ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ନିବେଶ ପ୍ରୋତ୍ସାହନ ରାଜିନାମା

Posted On: 23 MAY 2022 6:25PM by PIB Bhubaneshwar

ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ଆଜି ଜାପାନର ଟୋକିଓ ଠାରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା (ଆଇଆଇଏ)ରେ ଭାରତର ବିଦେଶ ସଚିବ ଶ୍ରୀ ବିନୟ କ୍ୱାତ୍ରା ଓ ୟୁଏସ ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍କଟ ନାଥନ ସ୍ୱାକ୍ଷର କରିଛନ୍ତି ।

ଏହି ନିବେଶ ରାଜିନାମା (ଆଇଆଇଏ) ୧୯୯୭ରେ ଭାରତ ସରକାର ଓ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିବା ନିବେଶ ପ୍ରୋତ୍ସାହନ ରାଜିନାମାର ସ୍ଥାନ ନେବ । ପୂର୍ବରୁ ୧୯୯୭ରେ ନିବେଶ ପ୍ରୋତ୍ସାହନ ରାଜିନାମା (ଆଇଆଇଏ) ସ୍ୱାକ୍ଷରିତ ହେବା ପରଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପରିଲକ୍ଷିତ ହୋଇଥିଲା । ଯେଉଁଥିରେ ଡିଏଫସି ନାମରେ ଏକ ନୂଆ ଏଜେନ୍ସି ଗଠନ ମଧ୍ୟ ସାମିଲ ଥିଲା । ଡିଏଫସି ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଏକ ବିତ୍ତ ବିକାଶ ଏଜେନ୍ସି ଓ ଏହାର ଗଠନ ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟ ପ୍ରଣୀତ ନିୟମ, ବିଲ୍ଡ ଆକ୍ଟ ୨୦୧୮ର ଅଧିନିୟମ ପରେ ପୂର୍ବବର୍ତ୍ତୀ ବିଦେଶ ଘରୋଇ ନିବେଶ ନିଗମ (ଓପିଆଇସି)ର ଉତ୍ତରାଧିକାରୀ  ଏଜେନ୍ସି ଭାବେ ହୋଇଥିଲା । ଋଣ, ଇକ୍ୱିଟି ନିବେଶ, ନିବେଶ ଗ୍ୟାରେଣ୍ଟି, ନିବେଶ ବୀମା କିମ୍ବା ପୁନଃବୀମା, ସମ୍ଭାବ୍ୟ ପ୍ରକଳ୍ପ ଓ ଅନୁଦାନ ପାଇଁ ସମ୍ଭାବ୍ୟତା ଅଧ୍ୟୟନ ତଥା ଡିଏଫସି ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ନିବେଶ ସହାୟତା କାର୍ଯ୍ୟକ୍ରମଗୁଡିକ ସହିତ ସମନ୍ୱୟ ବଜାୟ ରଖିବା ପାଇଁ ଏହି ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଭାରତରେ ନିବେଶ ସହାୟତା ପ୍ରଦାନ ଜାରି ରଖିବା ପାଇଁ ଡିଏଫସି ପାଇଁ ରାଜିନାମା ଏକ ଆଇନଗତ ଆବଶ୍ୟକତା । ଡିଏଫସି କିମ୍ବା ଏହାର ପୂର୍ବ ଏଜେନ୍ସିଗୁଡିକ ଭାରତରେ ୧୯୭୪ରୁ ସକ୍ରିୟ ରହି ଏଯାବତ ୫.୮ ବିଲିୟନ ଡଲାର ନିବେଶ ସହାୟତା ପ୍ରଦାନ କରି ସାରିଛନ୍ତି, ଯେଉଁଥିରୁ ୨.୯ ବିଲିୟନ ଡଲାର ଏବେ ବି ବକେୟା ରହିଛି । ଭାରତରେ ନିବେଶ ସହାୟତା ପ୍ରଦାନ କରିବା ପାଇଁ ଡିଏଫସି ନିକଟରେ ୪ ବିଲିୟନ ଡଲାରର ପ୍ରସ୍ତାବ ବିଚାରାଧିନ ରହିଛି । ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯେପରିକି କୋଭିଡ- ୧୯ ଭ୍ୟାକ୍ସିନ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିତ୍ତପୋଷଣ, ନବୀକରଣଯୋଗ୍ୟ ଶକ୍ତି, ଏସଏମଇ ବିତ୍ତପୋଷଣ, ବିତ୍ତୀୟ ଅନ୍ତର୍ଭୁକ୍ତି, ଭିତ୍ତିଭୂମି ଆଦି କ୍ଷେତ୍ରରେ ଡିଏଫସି ନିବେଶ ସହାୟତା ପ୍ରଦାନ କରିଛି ।

ଏହି ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତରେ ଡିଏଫସି ଦ୍ୱାରା ପ୍ରଦାନ କରାଯାଉଥିବା ନିବେଶ ସହାୟତା ବୃଦ୍ଧି ପାଇବ ଫଳରେ ଭାରତର ବିକାଶକୁ ଆହୁରି ଆଗେଇବ ବୋଲି ଆଶା କରାଯାଉଛି ।

 

SR



(Release ID: 1827747) Visitor Counter : 164