୟରେ ଜ୍ଞାନକୁ ବ୍ୟାପକ କରିବା ନିମନ୍ତେ ଜନଜାତି/ ଆଦିବାସୀ ଅନୁସନ୍ଧାନ ପ୍ରତିଷ୍ଠାନ ଗୁଡିକ ମଧ୍ୟ ଜନଜାତି ସମ୍ପର୍କିତ ଅଧ୍ୟୟନକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ : ଶ୍ରୀ ଅର୍ଜୁନ ମୁଣ୍ଡା

ସଚେତନତା ଅଭିଯାନ ଚଳାଇବା ଉଚିତ୍, ଯାହା ଦ୍ୱାରା ଜନଜାତି ସମ୍ପ୍ରଦାୟ ସରକାରଙ୍କ କଲ୍ୟାଣମୂଳକ ଯୋଜନା ଗୁଡିକର ଲାଭ ଉଠାଇ ପାରିବେ : ଶ୍ରୀ ବିଶେଶ୍ୱର ଟୁଡୁ

ପୋଷ୍ଟ କରାଯିବା ଦିନାଙ୍କ: 27 MAY 2022 4:43PM by PIB Bhubaneswar

କେନ୍ଦ୍ର ଆଦିବାସୀ/ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଗତକାଲି ପତଞ୍ଜଳି ଯୋଗପୀଠର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଏବଂ ସହ - ପ୍ରତିଷ୍ଠାତା ଆଚାର୍ଯ୍ୟ ବାଳକ୍ରିଷ୍ଣା ଏବଂ ତାଙ୍କ ଦଳ ସହିତ ଶାସ୍ତ୍ରୀ ଭବନରେ ଏକ ବୈଠକ କରି ଆଦିବାସୀ  ବ୍ୟାପାର ମନ୍ତ୍ରଣାଳୟ ଏବଂ ପତଞ୍ଜଳି ମଧ୍ୟରେ କଲ୍ୟାଣ ଏବଂ ବିକାଶ ନିମନ୍ତେ ହୋଇଥିବା ଭାଗଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପତଞ୍ଜଳି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସହଭାଗୀତାରେ ମନ୍ତ୍ରଣାଳୟର ଆର୍ôଥକ ସହାୟତା ପାଇଁ ସେଂଟର ଅଫ୍ ଏକ୍ସଲେନ୍ସ (ସିଓଇ) ଅଧୀନରେ ଭାଗୀଦାର ହୋଇଛି ।

ଏହି ବୈଠକରେ ପତଞ୍ଜଳି ଦ୍ୱାରା ପରିଚାଳିତ ପ୍ରକଳ୍ପର ଅଗ୍ରଗତି ରିପୋର୍ଟ, ଜନଜାତି ମାନଙ୍କ ଉପରେ ଗବେଷଣା ଏବଂ ସେମାନଙ୍କର କଲ୍ୟାଣ ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଗଭୀର ଭାବରେ ଆଲୋଚନା କରା ଯାଇଥିଲା ।

ଏହି ଅବସରରେ କେନ୍ଦ୍ର ଜନଜାତି/ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପତଞ୍ଜଳି ଦଳ ବୈଠକରେ ସୂଚନା ଦେଇଛନ୍ତି ଯେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପ୍ରକଳ୍ପର ଏକ ଅଂଶ ଭାବରେ ସେମାନେ ଉତରାଖଣ୍ଡର ଆଦିବାସୀ ଅଂଚଳରେ ମିଳୁଥିବା ଔଷଧୀୟ  ଉଦ୍ଭିଦ ଗୁଡିକର ସତ୍ୟତା ସହିତ ଡକ୍ୟୁମେଂଟ (ତଥ୍ୟ ପ୍ରସ୍ତୁତି) କରିବା ପାଇଁ ବ୍ୟାପକ ସର୍ଭେ କରିଛନ୍ତି । ପାରମ୍ପରିକ ଆଦିବାସୀ ପେଶାଦାରମାନେ ଭଲ ଅଭ୍ୟାସ ଅନୁସରଣ କରି ଅଧିକ ବୃତିଗତ ଢଙ୍ଗରେ ଯେପରି ଉଦ୍ଭିଦ ଜାତୀୟ ଔଷଧ ଅଭ୍ୟାସ କରିପାରିବେ ସେଥିପାଇଁ ସର୍ଭେ କରାଯାଇଥିବା ଅଂଚଳରେ ସେମାନେ ଦକ୍ଷତା ବିକାଶ କାର୍ଯ୍ୟ ମଧ୍ୟ କରୁଛନ୍ତି ବୋଲି ଦଳ ସୂଚନା ଦେଇଥିଲା । ଏହା ଦ୍ୱାରା ଉଭୟ ପକ୍ଷରେ ଜ୍ଞାନର ବଂଟନ ହୋଇଛି ଏବଂ ମନ୍ତ୍ରଣାଳୟର ନିର୍ଦ୍ଦିଷ୍ଟ ପ୍ରକଳ୍ପ ଅନୁଯାୟୀ ଡକ୍ୟୁମେଂଟେସନ୍ (ନଥୀକରଣ) ପାଇଁ ମୂଲ୍ୟବାନ ସୂଚନା ମିଳିଛି । ବର୍ତମାନ ପର୍ଯ୍ୟନ୍ତ, ପତଞ୍ଜଳିର ୬୫,୦୦୦ ଉଦ୍ଭିଦକୁ ଡକ୍ୟୁମେଂଟ (ନଥୀକରଣ) କରିବାର ଅଭିଜ୍ଞତା ରହିଛି ଏବଂ ସମୁଦାୟ ୨୦୦ଟି ଜନଜାତି ସମ୍ପ୍ରଦାୟ ସହିତ କାର୍ଯ୍ୟ ସେମାନେ କରିଛନ୍ତି ।

ଏହି ବୈଠକରେ ଆଦିବାସୀ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ, ଆଦିବାସୀ ପିଲାମାନଙ୍କ ପାଇଁ ଶିକ୍ଷାର ଉନ୍ନତି ଏବଂ ଜୀବିକା ସୃଷ୍ଟି କରିବା ନିମନ୍ତେ ଶ୍ରୀ ଆଚାର୍ଯ୍ୟ ବାଳକ୍ରିଷ୍ଣା ନିଜର ପରାମର୍ଶ ଉପସ୍ଥାପନ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ପତଞ୍ଜଳି ଦେଶର ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ପତଞ୍ଜଳିରେ କରା ଯାଇଥିବା ଅନୁସନ୍ଧାନ କାର୍ଯ୍ୟକୁ ଆଦିବାସୀ ଅଂଚଳର ବିକାଶରେ ବ୍ୟବହାର କରା ଯାଇପାରିବ ।  ସେ ସେମାନଙ୍କ ଦ୍ୱାରା ବିକଶିତ ଡିଜିଟାଲ୍ ପ୍ଲାଟଫର୍ମ (ମଂଚ) ଗୁଡିକର ବିସ୍ତୃତ ବିବରଣୀ ମଧ୍ୟ ଦେଇଥିଲେ, ଯାହା ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଲାଭଦାୟକ ହୋଇପାରେ । ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ବାଳକ୍ରିଷ୍ଣା ଶ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନା ଉପରେ ରିପୋର୍ଟ ଏବଂ ଏକ ପୁସ୍ତକ ପ୍ରଦାନ କରିଥିଲେ ।

 ଶ୍ରୀ ଅର୍ଜୁନ ମୁଣ୍ଡା କହିଥିଲେ ଯେ, ଆଦିବାସୀ ଅଂଚଳରେ ପତଞ୍ଜଳି ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଭାବରେ କରା ଯାଇଥିବା ଏହିଭଳି କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ । ପତଞ୍ଜଳିର ପରାମର୍ଶ ଉପରେ ଗମ୍ଭୀର ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛିଯାହା ପାଇଁ ଏକ ସମୟସୀମା ମଧ୍ୟରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଏକ କମିଟି ଗଠନ କରାଯିବ ବୋଲି ସେ କହିଥିଲେ । ସାରା ଦେଶର ଜନଜାତି ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟ ଏଥିରେ ଜଡିତ ହେବେ । ଅଧିକନ୍ତୁ, ଶ୍ରୀ ମୁଣ୍ଡା କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ସଂସ୍କୃତି, ଆଦିବାସୀ ଜ୍ଞାନ ଏବଂ ପରମ୍ପରା ସମ୍ବନ୍ଧୀୟ ଜ୍ଞାନ ଆଧାରକୁ ବିସ୍ତାର କରିବା ପାଇଁ ଜନଜାତି ଅନୁସନ୍ଧାନ ପ୍ରତିଷ୍ଠାନ ଗୁଡିକ ମଧ୍ୟ ସେମାନଙ୍କ ଆଭିମୁଖ୍ୟ ମଧ୍ୟରେ ଆଦିବାସୀ  ଅଧ୍ୟୟନକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଶ୍ରୀ ଅର୍ଜୁୁନ ମୁଣ୍ଡା କହିଥିଲେ ଯେ, ଔଷଧୀୟ ଯୋଜନାକୁ ବୃଦ୍ଧି କରିବା   ଏବଂ ହର୍ବାଲ୍ ଔଷଧ ପ୍ରସ୍ତୁତ କରିବାର ଅଭ୍ୟାସକୁ ବିଶେଷ କରି ଔଷଧୀୟ ଉଦ୍ଭିଦ ଗୁଡିକରେ ଥିବା ଆଦିବାସୀ ଅଂଚଳରେ ଜୀବିକା ନିର୍ବାହର ରୂପ ଦିଆଯିବା ଉଚିତ୍ ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ, ଆଦିବାସୀ ମାନଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଚଳାଇବା ଆବଶ୍ୟକ, ଯାହା ଦ୍ୱାରା ଆଦିବାସୀ ମାନେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣମୂଳକ ଯୋଜନା ଗୁଡିକର ଫାଇଦା ଉଠେଇ ପାରିବେ ।

*****

SSP



 


(ରିଲିଜ ଆଡି: 1828845) ପରିଦର୍ଶକ କାଉଣ୍ଟର : 256
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Bengali , Tamil , Telugu