ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
Posted On:
22 SEP 2021 10:28AM by PIB Bhubaneshwar
ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।
ନିଜର ଏହି ଗସ୍ତ ଅବସରରେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତା ଓ ଆପୋସ ହିତ ସହ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବି । ନିଜର ଏହି ଗସ୍ତ ସମୟରେ ମୁଁ ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ସାକ୍ଷାତକୁ ନେଇ ଅତ୍ୟନ୍ତ ଉତ୍ସୁକ ଅଛି ଏବଂ ଏହି ଅବସରରେ ଉଭୟ ଦେଶ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ କଥାବାର୍ତ୍ତା କରିବି ।
ମୁଁ ରାଷ୍ଟ୍ରପତି ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ବ୍ୟକ୍ତିଗତ ପ୍ରଥମ କ୍ୱାଡ ନେତା ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବି । ଏହି ସମ୍ମିଳନୀ ଚଳିତବର୍ଷ ମାର୍ଚ୍ଚରେ ଆମ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ଶିଖର ସମ୍ମିଳନୀର ନିର୍ଯାସଗୁଡ଼ିକର ପ୍ରଗତି ସଂକ୍ରାନ୍ତରେ ବିଚାରବିମର୍ଶ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ନିମନ୍ତେ ଆମର ମିଳିତ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ କାର୍ଯ୍ୟକଳାପର ପ୍ରାଥମିକତାଗୁଡ଼ିକୁ ରେଖାଙ୍କିତ ପାଇଁ ସୁଯୋଗ ପ୍ରଦାନ କରିବ ।
ମୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ସାକ୍ଷାତ କରିବି । ଏହି ଅବସରରେ ସେମାନଙ୍କ ଦେଶଗୁଡ଼ିକ ସହ ମଜଭୁତ ଦ୍ୱିପାକ୍ଷିକ ସମ୍ପର୍କ ବାବଦରେ ତଥା ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ସହ ଜଡ଼ିତ ଉପଯୋଗୀ ବିଷୟ ଉପରେ ବିଚାର ଆଦାନ ପ୍ରଦାନ କରାଯିବ ।
ଜାତିସଂଘ ମହା ସମ୍ମିଳନୀରେ ଉଦବୋଧନ ଦେଇ ମୁଁ ନିଜ ଗସ୍ତର ସମାପନ କରିବି ଏବଂ ସେଠାରେ ମୁଁ କୋଭିଡ-୧୯ ମହାମାରୀ, ଆତଙ୍କବାଦ ମୁକାବିଲାର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭଳି ବିଭିନ୍ନ ଅନ୍ତର୍ଜାତୀୟ ଆହ୍ୱାନଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବି ।
ମୋର ଆମେରିକା ଗସ୍ତ ଆମେରିକା ସହ ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତାକୁ ମଜଭୁତ କରିବା ତଥା ଆମର ରଣନୀତିକ ସହଯୋଗୀ- ଜାପାନ ଓ ଅଷ୍ଟ୍ରେଲିଆ ସହ ସମ୍ପର୍କକୁ ସୁଦୃଢ଼ କରିବା ନେଇ ସୁଯୋଗ ପ୍ରଦାନ କରିବ ଏବଂ ମହତ୍ତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆମ ସହଯୋଗକୁ ଆଗେଇ ନେବ ।
SR
(Release ID: 1756969)
Visitor Counter : 446
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam