କୋଇଲା ମନ୍ତ୍ରଣାଳୟ
ପିପିଟି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ
କୋଇଲା ହବ୍ ରୂପରେ ପାରାଦୀପ ବନ୍ଦରର ବ୍ୟବହାର ଉପରେ ଶ୍ରୀ ଯୋଶୀଙ୍କ ଗୁରୁତ୍ବ
ଶ୍ରମିକ ଗୌରବ ଜଳ ଉଦ୍ୟାନର କଲେ ଶିଳାନ୍ୟାସ, କହିଲେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ ହେବାର ସମ୍ଭାବନା ରହିଛି
Posted On:
28 OCT 2021 5:46PM by PIB Bhubaneshwar
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଏବଂ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଶ୍ରୀ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ଏହି ସମୀକ୍ଷା କରିଥିଲେ।
ଶ୍ରୀ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆରମ୍ଭରୁ ସେ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ। ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦରକୁ କୋଇଲା ହବ୍ ରୂପରେ ବ୍ୟବହାର କରିବା ଲାଗି ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଶ୍ରୀ ଯୋଶୀ ମଧ୍ୟ ପାରାଦୀପ ବନ୍ଦର ନିକଟରେ ଥିବା ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଥିଲେ, ଏଠାରେ ଓ୍ବାଗନ-ଟିପଲର୍ସ ସହାୟତାରେ କୋଇଲା ଅନଲୋଡ୍ କରାଯାଇଥାଏ। ମନ୍ତ୍ରୀ କହିଥିଲେ ଯେ, ଏହି ଅନଲୋଡ୍ ବ୍ୟବସ୍ଥା ବେଶ ଦକ୍ଷ। ଏହା ସମୟ ଏବଂ ବିଳମ୍ବଜନିତ ଖର୍ଚ୍ଚ ହ୍ରାସ କରିବା ସହିତ କୋଇଲା ଧୂଳି ଉଡ଼ିବା ପରିମାଣ କମାଇଥାଏ।
ଏହାପରେ କୋଇଲା ମନ୍ତ୍ରୀ ଏମସିଏଲର ହିଙ୍ଗୁଳା କ୍ଷେତ୍ରରେ ଥିବା ବଳରାମ ଓପନକାଷ୍ଟ ଖଣି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, “ବାର୍ଷିକ ୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି କୋଇଲା ଖଣିର ବିସ୍ଫୋରଣ କାମରେ କେବଳ ମହିଳାମାନେ ନିୟୋଜିତ ହୋଇଛନ୍ତି। ସେ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ କୋଇଲା ଉତ୍ପାଦନ ଏବଂ ପ୍ରେରଣ ନିମନ୍ତେ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ।
ଶ୍ରୀ ଯୋଶୀ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟରେ ଶ୍ରମିକ ଗୌରବ ଜଳ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏକ କୋଇଲା ଖଣି ଜମିର ପୁନରୁଦ୍ଧାର କରାଯାଇ ଏକ ସୁନ୍ଦର ହ୍ରଦ ପାର୍ଶ୍ବରେ ପ୍ରତିଷ୍ଠା ହେବାକୁ ଥିବା ଏହି ଜଳ ଉଦ୍ୟାନରେ ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବାର ସମ୍ଭାବନା ରହିଛି।
ସେ ମଧ୍ୟ ଏମସିଏଲର ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ। ଓ୍ବାଗନ ପରିବହନ ସମୟ ହ୍ରାସ କରିବା ଉପରେ ମନ୍ତ୍ରୀ ଜୋର ଦେଇଥିଲେ। କୋଇଲା ପ୍ରେରଣ ବୃଦ୍ଧି କରିବା ସଂକ୍ରାନ୍ତରେ ସେ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳସାଇଡିଂ ନିକଟରେ ପେଲୋଡର ଅପରେଟର ମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର କଠିନ କାମ ଲାଗି ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ କୋଇଲା ଲୋଡିଂ ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।
*********
P.S.
(Release ID: 1767359)