ଖଣି ମନ୍ତ୍ରଣାଳୟ

ଖଣିଜ (ଆଣବିକ ଓ ହାଇଡ୍ରୋ କାର୍ବନ୍ ଶକ୍ତି ଖଣିଜ ବ୍ୟତୀତ) ରିହାତି ନିୟମ 2021 ବିଜ୍ଞପ୍ତି ଜାରି


ନୂତନ ନିୟମ ଅନୁସାରେ କ୍ୟାପଟିଭ୍ ଲିଜରୁ ଉତ୍ପାଦିତ 50 % ଖଣିଜ ଉତ୍ପାଦକୁ ବିକ୍ରି କରାଯାଇପାରିବ

ଓଭରବର୍ଡ଼ନ/ ବର୍ଜ୍ୟ ପଥରର ସହଜରେ ନିଷ୍କାସନ କରାଯାଇପାରିବ, ସମସ୍ତ କ୍ଷେତ୍ରରେ ଖଣିଜ ଲିଜ୍ ଅଞ୍ଚଳର ଆଂଶିକ ସମର୍ପଣକୁ ଅନୁମତି ଦିଆଯାଇଛି

ନିୟମରେ ଜରିମାନା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରାଯାଇଛି

Posted On: 09 NOV 2021 12:56PM by PIB Bhubaneshwar

ଖଣି ମନ୍ତ୍ରଣାଳୟ ଖଣିଜ (ଆଟୋମିକ୍ ଓ ହାଇଡ୍ରୋ କାର୍ବନ୍ ଶକ୍ତି ଖଣିଜ ବ୍ୟତୀତ) ରିହାତି ନିୟମ, 2016 (ଏମସିଆର, 2016) କୁ ସଂଶୋଧନ କରିବା ପାଇଁ ଖଣି (ଆଟୋମିକ୍ ଓ ହାଇଡ୍ରୋ କାର୍ବନ୍ ଶକ୍ତି ଖଣିଜ ବ୍ୟତୀତ) ରିହାତି (ଚତୁର୍ଥ ସଂଶୋଧନ) ନିୟମ 2021 ର ବିଜ୍ଞପ୍ତି ଜାରି କରିଛନ୍ତି ।

ଖଣି ଓ ଖଣିଜ (ବିକାଶ ଓ ସଂଶୋଧନ) ଅଧିନିୟମ, 1957 (‘ଏମ୍‌ଏମ୍‌ଡିଆର ଅଧିନିୟମ’) ରେ ଏମଏମଡିଆର ସଂଶୋଧନ ଅଧିନିୟମ, 2021 ଅନୁସାରେ ତା 28.03.2021 ଠାରୁ ବ୍ୟାପକ ସଂଶୋଧନ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଖଣିଜ କ୍ଷେତ୍ରରେ ନିଯୁକ୍ତି ଓ ନିବେଶ ବୃଦ୍ଧି କରିବା, ରାଜ୍ୟ ଗୁଡ଼ିକର ଆୟ ବଢ଼ାଇବା, ଖଣିର ଉତ୍ପାଦନ ଓ ସମୟ ନିର୍ଦ୍ଧାରିତ କାର୍ଯ୍ୟକାରୀତାରେ ଉନ୍ନତି ଆଣିବା, ଉତ୍ତୋଳନର ଗତି ତଥା ଖଣିଜ ସମ୍ବଳର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଇତ୍ୟାଦି । ଏମଏମଡିଆର ଅଧିନିୟମରେ ସଂଶୋଧନକୁ କାର୍ଯ୍ୟକାରୀ କରିବା ପାଇଁ, ଏମସିଆର 2016 କୁ ସଂଶୋଧନ କରାଯାଇଛି।

ଏହି ସଂଶୋଧନ ନିୟମ ଗୁଡ଼ିକୁ ରାଜ୍ୟ ସରକାର, ଉଦ୍ୟୋଗ ଆସୋସିଏସନ, ଖଣି କର୍ମଚାରୀ, ଅନ୍ୟାନ୍ୟ ହିତାଧିକାରୀ ଓ ସାଧାରଣ ଲୋକମାନଙ୍କ ସହିତ ବ୍ୟାପକ ଭାବରେ ଆଲୋଚନା ପରାମର୍ଶ କରିବା ପରେ ପ୍ରସ୍ତୁତ କରାଯାଇଛି । ନିୟମରେ କରାଯାଇଥିବା ସଂଶୋଧନର ମୁଖ୍ୟାଂଶକୁ ନିମ୍ନରେ ପ୍ରଦାନ କରାଯାଇଛି :

1. ନୂତନ ନିୟମ ଅନୁସାରେ କ୍ୟାପଟିଭ୍ ଲିଜ୍‌ରୁ ଉତ୍ପାଦିତ 50 % ଖଣିଜ ଉତ୍ପାଦକୁ ବିକ୍ରି କରାଯିବାର ବ୍ୟବସ୍ଥା ରହିବ । ଏହି ସଂଶୋଧନ କ୍ରମେ ସରକାର କ୍ୟାପଟିଭ୍ ଖଣିର ଅଧିକ ଉପଯୋଗ କରି ଅତିରିକ୍ତ ଖଣିଜ ସାମଗ୍ରୀକୁ ବଜାରକୁ ଛାଡ଼ିପାରିବେ । ନିର୍ଦ୍ଧାରିତ ପରିମାଣର ଖଣିଜ ସାମଗ୍ରୀର ବିକ୍ରି ଉପରେ ପ୍ରଦାନ କରାଯାଉଥିବା ଭତ୍ତା ଦ୍ୱାରା ଲିଜଧାରୀମାନେ କ୍ୟାପଟିଭ ଖଣିରୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହନ ପାଇପାରିବେ । ଏହା ସହିତ ବିକ୍ରି କରାଯାଇଥିବା ପରିମାଣ ଅନୁସାରେ ଅତିରିକ୍ତ ପ୍ରିମିୟମ ପରିମାଣର ପଇଠ, ରୟାଲଟି ଓ ଅନ୍ୟାନ୍ୟ ବୈଧାନିକ ପଇଠ ଇତ୍ୟାଦି ଦ୍ୱାରା ରାଜ୍ୟ ସରକାରଙ୍କ ଆୟ ବୃଦ୍ଧି ହୋଇପାରିବ ।

2. ଖଣିଜ ପ୍ରକ୍ରିୟା ସମୟରେ ବା ଖଣି କାର୍ଯ୍ୟ ସମୟରେ ନିର୍ଦ୍ଧାରିତ ମୂଲ୍ୟ ତଳେ ସୃଷ୍ଟି ହେଉଥିବା ଓଭରବର୍ଡ଼ନ୍‌/ ବର୍ଜ୍ୟ ପଥର/ ଖଣିଜ ସାମଗ୍ରୀର ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଖଣିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସେମାନଙ୍କର ବ୍ୟବସାୟରେ ସୁବିଧା ମିଳିପାରିବ।

3. ଖଣି ଲିଜ୍ ପ୍ରଦାନ କରିବାର ସର୍ବନିମ୍ନ ଅଞ୍ଚଳକୁ 5 ହେକ୍ଟରୁ 4 ହେକ୍ଟରକୁ ସଂଶୋଧିତ କରାଯାଇଛି। କେତେକ ନିର୍ଦ୍ଦିଷ୍ଟ ଖଣିଜ ଦ୍ରବ୍ୟ ରହିଥିବା ଅଞ୍ଚଳ ପାଇଁ ସର୍ବନିମ୍ନ 2 ହେକ୍ଟର ପ୍ରଦାନ କରାଯାଇଛି।

4. ସମସ୍ତ କ୍ଷେତ୍ରରେ ଲିଜ୍ କ୍ଷେତ୍ରର ଆଂଶିକ ସମର୍ପଣକୁ ଅନୁମତି ପ୍ରଦାନ କରାଯାଇଛି। ବର୍ତ୍ତମାନ କେବଳ ଜଙ୍ଗଲ ମଞ୍ଜୁରୀ କ୍ଷେତ୍ରରେ ଅଣ-ଗ୍ରାଣ୍ଟ ପାଇଁ ଆଂଶିକ ସମର୍ପଣକୁ ଅନୁମତି ଦିଆଯାଉଛି।

5. ସମସ୍ତ ପ୍ରକାର ଖଣିରେ କମ୍ପୋଜିଟ୍ ଲାଇସେନ୍ସ ବା ଖଣିଜ ଲିଜ୍‌କୁ ଟ୍ରାନ୍‌ସଫର କରିବାକୁ ଅନୁମତି ପ୍ରଦାନ ନିୟମକୁ ସଂଶୋଧନ କରାଯାଇଛି ।

6. ଲିଜଧାରୀ ବା ଲାଇସେନ୍‌ସଧାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଆଇନଗତ ଉତରାଧିକାରୀଙ୍କ ସପକ୍ଷରେ ଏମଏଲ୍‌/ ସିଏଲ୍ ର ମ୍ୟୁଟେସନ ପ୍ରଦାନ ପାଇଁ ନୂତନ ନିୟମକୁ ସାମିଲ୍ କରାଯାଇଛି ।

7. ବିଳମ୍ବିତ ପଇଠ କ୍ଷେତ୍ରରେ ସୁଧକୁ ପୂର୍ବରୁ ରହିଥିବା 24% ରୁ 12% କୁ ସଂଶୋଧନ କରାଯାଇଛି ।

8. ସରକାରୀ କମ୍ପାନୀ ଗୁଡ଼ିକୁ ଖଣି ଲିଜ ଅବଧି ଓ ତାହାର ପଇଠ ସମ୍ପର୍କିତ ନିୟମାବଳୀକୁ ଏମସିଆର, 2016 ରେ ସାମିଲ୍ କରାଯାଇଛି ।

9. ନିୟମରେ ଜରିମାନା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରାଯାଇଛି । ପୂର୍ବରୁ, ଏହି ନିୟମ ଅନ୍ତର୍ଗତ ନିୟମ ଉଲଙ୍ଘନର ତୀବ୍ରତା ନିର୍ବିଶେଷରେ ପ୍ରତି ଏବଂ ସମସ୍ତ ନିୟମର ଉଲଂଘନ ପାଇଁ 2 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବା ଉଭୟର ବ୍ୟବସ୍ଥା ରହିଥିଲା । ଏହି ନିୟମରେ ସଂଶୋଧନ ପ୍ରକାରେ ନିୟମ ଉଲଂଘନକୁ ନିମ୍ନଲିଖିତ ପ୍ରକାରେ ପ୍ରମୁଖ ଭାବରେ ଶ୍ରେଣୀବିଭକ୍ତ କରାଯାଇଛି :

କ. ଗୁରୁତର ଉଲଙ୍ଘନ : କାରାଦଣ୍ଡ, ଜରିମାନା ବା ଉଭୟ

ଖ. ସାମାନ୍ୟ ଉଲଙ୍ଘନ : ଜରିମାନାକୁ ହ୍ରାସ କରାଯାଇଛି । ଏହି ପ୍ରକାର ଉଲଙ୍ଘନ ପାଇଁ କେବଳ ଜରିମାନା ଦଣ୍ଡକୁ ନିର୍ଦ୍ଧାରିତ କରାଯାଇଛି ।

ଗ. ଅନ୍ୟ ନିୟମ ଗୁଡ଼ିକର ଉଲଙ୍ଘନକୁ ଅଣଅପରାଧୀକରଣ କରାଯାଇଛି । ଏହି ନିୟମ ଅନୁସାରେ ରିହାତିଧାରୀ ବା ଅନ୍ୟ କୌଣସି ବ୍ୟକ୍ତି ଉଲ୍ଲେଖନୀୟ ଭାବେ ଦାୟୀ ରହିବେ ନାହିଁ । ତେଣୁ 49 ଟି ନିୟମର ଉଲଙ୍ଘନକୁ ଅଣଅପରାଧୀକରଣ କରାଯାଇଛି।

ଉପରୋକ୍ତ ସଂଶୋଧନ ଗୁଡ଼ିକ ସହିତ, ମନ୍ତ୍ରଣାଳୟ ଆଉ ଦୁଇଟି ନିୟମ ଯଥା ଖଣି (କ୍ୟାପଟିଭ୍ ଉଦ୍ଦେଶ୍ୟ ପାଇଁ ନିଲାମ ଜରିଆରେ ବ୍ୟତୀତ ମଞ୍ଜୁର ହୋଇଥିବା ଖଣି ଲିଜର ଟ୍ରାନ୍‌ସଫର) ନିୟମ, 2016 ଓ ଖଣି (ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ), ନିୟମ, 2015 କୁ ବାତିଲ୍ କରିଛନ୍ତି। ଏମଏମଡିଆର ଅଧିନିୟମ ଓ ଏମସିଆର, 2016 ସଂଶୋଧନ ପ୍ରକାରେ ଏହି ନିୟମ ଗୁଡ଼ିକ ପୁରାତନ ହୋଇସାରିଛି।

ସଂଶୋଧନ ନିୟମର ବିଜ୍ଞପ୍ତିକୁ ଖଣି ମନ୍ତ୍ରଣାଳୟର ୱେବସାଇଟ୍ (www.mines.gov.in) ରେ ପ୍ରଦାନ କରାଯାଇଛି।

 

BS



(Release ID: 1770320) Visitor Counter : 199