କ୍ୟାବିନେଟ
azadi ka amrit mahotsav

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାର (ପି2ଏମ)କୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି


ଗୋଟିଏ ବର୍ଷ ଲାଗି ଏହି ଯୋଜନା ପାଇଁ 1,300 କୋଟି ଟଙ୍କା ବ୍ୟୟବରାଦ

ଏହି ଡିଜିଟାଲ ପଦ୍ଧତିରେ ପେମେଣ୍ଟ ବ୍ୟବସ୍ଥା ଫଳରେ ଔପଚାରିକ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ପ୍ରଣାଳୀ ଠାରୁ ବାହାରେ ଥିବା ନାଗରିକମାନଙ୍କ ନିକଟରେ ଡିଜିଟାଲ ଅର୍ଥପଇଠ ସୁବିଧା ସୁଲଭ ହେବ

प्रविष्टि तिथि: 15 DEC 2021 4:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କା (2000 ଟଙ୍କା ପର୍ଯ୍ୟନ୍ତ) ଭୀମ-ୟୁପିଆଇ କାରବାର (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ-ପି2ଏମ)କୁ ଦେଶରେ ପ୍ରୋତ୍ସାହିତ କରିବା ଲାଗି ଏକ ଯୋଜନାକୁ ଅନୁମୋଦନ କରିଛନ୍ତି।

ଏହି ଯୋଜନା ଅଧୀନରେ, ରୂପେ ଡେବିଟ କାର୍ଡ ଜରିଆରେ କରାଯାଉଥିବା କାରବାର ଏବଂ କମ ମୂଲ୍ୟର ଭୀମ-ୟୁପିଆଇ ପେମେଣ୍ଟ ମାଧ୍ୟମକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ସେମାନଙ୍କୁ କାରବାର ପରିମାଣର କିଛି ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଆକାରରେ ଦିଆଯିବ। ଏପ୍ରିଲ 01, 2021 ଠାରୁ ଲାଗୁ ଗୋଟିଏ ବର୍ଷର ଅବଧି ପାଇଁ ଏହି ଯୋଜନାରେ ମୋଟ 1,300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହି ଯୋଜନାକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକରେ ଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁବିଧା ଯୋଗାଇ ଦିଆଯିବ। ଏହା ସମାଜର ସମସ୍ତ କ୍ଷେତ୍ର ତଥା ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ରୂପେ ଡେବିଟ କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବ। ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ ହେବ।

ଫଳରେ ସମାଜର ଗରିବ ଏବଂ ଔପଚାରିକ ବ୍ୟାଙ୍କ ସେବା ଓ ଆର୍ଥିକ ବ୍ୟବସ୍ଥା ଠାରୁ ଅପହଞ୍ଚ ସ୍ଥିତିରେ ଥିବା ଲୋକମାନେ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବାର ସୁବିଧା ପାଇପାରିବେ।

ଭାରତରେ ଆଜି ବିଶ୍ବର ଅନ୍ୟତମ ଦକ୍ଷ ଡିଜିଟାଲ ପେମେଣ୍ଟ ବଜାର ରହିଛି। ଭାରତ ସରକାର ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ରହିଥିବା ବିଭିନ୍ନ ସଂସ୍ଥାଗୁଡ଼ିକର ନବୋନ୍ମେଷ କାରଣରୁ ଏହା ସମ୍ଭବପର ହୋଇପାରିଛି। ଏହି ଯୋଜନା ଫିନଟେକ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବ। ଦେଶର ବିଭିନ୍ନ ପ୍ରାନ୍ତରେ ଡିଜିଟାଲ ପେମେଣ୍ଟକୁ ବିସ୍ତାରିତ କରିବାରେ ସରକାରଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ।

 

********

P.S


(रिलीज़ आईडी: 1781911) आगंतुक पटल : 276
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam