ପୋଷ୍ଟ କରାଯିବା ଦିନାଙ୍କ:
12 JAN 2022 12:55PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।
ଦୁଇଟି ବିଷୟବସ୍ତୁ ଉପରେ ଆଧାରିତ ପ୍ରାୟ ଏକ ଲକ୍ଷରୁ ଅଧିକ ତରୁଣଙ୍କ ଦ୍ୱାରା ପଠାଯାଇଥିବା ପ୍ରବନ୍ଧ ମଧ୍ୟରୁ ଏହି ପ୍ରବନ୍ଧ ଗୁଡିକୁ ବଛାଯାଇଛି । ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ୧୨୨ କୋଟି ଟଙ୍କାରେ ନିର୍ମିତ ଏକ ପ୍ରଯୁକ୍ତି କେନ୍ଦ୍ରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ସେ ମଧ୍ୟ ପେରୁନଥଲାଇଭାର କାମରାଜର ମଣିମଣ୍ଡପମକୁ ଉଦଘାଟନ କରିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚ ଥିବା ଏହି ପ୍ରେକ୍ଷାୟଳ ୨୩ କୋଟି ଟଙ୍କା ବ୍ୟୟରେ ପୁଡୁଚେରୀ ସରକାର ନିର୍ମାଣ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ଶ୍ରୀ ନାରାୟଣ ରାଣେ, ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା, ଶ୍ରୀ ନିଶୀଥ ପରମାଣିକ, ଡକ୍ଟର ତାମିଲସାଇ ସୌନ୍ଦରାଜନ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ରଙ୍ଗସ୍ୱାମୀ, ରାଜ୍ୟ ମନ୍ତ୍ରୀଗଣ ଓ ସଂସଦ ସଦସ୍ୟଗଣ ଏହି ଅବସରରେ ଉପସ୍ଥିତ ଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଣିପାତ କରି ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ତାଙ୍କ ଜନ୍ମ ଦିବସ ଆହୁରି ପ୍ରେରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅମ୍ରିତ ମହୋତ୍ସବ କାଳରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ମହାକବି ସୁବ୍ରମନ୍ୟମ ଭାରତୀଙ୍କ ମୃତ୍ୟୁ ଶତବାର୍ଷିକୀ ଯୋଗୁ ଆହୁରି ମହତ୍ୱପୂର୍ଣ୍ଣ ହୋଇଛି ବୋଲି ସେ କହିଥିଲେ । ଉଭୟ ମହର୍ଷିଙ୍କ ପୁଡୁଚେରୀ ସହ ସ୍ୱତନ୍ତ୍ର ସମ୍ପର୍କ ଥିଲା । ଉଭୟେ ନିଜ ନିଜ ସାହିତ୍ୟ ଓ ଆଧ୍ୟାତ୍ମିକ ଯାତ୍ରାରେ ସହଚର ଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରାଚୀନ ଦେଶର ତରୁଣ ପାଶ୍ୱର୍ର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତକୁ ଆଶା ଓ ବିଶ୍ୱାସର ସହ ଦେଖୁଛି । କାରଣ ଭାରତର ଜନସଂଖ୍ୟା ପରିସଂଖ୍ୟାନ ତରୁଣ ଓ ଭାରତର ମନ ମଧ୍ୟ ତରୁଣ । ଭାରତୀୟ ସ୍ୱପ୍ନର ସମ୍ଭାବନାରେ ରହିଛି ତରୁଣତ୍ୱ । ଭାରତ ଏହାର ଭାବନା ଓ ଚେତନାରେ ମଧ୍ୟ ତରୁଣ । ଭାରତୀୟ ଭାବନା ଓ ଦର୍ଶନ ସବୁବେଳେ ପରିବର୍ତ୍ତନକୁ ଗ୍ରହଣ କରିଆସିଛି ଓ ଏହାର ପ୍ରାଚୀନତାରେ ମଧ୍ୟ ଆଧୁନିକତାର ଛାପ ରହିଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଯୁବଗୋଷ୍ଠୀ ଆବଶ୍ୟକତା ଅନୁସାରେ ସର୍ବଦା ଆଗେଇ ଆସିଛନ୍ତି । ଯେତେବେଳେ ଦେଶର ଚେତନା ଖଣ୍ଡବିଖଣ୍ଡିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଶଙ୍କରଙ୍କ ଭଳି ତରୁଣ ଆଗେଇ ଦେଶକୁ ପୁଣି ଏକତା ସୂତ୍ରରେ ଗୁନ୍ଥିଛନ୍ତି ଆଦି ଶଙ୍କରଚାର୍ଯ୍ୟ ହୋଇ । ସ୍ୱେଚ୍ଛାଚାର ବେଳେ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଭଳି ଯୁଗପୁରୁଷ ତ୍ୟାଗ ଆଦି ମଧ୍ୟ ଆମକୁ ପଥ ପ୍ରଦର୍ଶନ କରୁଛି । ଯେତେବେଳେ ଭାରତ ଏହାର ମୁକ୍ତି ପାଇଁ ତ୍ୟାଗ ଆବଶ୍ୟକ କରିଛି ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଏବଂ ନେତାଜୀ ସୁବାଷଙ୍କ ଭଳି ବିପ୍ଳବୀ ଆଗେଇ ଆସି ଦେଶପାଇଁ ଜୀବନ ଉତ୍ସର୍ଗ କରିଛନ୍ତି । ଯେତେବେଳେ ଦେଶ ଆଧ୍ୟାତ୍ମିକ ଜାଗରଣ ଦରକାର କରିଛି ଅରବିନ୍ଦ ଓ ସୁବ୍ରମନ୍ୟମ ଭାରତୀଙ୍କ ଭଳି ମହର୍ଷି ଆଗକୁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଯୁବ ସମାଜର ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି ଓ ଜନସଂଖ୍ୟା ପରିସଂଖ୍ୟାନ ଜନିତ ଲାଭାଂଶ ମଧ୍ୟ । ସେମାନଙ୍କ ଗଣତାନ୍ତ୍ରିକ ଲାଭାଂଶ ମଧ୍ୟ ଅତୁଳନୀୟ । ଭାରତ ଏହାର ତରୁଣ ଗୋଷ୍ଠୀକୁ ଜନସଂଖ୍ୟା ପରିସଂଖ୍ୟାନ ଲାଭାଂଶ ଓ ବିକାଶର ସଂଚାଳକ ଭାବେ ବିବେଚନା କରେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରି କହିଥିଲେ । ସେ କହିଥିଲେ ଯେ ଆଜି ଯଦି ଭାରତୀୟ ଯୁବଗୋଷ୍ଠୀ ନିକଟରେ ପ୍ରଯୁକ୍ତିର ମାଦକତା ଅଛି, ସେହିପରି ଗଣତାନ୍ତ୍ରିକ ଚେତନା ମଧ୍ୟ ରହିଛି । ଆଜି ଯଦି ଭାରତୀୟ ଯୁବଗୋଷ୍ଠୀଙ୍କ କଠିନ ପରିଶ୍ରମର ସାମର୍ଥ୍ୟ ରହିଛି । ସେହିପରି ଭବିଷ୍ୟତ ନେଇ ସ୍ପଷ୍ଟ ଦିଶା ମଧ୍ୟ ରହିଛି । ସେଥିପାଇଁ ଆଦି ଭାରତ ଯାହା କହୁଛି, ବିଶ୍ୱ ତାହାକୁ କାଲିର ସ୍ୱର ବୋଲି ବିବେଚନା କରୁଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା କାଳରେ ଦେଶର ତରୁଣ ବଂଶଧର ଦେଶ ପାଇଁ ତ୍ୟାଗ କରିବାକୁ ଗୋଟିଏ କ୍ଷଣ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ମାତ୍ର ଆଜିର ଯୁବଗୋଷ୍ଠୀ ଦେଶପାଇଁ ବଞ୍ଚିବା ସହ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିବେ । ସେ କହିଥିଲେ ଯେ ଯୁବଗୋଷ୍ଠୀର ସାମର୍ଥ୍ୟ ପରମ୍ପରାଗତ ବୋଝ ବହନ କରି ଚାଲେ ନାହିଁ । ସେମାନେ ନିଜକୁ ଓ ସମାଜକୁ ନୂତନ ଆହ୍ୱାନ ସହ ଖାପଖୁଆଇ ଚାଲିଥାନ୍ତି । ଆଜି ଯୁବଗୋଷ୍ଠୀ ମନରେ ‘କିଛି ବି କରିପାରିବାର’ ଉତ୍ସାହ ରହିଛି, ଯାହାକି କୌଣସି ବି ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ ଆଜିର ତରୁଣଗୋଷ୍ଠୀ ବୈଶ୍ୱିକ ସମୃଦ୍ଧିର ସଂହିତା ରଚନା କରୁଛନ୍ତି । ଭାରତୀୟ ଯୁବଗୋଷ୍ଠୀକୁ ଆଜି ବିଶ୍ୱରେ ଅଗ୍ରଗଣ୍ୟ ଭାବେ ବିବେଚନା କରାଯିବା ଯଥାର୍ଥ । ଆଜି ଭାରତର ୫୦,୦୦୦ରୁ ଅଧିକ ଶକ୍ତିଶାଳୀ ଷ୍ଟାର୍ଟଅପ ରହିଛି । ସେଥିରୁ ୧୦ ହଜାରରୁ ଅଧିକ ଷ୍ଟାର୍ଟଅପ ବୈଶ୍ୱିକ ମହାମାରୀ କାଳରେ ହିଁ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରଧାନମନ୍ତ୍ରୀ ଦେଶକୁ ନୂଆ ମନ୍ତ୍ର ଦେଇଥିଲେ - ପ୍ରତିଯୋଗୀତା କରି ବିଜୟୀ ହୁଅ । ତାହା ହେଲା ନିଜକୁ ସାମିଲ କରି ଜିତାପଟ ହାସଲ କର । ପ୍ରଧାନମନ୍ତ୍ରୀ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ସହ ଦେଶର ଟିକାକରଣ ଅଭିଯାନ ଯୁବଗୋଷ୍ଠୀର ଭାଗୀଦାରିତା ଏକ ଇଚ୍ଛା ଶକ୍ତି ଓ ଦାୟିତ୍ୱର ଉଦାହରଣ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଝିଅ-ପୁଅଙ୍କ ମଧ୍ୟରେ ବାଛବିଚାର ଦେଖନ୍ତି ନାହିଁ । ଏହାକୁ ଆଖି ଆଗରେ ରଖି ସରକାର ଝିଅମାନଙ୍କ ଉନ୍ନତି ନିମନ୍ତେ ବିବାହ ବୟସ ୨୧କୁ ବୃଦ୍ଧି କରିଛନ୍ତି । ଝିଅମାନେ ମଧ୍ୟ ସେମାନଙ୍କ ବୃତ୍ତିଗତ ସଫଳତା ଦେଇ ଅଧିକ ସମୟ ପାଇପାରିବେ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଆମର ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ଯେଉଁମାନଙ୍କ ଅବଦାନ ସ୍ୱୀକୃତି ପାଇପାରିନାହିଁ । ଆମର ଯୁବଗୋଷ୍ଠୀ ସମୋନଙ୍କ ବିଷୟରେ ଯେତେ ଅଧିକ ଲେଖିବେ ବା ଗବେଷଣା କରିବେ, ଭାବୀ ବଂଶଧର ମାନଙ୍କ କ୍ଷେତ୍ରରେ ଅଧିକ ସଚେତନତା ସୃଷ୍ଟି ହେବ । ସେମାନେ ମଧ୍ୟ ଯୁବଗୋଷ୍ଠୀକୁ ଅଧିକ ସକ୍ରିୟ ହୋଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।
ଜାତୀୟ ଯୁବ ଉତ୍ସବ ଭାରତୀୟ ତରୁଣଗୋଷ୍ଠୀର ମନକୁ ସତେଜ ରଖିବା ସହ ସେମାନଙ୍କୁ ଦେଶ ଗଠନରେ ଏକ ମିଳିତ ଶକ୍ତି ଭାବେ ଗଢ଼ି ତୋଳିବ । ଏହା ସାମାଜିକ ସମନ୍ୱୟ ଓ ବୌଦ୍ଧିକ ଏବଂ ସାଂସ୍କୃତିକ ସଂହତିର ଏକ ବୃହତମ ଅଭ୍ୟାସ । ଏହା ଭାରତର ବିବିଧ ସଂସ୍କୃତିକୁ ଏକାଠି କରି ସେମାନଙ୍କ ଏକତାର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ରଜ୍ଜୁରେ ବାନ୍ଧି ରଖିବ ।
SM/DD