ସଂସ୍କୃତି ମନ୍ତ୍ରଣାଳୟ

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଲାଗି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ତିନୋଟି ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ


କଳା, ସଂସ୍କୃତି, ସଙ୍ଗୀତ ଓ ଗୀତର ରଙ୍ଗରେ ଆଜାଦୀ କା ଅମୃତ ମହୋତ୍ସବ ପରିପୂର୍ଣ୍ଣ ହେବା ଉଚିତ୍ : ପ୍ରଧାନମନ୍ତ୍ରୀ

Posted On: 31 OCT 2021 6:05PM by PIB Bhubaneshwar

ପ୍ରମୁଖ ବୈଶିଷ୍ଟ:

 

  • ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ତହସିଲ/ବ୍ଲକ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଦେଶଭକ୍ତି ଗୀତ ରଚନା, ରଙ୍ଗୋଲି ପ୍ରସ୍ତୁତି ଏବଂ ଲୋରି ରଚନା ପ୍ରତିଯୋଗିତା ଆୟୋଜନ କରାଯାଉଛି
  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଅକ୍ଟୋବର ୨୦୨୧ର ମନ କୀ ବାତ୍ କାର୍ଯ୍ୟକ୍ରମରେ ଏହି ପ୍ରୟାସ ସମ୍ପର୍କରେ ଘୋଷଣା କରିଥିଲେ; ଜନସାଧାରଣଙ୍କ ଅଂଶଗ୍ରହଣ ନିମନ୍ତେ ଜାତୀୟ ଏକତା ଦିବସ ୩୧ ଅକ୍ଟୋବର ୨୦୨୧ ଉପଲକ୍ଷେ ଏଥିପାଇଁ ନାମାଙ୍କନ ଆରମ୍ଭ ହୋଇଛି; ସୋସିଆଲ ମିଡିଆରେ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରିଛନ୍ତି
  • ଦେଶ ସ୍ୱାଧୀନତାର ୭୫ତମ ବର୍ଷକୁ ପାଳନ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ଅଭିନବ ଯୋଜନା ଆରମ୍ଭ କରାଯାଇଛି

 

ଦେଶ ସ୍ୱାଧୀନ ହେବାର ୭୫ତମ ବର୍ଷରେ ଆମେ ପଦାର୍ପଣ କରିଛୁ। ଗତ ୭୫ ବର୍ଷ ଧରି ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ଏହାକୁ ପାଳନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଆୟୋଜନ କରାଯାଉଛି। ଏହି ମହୋତ୍ସବ ଭାରତର ସେହି ମହାପୁରୁଷମାନଙ୍କ ପ୍ରତି ସମର୍ପିତ ଯେଉଁମାନେ କେବଳ ଦେଶକୁ ଏତେ ଦୂର ପର୍ଯ୍ୟନ୍ତ ଆଣିନାହାନ୍ତି ବରଂ ଏହି ଜୟ ଯାତ୍ରାରେ ଭାରତର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ପରିଚୟ ପାଲଟିଛନ୍ତି।




ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଅକ୍ଟୋବର ୨୦୨୧ରେ ନିଜର ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଘୋଷଣା କରିଥିଲେ।  ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କଳା, ସଂସ୍କୃତି, ସଙ୍ଗୀତ ଏବଂ ଗୀତର ରଙ୍ଗରେ ଆଜାଦୀ କା ଅମୃତ ମହୋତ୍ସବ ରଙ୍ଗୀନ ହେବା ଆବଶ୍ୟକ।” ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଆଖି ଆଗରେ ରଖି ତିନୋଟି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଯୋଜନା କରାଯାଇଛି। ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ସାମିଲ କରାଯିବ। ଦେଶଭକ୍ତି ଗୀତ ରଚନା, ଲୋରି ରଚନା, ରଙ୍ଗୋଲି ତିଆରି କରିବା ଆଦି ପ୍ରତିଯୋଗିତା ଏହି ଅବସରରେ ଆୟୋଜନ କରାଯିବ।

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ୟୁନିଟୀ ଇନ୍ କ୍ରିଏଟିଭିଟି’ ପ୍ରତିଯୋଗିତା ନାମରେ ଉପରୋକ୍ତ ତିନୋଟି କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ତହସିଲ/ବ୍ଲକ୍ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରରେ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ବିସ୍ତୃତ ମାର୍ଗଦର୍ଶିକା “ଆଜାଦୀ କା ଅମୃତ ମହୋତ୍ସବ” (ଏକେଏଏମ) ୱେବସାଇଟ୍ amritmahotsav.nic.in ରେ ଉପଲବ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଡିଜିଟାଲ ମାଧ୍ୟମରେ ଏହି ପ୍ରତିଯୋଗିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଭାରତରତ୍ନ ଲତା ମଙ୍ଗେସକର ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର ରେହମାନ ଲୋରି ରଚନା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ସମେତ ପତ୍ର ସୂଚନା କାର୍ଯ୍ୟାଳୟ, ଅଲ୍ ଇଣ୍ଡିଆ ରେଡିଓ, ବ୍ୟୁରୋ ଅଫ ଆଉଟରିଚ୍ ଏଣ୍ଡ କମ୍ୟୁନିକେସନ, ଆଦି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ମାଇଁଗଭ ପକ୍ଷରୁ ମଧ୍ୟ ଏହି ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରସାର କରାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏହାର ମନ୍ତ୍ରୀଗଣ ତଥା ସାଧାରଣ ନାଗରିକମାନେ ମଧ୍ୟ ପ୍ରତିଯୋଗିତା ସମ୍ପର୍କରେ ପ୍ରଚାର କରିଛନ୍ତି।

ଦୁଇ ମାସ ଧରି ଏହି ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ବିଜେତାମାନଙ୍କୁ ବଡ଼ ଆକାରରେ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି।  କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି କିଷନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ଆମ ସ୍ୱାଧୀନତାର ୭୫ତମ ବର୍ଷ ଜନସାଧାରଣଙ୍କ ଭାଗିଦାରୀ ଜରିଆରେ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏହି ଆହ୍ୱାନ କରିଛନ୍ତି।  ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ସହିତ କାର୍ଯ୍ୟ କରୁଛି। ଏହି ସମାରୋହକୁ ଭବ୍ୟ ଆକାରରେ ଆୟୋଜନ କରିବା ଲାଗି ତୃଣମୂଳ ସ୍ତରରେ ବିଭିନ୍ନ ସମୁଦାୟ ସହ ମିଶି ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।

 

********

P.S.

 



(Release ID: 1768260) Visitor Counter : 342


Read this release in: English , Marathi , Hindi , Bengali