ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଷଷ୍ଠ ଭାରତ- ଜର୍ମାନୀ ଆନ୍ତଃ- ସରକାରୀସ୍ତରୀୟ ବିଚାରବିମର୍ଷ ସମ୍ପର୍କୀତ ମିଳିତ ବିବୃତି

Posted On: 02 MAY 2022 8:09PM by PIB Bhubaneshwar

୧.     ଆଜି ଜର୍ମାନ ସଂଘୀୟ ଗଣରାଜ୍ୟ ସରକାର ଏବଂ ଭାରତୀୟ ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ସଂଘୀୟ ଚାନସେଲର ଓଲାଫ ସୋଲଜ୍‌ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ଅଧ୍ୟକ୍ଷତାରେ  ଷଷ୍ଠ ଆନ୍ତଃ- ସରକାରୀ ସ୍ତରୀୟ ବିଚାର ଆଲୋଚନା ଅନୁଷ୍ଠିତ ହୋଇଛି । ଉଭୟ ରାଷ୍ଟ୍ରର ଦୁଇ ନେତାଙ୍କ ବ୍ୟତୀତ ଏହି ବିଚାରବିମର୍ଷରେ ଉଭୟ ରାଷ୍ଟ୍ରର ମନ୍ତ୍ରୀବୃନ୍ଦ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ପ୍ରତିନିଧି ଯେଉଁମାନେ କି ଆଲୋଚନା ସମ୍ପର୍କୀତ ମନ୍ତ୍ରଣାଳୟ ସହିତ ସଂପୃକ୍ତ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ ଓ ସେମାନଙ୍କ ନାମ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।

୨.     ଭାରତ ଯେତେବେଳେ ତା’ର ସ୍ୱାଧୀନତା ପ୍ରାପ୍ତିର ୭୫ତମ ଜୟନ୍ତୀ ପାଳନ କରୁଛି, ଭାରତ ଏବଂ ଜର୍ମାନୀ ମଧ୍ୟରେ ପାରସ୍ପରିକ ଆସ୍ଥା, ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ନିମନ୍ତେ ମିଳିତ ସ୍ୱାର୍ଥଜଡ଼ିତ ସେବାକାର୍ଯ୍ୟ ସଂପାଦନ, ଗଣତାନ୍ତ୍ରିକ ସହଭାଗୀ ମୂଲ୍ୟବୋଧ, ପ୍ରଚଳିତ ସାର୍ବଜନୀନ ବିଧି ବ୍ୟବସ୍ଥା ଓ ମାନବିକ ଅଧିକାର ଏବଂ ବହୁପକ୍ଷୀୟ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ବୈଶ୍ୱିକ ସମସ୍ୟାବଳୀର ସମାଧାନ ନିମନ୍ତେ ସମ୍ପର୍କର ମୂଳଭିତ୍ତି ଅଧିକ ସୁଦୃଢ଼ ହୋଇପାରିଛି ।

୩.     ଉଭୟ ରାଷ୍ଟ୍ର ପ୍ରଚଳିତ ସକ୍ରିୟ ତଥା ସାର୍ବଜନୀନ ବିଧି ବ୍ୟବସ୍ଥା ଆଧାର ଉପରେ ଗୁରୁତ୍ୱ ଆରୋପ କରନ୍ତି ଯାହାକି ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତିକ ବିଧି ବ୍ୟବସ୍ଥାର ମୌଳିକ ନୀତି ନିୟମ ଉପରେ ଆଧାରିତ ଏବଂ ତାହା ମିଳିତ ଜାତିସଂଘର ସନନ୍ଦରେ ମୂଳ ଭିତ୍ତି ରୂପେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ  ସମସ୍ତ ରାଷ୍ଟ୍ରଙ୍କ ସାର୍ବଭୌମତ୍ୱ ଏବଂ ଭୌଗୋଳିକ ଅଖଣ୍ଡତା ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ପ୍ରତି ମଧ୍ୟ ଉଭୟ ରାଷ୍ଟ୍ର ପ୍ରତିବଦ୍ଧ । ବର୍ତ୍ତମାନ ତଥା ଭବିଷ୍ୟତର ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ ବିବିଧ ପକ୍ଷିୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଏହାର ସଂସ୍କାର ଉପରେ ମଧ୍ୟ ଦୁଇ ଦେଶର ସରକାର ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରନ୍ତି । ଏହା ଦ୍ୱାରା ବୈଶ୍ୱିକ ଶାନ୍ତି ଏବଂ ସ୍ଥିରତାକୁ ବଜାୟ ରଖାଯାଇପାରିବ ଏବଂ ଆନ୍ତର୍ଜାତିକ ନୀତିନିୟମ ମଜଭୁତ ହୋଇପାରିବ ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏହି ମୌଳିକ ନୀତି ଆଧାରରେ କରାଯିବା ସହିତ ସମସ୍ତ ରାଷ୍ଟ୍ରଙ୍କ ସାର୍ବଭୌମତ୍ୱ ଏବଂ ଭୌଗୋଳିକ ଅଖଣ୍ଡତା ମଧ୍ୟ ବଜାୟ ରହିପାରିବ ।

୪.     ଉଭୟ ଦେଶର ନେତା କୋଭିଡ଼-୧୯ ବୈଶ୍ୱିକ ମହାମାରୀ ପ୍ରଭାବରୁ ମୁକ୍ତ ହୋଇ ଆର୍ଥିକ ଉନ୍ନତି ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯାହାକି ବିଶ୍ୱକୁ ସୁରକ୍ଷା ପ୍ରଦାନ କରିପାରିବ । ସେମାନେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଯେ ବିଶ୍ୱର ହାରାହାରି ତାପମାତ୍ରାକୁ ସେମାନେ ପ୍ରାକ୍‌- ଶିଳ୍ପବିପ୍ଳବ ପର୍ଯ୍ୟାୟ ଠାରୁ ୨ଡିଗ୍ରୀ କମ୍‌ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପ୍ରତି ସଂପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଏବଂ ପ୍ରାକ୍‌- ଶିଳ୍ପବିପ୍ଳବ ପର୍ଯ୍ୟାୟ ଠାରୁ ବର୍ତ୍ତମାନର ତାପମାତ୍ରାକୁ ୧.୫ ଡିଗ୍ରୀ କମ୍‌ କରିବା ଦିଗରେ ସେମାନଙ୍କର ପ୍ରୟାସ ନିରନ୍ତର ଜାରି ରଖିବେ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ  ପର୍ଯ୍ୟାନ୍ତରଣକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଉଦ୍ୟମ ଅବ୍ୟାହତ ରଖିବେ । ସେମାନେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ଆର୍ଥିକ ପୁନରୁତ୍ଥାନକୁ ଅଧିକ ସହନଶୀଳ, ପରିବେଶ ଅନୁକୂଳ, ପୋଷଣୀୟ, ଜଳବାୟୁ- ଅନୁକୂଳ ଏବଂ ସମାବେଶୀ କରାଯିବା ଆବଶ୍ୟକ ଯଦ୍ୱାରା ଭବିଷ୍ୟତ ଅଧିକ ସୁରକ୍ଷିତ ରହିପାରିବ ଏବଂ ତାହା ୨୦୩୦ ପୋଷଣୀୟ ବିକାଶ କାର୍ଯ୍ୟସୂଚୀ ଅନୁସାରେ ହେବା ଜରୁରି ଏବଂ ଏଥି ସହିତ ପ୍ୟାରିସ୍‌ ଜଳବାୟୁ ଘୋଷଣାନାମା ଅଧୀନରେ ଉଭୟ ରାଷ୍ଟ୍ରଙ୍କ ରାଷ୍ଟ୍ରୀୟ ପ୍ରତିବଦ୍ଧତା ଅନୁଯାୟୀ ହେବା ବାଂଛନୀୟ ।

ସମାନ ମୂଲ୍ୟବୋଧ ଏବଂ କ୍ଷେତ୍ରୀୟ ବହୁପକ୍ଷୀୟ ସ୍ୱାର୍ଥ ଆଧାରରେ ଗଠିତ ସହଭାଗୀତା

୫.     ମିଳିତ ଜାତିସଂଘର ମୂଳ ଉଦ୍ଦେଶ୍ୟ ସହିତ ବିଧି ବ୍ୟବସ୍ଥା ଆଧାରିତ ଆନ୍ତର୍ଜାତିକ ଶୃଙ୍ଖଳାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ପ୍ରଦାନ ଏବଂ ଆନ୍ତର୍ଜାତିକ ନିୟମାବଳୀ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଜର୍ମାନୀ ଏବଂ ଭାରତ ବହୁପକ୍ଷୀୟ ସକ୍ରିୟ ବ୍ୟବସ୍ଥା ଏବଂ ସେଗୁଡ଼ିକର ସଂସ୍କାର ପ୍ରତି ଗୁରୁତ୍ୱ ଆରୋପ କରିଥିଲେ । ବହୁପକ୍ଷୀୟ ବ୍ୟବସ୍ଥାକୁ ବର୍ତ୍ତମାନର ଜଟିଳ ଚାଲେଞ୍ଜମାନଙ୍କ ଦୃଷ୍ଟିରୁ ସଂସ୍କାର କରିବା ନିମନ୍ତେ ସେମାନେ ନିଜ ନିଜର ଆହ୍ୱାନକୁ ଦୋହରାଇଛନ୍ତି । ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ, ବୈଶ୍ୱିକ ଖାଦ୍ୟ ନିରାପତ୍ତା, ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ମିଥ୍ୟା ଖବର, ଅନ୍ତରାଷ୍ଟ୍ରୀୟ ବିବାଦ ଓ ସଂକଟ ତଥା ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଭଳି ବିପଦର ମୁକାବିଲା ସକାଶେ ଏହା ଏକାନ୍ତ ଜରୁରୀ ବୋଲି ସେମାନେ ମତ ପ୍ରକଟ କରିଛନ୍ତି । ‘ଗ୍ରୁପ୍‌ ଅଫ୍‌ ଫୋର୍‌’ର ଦୀର୍ଘ ଦିନର ସଦସ୍ୟ ଭାବେ ଉଭୟ ସରକାର ମିଳିତ ଜାତିସଂଘର ନିରାପତ୍ତା ପରିଷଦର ସଂସ୍କାର ନିମନ୍ତେ ଦୀର୍ଘ ସମୟ ଧରି ହୋଇଆସୁଥିବା ଦାବିକୁ ତ୍ୱରାନ୍ୱିତ କରିବା ନିମନ୍ତେ ସେମାନଙ୍କ ପ୍ରୟାସକୁ ଆହୁରି ତୀବ୍ର କରିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯଦ୍ୱାରା ଏହାକୁ ବର୍ତ୍ତମାନର ବାସ୍ତବତାର ମୁକାବିଲା ସକାଶେ ଅଧିକ ସକ୍ରିୟ ଓ ଫଳପ୍ରସୂ କରାଯାଇପାରିବ । ଉଭୟ ସରକାର ସଂପୃକ୍ତ ନିର୍ବାଚନରେ ପରସ୍ପରଙ୍କୁ ନିଜ ନିଜର ସମର୍ଥନ ଜ୍ଞାପନ ନିମନ୍ତେ ପ୍ରତିବଦ୍ଧତା ଦୋହରାଇଛନ୍ତି । ଭାରତର ‘ନ୍ୟୁକ୍ଲିଅର୍‌ ସପ୍ଲାୟର୍ସ ଗ୍ରୁପ୍‌’ରେ ଯଥାଶୀଘ୍ର ପ୍ରବେଶ ନିମନ୍ତେ ଜର୍ମାନୀ ତା’ର ସମର୍ଥନ ଜ୍ଞାପନକୁ ପୁଣି ଥରେ ଦୋହରାଇଛି ।

୬.     ଉଭୟ ପକ୍ଷ ଏକ  ସ୍ୱାଧୀନ, ମୁକ୍ତ ଏବଂ ସମାବେଶୀ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋପ କରିବା ସହ ଆସିଆନ୍‌ ସଂଗଠନର ପ୍ରମୁଖତାକୁ ସ୍ୱୀକାର କରିଛନ୍ତି । ସେମାନେ ଜର୍ମାନ ସଂଘୀୟ ସରକାରଙ୍କ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସମ୍ପର୍କୀତ ନୀତି ମାର୍ଗଦର୍ଶିକାକୁ ସ୍ୱୀକାର ପୂର୍ବକ ଭାରତ -ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ୟୁରୋପୀୟ ସଂଘର ରଣନୀତିକ ସହଯୋଗର ଗୁରୁତ୍ୱ ଏବଂ ଭାରତ ଦ୍ୱାରା ଅନୁସୃତ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉପକ୍ରମକୁ ସ୍ୱୀକାର କରିଛନ୍ତି । ଉଭୟ ପକ୍ଷ ଭାରତ ମହାସାଗର ଏବଂ ଦକ୍ଷିଣ ଚୀନ୍‌ ସାଗର କ୍ଷେତ୍ର ସମେତ ସମସ୍ତ ସାମୁଦ୍ରିକ କ୍ଷେତ୍ରରେ ଅବାଧ ବାଣିଜ୍ୟ କାରବାର ଏବଂ ଜାହାଜ ଚଳାଚଳର ସ୍ୱାଧୀନତାର ଗୁରୁତ୍ୱ ଯାହାକି ଆନ୍ତର୍ଜାତିକ ବିଧି ବ୍ୟବସ୍ଥା, ବିଶେଷ କରି ମିଳିତ ଜାତିସଂଘର ସାଗର ଆଇନ ସଂପର୍କୀତ ଘୋଷଣାନାମା (UNCLOS), ୧୯୮୨ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜର୍ମାନୀର କାର୍ଯ୍ୟକ୍ରମ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାରୁ ଉଭୟ ପକ୍ଷ ଜର୍ମାନ ନୌସେନାର ଜାହାଜ ‘ବାୟେର୍ଣ୍ଣ’ ୨୦୨୨ ମସିହା ଜାନୁଆରୀ ମାସରେ ମୁମ୍ବାଇ ବନ୍ଦରକୁ ଆଗମନକୁ ସ୍ୱାଗତ କରିବା ସହ ଆସନ୍ତାବର୍ଷ ଭାରତୀୟ ନୌସେନାର ଏକ ଜାହାଜ ଜର୍ମାନୀର ଏକ ବନ୍ଦରକୁ ବନ୍ଧୁତ୍ୱପୂର୍ଣ୍ଣ ଗସ୍ତ କରିବା ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ।

୭.     ଭାରତ ଏବଂ ଜର୍ମାନୀ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ରଣନୀତିକ ସହଯୋଗ ଅଧିକ ଘନିଷ୍ଠ ହେବା ଘଟଣାକୁ ସ୍ୱାଗତ କରିଛନ୍ତି, ବିଶେଷ କରି ୨୦୨୧ ମସିହା ମେ ମାସରେ ପୋର୍ଟୋଠାରେ ଭାରତ- ୟୁରୋପୀୟ ସଂଘ ନେତୃ ସମ୍ମିଳନୀ ପରଠାରୁ ଏହା ଅଧିକ ନିବିଡ଼ ହୋଇପାରିଛି ଏବଂ ଏହି ସମ୍ପର୍କକୁ ନିବିଡ଼ତର କରିବା ନିମନ୍ତେ ସେମାନେ ସହମତ ହୋଇଛନ୍ତି । ଏଥି ସହିତ ସେମାନେ ଭାରତ- ୟୁରୋପୀୟ ସଂଘ ସଂଯୋଗୀକରଣ ସାହଭାଗୀତାର ପ୍ରବର୍ତ୍ତନକୁ ଆଗକୁ ଆଗେଇ ନେଇଯିବା ନିମନ୍ତେ ଆଗ୍ରହ ପ୍ରକଟ କରିଛନ୍ତି । ଉଭୟ ପକ୍ଷ ଭାରତ- ୟୁରୋପୀୟ ସଂଘ ବାଣିଜ୍ୟ ଏବଂ ପ୍ରଯୁକ୍ତି ପରିଷଦର ଶୁଭାରମ୍ଭରେ ସେମାନଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପରିଷଦ ବାଣିଜ୍ୟ, ନିର୍ଭରଯୋଗ୍ୟ ପ୍ରଯୁକ୍ତି ଏବଂ ନିରାପତ୍ତା ସହଯୋଗ କ୍ଷେତ୍ରରେ ଥିବା ସକଳ ପ୍ରକାର ସଂକଟକୁ ମୋଚନ କରିବା ଦିଗରେ ସହାୟକ ହୋଇପାରିବ ।

୮.     ଉଭୟ ପକ୍ଷ ବଙ୍ଗୋପ ସାଗର ବିବିଧ- କ୍ଷେତ୍ରୀୟ ପ୍ରଯୁକ୍ତି ଓ ଆର୍ଥିକ ସହଯୋଗ ପ୍ରୟାସ (BIMSTEC) ତଥା ଜି-୨୦ ଭଳି ବହୁପକ୍ଷିୟ ସଂଗଠନ ଭଳି କ୍ଷେତ୍ରୀୟ ସଂଗଠନରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ଏବଂ ଜର୍ମାନୀ ବିଶେଷ ଭାବେ ୨୦୨୩ ମସିହାରେ ଜି-୨୦ ସଂଗଠନରେ ଭାରତର ଅଧ୍ୟକ୍ଷତା ସମୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ନିମନ୍ତେ ପ୍ରତ୍ୟାଶା ବ୍ୟକ୍ତ କରିଛନ୍ତି । ଜି-୨୦ ସଂଗଠନରେ ଭାରତର ପ୍ରମୁଖତା ଉପସ୍ଥାପନକୁ ଜର୍ମାନୀ ପକ୍ଷରୁ ସ୍ୱାଗତ କରାଯାଇଛି ଏବଂ ଉଭୟ ରାଷ୍ଟ୍ର ଏକ ସୁଦୃଢ଼ ଜି-୨୦ କାର୍ଯ୍ୟକ୍ରମରେ ମିଳିତ ଭାବେ ବୈଶ୍ୱିକ ଚାଲେଞ୍ଜର ସମାଧାନ ନିମନ୍ତେ କାର୍ଯ୍ୟ କରିବାକୁ ସହମତ ପୋଷଣ କରିଛନ୍ତି ।

୯.     ଜର୍ମାନୀର ଜି-୭ ଅଧ୍ୟକ୍ଷତା ଅବଧିରେ ଜି-୭ ଏବଂ ଭାରତ ମଧ୍ୟରେ ସମୁଚିତ ଶକ୍ତି ପର୍ଯ୍ୟାନ୍ତରଣ ସମେତ ଘନିଷ୍ଠ ସହଯୋଗକୁ ଉଭୟ ପକ୍ଷ ସ୍ୱୀକାର କରିଥିଲେ । ଜର୍ମାନୀର ଜି-୭ ଅଧ୍ୟକ୍ଷତା ଅବଧି ମଧ୍ୟରେ ସେମାନେ ଅନ୍ୟ ସରକାରମାନଙ୍କ ସହିତ ଶକ୍ତି ପର୍ଯ୍ୟାନ୍ତରଣ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଏକ ମାର୍ଗ ନିର୍ଦ୍ଧାରଣ ନିମନ୍ତେ ସହମତ ହୋଇଛନ୍ତି ଏବଂ ଏହା ଜଳବାୟୁ ସହନଶୀଳ ଶକ୍ତି ନୀତି, ଅକ୍ଷୟ ଶକ୍ତିର ଦ୍ରୁତ ମୁତୟନ ଏବଂ ପୋଷଣୀୟ ଶକ୍ତି ଉପଲବ୍ଧତା କ୍ଷେତ୍ରରେ ଥିବା ସୁଯୋଗ ଏବଂ ସମସ୍ୟାକୁ ସହଜରେ ସମାଧାନ କରିପାରିବ । ଏହା ସମାଧାନ ଆଧାରିତ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟପନ୍ଥା ଆହରଣ, ବିଶେଷ କରି ଏଥିରେ ଶକ୍ତି କ୍ଷେତ୍ରରେ ପ୍ରବର୍ତ୍ତନ କରାଯାଇପାରିବ ।

୧୦.   ୟୁକ୍ରେନ ଉପରେ ରୁଷିଆ ସେନାଙ୍କ ଅନୈତିକ ଏବଂ ବିନା କାରଣରେ ଆକ୍ରମଣକୁ ଦୃଢ଼ ସ୍ୱରରେ ନିନ୍ଦା କରିବା ସକାଶେ ଜର୍ମାନୀ ତାର ସ୍ୱରକୁ ପୁନଃପ୍ରକଟ କରିଛି । ଜର୍ମାନୀ ଏବଂ ଭାରତ ୟୁକ୍ରେନରେ ସମ୍ପ୍ରତି ଦେଖାଦେଇଥିବା ମାନବୀୟ ସଂକଟ ପ୍ରତି ସେମାନଙ୍କର ଗମ୍ଭୀର ଉଦ୍‌ବେଗ ପ୍ରକଟ କରିଛନ୍ତି । ସେମାନେ ସ୍ପଷ୍ଟ ସ୍ୱରରେ ୟୁକ୍ରେନରେ ସଂଘଟିତ ନିରୀହ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନିନ୍ଦା କରିଛନ୍ତି । ସେଠାରେ ତୁରନ୍ତ ଏଭଳି ବିବାଦ ବନ୍ଦ୍‌ କରାଯିବା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି । ସେମାନେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ମିଳିତ ଜାତିସଂଘର ସନନ୍ଦ, ଆନ୍ତର୍ଜାତିକ ନିୟମାବଳୀ ଉପରେ ବର୍ତ୍ତମାନର ବିଶ୍ୱ ଶୃଙ୍ଖଳା ଆଧାରିତ ଏବଂ ସମସ୍ତେ ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱ ତଥା ଭୌଗୋଳିକ ଅଖଣ୍ଡତାକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ୟୁକ୍ରେନ୍‌ ବିବାଦ ଯୋଗୁ ଉତ୍ପନ୍ନ ହେବାକୁ ଥିବା ଅସ୍ଥିର ପରିସ୍ଥିତି ସଂପର୍କରେ ସେମାନେ ଆଲୋଚନା କରିଥିଲେ ଏବଂ ଏହାର ବ୍ୟାପକ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପରିଣାମ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ପକ୍ଷ ଏହି ପ୍ରସଙ୍ଗରେ ଘନିଷ୍ଠ ସମ୍ପର୍କରେ ରହିବା ଲାଗି ସହମତ ହୋଇଛନ୍ତି ।

୧୧.   ଆଫଗାନିସ୍ତାନ ପ୍ରସଙ୍ଗରେ, ଉଭୟ ପକ୍ଷ ସେଠାରେ ଉତ୍ପନ୍ନ ମାନବୀୟ ସଂକଟ, ହିଂସା ପୁଣି ଥରେ ମୁଣ୍ଡ ଟେକିବା, ଆତଙ୍କବାଦୀମାନଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ଆକ୍ରମଣ ସହମତ  ବିଧିବଦ୍ଧ ଭାବେ ମାନବୀୟ ଅଧିକାର ଉଲ୍ଲଙ୍ଘନ ଓ ମୌଳିକ ସ୍ୱାଧୀନତାର ହନନ ତଥା ବାଳିକା ଓ ମହିଳାମାନଙ୍କୁ ଶିକ୍ଷା ପାଇଁ ସୁଯୋଗରେ ପ୍ରତିବନ୍ଧକ ସୃଷ୍ଟି ଭଳି ସ୍ଥିତି ସଂପର୍କରେ ଘୋର ଉଦ୍‌ବେଗ ପ୍ରକଟ କରିଛନ୍ତି । ସେମାନେ ଏକ ଶାନ୍ତିପୂର୍ଣ୍ଣ, ନିରାପଦ ଏବଂ ସ୍ଥିର ଆଫଗାନିସ୍ଥାନ ଗଠନକୁ ଦୃଢ଼ ସମର୍ଥନ ନିମନ୍ତେ ପ୍ରତିବଦ୍ଧତା ପୁନଃପ୍ରକଟ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ଆଫଗାନିସ୍ତାନର ଜନସାଧାରଣଙ୍କ ନିମନ୍ତେ ମାନବୀୟ ସହାୟତା ଯୋଗାଣ ଜାରି ରଖିବେ ।

୧୨.   ଉଭୟ ପକ୍ଷ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ୨୫୯୩ (୨୦୨୧)ର ଗୁରୁତ୍ୱ ଉପରେ ପୁନଃଆସ୍ଥା ପ୍ରକଟ କରିଛନ୍ତି । ଏହି ପ୍ରସ୍ତାବ ଅନ୍ୟ ପ୍ରସଙ୍ଗ ବ୍ୟତୀତ ଆଫଗାନିସ୍ତାନ ଭୂମିକୁ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ଯଥା ଆଶ୍ରୟ, ତାଲିମ, ଯୋଜନା ପ୍ରସ୍ତୁତ କିମ୍ବା ଆତଙ୍କବାଦୀ କାର୍ଯ୍ୟ ନିମନ୍ତେ ଅର୍ଥଯୋଗାଣକୁ ସ୍ପଷ୍ଟ ସ୍ୱରରେ ବିରୋଧ କରେ । ସେମାନେ ଆଫଗାନିସ୍ତାନ ପରିସ୍ଥିତି ସଂପର୍କରେ ଘନିଷ୍ଠ ଭାବେ ଭବିଷ୍ୟତରେ ଆଲୋଚନା ଜାରି ରଖିବା ସକାଶେ ପ୍ରତିବଦ୍ଧତା ଦୋହରାଇଛନ୍ତି ।

୧୩.   ଉଭୟ ନେତା ଆତଙ୍କବାଦର ଯେକୌଣସି ସ୍ୱରୂପ ଏବଂ ସେମାନଙ୍କର ପରିପ୍ରକାଶ ସମେତ ଯେକୌଣସି ପ୍ରକାର ପ୍ରଚ୍ଛନ୍ନ ଆତଙ୍କବାଦ ଏବଂ ସୀମାପାର ଆଦଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ଼ଭାବେ ନିନ୍ଦା କରିଛନ୍ତି । ସେମାନେ ସମସ୍ତ ରାଷ୍ଟ୍ରଙ୍କୁ ଆହ୍ୱାନ ଜଣାଇଛନ୍ତି ଯେ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଓ ସଂସାଧନକୁ ମୂଳପୋଛ କରିବା ଦିଗରେ ସେମାନେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ସେଥିରେ ଆତଙ୍କବାଦୀ ନେଟୱାର୍କ ଓ ସେମାନଙ୍କୁ ଯୋଗାଯାଉଥିବା ଆର୍ଥିକ ସହାୟତାର ସୂତ୍ରକୁ ମଧ୍ୟ ବନ୍ଦ୍‌ କରାଯିବା ଆବଶ୍ୟକ । ଏହି କାର୍ଯ୍ୟ ଆନ୍ତର୍ଜାତିକ ପ୍ରଚଳିତ ମାନବୀୟ ଆଇନ ସମେତ ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ସଂପାଦନ କରାଯିବା ଉଚିତ । ସେମାନେ ଆହୁରି ଆହ୍ୱାନ ଜଣାଇଛନ୍ତି ଯେ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ଗୃହୀତ କଟକଣା କମିଟିର ୧୨୬୭ ନମ୍ବର ପ୍ରସ୍ତାବନାରେ ନିଷିଦ୍ଧ କରାଯାଇଥିବା ସମସ୍ତ ଆତଙ୍କବାଦୀ ଗୋଷ୍ଠୀଙ୍କ ସମେତ ସଂପୃକ୍ତ ସମସ୍ତ ପ୍ରକାର ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରି । ଉଭୟ ପକ୍ଷ ସେହିଭଳି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷଙ୍କ ସଂପର୍କୀତ ସମସ୍ତ ପ୍ରକାର ସୂଚନା ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିବେ ଯାହାକି ଅତିବାଦକୁ ପ୍ରତିହତ କରିବାରେ ସହାୟକ ହେବ ଏବଂ ଆତଙ୍କବାଦୀମାନେ ‘ବ୍ୟବହାର କରୁଥିବା ଇଣ୍ଟରନେଟ୍‌ ସେବା ତଥା ସୀମାପାର ଚଳପ୍ରଚଳ’କୁ ନିୟନ୍ତ୍ରଣ କରାଯାଇପାରିବ ।

୧୪.   ଉଭୟ ପକ୍ଷ ଅର୍ଥ ଠକେଇ ମାମଲାକୁ ରୋକିବା ଏବଂ ଆର୍ଥିକ ଆତଙ୍କବାଦ ନିୟନ୍ତ୍ରଣ କରିବା ଦିଗରେ ଅନ୍ତରାଷ୍ଟ୍ରୀୟ ମାନକୁ ସମସ୍ତ ରାଷ୍ଟ୍ର ବଜାୟ ରଖିବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେଥିରେ ଏଫଏଟିଏଫ ସାମିଲ ଯାହାକି ଆତଙ୍କବାଦ ବିରୁଦ୍ଧରେ ବୈଶ୍ୱିକ ସହଯୋଗ ଏବଂ ଏହି ବ୍ୟବସ୍ଥାକୁ ପ୍ରବର୍ତ୍ତନ, ସୁଦୃଢ଼ୀକରଣ ଏବଂ ଆଗକୁ ଆଗେଇ ନେବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

୧୫.   ଉଭୟ ରାଷ୍ଟ୍ରର ସରକାର ଏ ଦିଗରେ ଗୃହୀତ ଯୁଗ୍ମ ବ୍ୟାପକ କାର୍ଯ୍ୟ ଯୋଜନା ସଂପର୍କୀତ ଆଲୋଚନା, ପୁନଃଅବସ୍ଥାପନ ଏବଂ ଏହାର ସଂପୂର୍ଣ୍ଣ ପ୍ରବର୍ତ୍ତନ ସଂପାଦନ ନିମନ୍ତେ ସଂପୂର୍ଣ୍ଣ ସମର୍ଥନ ପାଇଁ ଆଭିମୁଖ୍ୟ ବ୍ୟକ୍ତ କରିଛନ୍ତି । ଜର୍ମାନୀ ଏବଂ ଭାରତ ଏହି ପରିପ୍ରେକ୍ଷୀରେ ଆଇଏଇଏର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।

୧୬.   ନିରାପତ୍ତା ସହଯୋଗକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ, ଉଭୟ ପକ୍ଷ ପରସ୍ପର ମଧ୍ୟରେ ଗୋପନ ସୂଚନା ଆଦାନପ୍ରଦାନ ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷର ପାଇଁ ଆଲୋଚନା ଆରମ୍ଭ ପାଇଁ ସହମତ ହୋଇଛନ୍ତି । ଉଭୟ ପକ୍ଷ ଦ୍ୱିପାକ୍ଷିକ ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗକୁ ରଣନୀତିକ ସହଭାଗୀ ଭାବେ ଅଧିକ ନିବିଡ଼ କରିବା ଏବଂ ମିଳିତ ଭାବେ ବୈଶ୍ୱିକ ନିରାପତ୍ତା ଚାଲେଞ୍ଜକୁ ପ୍ରତିହତ କରିବା ଦିଗରେ ପ୍ରୟାସ କରିବା ପାଇଁ ସେମାନଙ୍କର ସହମତ ବ୍ୟକ୍ତ କରିଛନ୍ତି ।  ନିରାପତ୍ତା ଓ ପ୍ରତିରକ୍ଷା ସଂକ୍ରାନ୍ତ ପ୍ରସଙ୍ଗ ଉପରେ ସେମାନେ ଦ୍ୱିପାକ୍ଷିକ ମତ ବିନିମୟକୁ ଅଧିକ ନିବିଡ଼ କରିବା ପାଇଁ ସେମାନେ ରାଜି ହୋଇଛନ୍ତି । ଅଧିକନ୍ତୁ, ଉଭୟ ପକ୍ଷ ସକ୍ରିୟ ଭାବେ ୟୁରୋପୀୟ ସଂଘ ଅଧୀନରେ ଏବଂ ଅନ୍ୟ ସହଯୋଗୀମାନଙ୍କ ସହାୟତାରେ ଏ ସଂକ୍ରାନ୍ତ ଗବେଷଣା, ସହ- ବିକାଶ ଓ ସହ ଉତ୍ପାଦନକୁ ବ୍ୟାପକ କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ, ଉଭୟ ପକ୍ଷ ନିୟମିତ ଭାବେ ସାଇବର ବିଚାରବିମର୍ଷ ଜାରି ରଖିବା ଏବଂ ପ୍ରତିରକ୍ଷା ପ୍ରଯୁକ୍ତି ଉପ- ଗୋଷ୍ଠୀର ବୈଠକ ପୁଣି ଡକାଇବା ନିମନ୍ତେ ସହମତ ପ୍ରକଟ କରିଛନ୍ତି । ଦୁଇ ଦେଶର ସରକାର ଉଭୟ ରାଷ୍ଟ୍ର ମଧ୍ୟରେ ଉଚ୍ଚମାନର ପ୍ରଯୁକ୍ତିର ବାଣିଜ୍ୟ କାରବାର ଯେଉଁଥିରେ ପ୍ରତିରକ୍ଷା ସାମଗ୍ରୀ ସାମିଲ ତାହାର ମାତ୍ରା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ସବୁଜ ଏବଂ ପୋଷଣୀୟ ବିକାଶ କ୍ଷେତ୍ରରେ ସହଭାଗୀତା

୧୭.   ଉଭୟ ସରକାର ବିଶ୍ୱକୁ ଏକ ଗ୍ରହ ଭାବେ ସୁରକ୍ଷା ପ୍ରଦାନର ମିଳିତ ଦାୟିତ୍ୱକୁ ସ୍ୱୀକାର କରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେମାନଙ୍କର ସହଭାଗୀ, ପୋଷଣୀୟ ଓ ସମାବେଶୀ ବିକାଶକୁ ସମର୍ଥନ ଜଣାଇଛନ୍ତି ଯାହା ଫଳରେ କେହି ଜଣେ ହେଲେ ଯେପରି ଏଭଳି ବିକାଶଧାରାରୁ ବାଦ୍‌ ପଡ଼ିବେନାହିଁ । ଉଭୟ ନେତା ଭାରତ- ଜର୍ମାନ ପୋଷଣୀୟ ବିକାଶ ଏବଂ ଜଳବାୟୁ କାର୍ଯ୍ୟକ୍ରମ ସହଯୋଗ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଏହାର ନିୟମାନୁସାରେ ପ୍ୟାରିସ୍‌ ଜଳବାୟୁ ରାଜିନାମା ଓ ଏସଡିଜିମାନଙ୍କ ପ୍ରତି ଭାରତ ଓ ଜର୍ମାନୀର ପ୍ରତିବଦ୍ଧତାକୁ ପ୍ରକଟ କରିଛନ୍ତି । ଏଥିରେ ବିଶ୍ୱର ହାରାହାରି ତାମପାତ୍ରାକୁ ପ୍ରାକ୍‌- ଶିଳ୍ପବିପ୍ଳବ ସ୍ତରଠାରୁ ୨ ଡିଗ୍ରୀ କମ୍‌ ରଖିବା ନିମନ୍ତେ କରାଯାଉଥିବା ପ୍ରୟାସକୁ ସମର୍ଥନ ଏବଂ ବର୍ଦ୍ଧିଷ୍ଣୁ ବିଶ୍ୱ ତାପମାତ୍ରାକୁ ପ୍ରାକ୍‌- ଶିଳ୍ପବିପ୍ଳବ ପର୍ଯ୍ୟାୟ ଠାରୁ  ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ଲାଗି ହେଉଥିବା ପ୍ରଚେଷ୍ଟା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି । ଏହି ପ୍ରତିବଦ୍ଧତାଗୁଡ଼ିକର ପ୍ରବର୍ତ୍ତନକୁ ତ୍ୱରାନ୍ୱିତ କରି ଆଗକୁ ନେଇଯିବା ନିମନ୍ତେ ସେମାନେ ଦୃଢ଼ ଆଶା ପୋଷଣ କରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ଭାରତ- ଜର୍ମାନ ସବୁଜ ଓ ପୋଷଣୀୟ ବିକାଶ ଗଠନ ସଂକ୍ରାନ୍ତ ଯୁଗ୍ମ ଉଦ୍ଦେଶିକା ଘୋଷଣାନାମା (Joint Declaration of Intent establishing the Indo-German Partnership for Green and Sustainable Development))କୁ ସ୍ୱାଗତ କରିଛନ୍ତ । ଏଭଳି ସହଭାଗୀତା ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ, ତ୍ରିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଦ୍ଦିଷ୍ଟ ଏବଂ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମା ତଥା ଏସଡିଜିକୁ ଉଭୟ ପକ୍ଷ ପ୍ରବର୍ତ୍ତନ କରିବା ସକାଶେ ପାରସ୍ପରିକ ସହଯୋଗର ଏକ ଦୃଢ଼ ପ୍ରତିବଦ୍ଧତା ରୂପେ କାର୍ଯ୍ୟ କରିବ । ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡିଜି)ର ଲକ୍ଷ୍ୟ ହାସଲ ନିମନ୍ତେ ପ୍ରସ୍ତୁତ ସମୟସୂଚୀକୁ ବିଚାରକୁ ନେଇ ଏବପଂ ଭାରତ ଓ ଜର୍ମାନ ମଧ୍ୟରେ କୋପ୨୬ ଅବସରରେ ଗ୍ଲାସଗୋଠାରେ ୨୦୩୦ରେ ସଂପାଦିତ ହେବାକୁ ଥିବା ଜଳବାୟୁ ଲକ୍ଷ୍ୟ ହାସଲ ନିମନ୍ତେ, ସେମାନେ ପରସ୍ପର ଠାରୁ ଏହି ଦିଗରେ ଶିକ୍ଷା ଗ୍ରହଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଓ ନିଜ ନିଜର ଲକ୍ଷ୍ୟ ହାସଳ ଦିଗରେ ସହଯୋଗ କରିବା ନିମନ୍ତେ ସହମତ ହୋଇଛନ୍ତି । ଜର୍ମାନୀ ଏହି ପରିପ୍ରେକ୍ଷୀରେ ଭାରତ ସହ ଦୀର୍ଘକାଳନୀ ଭିତ୍ତିରେ ଆର୍ଥିକ ଓ ପ୍ରାଦ୍ୟୋଗିକ ସହଯୋଗ ଓ ଅନ୍ୟାନ୍ୟ ସହାୟତା ନିମନ୍ତେ ସମର୍ଥନ ବ୍ୟକ୍ତ କରିଛି । ଏହି ସହଭାଗୀତା କାର୍ଯ୍ୟକ୍ରମରେ ୨୦୩୦ ସୁଦ୍ଧା ଜର୍ମାନୀ ଭାରତକୁ ନୂତନ ଓ ଅତିରିକ୍ତ ପ୍ରତିବଦ୍ଧତା ସ୍ୱରୂପ ୧୦ ବିଲିୟନ ୟୁରୋ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛି । ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଏହା ଜଳବାୟୁ କାର୍ଯ୍ୟକ୍ରମ ଏବଂ ପୋଷଣୀୟ ବିକାଶ କ୍ଷେତ୍ର ଭଳି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ସହାୟକ ହୋଇପାରିବ ଏବଂ ଜର୍ମାନୀ- ଭାରତ ଗବେଷଣା ଓ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ । ଏହା ଘରୋଇ ପୁଂଜିନିବେଶକୁ ପ୍ରୋତ୍ସାହନ ଯୋଗାଇବ ତଥା ଅଧିକ ପାଣ୍ଠି ସୃଷ୍ଟି କରିବା ଦିଗରେ ମଧ୍ୟ ସହାୟକ ହେବ ।  ଭାରତ ଏବଂ ଜର୍ମାନୀ ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ତଥା ଭବିଷ୍ୟତର ପ୍ରତିବଦ୍ଧତାର ତ୍ୱରିତ ପ୍ରବର୍ତ୍ତନର ଗୁରୁତ୍ୱ ଉପରେ

ପ୍ରାଧାନ୍ୟ ଆରୋପ କରିଛନ୍ତି ।

୧୮.   ଆନ୍ତଃ- ସରକାରୀ ବିଚାରବିବର୍ଷ ଢାଂଚା ମଧ୍ୟରେ ଉଭୟ ରାଷ୍ଟ୍ର ଏକ ଦ୍ୱିବାର୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନା ମେକାନିଜିମ୍‌ ଗଠନ ନିମନ୍ତେ ସହମତ ପ୍ରକଟ କରିଛନ୍ତି ଯାହାକି ଏହି ସହଭାଗୀତାକୁ ଉଚ୍ଚ ମାନର ରାଜନୈତିକ ଦିଶା ପ୍ରଦାନ କରିବ । ଜଳବାୟୁ କାର୍ଯ୍ୟକ୍ରମ, ପୋଷଣୀୟ ବିକାଶ, ଶକ୍ତି ପର୍ଯ୍ୟାନ୍ତରଣ, ବିକାଶ କ୍ଷେତ୍ରରେ ସହଯୋଗ ଏବଂ ତ୍ରିପାକ୍ଷିକ ସହଯୋଗ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଥିବା ସମସ୍ତ ଦ୍ୱିପାକ୍ଷିକ ଫର୍ମାଟ ଏବଂ ପ୍ରୟାସକୁ ଏହା ସହାୟକ ହେବ ଏବଂ ମନ୍ତ୍ରିସ୍ତରୀୟ ମେକାନିଜିମ୍‌ର ପ୍ରଗତି ପାଇଁ ମଧ୍ୟ ଏହା ଉପକାରସିଦ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।

୧୯.   ଉଭୟ ପକ୍ଷ ଶକ୍ତି ପର୍ଯ୍ୟାନ୍ତରଣ, ଅକ୍ଷୟ ଶକ୍ତି, ପୋଷଣୀୟ ସହରାଞ୍ଚଳ ବିକାଶ, ସବୁଜ ସହନଶୀଳତା ଓ ଆହରଣ, କୃଷି- ପାରିବେଶିକ ସଂସ୍କାରଣ, ଜୈବବିବିଧତାର ସଂରକ୍ଷଣ ଓ ପୋଷଣୀୟ ଉପଯୋଗ, ପରିବେଶ ସୁରକ୍ଷା ଓ ପ୍ରାକୃତିକ ସଂପଦର ପୋଷଣୀୟ ଉପଯୋଗ ତଥା ନିୟମିତ ଭିତ୍ତିରେ ସହଭାଗୀତାର ଉଦ୍ଦେଶିକାର ପ୍ରଗତି ସଂପର୍କରେ ସମୀକ୍ଷା କରିବା ତଥା ଏ ଦିଗରେ ଯାହାକିଛି ସୁଫଳ ହାସଲ କରାଯାଇପାରିବ ସେହିଭଳି ଅଗ୍ରାଧିକାର କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଛନ୍ତି ।

୨୦.   ଭାରତ- ଜର୍ମାନୀ ସବୁଜ ଓ ପୋଷଣୀୟ ବିକାଶ ସହଭାଗୀତା କ୍ଷେତ୍ରରେ ଯାହାକିଛି ସଫଳତା ହାସଲ କରାଯାଇପାରିବ ସେଥି ନିମନ୍ତେ ଉଭୟ ପକ୍ଷ ସହମତ ହୋଇଛନ୍ତି:

କ) ଭାରତ- ଜର୍ମାନ ଶକ୍ତି ଫୋରମର ସହାୟତାରେ ଭାରତ- ଜର୍ମାନ ସବୁଜ ହାଇଡ୍ରୋଜେନ୍‌ ଟାସ୍କ ଫୋର୍ସର ପରାମର୍ଶ ଆଧାରରେ ଏକ ଭାରତ- ଜର୍ମାନ ସବୁଜ ହାଇଡ୍ରୋଜେନ ରୋଡମ୍ୟାପ୍‌ର ବିକାଶ ଘଟାଇବା;

ଖ) ଅଭିନବ ସୌର ଶକ୍ତି ଏବଂ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ତଥା ଇଲେକ୍ଟ୍ରିକ୍‌ ଗ୍ରୀଡ଼ ପ୍ରତି ଥିବା ଅନ୍ୟାନ୍ୟ ଚାଲେଞ୍ଜ, ସଂରକ୍ଷଣ ଓ ମାର୍କେଟ୍‌ ଡିଜାଇନ ଭଳି ପ୍ରସଙ୍ଗକୁ ବିଚାରକୁ ନେଇ ଏକ ଭାରତ- ଜର୍ମାନ ଅକ୍ଷୟ ଶକ୍ତି ସହଭାଗୀତା ଗଠନ କରିବା ଯଦ୍ୱାରା ସହଜରେ ଏକ ସମୁଚିତ ଶକ୍ତି ପର୍ଯ୍ୟାନ୍ତରଣ ବ୍ୟବସ୍ଥା ଗଠନ ହୋଇପାରିବ । ଏହି ସହଭାଗୀତା ଏକ ସୌର ପ୍ରଯୁକ୍ତି ନିମନ୍ତେ ଏକ ସର୍କୁଲାର ଇକୋନୋମି ସୃଷ୍ଟି କରିବା ଦିଗରେ ସହାୟକ ହେବ । ଏହି ଦିଗରେ ୨୦୨୦ ଠାରୁ ୨୦୨୫ ମସିହା ମଧ୍ୟରେ ଜର୍ମାନୀ ଉଚ୍ଚ ମାନର ପ୍ରକଳ୍ପ ପ୍ରସ୍ତୁତି ତଥା ପାଣ୍ଠି ଉପଲବ୍ଧତା ଆଧାରରେ ଭାରତକୁ ଆର୍ଥିକ ଓ ବୈଷୟିକ ସହଯୋଗ ତଥା ୧ ବିଲିୟନ ୟୁରୋ ରିହାତି ଋଣ ଯୋଗାଇଦେବାକୁ ତା’ର ଅଭିପ୍ରାୟ ପୋଷଣ କରିଛି ।

ଗ) “କୃଷିପରିବେଶ ଓ  ପ୍ରାକୃତିକ ସଂପଦର ପୋଷଣୀୟ ପରିଚାଳନା” କ୍ଷେତ୍ରରେ ଏକ ଲାଇଟହାଉସ୍‌ ସହଯୋଗ ସ୍ଥାପନ କରାଯିବ ଯାହାକି ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଓ କ୍ଷୁଦ୍ର ଚାଷୀମାନଙ୍କୁ ସେମାନଙ୍କର ଉପାର୍ଜନ ବୃଦ୍ଧି, ଖାଦ୍ୟ ନିରାପତ୍ତା, ଜଳବାୟୁ ସହନଶୀଳତା, ଉନ୍ନତ ମୃତ୍ତିକା ପ୍ରସ୍ତୁତି, ଜୈବବିବିଧତା, ଜଙ୍ଗଲ ସଂରକ୍ଷଣ ଏବଂ ଜଳ ଉପଲବ୍ଧତା ତଥା ଭାରତର ଉପଲବ୍ଧିକୁ ବିଶ୍ୱ ସ୍ତରରେ ବିସ୍ତାରଣ ଦିଗରେ ସହାୟକ ହୋଇପାରିବ । ଏହି ପରିପ୍ରେକ୍ଷୀରେ ୨୦୨୫ ମସିହା ପର୍ଯ୍ୟନ୍ତ ଉଚ୍ଚ ମାନର ପ୍ରକଳ୍ପ ପ୍ରସ୍ତୁତି ଏବଂ ପୁଂଜି ଉପଲବ୍ଧତା ଆଧାରରେ ଜର୍ମାନୀ ଭାରତକୁ ୩୦୦ ନିୟୁତ ୟୁରୋ ରିହାତି ଋଣ ଆକାରରେ ଯୋଗାଇ ଦେବାକୁ ଇଚ୍ଛା ପ୍ରକଟ କରିଛି ।

ଘ) ସବୁଜ ଶକ୍ତି କରିଡୋର ଅର୍ଥାତ୍‌, ଲେହ- ହରିଆନା ବିଦ୍ୟୁତ୍‌ ସରବରାହ ଲାଇନ ଏବଂ କାର୍ବନ ନ୍ୟୁଟ୍ରାଲ୍‌ ଲଦାଖ କ୍ଷେତ୍ରରେ ଅଧିକ ସହଯୋଗର ସମ୍ଭାବନାକୁ ତର୍ଜମା କରି ଦେଖିବା

ଙ) ବନ୍‌ ଚାଲେଞ୍ଜ୍‌ ଅଧୀନରେ ଜଙ୍ଗଲ ଭୂମିକ୍ଷେତ୍ରର ସଂରକ୍ଷଣ ଯାହାକି ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ, ଜୈବବିବିଧତାର ସଂରକ୍ଷଣ ଓ ପୁନଃସଂସ୍ଥାପନ ତଥା ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ସହଯୋଗକୁ ଅଧିକ ନିବିଡ଼ କରିବା । ଏହି ପ୍ରୟାସ ମିଳିତ ଜାତିସଂଘ ଦଶନ୍ଧି ପର୍ଯ୍ୟାବରଣ ସଂରକ୍ଷଣ ୨୦୨୧-୨୦୩୦କୁ ସ୍ୱୀକାର କରିବା ସଙ୍ଗେ ସମାନ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ରାଜନୈତିକ ସହଭାଗୀତାକୁ ତ୍ୱରାନ୍ୱିତ କରିବା ଏବଂ ଏକ ସୁସ୍ଥ ବାତାବରଣ କ୍ଷେତ୍ର ସୃଷ୍ଟି କରିବା ତଥା ଏହାର ବିଲୁପ୍ତିକୁ ରୋକିବା ନିମନ୍ତେ ଏହା ଏକ ଅଭିନବ ପ୍ରୟାସ ।

ଚ) ବାୟୁ ପ୍ରଦୂଷଣର କ୍ଷେତ୍ର ହ୍ରାସ ସହିତ ସବୁଜ ପ୍ରଯୁକ୍ତିର ବ୍ୟବହାରକୁ ସଫଳ ଓ ପୋଷଣୀୟ କରିବା ଭଳି ଉପଯୁକ୍ତ ପରିସ୍ଥିତି ସୃଷ୍ଟି ନିମନ୍ତେ ପାରସ୍ପରିକ ସହଯୋଗକୁ ଅଧିକ ନିବିଡ଼ କରିବା ।

ଛ) ଏକ ତୃତୀୟ ରାଷ୍ଟ୍ରକୁ ତା’ର ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଏବଂ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ନିମନ୍ତେ ବ୍ୟକ୍ତିଗତ ସାମର୍ଥ୍ୟ ତଥା ଅନୁଭୂତି ଆଧାରରେ  ବିକାଶ ସହଯୋଗ ଏବଂ ଏକ ପୋଷଣୀୟ, ସମ୍ଭାବ୍ୟ ଓ ସମାବେଶୀ ପ୍ରକଳ୍ପ ପରାମର୍ଶ ଯୋଗାଣ ଦିଗରେ ତ୍ରିପାକ୍ଷିକ ସହଯୋଗ ପାଇଁ କାର୍ଯ୍ୟ କରିବା ।

୨୧.  ଏହା ବ୍ୟତୀତ ଏବଂ ଭାରତ- ଜର୍ମାନ ସବୁଜ ଓ ପୋଷଣୀୟ ବିକାଶ ସହଭାଗୀତା ପରିପ୍ରେକ୍ଷୀରେ ଉଭୟ ପକ୍ଷ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଉପକ୍ରମକୁ ସ୍ୱାଗତ କରିଥିଲେ । ସେଥି ମଧ୍ୟରେ ନିମ୍ନଲିଖିତ ଉପକ୍ରମ ସାମିଲ:

କ) ୨୦୦୬ ମସିହାରେ ଶୁଭାରମ୍ଭ କରାଯାଇଥିବା ଭାରତ- ଜର୍ମାନ ଶକ୍ତି ଫୋରମ ଏବଂ ଫ୍ଲାଗସିପ୍‌ ସହଯୋଗ କାର୍ଯ୍ୟକ୍ରମ ଯାହାକି ଏହି ସହଭାଗୀତା ଅଧୀନରେ ଆରମ୍ଭ କରାଯାଇଛି । ଏହାର ରଣନୀତିକ ଦିଗକୁ ଅଧିକ ବ୍ୟାପକ କରିବା ତଥା ଏଥିରେ ଘରୋଇ କ୍ଷେତ୍ରକୁ ସାମିଲ ହେବା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଛନ୍ତି ।

ଖ) ଭାରତ- ଜର୍ମାନୀ ପର୍ଯ୍ୟାବରଣ ଫୋରମ ଯାହାର ଶେଷ ବୈଠକ ୨୦୧୯ ମସିହା ଫେବୃଆରୀ ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା

ମଧ୍ୟରେ ସହଯୋଗର ମାତ୍ରା ବୃଦ୍ଧି କରିବା । ଏହି ବୈଠକରେ ଉଭୟ ରାଷ୍ଟ୍ରର ସଂଘୀୟ ଢାଂଚାକୁ ଦୃଷ୍ଟିରେ ରଖି  କ୍ଷେତ୍ରୀୟ ଏବଂ ପୌର କର୍ତ୍ତୃପକ୍ଷଙ୍କ ଅଂଶଗ୍ରହଣକକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ।

ଗ) ଜୈବବିବିଧତା ସଂପର୍କୀତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀଙ୍କ ବୈଠକ ୨୦୨୧ ମସିହା ଫେବୃଆରୀ ମାସରେ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଉଭୟ ପକ୍ଷ ୨୦୨୦ ପରବର୍ତ୍ତୀ ମହତ୍ତ୍ୱାକାଂକ୍ଷୀ ବୈଶ୍ୱିକ ଜୈବବିବିଧତା ଢାଂଚାକୁ ଗ୍ରହଣ କରିବା ନିମନ୍ତେ ସେମାନଙ୍କର ସମର୍ଥନ ବିଷୟ ଉଲ୍ଲେଖ କରିଥିଲେ । ଏହି ଢାଂଚାକୁ କାର୍ଯ୍ୟକାରୀ କରାଗଲେ ସିବିଡି କୋପ୍‌୧୫ର ସୁଦୃଢ଼ ଲକ୍ଷ୍ୟ ହାସଲ ସହଜସାଧ୍ୟ ହୋଇପାରିବ ଏବଂ ଏହି ଦିଗରେ ସେମାନେ ସକ୍ରିୟ ସହଯୋଗର ସହ କାର୍ଯ୍ୟ କରିବା ନିମନ୍ତେ ନିଜ ନିଜର ମନୋଭାବ ବ୍ୟକ୍ତ କରିଛନ୍ତି ।

ଘ) ବର୍ଜ୍ୟ ଏବଂ ସର୍କୁଲାର ଇକୋନୋମି ଉପରେ ଗଠିତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାର ସୃଷ୍ଟି ଉତ୍ତମ ସୁଯୋଗ, ବିଶେଷ କରି ଉଭୟ ଦେଶ ମଧ୍ୟରେ ସହଯୋଗ ଓ ଅନୁଭୂତି ଆଦାନପ୍ରଦାନକୁ ଅଧିକ ତ୍ୱରାନ୍ୱିତ କରିବା ସକାଶେ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି । ସେମାନେ ସହମତ ହୋଇଛନ୍ତି ଯେ ଭାରତ- ଜର୍ମାନ ପର୍ଯ୍ୟାବରଣ ସହଯୋଗର କ୍ଷେତ୍ରକୁ ଜାରି ରଖିବା ସହିତ ଏହାକୁ ଅଧିକ ବ୍ୟାପକ କରିବେ ଏବଂ ଏଥିପାଇଁ ସେମାନେ ଏଥିରେ ଥିବା ମହତ୍ତ୍ୱାକାଂକ୍ଷୀ ଉଦ୍ଦେଶିକାକୁ ସକ୍ରିୟ ଏବଂ ସଫଳ ଭାବେ ପ୍ରବର୍ତ୍ତନ କରିବେ ଯଦ୍ୱାରା ବର୍ଜ୍ୟ ବିଶେଷ କରି ପ୍ଲାଷ୍ଟିକ୍‌ ବର୍ଜ୍ୟର ସାମୁଦ୍ରିକ ପରିବେଶ ମଧ୍ୟକୁ ପ୍ରବେଶକୁ ରୋକାଯାଇପାରିବ । ଏହି ଲକ୍ଷ୍ୟ ସହସ୍ରାବ୍ଦି ବିକାଶ ଲକ୍ଷ୍ୟ ୧୪.୧ରେ ଧାର୍ଯ୍ୟ କରାଯାଇଛି । ବିଶେଷତଃ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ ୮.୨ (ପ୍ରଯୁକ୍ତିଗତ ଉନ୍ନତିକରଣ ଏବଂ ନବସୃଜନ); ୧୧.୬ (ପୌର ଏବଂ ଅନ୍ୟାନ୍ୟ ବର୍ଜ୍ୟ ପରିଚାଳନା) ଏବଂ ୧୨.୫ ( ବର୍ଜ୍ୟର ପୁନଃଚକ୍ରଣ ଏବଂ ହ୍ରାସ) ଉପରେ ପ୍ରାଧାନ୍ୟ ଆରୋପ କରାଯିବ । ଭାରତ ଏବଂ ଜର୍ମାନୀ ମିଳିତ ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟସୂଚୀ କ୍ଷେତ୍ରରେ ପରସ୍ପରକୁ ଘନିଷ୍ଠ ଭାବେ ସହଯୋଗ କରିବା ସହିତ ପ୍ଲାଷ୍ଟିକ୍‌ ବର୍ଜ୍ୟ ହ୍ରାସ ଦିଗରେ ଆଇନଗତ ଭାବେ ପାଳନୀୟ ରାଜିନାମା ସ୍ୱାକ୍ଷର ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ସହମତ ହୋଇଛନ୍ତି ।

ଙ) ଭାରତ- ଜର୍ମାନ ସବୁଜ ସହରାଞ୍ଚଳ ଚଳାଚଳ ୨୦୧୯ ମସିହାରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହି ପରିପ୍ରେକ୍ଷୀରେ ଏକ ପୋଷଣୀୟ ବିକାଶ ସହଯୋଗ କାର୍ଯ୍ୟସୂଚୀର ମଧ୍ୟ ବିକାଶ ଘଟାଯାଇଛି । ପୋଷଣୀୟ ମୋଡର ପରିବହନ,ଯଥା ମେଟ୍ରୋ, ହାଲୁକା ମେଟ୍ରୋ, ଇନ୍ଧନ ସକ୍ରିୟ ନିମ୍ନ ଉତ୍ସର୍ଜନ ଇନ୍ଧନ ଓ ଇଲେକ୍ଟ୍ରିକ୍‌ ବସ୍‌ ବ୍ୟବସ୍ଥା, ଅଣ- ମୋଟର ପରିବହନ ମଧ୍ୟରେ ସମନ୍ୱୟ ସ୍ଥାପନ ନିମନ୍ତେ କାର୍ଯ୍ୟକ୍ରମ ଓ ସହଯୋଗକୁ ସକ୍ରିୟତାର ସହ ସଂପାଦନ କରିବା ନିମନ୍ତେ  ଉଭୟ ପକ୍ଷ ସହମତ ହୋଇଛନ୍ତି । ଏହା ଫଳରେ  ସମସ୍ତଙ୍କ ପାଇଁ ପୋଷଣୀୟ ଚଳନ ନିମନ୍ତେ ତ୍ୱରିତ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇପାରିବ ଏବଂ ୨୦୩୧ ମସିହା ପର୍ଯ୍ୟନ୍ତ ସହଭାଗୀତା ଆଧାରରେ ମିଳିତ ଭାବେ ନିର୍ଦ୍ଦିଷ୍ଟ ଲକ୍ଷ୍ୟର ସହ କାର୍ଯ୍ୟ ସଂପାଦନ କରାଯାଇପାରିବ ।

ଚ)  ଦେଶର ପ୍ରଥମ ଏସଡିଜି ସହରାଞ୍ଚଳ ସୂଚୀ ଓ ଡ୍ୟାସବୋଡ଼ (୨୦୨୧-୨୨)ର ବିକାଶ ନିମନ୍ତେ ନିତି ଆୟୋଗ ଏବଂ ବିଏମଜେଡ ମଧ୍ୟରେ ସହଭାଗୀତା ସ୍ଥାପନ ଲକ୍ଷ୍ୟକୁ କାର୍ଯ୍ୟକାରୀ କରାଯାଉଛି । ଏହା ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟକୁ ସହରାଞ୍ଚଳ ସ୍ତରରେ ସ୍ଥାନୀୟକରଣ କରିବା ଏବଂ ଡାଟା ଆଧାରିତ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ହେଉଛି ଏହାର ଉଦ୍ଦେଶ୍ୟ ଏବଂ ଏଥି ସହିତ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟକୁ ପ୍ରବର୍ତ୍ତନକୁ ମଧ୍ୟ ସହଜସାଧ୍ୟ କରିପାରିବ ।

୨୨. ଅନ୍ତରାଷ୍ଟ୍ରୀୟ ସ୍ମାର୍ଟ ସିଟି ନେଟୱାର୍କ ମଧ୍ୟରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସେମାନଙ୍କର ସଫଳ ସହଯୋଗକୁ ଜାରି ରଖିବା ଲାଗି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ସ୍ମାର୍ଟ ସିଟି କ୍ଷେତ୍ରରେ ବହୁପକ୍ଷୀୟ ଅନୁଭୂତିର ଆଦାନପ୍ରଦାନ ଏବଂ ଅଧ୍ୟୟନକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ୨୦୨୨ ମସିହାରେ ଏକ ପାରସ୍ପରିକ ସ୍ମାର୍ଟ ସିଟି ଅନଲାଇନ- ସିମ୍ପୋସିଅମ୍‌ର ଆୟୋଜନ ସକାଶେ ସେମାନେ ସହମତ ହୋଇଛନ୍ତି ।

୨୩) ଉଭୟ ପକ୍ଷ ପୋଷଣୀୟ ସହରାଞ୍ଚଳ କ୍ଷେତ୍ରର ପୋଷଣୀୟ ବିକାଶ ସଂପର୍କୀତ ମିଳିତ ଭାରତ- ଜର୍ମାନ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାର ଅନୁଷ୍ଠିତ ନିୟମିତ ବୈଠକକୁ ଜାରି ରଖିବା ସକାଶେ ସହମତ ପ୍ରକଟ କରିଛନ୍ତି ଏବଂ ଏଥି ସହିତ ପୋଷଣୀୟ ତଥା ସହନଶୀଳ ନଗରୀମାନଙ୍କ ଉଦ୍ଦେଶ୍ୟ ପ୍ୟାରିସ ଜଳବାୟୁ ରାଜିନାମା ଏବଂ ଏଜେଣ୍ଡା ୨୦୩୦ ଅନୁସାରେ ହାସଲ କରାଯିବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି ।

୨୪. ଉଭୟ ପକ୍ଷ କୃଷି, ଖାଦ୍ୟ ଶିଳ୍ପ ଓ ଉପଭୋକ୍ତା ସୁରକ୍ଷା ସଂପର୍କୀତ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଗଠନମୂଳକ ଭୂମିକା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହି ଗୋଷ୍ଠୀର ବୈଠକ ୨୦୨୧ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା । ପୋଷଣୀୟ କୃଷି ଉତ୍ପାଦନ, ଖାଦ୍ୟ ନିରାପତ୍ତା, କୃଷି ତାଲିମ ଓ କୌଶଳ ବିକାଶ, ଅମଳ ପରବର୍ତ୍ତୀ ଖାଦ୍ୟଶସ୍ୟ ପରିଚାଳନା ଏବଂ କୃଷି ଲଜିଷ୍ଟିକ୍ସ କ୍ଷେତ୍ରରେ ସହଯୋଗ ନିମନ୍ତେ ବର୍ତ୍ତମାନ ପ୍ରଚଳିତ ବୁଝାମଣା ପତ୍ର ଆଧାରରେ ପ୍ରାପ୍ତ ସୁଫଳ ଏବଂ ଏହି ସହଯୋଗକୁ ଭବିଷ୍ୟତରେ ଜାରି ରଖିବା ସକାଶେ ସେମାନେ ନିଜର ଇଚ୍ଛା ପ୍ରକଟ କରିଛନ୍ତି ।

୨୫. ଉଭୟ ରାଷ୍ଟ୍ରର ସରକାର ଭାରତୀୟ ବିହନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଫ୍ଲାଗସିପ୍‌ ପ୍ରକଳ୍ପଗୁଡ଼ିକ ସଫଳତାର ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚି ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହା ଫଳରେ କୃଷକମାନେ ଗୁଣାତ୍ମକ ଉନ୍ନତ ମାନର ବିହନ ପାଇବାକୁ ସକ୍ଷମ ହୋଇପାରିବେ ବୋଲି ଆଶା ପ୍ରକଟ କରିଛନ୍ତି । ଏହା ପୋଷଣୀୟ କୃଷି ଉତ୍ପାଦନ ନିମନ୍ତେ ଏକ ମୌଳିକ ଆଧାର ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି । ସେହିଭଳି ୨୦୨୧ ମସିହା ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିବା ଦ୍ୱିତୀୟ ଦ୍ୱିପାକ୍ଷିକ ସହଯୋଗ ପ୍ରକଳ୍ପ ପ୍ରତି ସେମାନେ ଅଧିକ ଆଶାବାନ ହୋଇଛନ୍ତି । ଏହି ପ୍ରକଳ୍ପ ଭାରତର କୃଷି ବିପଣନ ବିକାଶ ଧାରାକୁ ସୁଦୃଢ଼ ତଥା ଆଧୁନିକୀକରଣ କରିବା ନିମନ୍ତେ ଆବଶ୍ୟକ ସଂସ୍କାର କାର୍ଯ୍ୟକ୍ରମକୁ ସହଯୋଗ ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ ।

୨୬. ଉଭୟ ପକ୍ଷ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ସହଯୋଗ ରାଜିନାମା ଆଧାରରେ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସହହଯୋଗ କାର୍ଯ୍ୟକ୍ରମର ବିକାଶ ନିମନ୍ତେ ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି ।

୨୭. ଜର୍ମାନ କୃଷିବିପଣନ ସହଯୋଗ (ଜିଏଏ) ଏବଂ ଭାରତୀୟ କୃଷି କୌଶଳ ବିକାଶ ପରିଷଦ (ଏଏସସିଆଇ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ “ଭାରତ- ଜର୍ମାନ କୃଷି ଉତ୍କର୍ଷ କେନ୍ଦ୍ର” ସ୍ଥାପନକୁ ସ୍ୱୀକାର କରିଛନ୍ତି । ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ ଭାରତରେ କୃଷି କ୍ଷେତ୍ରରେ ବାସ୍ତବ କୌଶଳ ବିକାଶକୁ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ ଏବଂ ଏହା ଦ୍ୱାରା କୃଷକ ଓ କୃଷି ଶ୍ରମିକମାନଙ୍କ କୌଶଳର ବିକାଶ ଘଟାଯାଇପାରିବ ।

୨୮.ଉଭୟ ପକ୍ଷ ଖାଦ୍ୟ ଓ କୃଷି କ୍ଷେତ୍ରରେ ପ୍ରଯୁକ୍ତି ଓ ଜ୍ଞାନ ହସ୍ତାନ୍ତରଣ ପାଇଁ ସହମତ ପ୍ରକଟ କରିଛନ୍ତି ଯହାକି ଖାଦ୍ୟ ବ୍ୟବସ୍ଥାକୁ ଅଧିକ ପୋଷଣୀୟ କରିବ ଏବଂ ସେହି ନିର୍ଦ୍ଦିଷ୍ଟ ଗବେଷଣା ସହଯୋଗ ପ୍ରକଳ୍ପଗୁଡିକ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ  ସହାୟକହେବ । “ବୁଣ୍ଡେସିଷ୍ଟିଟୁଟ୍‌ ଫର୍‌ ରିସିକୋନେୱେର୍ଟଙ୍ଗ” ଏବଂ ଏଫଏସଏସଏଆଇ ମଧ୍ୟରେ ସହଯୋଗ ନିମନ୍ତେ ପଥ ପରିଷ୍କାର କରିବ ।

୨୯. ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ (ଆଇଏସଏ): ଉଭୟ ପକ୍ଷ ଭାରତୀୟ ଏବଂ ଜର୍ମାନ ରଣନୀତିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘନିଷ୍ଠ ସମନ୍ୱୟ ଓ ସହଯୋଗ ଗଠନ ନିମନ୍ତେ ସମର୍ଥନ ଜଣାଇବାକୁ ରାଜି ହୋଇଛନ୍ତି ଏବଂ ସୌର ଶକ୍ତି କ୍ଷେତ୍ରରେ ବୈଶ୍ୱିକ ସହଯୋଗ ପ୍ରୟାସ ସାମିଲ ।

୩୦.ଇନ୍ସୁରେଜିଲିଏନ୍ସ ଗ୍ଲୋବାଲ ପାର୍ଟନରସିପ୍‌ ଏବଂ ବିପର୍ଯ୍ୟୟ ସହନଶୀଳ ସଂସାଧନ ସଂଗଠନ: ଉଭୟ ପକ୍ଷ ଜଳବାୟୁ ଓ ବିପର୍ଯ୍ୟୟ ଆଶଙ୍କା ଥିବା  ରିସ୍କ ଫାଇନାନ୍ସ ଏବଂ ବୀମା ସମାଧାନ ସହଯୋଗ ଉପକ୍ରମକୁ ସୁଦୃଢ଼ କରିବା ନିମନ୍ତେ ସହମତ ହୋଇଛନ୍ତି । ଏଥି ସହିତ ବିପର୍ଯ୍ୟୟ ରିସ୍କ୍‌ ପରିଚାଳନା ନିମନ୍ତେ ବୈଶ୍ୱିକ ପ୍ରୟାସ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ରାଜି ହୋଇଛନ୍ତି । ଇନ୍ସୁରେଜିଲିଏନ୍ସ ଗ୍ଲୋବାଲ ପାର୍ଟନରସିପ୍‌ରେ ଭାରତ ଏକ ସଦସ୍ୟ ଭାବେ ସାମିଲ ହେବା ନିମନ୍ତେ କରିଥିବା ଘୋଷଣାକୁ ଜର୍ମାନୀ ସ୍ୱାଗତ କରିଛି ।

୩୧. ଉଭୟ ପକ୍ଷ ଭାରତୀୟ ଏବଂ ଜର୍ମାନୀ ଘରୋଇ କମ୍ପାନୀମାନଙ୍କ ସହିତ ସହଯୋଗ ବୃଦ୍ଧି କରିବା ସକାଶେ ସହମତ ହୋଇଛନ୍ତି ଏବଂ ତାହା ସରକାରୀ- ଘରୋଇ ସହଭାଗୀତାରେ  ସହସ୍ରାବ୍ଦୀ ବିକାଲ ଲକ୍ଷ୍ୟ ଓ ଜଳବାୟୁ ପରିବର୍ତ୍ତନ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏବଂ ବିଶେଷ କରି ଡେଭେଲୋପିପିପିରେ ନବସୃଜନ ଏବଂ ପୁଂଜି ନିବେଶ ପାଇଁ ସହାୟକ ହେବ ଓ ଏକ ପାଣ୍ଠି ନିବେଶର ମେକାନିଜିମ୍‌ର ଢାଂଚା ପ୍ରସ୍ତୁତ କରିବା ସହ ଘରୋଇ କମ୍ପାନୀମାନଙ୍କୁ ଏହି ଦିଗକୁ ଆକୃଷ୍ଟ କରିବ ।

୩୨. ଉଭୟ ପକ୍ଷ ମିଳିତ ଜାତିସଂଘ ଦ୍ୱାରା ୨୦୨୩ ମସିହାରେ ଆୟୋଜିତ ହେବାକୁ ଥିବା ଜଳ ସମ୍ମିଳନୀ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ ଏବଂ ଏସଡିଜି ୬ ଏବଂ ଅନ୍ୟାନ୍ୟ ଜଳ ସଂପର୍କୀତ ଲକ୍ଷ୍ୟ ଓ ୨୦୩୦ର ପୋଷଣୀୟ ବିକାଶ ଲକ୍ଷ୍ୟ କାର୍ଯ୍ୟସୂଚୀକୁ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ବାଣିଜ୍ୟ, ନିବେଶ ଏବଂ ଡିଜିଟାଲ ଉନ୍ନତିକରଣ କ୍ଷେତ୍ରରେ ସହଭାଗୀତା

୩୩. ନିତି ଆଧାରିତ, ସ୍ୱାଧୀନ, ସମାବେଶୀ, ଅବାଧ ତଥା ସ୍ୱଚ୍ଛ ବାଣିଜ୍ୟ କାରବାରର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋକ ଏବଂ ଏହାକୁ ମାନି ବାଣିଜ୍ୟ କାରବାର ଜାରି ରଖିବା ନିମନ୍ତେ ଉଭୟ ଜର୍ମାନୀ ଏବଂ ଭାରତ ଡବ୍ଲୁଟିଓର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ଡବ୍ଲୁଟିଓକୁ ବିବିଧ ବାଣିଜୀକ ବ୍ୟବସ୍ଥାର କେନ୍ଦ୍ର ଏବଂ ଏହା ବିକଶିତ ରାଷ୍ଟ୍ରମାନଙ୍କୁ ଏକ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥା ଭାବେ କେନ୍ଦ୍ରୀଭୂତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଉଭୟ ସରକାର ଡବ୍ଲୁଟିଓର ସଂସ୍କାର ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଏବଂ ଏହାର ଉଦ୍ଦେଶ୍ୟ ଡବ୍ଲୁଟିଓର ନୀତି ଓ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବା ନିମନ୍ତେ ଅଭିପ୍ରେତ; ବିଶେଷ କରି ଏହାର ଦୁଇ ପର୍ଯ୍ୟାୟଯୁକ୍ତ ଆପିଲେଟ୍‌ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଉଦ୍ଦିଷ୍ଟ । ଏଥି ସହିତ ଆପିଲେଟ ସଂସ୍ଥାର ସ୍ୱାୟତ୍ତତାକୁ ମଧ୍ୟ ବଜାୟ ରଖାଯିବା ଏହାର ଅନ୍ୟତମ ମୁଖ୍ୟ ଅଭିପ୍ରାୟ ।

୩୪. ଜର୍ମାନୀ ଏବଂ ଭାରତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଦୁଇ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ଭାବେ ରହିଆସିଛନ୍ତି । ସେହି ଦୃଷ୍ଟିରୁ ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା, ଏକ ନିବେଶ ସୁରକ୍ଷା ରାଜିନାମା ଏବଂ ଗୋଟିଏ ଭୌଗୋଳିକ ସୂଚକାଂକ ରାଜିନାମା ସ୍ୱାକ୍ଷରିତ ହେବା ଦିଗରେ ଆଗାମୀ କଥାବାର୍ତ୍ତା ପ୍ରତି ଉଭୟ ପକ୍ଷ ସେମାନଙ୍କର ଦୃଢ଼ ସମର୍ଥନ ଜ୍ଞାପନ କରିଛନ୍ତି । ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଏବଂ ନିବେଶର କ୍ଷେତ୍ର ସଂପ୍ରସାରଣ ନିମନ୍ତେ ଏଭଳି ରାଜିନାମାଗୁଡ଼ିକ ପର୍ଯ୍ୟପ୍ତ ସାମର୍ଥ୍ୟ ବହନ କରେ ବୋଲି ସେମାନେ ଉଲ୍ଲେଖ କରିଛନ୍ତି ।

୩୫. ଜର୍ମାନୀ ଏବଂ ଭାରତ ମିଳିତ ଜାତିସଂଘର ବ୍ୟବସାୟ ଓ ମାନବିକ ଅଧିକାର ସଂକ୍ରାନ୍ତ ନୀତି ତଥା ବହୁପକ୍ଷିୟ ଉଦ୍ୟୋଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓଇସିଡ଼ି ନୀତି ଯାହାକି ପୋଷଣୀୟ ତଥା ସମାବେଶୀ ଆର୍ଥିକ ପରିପୂରଣ ନିମନ୍ତେ ଏକ ଅତ୍ୟାବଶ୍ୟକ ଅଂଶ ତାହାର ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଉଭୟ ସରକାର ଯୋଗାଣ ଚେନକୁ ଅଧିକ ସହନଶୀଳ, ବିବିଧ, ଦାୟିତ୍ୱବାନ ତଥା ପୋଷଣୀୟ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ସରକାର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯେ ଯୋଗାଣ ଚେନ୍‌କୁ ଆର୍ଥିକ ଫାଇଦା ନିମନ୍ତେ ଜାରି ରଖାଯିବା ଆବଶ୍ୟକ ଏବଂ ସେଥିପାଇଁ ସେମାନେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ଏହି ଲକ୍ଷ୍ୟ ହାସଲ ସହିତ ଆନ୍ତର୍ଜାତିକ ପର୍ଯ୍ୟାବରଣ, ଶ୍ରମ ଏବଂ ସାମାଜିକ ମାନକୁ କାଏମ ରଖିବା ଉପରେ ମଧ୍ୟ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି ।

୩୬.ଦଶନ୍ଧି ଦଶନ୍ଧି ଧରି ବୈଶ୍ୱିକ କର୍ମନିଯୁକ୍ତି ଏବଂ ସାମାଜିକ ସମସ୍ୟା ସର୍ବବୃହତ୍‌ ସମସ୍ୟା ରୂପେ ଉଭା ହୋଇଥିବା ପୃଷ୍ଠଭୂମିରେ ଉଭୟ ପକ୍ଷ ଏକ ପୋଷଣୀୟ ଶ୍ରମ ବଜାର ନିର୍ମାଣ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାର ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି । ଏହା ଏକ ସହନଶୀଳ, ସମାବେଶୀ, ଲିଙ୍ଗଗତ- ଅନୁକୂଳ ଏବଂ ସଂପଦ ସମୃଦ୍ଧ ପ୍ରତିପୂରଣ ବ୍ୟବସ୍ଥାକୁ ସୁଗମ କରିବ । ଏହାର ଲକ୍ଷ୍ୟ କର୍ମନିଯୁକ୍ତି ସୃଷ୍ଟି ଏବଂ ମର୍ଯ୍ୟାଦାଯୁକ୍ତ କର୍ମକୁ ପ୍ରୋତ୍ସାହନ ପ୍ରଦାନ କରିବା, ଏକ ପୁନଃ- ଏବଂ କୌଶଳୋନ୍ନତ ନୀତି ପ୍ରବର୍ତ୍ତନ କରିବା ଯାହା କର୍ମ କରିବାର ବୟସ ଅବଧିଯୁକ୍ତ ସମସ୍ତ ଲୋକଙ୍କୁ ଆଗାମୀ ଦିନ ପାଇଁ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ଏବଂ ଏକ ଦାୟିତ୍ୱବାନ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବ ଯାହାକି ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରିବା ଏବଂ ଅସମାନତା ଦୂର କରିବାରେ ସହାୟକ ହେବ । ଏହା ଏକ ପୋଷଣୀୟ ଭବିଷ୍ୟତ ଗଠନ ନିମନ୍ତେ ସକାରାତ୍ମକ ବାତାବରଣ ସୃଷ୍ଟି କରିବ ।

୩୭. ଆନ୍ତର୍ଜାତିକ ଶ୍ରମ ସଂଗଠନର ୧୩୮ତମ ଏବଂ ୧୮୨ତମ ସମ୍ମିଳନୀ ଯାହାକି ୨୦୧୭ ମସିହାରେ ଭାରତ ଦ୍ୱାର ଗୃହୀତ ହୋଇଥିଲା ତାହାକୁ ଜର୍ମାନୀ ସ୍ୱାଗତ କରିଛି । ଉଭୟ ପକ୍ଷ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ ୮.୭ର ବ୍ୟବସ୍ଥା ଅନୁସାରେ ଶିଶୁ ଏବଂ ବାଧ୍ୟତାମୂଳକ ଶ୍ରମ କରାଇବା ବିରୁଦ୍ଧରେ ସଂଗ୍ରାମ କରିବାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି ଏବଂ ଏହି କ୍ଷେତ୍ରରେ ସେମାନଙ୍କର ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେମାନେ ସମୁଚିତ କର୍ମକୁ ସୁନିଶ୍ଚିତ ଏବଂ ପ୍ରୋତ୍ସାହନ କରିବା ପାଇଁ ପରସ୍ପର ମଧ୍ୟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ନୀତି ଆଦାନପ୍ରଦାନ ନିମନ୍ତେ ସହମତ ହୋଇଛନ୍ତି ଏବଂ କାର୍ଯ୍ୟର ନୂତନ ଧାରା ଯଥା ପ୍ଲାଟଫର୍ମ ଅର୍ଥନୀତି ନିମନ୍ତେ ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

୩୮.ଉଭୟ ପକ୍ଷ ଡିଜିଟାଲ୍‌ ପରିବର୍ତ୍ତନର ଗୁରୁତ୍ୱକୁ ପ୍ରଯୁକ୍ତିଗତ, ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନର ଏକ ପ୍ରମୁଖ ବାହକର ଭାବେ ସ୍ୱୀକାର କରିଛନ୍ତି । ଭାରତ- ଜର୍ମାନୀ ଡିଜିଟାଲ କଥାବାର୍ତ୍ତା ଡିଜିଟାଲ ପ୍ରସଙ୍ଗ ଯଥା ଇଣ୍ଟରନେଟ୍‌ ଗଭର୍ଣ୍ଣାନ୍ସ, ନୂତନ ଭାବେ ମୁଣ୍ଡ ଟେକୁଥିବା ପ୍ରଯୁକ୍ତି ଏବଂ ଡିଜିଟାଲ ବ୍ୟବସାୟିକ ମଡେଲ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ହୋଇଥିବା ହେତୁ ଏହି କ୍ଷେତ୍ରରେ ସହଯୋଗ ପାଇଁ ଉଭୟ ପକ୍ଷ ସହମତ ପ୍ରକାଶ କରିଛନ୍ତି । ସେହିଭଳି, ସେ ଶିଳ୍ପ ପରିଚାଳିତ ଭାରତ- ଜର୍ମାନୀ ଡିଜିଟାଲ ବିଶେଷଜ୍ଞ ଗୋଷ୍ଠୀ ଭଳି ବର୍ତ୍ତମାନ ପ୍ରଚଳିତ ପୟାସଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷାରୁ ଫାଇଦା ଉଠାଇବା ସକାଶେ ଉଭୟ ପକ୍ଷ ସେମାନଙ୍କର ସମର୍ଥନ ବ୍ୟକ୍ତ କରିଛନ୍ତି ।

 

୩୯. ଟିକସ ବ୍ୟବସ୍ଥା କ୍ଷେତ୍ରରେ ଉଭୟ ପକ୍ଷ ୨୦୨୧ ମସିହା ଅକ୍ଟୋବର ୮ ତାରିଖ ଦିନ ଓଇସିଡିରେ ସ୍ୱାକ୍ଷରିତ ହୋଇଥିବା ଦ୍ୱିବିଧ ସମାଧାନ ବ୍ୟବସ୍ଥା ‘ବେସ୍‌ ଇରୋଜନ ଆଣ୍ଡ୍‌ ପ୍ରଫିଟ୍‌ ସିଫ୍ଟିଂ ଢାଂଚାକୁ ସ୍ୱାଗତ କରିଛନ୍ତି । ଉଭୟ ଦେଶର ସରକାର ସମାନ ଚିନ୍ତାଧାରା ପ୍ରକଟ କରିଛନ୍ତି ଯେ ଏହି ସମାଧାନ ଉପାୟ ସରଳ ହେବା ଆବଶ୍ୟକ ଏବଂ ସମଗ୍ର ପ୍ରକ୍ରିୟାଟି ସମାବେଶୀ ହୋଇଥିବା ବାଂଛନୀୟ । ଏହା ଆନ୍ତର୍ଜାତିକ ଟିକସ ବ୍ୟବସ୍ଥାରେ ସ୍ଥିରତା ଆଣିବା ଦିଗରେ ସହାୟକ ହେବ ଏବଂ ଓ ସମସ୍ତ ବ୍ୟବସାୟିକ କ୍ଷେତ୍ରରେ ଏକ ସୁବ୍ୟବସ୍ଥା ସୃଷ୍ଟି କରିବ । ସେହିଭଳି ଏହା ତଳ ସ୍ତରରେ ହେଉଥିବା ପ୍ରତିକୂଳ ପ୍ରତିଦ୍ୱନ୍ଦ୍ୱିତାକୁ ହ୍ରାସ କରିବା ଦିଗରେ ମଧ୍ୟ ସହାୟକ ହେବା ସହିତ ତ୍ୱରିତ ଟିକସ ଯୋଜନାକୁ ବ୍ୟବସ୍ଥିତ କରିବ ଏବଂ ବହୁରାଷ୍ଟ୍ରୀୟ ଉଦ୍ୟୋଗମାନଙ୍କୁ ଗ୍ୟାରେଣ୍ଟି ପ୍ରଦାନ କରିବ ଯେଉଁମାନେକି  ଚୂଡ଼ାନ୍ତ ପର୍ଯ୍ୟାୟରେ ସେମାନଙ୍କର ଟିକସ ଭରଣା କରିପାରିବେ । ଜର୍ମାନୀ ଏବଂ ଭାରତ ଏହି ଦ୍ୱିବିଧ ବ୍ୟବସ୍ଥାର ତ୍ୱରିତ ତଥା ସଫଳ ପ୍ରବର୍ତ୍ତନକୁ ସମର୍ଥନ ଜଣାଇବା ନିମନ୍ତେ ସେମାନଙ୍କର ଇଚ୍ଛା ବ୍ୟକ୍ତ କରିଛନ୍ତି । ଭାରତ ଏବଂ ଜର୍ମାନୀ ଯଥାଶୀଘ୍ର ଦୋହରା ଟିକସ ପ୍ରଦାନକୁ ଏଡ଼ାଇବା ନିମନ୍ତେ ଏକ ରାଜିନାମା ସ୍ୱାକ୍ଷର ସଂପୂର୍ଣ୍ଣ କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା  ପ୍ରକଟ କରିଛନ୍ତି ।

୪୦.ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଭୟ ପକ୍ଷ ଭାରତ- ଜର୍ମାନ ଫାଷ୍ଟ ଟ୍ରାକ୍‌ ବ୍ୟବସ୍ଥାର ସଫଳ ଫର୍ମାଟକୁ ଜାରି ରଖିବା ନିମନ୍ତେ ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି । ଏହା ବର୍ତ୍ତମାନ ତଥା ଭବିଷ୍ୟତର ନିବେଶକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଭାବେ ପ୍ରମାଣସିଦ୍ଧ ହୋଇପାରିଛି । ଅଧିକନ୍ତୁ  ସେମାନଙ୍କର ଷାଣ୍ମାସିକ ଫାଷ୍ଟ ଟ୍ରାକ୍‌ ବ୍ୟବସ୍ଥା ବୈଠକରେ ଉଭୟ ପକ୍ଷ ନିୟମିତ ଭାବେ ପରସ୍ପର ସହ ନିର୍ଦ୍ଦିଷ୍ଟ କ୍ଷେତ୍ରର କମ୍ପାନୀ ଓ ନିବେଶକମାନଙ୍କର ସାଧାରଣ ସମସ୍ୟାବଳୀ ସଂପର୍କରେ ଆଲୋଚନା କରିଆସୁଛନ୍ତି ଯଦ୍ୱାରା ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ଅଧିକ ସୁଗମ ହୋଇପାରିବ ।

୪୧. ଉଭୟ ପକ୍ଷ ଦ୍ୱିପାକ୍ଷିକ ଆର୍ଥିକ ସଂପର୍କକୁ ପ୍ରୋତ୍ସାହନ ଜାରି ରଖିବା ନିମନ୍ତେ ସେମାନଙ୍କର ଆଗ୍ରହକୁ ପୁନଃପ୍ରକଟ କରିଛନ୍ତି । ଏଥିପାଇଁ ସେମାନେ କର୍ପୋରେଟ୍‌ ମ୍ୟାନେଜର (‘ମ୍ୟାନେଜର କାର୍ଯ୍ୟକ୍ରମ’)କୁ ପ୍ରବର୍ତ୍ତନ କରିବା ଲାଗି ସହମତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ସ୍ୱାକ୍ଷରିତ ମିଳିତ ଉଦ୍ଦେଶିକା ଘୋଷଣାନାମାକୁ ସ୍ୱାଗତ କରିଛନ୍ତି ଯଦ୍ୱାରା ସେମାନେ ଶିଳ୍ପ କାର୍ଯ୍ୟନିର୍ବାହୀମାନଙ୍କର ତାଲିମ କାର୍ଯ୍ୟକ୍ରମକୁ ମିଳିତ ତଥା ନିରବଚ୍ଛିନ୍ନ ଭାବେ ଜାରି ରଖିବା ସକାଶେ ସକ୍ଷମ ହୋଇପାରିବେ । ଉଭୟ ପକ୍ଷ ଏଭଳି ପାରସ୍ପରିକ ସହଯୋଗ ନିମନ୍ତେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ବ୍ୟବସାୟର ବିକାଶ, ବ୍ୟକ୍ତିଗତ ତଥା ବ୍ୟବସାୟିକ କାର୍ଯ୍ୟନିର୍ବାହୀମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସୁଦୃଢ଼ୀକରଣ ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବୁଝାମଣାର ବାତାବରଣକୁ ଅଧିକ ନିବିଡ଼ କରିବା ଲକ୍ଷ୍ୟକୁ ଏହା ଫଳପ୍ରସୂ କରିପାରିଛି ଏବଂ ଏଥିରୁ ଉଲ୍ଲେଖନୀୟ ସଫଳତା ମିଳିପାରିଛି ।

୪୨. ରେଳବାଇ କ୍ଷେତ୍ରରେ ଜର୍ମାନ କମ୍ପାନୀମାନଙ୍କ ବୈଷୟିକ ନିପୁଣତାକୁ ଭାରତ ସ୍ୱୀକାର କରେ । ଏହି ପରିପ୍ରେକ୍ଷୀରେ ୨୦୧୯ ମସିହାରେ ଜର୍ମାନୀର ଫେଡ଼େରାଲ ଆର୍ଥିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତର ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ମିଳିତ ଉଦ୍ଦେଶିକା ଘୋଷଣାନାମାକୁ ଆଧାରରେ ରେଳବାଇ କ୍ଷେତ୍ରରେ ଭବିଷ୍ୟତର ସହଯୋଗ ନିମନ୍ତେ ଦୁଇ ପକ୍ଷ ସହମତ ପ୍ରକଟ କରିଛନ୍ତି । ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳବାଇର ହାଇ ସ୍ପିଡ଼୍‌ ଏବଂ ଶକ୍ତି ସଂରକ୍ଷଣକ୍ଷମ ପ୍ରଯୁକ୍ତି କ୍ଷେତ୍ରରେ ଥିବା ମହତ୍ତ୍ୱାକାଂକ୍ଷୀକୁ ସାକାର କରିବା ନିମନ୍ତେ ପରସ୍ପର ସହ ସହଯୋଗକୁ ଜାରି ରଖିବା ନିମନ୍ତେ ଉଭୟ ପକ୍ଷ ରାଜି ହୋଇଛନ୍ତି ।

୪୩.ଜର୍ମାନୀ ଏବଂ ଭାରତ ‘ଗ୍ଲୋବାଲ୍‌ ପ୍ରୋଜେକ୍ଟ କ୍ୱାଲିଟି ଇନଫ୍ରଷ୍ଟ୍ରକଚରର ପରିସର ମଧ୍ୟରେ ରହି ଭାରତ- ଜର୍ମାନ କାର୍ଯ୍ୟକାରୀ ଗୋଷ୍ଠୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେମାନେ ଉତ୍ତମ ଗୁଣାତ୍ମକ ମାନ ନିର୍ଦ୍ଧାଣ, ସ୍ୱୀକୃତି, ପାରସ୍ପରିକ ମାନ ଆକଳନ ଏବଂ ବଜାର ଉପରେ ତୀକ୍ଷ୍ଣ ନଜର ରଖିବା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସେମାନେ ସହମତ ହୋଇଛନ୍ତି । କାର୍ଯ୍ୟକାରୀ ଗୋଷ୍ଠୀର ଅଷ୍ଟମ ବାର୍ଷିକ ବୈଠକ ଅବସରରେ ସ୍ୱାକ୍ଷରିତ “ୱାର୍କ ପ୍ଲାନ୍‌ ୨୦୨୨” ସଂପର୍କରେ ଉଭୟ ପକ୍ଷ ଉଲ୍ଲେଖ କରିଛନ୍ତି  ଡିଜିଟାଇଜେସନ୍‌, ସ୍ମାର୍ଟ ତଥା ପୋଷଣୀୟ ଚାଷ/କୃଷି ଏବଂ ସର୍କୁଲାର ଇକୋନୋମି କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ସେମାନେ ନୂଆ ନୂଆ କ୍ଷେତ୍ରର ସନ୍ଧାନ ଜାରି ରଖିବେ ।

୪୪.ଉଭୟ ଦେଶର ସରକାର ଷ୍ଟାର୍ଟ ଅପ୍‌ ସହଯୋଗକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସେମାନଙ୍କର ନିଷ୍ଠାପର ଇଚ୍ଛା ପ୍ରକଟ କରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ଷ୍ଟାର୍ଟ ଅପ୍‌ ଇଣ୍ଡିଆ ଏବଂ ଜର୍ମାନ ଆସିଲେରେଟର ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ସହଯୋଗକୁ ପ୍ରଶଂସା କରିଛନ୍ତି । ଅଧିକ ସହଯୋଗ ଯୋଗାଇ ଦେବା ନିମନ୍ତେ ଜର୍ମାନ ଆସିଲେରେଟରର ଅଭିପ୍ରାୟକୁ ସେମାନେ ସ୍ୱାଗତ କରିଛନ୍ତି । ଏହା ଫଳରେ ୨୦୨୩ ମସିହା ଠାରୁ ଭାରତ ବଜାର ପ୍ରବେଶ  କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ ଏବଂ ଷ୍ଟାର୍ଟ ଅପ୍‌ ଇଣ୍ଡିଆ ଜିଏ ସହିତ ସହଭାଗୀତାରେ ଏକ ସମାନ ସହଭାଗୀତା ମଡ଼େଲ କାର୍ଯ୍ୟକ୍ରମର ବିକାଶ ଘଟାଇବାକୁ ସକ୍ଷମ ହୋଇପାରିବ ଯାହାକି ଉଭୟ ବର୍ଗର ଷ୍ଟାର୍ଟ ଅପ୍‌ ଗୋଷ୍ଠୀଙ୍କୁ ସହଯୋଗ କରିପାରିବ ।

ରାଜନୈତିକ ଏବଂ ଶୈକ୍ଷିକ ଆଦାନପ୍ରଦାନ, ବୈଜ୍ଞାନିକ ସହଯୋଗ, କର୍ମସ୍ଥଳୀ ଓ ଜନ ଚଳନ ସହଯୋଗ

୪୫. ଉଭୟ ସରକାର ଲୋକ- ଲୋକ ମଧ୍ୟରେ ସକ୍ରିୟ ସହଯୋଗ ଓ ବିନିମୟ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ଉପକ୍ରମ ମାଧ୍ୟମରେ ଛାତ୍ର, ଶିକ୍ଷକ ଏବଂ ପେଶାଦାର କର୍ମଚାରୀମାନେ ଉଭୟ ଦେଶ ମଧ୍ୟରେ ବିନିମୟ ହେବ । ଉଭୟ ପକ୍ଷ ସହମତ ପ୍ରକଟ କରିଛନ୍ତି ଯେ ନିଜ ନିଜର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅନ୍ତରାଷ୍ଟ୍ରୀକରଣ କରିବେ ଏବଂ ନବସୃଜନକୁ ପରସ୍ପର ସହିତ ସଂଯୋଗ କରିବେ ତଥା ଉଭୟ ରାଷ୍ଟ୍ରର ଗବେଷଣା ପରିସରକୁ ସମ୍ପ୍ରସାରିତ କରିବେ । ସେହିଭଳି ଧନ୍ଦାମୂଳକ ଶିକ୍ଷା ଓ ତାଲିମର ଦ୍ୱୈତ ଢାଂଚାକୁ ସୁଦୃଢ଼ କରିବେ ।

୪୬. ଜର୍ମାନୀ ଏବଂ ଭାରତ ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ବିନିମୟ କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଅଧିକ ସହଯୋଗ ବୃଦ୍ଧି ନିମନ୍ତେ ଇଚ୍ଛା ପ୍ରକଟ କରିଛନ୍ତି । ଉଭୟ ଦେଶର ସରକାର ଡିଜିଟାଲ ପ୍ରସ୍ତୁତି ପାଠ୍ୟକ୍ରମ  ସ୍ଥାପନକୁ ସାଧୁବାଦ ଜଣାଇଛନ୍ତି ଯାହାକି ଚୟନକୃତ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜର୍ମାନ ବିଶ୍ୱବିଦ୍ୟାଳୟମାନଙ୍କରେ ଅଣ୍ଡରଗ୍ରାଜୁଏଟ୍‌ କୋର୍ସରେ ପଢ଼ିବା ନିମନ୍ତେ ସୁଯୋଗ ପ୍ରଦାନ କରିବ । ଭାରତ ସରକାର ଏଭଳି ଛାତ୍ର ଆଦାନପ୍ରଦାନ କାର୍ଯକ୍ରମକୁ ପ୍ରୋତ୍ସାହିତ କରିବ ଏବଂ ଜର୍ମାନ ଛାତ୍ରଛାତ୍ରୀମାନେ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ‘ଷ୍ଟଡି ଇନ୍‌ ଇଣ୍ଡିଆ” କାର୍ଯ୍ୟକ୍ରମ ମାଧ୍ୟମରେ ନାମ ଲେଖାଇବାର ସୁଯୋଗ ପାଇପାରିବେ । ଉଭୟ ସରକାର ଭାରତୀୟ ଓ ଜର୍ମାନ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସହଯୋଗର ନୂଆ ନୂଆ ଦିଗ ସନ୍ଧାନ କରିବା ପ୍ରୟାସକୁ ସ୍ୱାଗତ କରିଛନ୍ତି ଏବଂ ଏହା ଫଳରେ ଯୁଗ୍ମ ଡିଗ୍ରୀ ଏବଂ ଦ୍ୱୈତ ଡିଗ୍ରୀ ହାସଲ କରିବା ସମ୍ଭବପର ହୋଇପାରିବ ।

୪୭. ଭାରତ- ଜର୍ମାନୀ ରଣନୀତିକ ଗବେଷଣା ଓ ବିକାଶ ସହଭାଗୀତାକୁ ଆଗକୁ ଆଗେଇ ନେବା ଦିଗରେ ଶୈକ୍ଷିକ- ଶିଳ୍ପସଂସ୍ଥାମାନଙ୍କ ମଧ୍ୟରେ ସହଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାସ୍ତବତାକୁ ସ୍ୱୀକାର ପୂର୍ବକ ଉଭୟ ପକ୍ଷ ନିକଟରେ ଭାରତ- ଜର୍ମମାନ ବିଜ୍ଞାନ ଓ ପ୍ରଯୁକ୍ତି କେନ୍ଦ୍ର ଗଠନ ନିମନ୍ତେ କରାଯାଇଥିବା ପ୍ରୟାସକୁ ସ୍ୱାଗତ ଜଣାଇଛନ୍ତି । ଏହି ଉପକ୍ରମ ଶୈଳ୍ପିକ ଫେଲୋସିପ୍‌ ପ୍ରଦାନକୁ ସହଯୋଗ କରିବ ଏବଂ ଜର୍ମାନ ଶିଳ୍ପ ବାତାବରଣରେ ଯୁବ ଭାରତୀୟ ଗବେଷକମାନଙ୍କୁ ଶିଳ୍ପ ସଂକ୍ରାନ୍ତ ତାଲିମ ଓ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ । ସେହିଭଳି ବିଜ୍ଞାନ ଓ ଇଞ୍ଜନିୟରିଂ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କ ସଂପୃକ୍ତି କାର୍ଯ୍ୟକ୍ରମ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରକଳ୍ପଗୁଡ଼ିକରେ ମହିଳା ଗବେଷକମାନଙ୍କୁ ଲାଟେରାଲ ପ୍ରବେଶର ସୁଯୋଗ ପ୍ରଦାନ କରିବ ଏବଂ ଯୋଡ଼ା ପ୍ରାଥମିକ କ୍ୟାରିଅର୍‌ ଫେଲୋସିପ୍‌ ସୃଷ୍ଟି କରିବ । ଭାରତ- ଜର୍ମାନ ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ କ୍ଷେତ୍ରରେ ଏହା ଏକ ସମାବେଶୀ ପରିବେଶ ସୃଷ୍ଟି କରିବ ।

୪୮. ସେମାନେ ବିଶେଷ ଭାବେ ଡାର୍ମଷ୍ଟାଟ୍‌ ଠାରେ ଥିବା ଅନ୍ତରାଷ୍ଟ୍ରୀୟ “ଫାସିଲିଟି ଫର୍‌ ଆଣ୍ଟି୍ରପ୍ରୋଟନ ଆଣ୍ଡ୍‌ ଆୟନ୍‌ ରିସର୍ଚ୍ଚ”କୁ ଦ୍ୱିପାକ୍ଷିକ ବିଜ୍ଞାନ ସହଯୋଗର ମୂଳଆଧାର ଭାବେ ସହଯୋଗ କରିବା ନିମନ୍ତେ ଇଚ୍ଛା ପ୍ରକଟ କରିଛନ୍ତି ।

୪୯.ଉଭୟ  ସରକାର ଜର୍ମାନୀ ଏବଂ ଭାରତ ମଧ୍ୟରେ ବ୍ୟାପକ ଦେଶାନ୍ତରଣ ଏବଂ ଚଳନ ସହଭାଗୀତା ସଂପର୍କରେ ଦ୍ୱିପାକ୍ଷିକ ଆଲୋଚନା ଓ ଏହାର ଚୂଡ଼ାନ୍ତକରଣକୁ ସ୍ୱାଗତ କରିଛନ୍ତି । ଆଜି ଏହି ସହଭାଗୀତାର ଇଂରାଜୀ ଚିଠାକୁ ପ୍ରସ୍ତୁତ କରାଯାଇଛି । ସେମାନେ ସହମତ ହୋଇଛନ୍ତି ଯେ ଏହି ରାଜିନାମା ଯଥା ଶୀଘ୍ର ସ୍ୱାକ୍ଷରିତ ହେବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ସେମାନେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସେମାନେ ଏହି ରାଜିନାମାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଆରୋପ କରି କହିଛନ୍ତିଯେ ଏହା ଫଳରେ ଛାତ୍ରଛାତ୍ର, ପେଶାଦାର ତଥା ଗବେଷକମାନଙ୍କୁ ଉଭୟ ପକ୍ଷରୁ ସୁବିଧା ଉପଲବ୍ଧ ହେବ ତଥା ଏହାଦ୍ୱାରା ବେଆଇନ ଦେଶାନ୍ତରଣ ଭଳି ଚାଲେଞ୍ଜର ସମାଧାନ କରାଯାଇପାରିବ ।

୫୦. ଉଭୟ ସରକାର  ଜର୍ମମାନ ଫେଡେରାଲ ନିଯୁକ୍ତି ଏଜେନ୍ସି (ବିଏ) ଏବଂ କେରଳ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ନିଯୁକ୍ତି ରାଜିନାମାକୁ ସ୍ୱାଗତ କରିଛନ୍ତି । ଏହି ରାଜିନାମା କୁଶଳୀ ସ୍ୱାସ୍ଥ୍ୟ ଏବଂ ସେବା କର୍ମୀମାନଙ୍କ ଯାତାୟାତ ପାଇଁ ବିଶେଷ ସୁଯୋଗ ପ୍ରଦାନ କରେ । ଏକ ସାମଗ୍ରିକ ‘ତ୍ରିବିଧ ସୁବିଧା କାର୍ଯ୍ୟକ୍ରମ’ ବ୍ୟବସ୍ଥା ପ୍ରବର୍ତ୍ତନ ଫଳରେ ଏହା ଉବଦ୍ଭ ରାଷ୍ଟ୍ର ତଥା ଉଦ୍ଦିଷ୍ଟ ରାଷ୍ଟ୍ରଙ୍କ ପାଇଁ ସହଜସାଧ୍ୟ ହେବ ତଥା ଦେଶାନ୍ତରୀତ ହେଉଥିବା ବ୍ୟକ୍ତିବିଶେଷ ମଧ୍ୟ ଏଥିରୁ ଫାଇଦା ପାଇପାରିବେ । ସେମାନେ ଅଧିକନ୍ତୁ ନିଯୁକ୍ତି ରାଜିନାମା ବହିର୍ଭୂତ ଅନ୍ୟାନ୍ୟ କ୍ଷେତ୍ରରେ କେରଳ ରାଜ୍ୟ ସମେତ ଭାରତର ଅନ୍ୟାନ୍ୟ ରାଜ୍ୟର ଧନ୍ଦାମୂଳକ ଗୋଷ୍ଠୀଙ୍କ ସହିତ ସେମାନଙ୍କର ସହଯୋଗର ପରିସର ବୃଦ୍ଧିକୁ ସ୍ୱାଗତ କରିଛନ୍ତି । ଏହା ଜର୍ମାନ ଶ୍ରମ ବଜାରର ସ୍ୱାର୍ଥକୁ ଉପଯୁକ୍ତ ସୁବିଧାସୁଯୋଗ ଯୋଗାଇଦେବ ତଥା ସେ ଦେଶକୁ ଦେଶାନ୍ତର ହେଉଥିବା ଶ୍ରମିକମାନଙ୍କୁ ମଧ୍ୟ ସହାୟକ ହେବ ।

୫୧.ଉଭୟ ସରକାର ଜର୍ମାନ ସାମାଜିକ ଦୁର୍ଘଟଣା ବୀମା ସମ୍ପର୍କୀତ ବୁଝାମଣାପତ୍ର ଏବଂ  ଭାରତର ରାଷ୍ଟ୍ରୀୟ ନିରାପତ୍ତା ପରିଷଦ ସ୍ୱାକ୍ଷରକୁ ମଧ୍ୟ ସ୍ୱାଗତ କରିଛନ୍ତି । ଏହା ନିରାପତ୍ତା ଏବଂ କର୍ମ କ୍ଷେତ୍ରରେ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଯାହା ଫଳରେ କର୍ମ ସଂପର୍କୀତ ଦୁର୍ଘଟଣା  ଓ ରୋଗ ହ୍ରାସ ଦିଗରେ ସହାୟକ ହେବ । ଏ ସଂକ୍ରାନ୍ତରେ ଜର୍ମାନ ସାମାଜିକ ଦୁର୍ଘଟଣା ବୀମା ଏବଂ ଭାରତର ସାଧାରଣ କାରଖାନା ଉପଦେଷ୍ଟା ସେବା ଓ ଶ୍ରମ ପ୍ରତିଷ୍ଠାନ ନିର୍ଦ୍ଦେଶାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ବୃତ୍ତିମୂଳକ ନିରାପତ୍ତା ଓ ସ୍ୱାସ୍ଥ୍ୟ ତଥା ସାମାଜିକ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ସ୍ଥାପନ କରିବ ।

୫୨.ଉଭୟ ସରକାର ଜର୍ମାନ ଓ ଭାରତ ମଧ୍ୟରେ କରାଯାଉଥିବା ପର୍ଯ୍ୟାପ୍ତ ସାଂସ୍କୃତିକ ଆଦାନପ୍ରଦାନ ଏବଂ ଶୈକ୍ଷିକ ସହଯୋଗକୁ ପ୍ରଶଂସା କରିଥିଲେ ଏବଂ ଏହି ପ୍ରୟାସରେ ଗେଟେ ପ୍ରତିଷ୍ଠାନ, ଜର୍ମାନ ଶୈକ୍ଷିକ ବିନିମୟ ସେବା, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ \, ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।  ଏଭଳି ଶୈକ୍ଷିକ ଏବଂ ବାର୍ତ୍ତାଳାପ ଫର୍ମାଟ ମାଧ୍ୟମରେ ଯୋଗାଯୋଗ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ସେମାନେ ଜର୍ମାନ ରାଜନୈତିକ ଭିତ୍ତିଭୂମିର ଭୂମିକାକୁ ପ୍ରଶଂସା କରିଥିଲେ ।

ବୈଶ୍ୱିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗୀତା

୫୩. କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ବର୍ତ୍ତମାନ ସୁଦ୍ଧା ଜାରି ରହିବା ଏକ ଜଟିଳ ପରୀକ୍ଷାର ଘଡ଼ି ଭାବେ ସ୍ୱୀକାର ପୂର୍ବକ ଏଥିପାଇଁ ମୁକ୍ତ ସମାଜର ସହନଶୀଳତା ଓ ବହୁପକ୍ଷିୟ ସହଯୋଗକୁ ପ୍ରମାଣସିଦ୍ଧ କରିବା ନିମନ୍ତେ ଉଭୟ ସରକାର ପରସ୍ପର ମଧ୍ୟରେ ସହଯୋଗ କରିବା ନିମନ୍ତେ ସହମତ ହୋଇଛନ୍ତି । ଏଥିପାଇଁ ବହୁପକ୍ଷିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ମଧ୍ୟ ସେମାନେ ସ୍ୱୀକାର କରିଛନ୍ତି । ତେଣୁ ଉଭୟ ସରକାର ମେଡ଼ିକାଲ ଯୋଗାଣ ଚେନର ନିରାପତ୍ତାକୁ ସୁନିଶ୍ଚିତ କରିବା, ସ୍ୱାସ୍ଥ୍ୟ ସଂକ୍ରାନ୍ତ ଆପାତ ପରିସ୍ଥିତିର ମୁକାବିଲା ନିମନ୍ତେ ବୈଶ୍ୱିକ ପ୍ରସ୍ତୁତି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଜୁନୋଟିକ୍‌ ରିସ୍କକୁ ହ୍ରାସକରିବା, ଏକକ ସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ଗ୍ରହଣ ଆଦି ନିମନ୍ତେ ଉଭୟ ପକ୍ଷ ସହମତ ହୋଇଛନ୍ତି । ଉଭୟ ପକ୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟବସ୍ଥାର ସଂସ୍କାର ଏବଂ ସୁଦୃଢ଼ୀକରଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଛନ୍ତି । ଏହା ଦ୍ୱାରା ଡବ୍ଲୁଏଚଓ ଆନ୍ତର୍ଜାତିକ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନିର୍ଦ୍ଦେଶକ ତଥା ସମନ୍ୱୟ ରକ୍ଷାକାରୀ ପ୍ରାଧିକରଣ ଭାବେ ଦାୟିତ୍ୱ ନିର୍ବାହ କରିପାରିବ ଏବଂ ଭବିଷ୍ୟତର ଯେକୌଣସି ମହାମାରୀର ମୁକାବିଲା ସକାଶେ ଏହା ଏକ ଦକ୍ଷ ସଂସ୍ଥା ଭାବେ ମୁଣ୍ଡ ଟେକିପାରିବ । ବ୍ୟବସାୟ ଓ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଲୋକମାନଙ୍କ ଅବାଧ ଚଳପ୍ରଚଳ ପାଇଁ ସୁବିଧା ପ୍ରଦାନର ଗୁରୁତ୍ୱକୁ ସେମାନେ ସ୍ୱୀକାର କରିଛନ୍ତି ଯାହାକି ଆର୍ଥିକ ପୁନରୁତ୍ଥାନକୁ ସମର୍ଥନ କରିବ ଏବଂ ଏହି ପରିପ୍ରେକ୍ଷୀରେ ସେମାନେ କୋଭିଡ଼ ୧୯ ପ୍ରତିଷେଧକ ଟିକା ଓ ଟିକାକରଣ ସାର୍ଟିଫିକେଟକୁ ପାରସ୍ପରିକ ସ୍ୱୀକୃତି ପ୍ରଦାନ ନିମନ୍ତେ ସହଯୋଗ ବୃଦ୍ଧି କରିବେ ।

୫୪.ଉଭୟ ପକ୍ଷ ଭାରତର ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜର୍ମାନୀର ରବର୍ଟ- କୋଚ୍‌ - ଇନଷ୍ଟିଚୁଟ  ମଧ୍ୟରେ ସହଯୋଗ ବୃଦ୍ଧିକୁ ସ୍ୱାଗତ କରିଛନ୍ତି । ଏହା ଉତ୍ତର ପ୍ରଦେଶର ବନ୍ଦା ଠାରେ ଏକ ଜୈବ-ନିରାପତ୍ତା ଚତୁର୍ଥ ପର୍ଯ୍ୟାୟ ପରୀକ୍ଷାଗାର  ପ୍ରତିଷ୍ଠା ଦିଗରେ ବୈଷୟିକ ସହାୟତା ଯୋଗାଇଦେବ ଓ ଏହି ପରୀକ୍ଷାଗାରରେ ଅତି ଭୟଙ୍କର ରୋଗ ଜୀବାଣୁମାନଙ୍କର ପରୀକ୍ଷା କରାଯାଇପାରିବ ।

୫୫. ଉଭୟ ସରକାର ଚିକିତ୍ସା ସାମଗ୍ରୀ ଉତ୍ପାଦନ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସେମାନଙ୍କର ଇଚ୍ଛା ବ୍ୟକ୍ତ କରିଛନ୍ତି ଏବଂ ଏଥି ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଏବଂ  ଜର୍ମାନ ପ୍ରଜାତନ୍ତ୍ର ସଂଘର ଫେଡେରାଲ ଇନଷ୍ଟିଚୁଟ ଫର୍‌ ଡ୍ରଗ୍ସ ଆଣ୍ଡ ମେଡ଼ିକାଲ ଡିଭାଇସେସ  ଏବଂ ଜର୍ମାନ ପ୍ରଜାତନ୍ତ୍ର ସଂଘର ପଲ୍‌ - ଏହରିଲଚ ଇନଷ୍ଟିଚୁଟ  ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି ।

୫୬. ଉଭୟ ନେତା ଷଷ୍ଠ ଆଇଜିସି ବୈଠକରେ ହୋଇଥିବା ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଭାରତ- ଜର୍ମାନ ରଣନୀତିକ ସହଭାଗୀତାକୁ ଆହୁରି ବ୍ୟାପକ ଓ ନିବିଡ଼ କରିବା ନିମନ୍ତେ ସେମାନଙ୍କର ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଷଷ୍ଠ ଆଇଜିସି ପାଇଁ ତାଙ୍କୁ ଏବଂ ଭାରତୀୟ ପ୍ରତିନିଧି ମଣ୍ଡଳଙ୍କୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚାନସେଲର ସୋଲଜଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଇଜିସିର ଆଗାମୀ ବୈଠକ ଭାରତ ଆୟୋଜନ କରିବା ଅପେକ୍ଷାରେ ରହିଛି ।

SS



(Release ID: 1822967) Visitor Counter : 190