ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଅଧୀନରେ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କଲା ଭାରତ : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର



କେବଳ ପୁନରୁଦ୍ଧାର ଉଦ୍ଦେଶ୍ୟରେ ୩୬୩ କୋଟି ଟଙ୍କା ବିନିଯୋଗ କରାଯିବ : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର

ସତ୍ୟଜିତ୍‌ ରାୟଙ୍କ ୧୦ଟି ଚଳଚ୍ଚିତ୍ରର ପନୁଦ୍ଧାର କାର୍ଯ୍ୟ ହାତକୁ ନେଲା ଏନଏଫଏଆଇ; ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ

Posted On: 05 MAY 2022 6:32PM by PIB Bhubaneshwar

ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ (ଏନଏଫଏଚଏମ) ବା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ଅଭିଯାନ ଅଧୀନରେ ଭାରତ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏବଂ ଏଥିପାଇଁ ୩୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଏହି ଘୋଷଣା କରିଛନ୍ତି । ଆଜି ଆରମ୍ଭ ହୋଇଥିବା ପୁନରୁଦ୍ଧାର ପ୍ରକଳ୍ପକୁ ଭାରତୀୟ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ଠାରେ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯିବ । ପୁଣେ ଠାରେ ଏହି ସଂଗଠନର ଏକ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଏହା କହିଛନ୍ତି ।

ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଅଧୀନରେ ପ୍ରାୟ ୨,୨୦୦ ଚଳଚ୍ଚିତ୍ରକୁ ପୁନରୁଦ୍ଧାର କରାଯିବ । ଚଳଚ୍ଚିତ୍ର ନିର୍ମାତା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ଐତିହାସିକ, ପ୍ରଯୋଜକ ଆଦିଙ୍କୁ ନେଇ ଗଠିତ ଭାଷା ଭିତ୍ତିକ କମିଟି ମାଧ୍ୟମରେ ଚଳଚ୍ଚିତ୍ରର ଶୀର୍ଷକ ଚୟନ କରାଯାଇଛି । ଏହି କମିଟିରେ ଅପର୍ଣ୍ଣା ସେନ, ଶ୍ରୀରାମ ରାଘବନ, ଅଞ୍ଜଳି ମେନନ ଏବଂ ଭେଟ୍ରିମାରାନଙ୍କ ଭଳି ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନେ ସାମିଲ ରହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନେସନାଲ ଫିଲ୍ମ ହେରିଟେଜ୍‌ ମିଶନ ଚଳଚ୍ଚିତ୍ରର ପୁନରୁଦ୍ଧାର ସହିତ ଚଳଚ୍ଚିତ୍ର ସ୍ଥିତି ଆକଳନ ପ୍ରକ୍ରିୟାର ସଂରକ୍ଷଣ, ସତର୍କତାମୂଳକ ସଂରକ୍ଷଣ ଓ ଡିଜିଟାଲକରଣ କାର୍ଯ୍ୟ ମଧ୍ୟ ସମ୍ପାଦନ କରିବ । ଏଥିପାଇଁ ମୋଟ୍‌ ୫୯୭ କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ କରାଯାଇଛି, ଯାହାକି ବିଶ୍ବର ସବୁଠୁ ବଡ଼ ଚଳଚ୍ଚିତ୍ର ସଂରକ୍ଷଣ ଅଭିଯାନ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭାରତୀୟ ଚଳଚ୍ଚିତ୍ର ଜଗତର ୧୦୦ ବର୍ଷରୁ ଅଧିକ ସମୟର ଇତିହାସ ରହିଛି ଏବଂ ବିଶ୍ବ ଚଳଚ୍ଚିତ୍ର ଦୁନିଆରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ଭାରତୀୟ ଚଳଚ୍ଚିତ୍ରର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ବହୁ ଦଶନ୍ଧି ଧରି ଦର୍ଶକମାନଙ୍କୁ ବାନ୍ଧି ରଖିଥିବା ଏସବୁ ଚଳଚ୍ଚିତ୍ରର  ସମୃଦ୍ଧଶାଳୀ ଐତିହ୍ୟକୁ ଭବିଷ୍ୟତ ପିଢ଼ି ଜାଣିବା ଲାଗି ସକ୍ଷମ ହୋଇପାରିବେ ।

ପ୍ରଥମ ପର୍ଯ୍ୟାୟରେ ଏନଏଫଏଆଇ ମହାନ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ୧୦ଟି ସମ୍ମାନଜନକ ଚଳଚ୍ଚିତ୍ରକୁ ପୁନରୁଦ୍ଧାର ପାଇଁ ଚୟନ କରିଛି । ଏସବୁ ଚଳଚ୍ଚିତ୍ରକୁ ବିଭିନ୍ନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବ । ଏଥିମଧ୍ୟରୁ ‘ପ୍ରତିଧ୍ବନି’ ଚଳଚ୍ଚିତ୍ରକୁ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଚୟନ କରାଯାଇଛି । ଏହା କାନ୍ସ କ୍ଲାସିକ୍ସ ବର୍ଗର ୨୦୨୨ ସଂସ୍କରଣରେ ପ୍ରଦର୍ଶିତ ହେବ ।

୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଜି. ଅରବିନ୍ଦନଙ୍କ ମାଲାୟଲମ ଚଳଚ୍ଚିତ୍ର ‘ଥାମ୍ପି’ର ପୁନରୁଦ୍ଧାର ସଂସ୍କରଣ ମଧ୍ୟ କାନ୍ସ ଠାରେ ପ୍ରଦର୍ଶିତ ହେବ । ହେରିଟେଡ ଫାଉଣ୍ଡେସନ ଏବଂ ଏନଏଫଆଇ ମଧ୍ୟରେ ହୋଇଥିବା ସଂରକ୍ଷଣ ସହଭାଗିତା ଅଧୀନରେ କାନ୍ସ ଠାରେ ଏ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ ।

ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ବ୍ୟତୀତ ‘ନୀଲାକୁୟିଲ’ (ମାଲାୟଲମ) ଏବଂ ‘ଦୋ ଆଖେଁ ବାରା ହାତ୍’ (ହିନ୍ଦୀ) ଚଳଚ୍ଚିତ୍ରକୁ ମଧ୍ୟ ସାମିଲ କରାଯାଇଛି । ସ୍ବାଧୀନତା ପୂର୍ବବର୍ତ୍ତୀ ଚଳଚ୍ଚିତ୍ର ସମେତ ଏନଏଫଏଆଇ, ଚଳଚ୍ଚିତ୍ର ଡିଭିଜନ ଏବଂ ଅନ୍ୟାନ୍ୟ ବିରଳ ଚଳଚ୍ଚିତ୍ରକୁ ମଧ୍ୟ ପୁନରୁଦ୍ଧାର କରିବା ଲାଗି ଚୟନ କରାଯାଇଛି । ଏସବୁ ଚଳଚ୍ଚିତ୍ରରେ ଭାରତର ଅଭିବୃଦ୍ଧି ଧାରା ପ୍ରଦର୍ଶିତ ହୋଇଛି ।

ପୁନରୁଦ୍ଧାର ପ୍ରକ୍ରିୟା

ତିଷ୍ଠି ରହିଥିବା ଶ୍ରେଷ୍ଠ ଉତ୍ସ ବା ସୋର୍ସରୁ ଉପକରଣଗୁଡ଼ିକୁ ସଂଗ୍ରହ କରି ପ୍ରତି ଫ୍ରେମର ଡିଜିଟାଲ ଓ ସେମି-ଅଟୋମେଟେଡ୍‌ ମାନୁଆଲ ପିକ୍ଚର ଓ ସାଉଣ୍ଡକୁ ପୁନରୁଦ୍ଧାର କରିବା ଲାଗି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରୟାସ କରାଯାଇଥାଏ । ସୋର୍ସ ନେଗେଟିଭ/ପ୍ରିଣ୍ଟକୁ 4କେରୁ .ଡିପିଏକ୍ସ ଫାଇଲକୁ ସ୍କାନ୍‌ କରାଯିବ ଯାହାକୁ ଡିଜିଟାଲ ମାଧ୍ୟମରେ ପୁନରୁଦ୍ଧାର କରାଯିବ । ଏହି ପୁନରୁଦ୍ଧାର ପ୍ରକ୍ରିୟା ସମୟରେ ପିକ୍ଚର ନେଗେଟିଭ୍‌ର ପ୍ରତ୍ୟେକ ଫ୍ରେମରେ ରହିତିବା ଦାଗ, ଧୂଳି ଏବଂ ଘର୍ଷଣକୁ ସମ୍ପୂର୍ଣ୍ଣ ସଫା କରି ଦିଆଯିବ । ପିକଚର ବା ଛବି ପୁନରୁଦ୍ଧାର ପ୍ରକ୍ରିୟା ଭଳି ସାଉଣ୍ଡ ଓ ଶବ୍ଦ ପୁନରୁଦ୍ଧାର ପ୍ରକ୍ରିୟାକୁ ମଧ୍ୟ ସମାନ ପଦ୍ଧତିରେ କାର୍ଯ୍ୟକାରୀ କରାଯିବ । ସାଉଣ୍ଡ ନେଗେଟିଭ୍‌ରେ ରହିଥିବା ପପ୍ସ, ହିସ୍‌, କ୍ରାକଲ୍ସ ଓ ଡିଷ୍ଟୋରର୍ସନ ଆଦିକୁ ଦୂର କରାଯିବ । ପୁନରୁଦ୍ଧାର ପରେ, ଡିଜିଟାଲ ପିକ୍ଚର ଫାଇଲକୁ କଲର ଗ୍ରେଡ (ଡିଆଇ ପ୍ରକ୍ରିୟା) କରାଯିବ ଏବଂ ମୂଳ ରିଲିଜ୍‌ ସମୟରେ ଯେପରି ଦେଖା ଯାଉଥିଲା ଠିକ୍‌ ସେହିପରି ପ୍ରଦର୍ଶିତ କରିବା ଭଳି ରୂପ ଚଳଚ୍ଚିତ୍ରକୁ ଦିଆଯିବ ।

*******

P.S.



(Release ID: 1823102) Visitor Counter : 290