କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
azadi ka amrit mahotsav

ଇଣ୍ଡିଆ ସ୍କିଲ୍ସ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନ


୨୩ଟି ସ୍ୱର୍ଣ୍ଣ ଓ ୨୦ଟି ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପ୍ରତିଯୋଗୀ

୯୮ ଜଣ ପଦକ ବିଜେତାଙ୍କୁ ପୁରସ୍କୃତ କଲେ ବିହାର ରାଜ୍ୟପାଳ

ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିବ ଇଣ୍ଡିଆ ସ୍କିଲ୍ସ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ

ପୋଷ୍ଟ କରାଯିବା ଦିନାଙ୍କ: 23 OCT 2021 8:05PM by PIB Bhubaneswar

ଇଣ୍ଡିଆ ସ୍କିଲ୍ସ ୨୦୨୧ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛି। ଏହି କୌଶଳ ପ୍ରଦର୍ଶନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ମୋଟ୍ ୨୩ଟି ସ୍ୱର୍ଣ୍ଣ ଏବଂ ୨୦ଟି ରୌପ୍ୟ ପଦକ ହାସଲ କରିଥିଲେ। ପୂର୍ବାଞ୍ଚଳର ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ବିହାର ରାଜ୍ୟପାଳ ଶ୍ରୀ ଫଗୁ ଚୌହାନ ଆଜି ଇଣ୍ଡିଆ ସ୍କିଲ୍ସ ୨୦୨୧ ଆଞ୍ଚଳିକ ପ୍ରତିଯୋଗିତାର ୯୮ ଜଣ ପଦକ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ପାଟନା ସ୍ଥିତ ବାପୁ ସଭାଘର ପରିସରରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସ୍ୱର୍ଣ୍ଣ ପଦକ ବିଜେତାମାନଙ୍କୁ ୨୧,୦୦୦ ହଜାର ଟଙ୍କା ଏବଂ ରୌପ୍ୟ ପଦକ ବିଜେତାମାନଙ୍କୁ ୧୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପୂର୍ବାଞ୍ଚଳରୁ ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ, ଆସାମ, ବିହାର, ଝାଡ଼ଖଣ୍ଡ, ମିଜୋରାମ, ତ୍ରିପୁରା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ । ଉଭୟ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ତାଲିକାରେ ଓଡ଼ିଶାର ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ଏହି ଆଞ୍ଚଳିକ ପ୍ରତିଯୋଗିତାର 98 ଜଣ ବିଜେତା ଡିସେମ୍ବର ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱ କୌଶଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ବିଶ୍ୱ କୌଶଳ ପ୍ରତିଯୋଗିତା ଅକ୍ଟୋବର ୨୦୨୨ରେ ଚୀନର ଶାଙ୍ଘାଇ ଠାରେ ଅନୁଷ୍ଠିତ ହେବ ।

ପୂର୍ବାଞ୍ଚଳ ପ୍ରତିଯୋଗିତାର ଫାଇନାଲରେ ବିହାର ରାଜ୍ୟପାଳଙ୍କ ସମେତ ବିହାର ସରକାରଙ୍କ ଶ୍ରମ ସମ୍ବଳ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଜୀବେଶ କୁମାର, ବିହାର ସଡ଼କ ନିର୍ମାଣ ବିଭାଗ ମନ୍ତ୍ରୀ ନୀତିନ ନବୀନ, ଭାରତ ସରକାରଙ୍କ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅତୁଲ ତିୱାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ମୋଟ ୪୨ଟି କୌଶଳ ପ୍ରତିଯୋଗିତାରେ ୨୪୦ରୁ ଅଧିକ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରୋଷେଇ, ରେଷ୍ଟୁରାଣ୍ଟ ସର୍ଭିସ, କନଫେକ୍ସନରୀ/ପ୍ୟାଷ୍ଟ୍ରୀ କୁକ, ବ୍ୟୁଟୀ ଥେରାପୀ, ହେୟାର ଡ୍ରେସିଂ, ମେକାନିକାଲ ଇଞ୍ଜିନିୟରିଂ ଡିଜାଇନ (ସିଏଡି), ୱେବ ଡିଜାଇନ, ଇଲେକ୍ଟ୍ରୋନିକ୍ସ, ଆଇଟି ସଫ୍ଟୱେର ସଲ୍ୟୁସନ୍ସ, ଗ୍ରାଫିକ ଡିଜାଇନ ଟେକ୍ନୋଲୋଜି, ମୋବାଇଲ ରୋବୋଟିକ୍ସ ଆଦି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତା ଅକ୍ଟୋବର ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।

ପରବର୍ତ୍ତୀ ଆଞ୍ଚଳିକ ପ୍ରତିଯୋଗିତା ପଶ୍ଚିମାଞ୍ଚଳ ପାଇଁ ଗୁଜରାଟର ଗାନ୍ଧୀନଗର ଠାରେ, ଦକ୍ଷିଣାଞ୍ଚଳ ପାଇଁ ବିଶାଖାପାଟଣାରେ ଏବଂ ଉତ୍ତରାଞ୍ଚଳ ପାଇଁ ଚଣ୍ଡିଗଡ଼ ଠାରେ ଅନୁଷ୍ଠିତ ହେବ । ଜାତୀୟ କୌଶଳ ପ୍ରତିଯୋଗିତା ଡିସେମ୍ବର ୨୦୨୧ରେ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେବ। ଇଣ୍ଡିଆ ସ୍କିଲ୍ସ ଜାତୀୟ ପ୍ରତିଯୋଗିତାର ବିଜେତାମାନେ ଅକ୍ଟୋବର ୨୦୨୨ରେ ଚୀନର ଶାଙ୍ଘାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବା ଲାଗି ସୁଯୋଗ ପାଇବେ ।

ଏଥିପୂର୍ବରୁ ମୋଟ ୨ ଲକ୍ଷ ୫୦ ହଜାର ପ୍ରତିଯୋଗୀଙ୍କ ପଞ୍ଜୀକରଣ ସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ଇଣ୍ଡିଆସ୍କିଲ୍ସ ୨୦୨୧ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହା ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଇଣ୍ଡିଆ ସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତାରେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମିଶାଇ ୫ଟି କ୍ଷେତ୍ରରୁ ୧,୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରକଳ୍ପ ଆଧାରିତ ପ୍ରଶିକ୍ଷଣ, ଶିଳ୍ପ ଏବଂ କର୍ପୋରେଟ ପ୍ରଶିକ୍ଷଣ, ଶିଳ୍ପ ସଂସ୍ଥାକୁ ଅଭିଜ୍ଞତା ହାସଲ ପାଇଁ ପରିଦର୍ଶନ, ମାନସିକ ପ୍ରଶିକ୍ଷଣ ଏବଂ ବ୍ୟକ୍ତିତ୍ୱ ବିକାଶ ଆଦି ବୁଟ୍ କ୍ୟାମ୍ପ ଓ କାର୍ଯ୍ୟକ୍ରମ ଜରିଆରେ ପ୍ରତିଯୋଗୀମାନଙ୍କୁ ବହୁସ୍ତରୀୟ ଉଦ୍ୟୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସେକ୍ଟର ସ୍କିଲ୍ କାଉନସିଲ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ମାଧ୍ୟମରେ ଏନଏସଡିସି ପକ୍ଷରୁ ପ୍ରାର୍ଥୀମାନଙ୍କୁ କେବଳ ଏହି ପ୍ରତିଯୋଗିତା ପାଇଁ ନୁହେଁ ବରଂ ଭବିଷ୍ୟତ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାଫଳରେ ସେମାନେ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରିବା ଲାଗି ଯୋଗ୍ୟ ହୋଇପାରିଛନ୍ତି ।

ବିଶ୍ୱ ସ୍କିଲ୍ସ ପ୍ରତିଯୋଗିତାରେ ୮୦ଟି ରାଷ୍ଟ୍ରର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥାନ୍ତି । ରୁଷର କାଜାନ୍ ଠାରେ ଅନୁଷ୍ଠିତ ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ୬୩ଟି ଦେଶ ମଧ୍ୟରେ ୧୩ତମ ସ୍ଥାନ ହାସଲ କରିଥିଲା । ପ୍ରତିଯୋଗିତାରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୫ଟି ମେଡାଲିଅନ ସହିତ ଚାରିଟି ପଦକ ହାସଲ କରିବାରେ ସକ୍ଷମ ହୋଇଥିଲା।

 

*******

P.S.


 


(ରିଲିଜ ଆଡି: 1766029) ପରିଦର୍ଶକ କାଉଣ୍ଟର : 253
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Punjabi