ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଶାସନକୁ ସ୍ଵଚ୍ଛ ଓ ସୁଦୃଢ଼ କରିବା ପାଇଁ ପିଏଫଏମଏସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି: ମହାଲେଖା ନିୟନ୍ତ୍ରକ (ସିଜିଏ) ଦୀପକ ଦାସ


ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପିଏଫଏମଏସ କର୍ମଶାଳା ଆୟୋଜିତ

ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀ

Posted On: 06 JAN 2022 5:06PM by PIB Bhubaneshwar

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗ ପିଏଫଏମ୍‌ଏସ  ବିଭାଗ ପକ୍ଷରୁ ସାର୍ବଜନୀନ ଅର୍ଥ ପରିଚାଳନା ବ୍ୟବସ୍ଥା (ପିଏଫଏମ୍‌ଏସ) ଉପରେ ଆଜି (୦୬-୦୧-୨୦୨୨ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରର ଜୟଦେବ ଭବନଠାରେ ପିଏଫ ଏମଏସର ସଫଳତା ଓ କାର୍ଯ୍ୟକାରିତା ନେଇ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି ।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ମହାଲେଖା ନିୟନ୍ତ୍ରକ  ଶ୍ରୀ ଦୀପକ ଦାସ କହିଥିଲେ ଯେ ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ଭାରତ ସରକାର ପିଏଫଏମ୍‌ଏସ୍ ପ୍ରବର୍ତ୍ତନ କରିଛନ୍ତି । “ପିଏଫଏମଏସ ଗତ କେତେ ବର୍ଷ ଧରି ସମ୍ପୂର୍ଣ୍ଣ ସରକାରୀ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଛି । ଏହା ସମ୍ପୂର୍ଣ୍ଣ ସେବା ପ୍ରଦାନ ସୁନିଶ୍ଚିତ କରିଛି ।”

Image

 ବିଭିନ୍ନ ସରକାରୀ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର(ଡିବିଟି) ଏକ ମହାନ୍ ପରିବର୍ତ୍ତନ ଆଣିଛି । ଏହା ଦଲାଲ କାରବାର ରୋକିବା ସହ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରୁଛି ।

ଓଡିଶାକୁ ଏଥିପାଇଁ ଅଭିନନ୍ଦନ ଜଣାଇ ସହ ଶ୍ରୀ ଦାସ ଶତପ୍ରତିଶତ  ପିଏଫଏମ୍‌ଏସ କାର୍ଯ୍ୟକାରୀ କରି ଓଡିଶା ଦେଶର ଛଅଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟ ଏପରି କରିପାରିଥିବା କହିଛନ୍ତି । ଏହା ସରକାରୀ ପ୍ରଶାସନିକ ସ୍ୱଚ୍ଛତା ଆଣିବା ସହ ଅଧିକ ଉତ୍ତର ଦାୟିତ୍ୱ ମଧ୍ୟ ସୁନିଶ୍ଚିତ କରିଛି ।

ଓଡିଶା ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ  କର୍ମଶାଳାରେ ଅଂଶଗ୍ରହଣ କରି କହିଥିଲେ ଯେ ସରକାରୀ ଆର୍ଥିକ ପରିଚାଳନାରେ ପିଏଫଏମ୍‌ଏସ ଅନେକ ସଫଳତା ହାସଲ କରିଛି । “ପିଏଫଏମ୍‌ଏସ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ଦେବ କହିଥିଲେ ।

ଏହି ଅବସରରେ ସିଙ୍ଗଲ ନୋଡାଲ ଏକାଉଂଟ (ଏସ୍‌ଏନଏ) ମଡେଲ ଓ ରିସିଷ୍ଟ ଏକ୍ସପେଣ୍ଡିଚର ଆଡଭାନ୍ସ ଟ୍ରାନ୍ସଫର (ଆର.ଇ.ଏ.ଟି) ମଡେଲ ଭଳି ବୈଷୟିକ କର୍ମଶାଳା ଆୟୋଜିତ ହୋଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କ, କାନାଡ଼ା ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର ପ୍ରତିନିଧିମାନେ ଏସଏନ୍‌ଏ ମଡେଲ ଉପରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ ।

Image

ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଭାରତର ସ୍ୱାଧୀନତା ଦିବସର ୭୫ବର୍ଷ  ପାଳନ  ତଥା  ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସିଜିଏ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହାର  ଅବଦାନ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

ଶ୍ରୀ ଦାସ ଭୁବନେଶ୍ୱର ଆରବିର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି ପଦକ୍ଷେପକୁ ଅଭିନନ୍ଦନ ଜଣାଇଥିଲେ । “ଏହି ପ୍ରଦଶର୍ନୀ ଗୋଟିଏ ଦୃଷ୍ଟିରୁ ଅନନ୍ୟ । ଏହା ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ବିଷୟକୁ ମଧ୍ୟ ପ୍ରଦର୍ଶିତ କରୁଛି ।” ପ୍ରଦର୍ଶନୀରୁ  ଲୋକଲୋଚନ ଅନ୍ତରାଳରେ ରହିଥିବା ଅନେକ ବୀରମାନଙ୍କ ଗାଥା ବିଷୟରେ ଜାଣିପାରିଥିବାରୁ ଖୁବ୍ ଗର୍ବିତ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ଏବଂ ଆରଓ ବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଉପସ୍ଥିତ ଥିଲେ ।

 

*****

SM / SLP


(Release ID: 1788195) Visitor Counter : 174


Read this release in: English , Urdu , Hindi