ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର(ଏଲ୍‌ଡବ୍ଲ୍ୟୁଇ)ର ବିକାଶ

Posted On: 05 APR 2022 3:07PM by PIB Bhubaneshwar

 

ଭାରତ ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁସାରେ, ‘ପୁଲିସ୍ ଏବଂ ଜନସାଧାରଣଙ୍କ ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା' ବ୍ୟାପାର ରାଜ୍ୟ ସରକାରଙ୍କ ନିକଟରେ ରହିଛି । ତେବେ, ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲ୍ୟୁଇ)  ବିପଦକୁ ସମ୍ପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ୨୦୧୫ରେ ଏକ ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନା ଆରମ୍ଭ କରା ଯାଇଥିଲା । ଏଥିରେ ସୁରକ୍ଷା ସମ୍ବନ୍ଧିତ ଉପାୟ ସମୂହ, ବିକାଶମୂଳକ ହସ୍ତକ୍ଷେପ, ସ୍ଥାନୀୟ ସମୁଦାୟର ଅଧିକାର ଏବଂ ପ୍ରାପ୍ୟକୁ ସୁନିଶ୍ଚିତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ କରି ଏକ ବହୁମୁଖୀ ରଣନୀତିକୁ ସାମିଲ କରାଯାଇଛି । 

ବିକାଶ ଦୃଷ୍ଟିକୋଣରୁ, କେନ୍ଦ୍ର ସରକାର ସଡକ ପଥ ନେଟୱର୍କର ବିସ୍ତାର ଉପରେ ବିଶେଷ ଗୁରୁତ୍ୱ ଆରୋପ କରି ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଦୂରସଂଚାର ସଂଯୋଗରେ ସୁଧାର; ସ୍ଥାନୀୟ ଲୋକ ମାନଙ୍କର ବିତୀୟ ଅନ୍ତର୍ଭୁକ୍ତିକରଣ; ବାମପନ୍ଥୀ ଉଗ୍ରବାଦ କ୍ଷେତ୍ର ଗୁଡିକରେ ଦକ୍ଷତା ବିକାଶ ଏବଂ ଶିକ୍ଷା ସୁବିଧା ସମୂହ ଇତ୍ୟାଦି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟେ ।

ବାମପନ୍ଥୀ  ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ସମୂହ (ଆର୍‌ସିପିଏଲ୍‌ଡବ୍ଲ୍ୟୁଇଏ) ନିମନ୍ତେ ସଡକ ଆବଶ୍ୟକତା ଯୋଜନା - (ଆର୍‌ଆର୍‌ପି - ୧) ଏବଂ ସଡକ ସମ୍ପର୍କ ପ୍ରକଳ୍ପର ବିଶେଷ ଯୋଜନା ଅନୁସାରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ଗୁଡିକରେ ୧୬,୨୦୦ କିଲୋମିଟରରୁ ଅଧିକ ସଡକକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ୧୦,୬୦୦ କିଲୋମିଟର ସଡକ ପଥର ନିର୍ମାଣ ପ୍ରାୟ ୧୩,୦୦୦ କୋଟି ଟଙ୍କା ବ୍ୟୟରେ ହୋଇ ସାରିଛି ।

ପ୍ରଥମ ପର୍ଯ୍ୟାୟ ଅଧୀନରେ ୨,୩୪୩ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ଗୁଡିକ ନିମନ୍ତେ ମୋବାଇଲ୍ ସଂଯୋଗୀକରଣ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ୨,୫୪୨ଟି ଟାୱାର ସ୍ଥାପନ ନିମନ୍ତେ କାର୍ଯ୍ୟାଦେଶ ଜାରି କରାଯାଇଛି । ଆଉ ୪,୩୧୨ ମୋବାଇଲ୍ ଟାୱାରକୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ଗୁଡିକରେ ଏହି ଯୋଜନା ଅଧୀନରେ ସ୍ଥାପନ ହୋଇ ନଥିବା ଆଶାୟୀ ଜିଲ୍ଲା ଗୁଡିକ ନିମନ୍ତେ ଅନୁମୋଦିତ କରାଯାଇଛି ।

ଏହି କ୍ଷେତ୍ର ଗୁଡିକରେ ଯୁବକ ମାନଙ୍କର ଦକ୍ଷତାର ବିକାଶ ନିମନ୍ତେ ୪୭ଟି ଜିଲ୍ଲାରେ ଶିଳ୍ପ ତାଲିମ୍ କେନ୍ଦ୍ର (ଆଇଟିଆଇ) ଏବଂ ୩୪ ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର ଗୁଡିକ (ଏସ୍‌ଡିସି) ସ୍ଥାପନ ପାଇଁ ବାମପନ୍ଥୀ ଉଗ୍ରବାଦ ଯୋଗୁଁ ପ୍ରଭାବିତ ୪୭ ଜିଲ୍ଲାରେ ଦକ୍ଷତା ବିକାଶ ଯୋଜନାରେ ଆନୁମାନିକ ଖର୍ଚ୍ଚ ୪୦୭ କୋଟି ଟଙ୍କା ଅନୁମୋଦନ କରାଯାଇଛି ।

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ଗୁଡିକ ନିମନ୍ତେ ବର୍ତମାନ ସୁଦ୍ଧା ୨୩୪ଟି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମ୍‌ଆର୍‌ଏସ୍‌)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୯୯ଟି ଇଏମ୍‌ଆର୍‌ଏସ୍‌କୁ ଗତ ୨ ବର୍ଷ ମଧ୍ୟରେ ମଞ୍ଜୁରୀ ଦିଆ ଯାଇଥିଲା । ଏହା ବ୍ୟତୀତ, କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ଏବଂ ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଏବଂ ସମସ୍ତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଗୁଡିକର ଅଧିକାଂଶ କ୍ଷେତ୍ରରେ କାର୍ଯ୍ୟକ୍ଷମ କରି ଦିଆଯାଇଛି ।

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ଗୁଡିକରେ ଜନତାଙ୍କର ବିତୀୟ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଗତ ୭ ବର୍ଷ ମଧ୍ୟରେ ୪,୪୪୨ଟି ନୂତନ ଡାକଘର ଖୋଲା ଯାଇଛି । ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ୩୦ଟି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଗୁଡିକରେ ୧,୨୫୩ ବ୍ୟାଙ୍କ ଶାଖା, ୧,୨୬୪ ଏଟିଏମ୍ ଏବଂ ୧୬,୮୦୮ ବ୍ୟାଙ୍କିଙ୍ଗ ସମ୍ବାଦଦାତା ମଧ୍ୟ ସ୍ଥାପନ କରାଯାଇଛି ।

ପୁନଶ୍ଚ, ଅଧିକାଂଶ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଗୁଡିକରେ ସାର୍ବଜନୀନ ଭିତିଭୂମି ସଂରଚନା ଏବଂ ସେବା ଗୁଡିକରେ ମହତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିବା ପାଇଁ ବିଶେଷ କେନ୍ଦ୍ରୀୟ ସହାୟତା(ଏସ୍‌ସିଏ) ଯୋଜନା ଅଧୀନରେ ସର୍ବାଧିକ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଗୁଡିକରେ ଅର୍ଥ ପ୍ରଦାନ କରା ଯାଉଛି । ଗତ ପାଂଚ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ରାଜ୍ୟ ଗୁଡିକୁ ୩,୦୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସୁରକ୍ଷା ଦୃଷ୍ଟିକୋଣରୁ, କେନ୍ଦ୍ର ସରକାର କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ ବାଟାଲିୟନ୍‌, ପ୍ରଶିକ୍ଷଣ, ରାଜ୍ୟ ପୁଲିସ୍ ବଳର ଆଧୁନିକୀକରଣ ନିମନ୍ତେ ଅର୍ଥ, ଉପକରଣ ଏବଂ ଅସ୍ତ୍ରଶସ୍ତ୍ର, ଗୁପ୍ତ ତଥ୍ୟ ଜାଣିବା ପାଇଁ ବ୍ୟବସ୍ଥା, ସଶକ୍ତ ପୁଲିସ୍ ଥାନା ଗୁଡିକର ନିର୍ମାଣ ଇତ୍ୟାଦି ସୁବିଧା ପ୍ରଦାନ କରି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟ ଗୁଡିକୁ ସମର୍ଥନ କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ସୁରକ୍ଷା ସମ୍ବନ୍ଧିତ ବ୍ୟୟ (ଏସ୍‌ଆର୍‌ଇ) ଏବଂ ବିଶେଷ ଭିତିଭୂମି ଯୋଜନା (ଏସ୍‌ଆଇଏସ୍‌) ଭଳି ବିଭିନ୍ନ ଯୋଜନା ଗୁଡିକ ଅଧୀନରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ରାଜ୍ୟ ଗୁଡିକରେ ସାମର୍ଥ୍ୟ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରୁଛନ୍ତି । ଗତ ପାଂଚ ବର୍ଷ ମଧ୍ୟରେ ଏସ୍‌ଆର୍‌ଇ ଯୋଜନା ଅଧୀନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟ ଗୁଡିକୁ ୧,୬୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ବିଶେଷ ଭିତିଭୂମି ଯୋଜନା (ଏସ୍‌ଆଇଏସ୍‌) ଅଧୀନରେ ବିଶେଷ ବଳ (ଏସ୍‌ଏଫ୍‌) ଏବଂ ବିଶେଷ ଗୁଇନ୍ଦା ଶାଖା (ଏସ୍‌ଆଇବି)  ଏବଂ ୨୫୦ ସଶକ୍ତ ପୁଲିସ୍ ଥାନା (ଏଫ୍‌ପିଏସ୍‌)କୁ ମଜଭୁତ କରିବା ନିମନ୍ତେ ୩୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୧୭ରୁ ସମ୍ବେଦନଶୀଳ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର ଗୁଡିକ ନିମନ୍ତେ ୬୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ, ଗତ ଏସ୍‌ଆଇଏସ୍‌/ ଏଫ୍‌ପିଏସ୍ ଯୋଜନାରେ କେନ୍ଦ୍ର ସରକାର ୪୦୦ ଏଫ୍‌ପିଏସ୍ ନିର୍ମାଣ ପାଇଁ ଏବଂ ରାଜ୍ୟ ଗୁଡିକରେ ପୁଲିସ୍ ଭିତିଭୂମିକୁ ଉନ୍ନତ କରିବା ପାଇଁ ୧,୧୮୦ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି ।

ବାମପନ୍ଥୀ ଉଗ୍ରବାଦକୁ ମୁକାବିଲା କରିବା ପାଇଁ ଜାତୀୟ ନୀତି ଏବଂ କାର୍ଯ୍ୟ ଯୋଜନାର ଦୃଢ଼ କାର୍ଯ୍ୟାନ୍ୱୟନର ପରିଣାମ ସ୍ୱରୂପ ବାମପନ୍ଥୀ ଉଗ୍ରବାଦ ଯୋଗୁଁ ହେଉଥିବା ହିଂସା ଏବଂ ଏହାର କ୍ଷେତ୍ରୀୟ ପ୍ରସାରରେ ଲଗାତାର ହ୍ରାସ ଦେଖା ଦେଇଛି । ବାମପନ୍ଥୀ ଉଗ୍ରବାଦ ହିଂସା ସମ୍ପର୍କିତ ଘଟଣା ଗୁଡିକରେ ୭୭ ପ୍ରତିଶତ ହ୍ରାସ ହୋଇଛି, ଯାହା ୨୦୦୯ରେ ୨,୨୫୮ର ଅଧିକତମ ସ୍ତରରୁ ୨୦୨୧ରେ ୫୦୯କୁ ଖସି ଆସିଛି । ସେହିପରି, ପରିଣାମୀ ମୃତ୍ୟୁ (ନାଗରିକ + ସୁରକ୍ଷା ବଳ) ସଂଖ୍ୟା ୮୫ ପ୍ରତିଶତ ହ୍ରାସ ପାଇଛି, ଯାହା ୨୦୧୦ରେ ୧,୦୦୫ର ଅଧିକତମ ସ୍ତରରୁ ୨୦୨୧ରେ ୧୪୭ ହୋଇ ଯାଇଛି । ବାମପନ୍ଥୀ ଉଗ୍ରବାଦ ହିଂସା ହେଉଥିବା ଜିଲ୍ଲା ଗୁଡିକର ସଂଖ୍ୟା ୨୦୧୦ରେ ୯୬ ରହିଥିବା ବେଳେ ୨୦୨୧ରେ ଏହା ହ୍ରାସ ପାଇ ୪୬ ଜିଲ୍ଲାକୁ ଖସି ଆସିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏ ସମ୍ପର୍କରେ ଉଲ୍ଲେଖ କରା ଯାଇଥିଲା ।

*****

SSP

 





 



(Release ID: 1813891) Visitor Counter : 226


Read this release in: English , Urdu , Bengali , Tamil