ରାଷ୍ଟ୍ରପତିଙ୍କ ସଚିବାଳୟ

ଛାତ୍ରମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶର ସମନ୍ୱୟ ଘଟାଇବା ଦାୟିତ୍ୱ ଶିକ୍ଷକ ସମାଜର; ଜଣେ ଉତ୍ତମ ଶିକ୍ଷକ ହେଉଛନ୍ତି ବ୍ୟକ୍ତିତ୍ୱ ଗଠନର ପ୍ରକୃତ ନିର୍ମାତା, ଜଣେ ସମାଜ ନିର୍ମାତା ଏବଂ ଜଣେ ରାଷ୍ଟ୍ର ନିର୍ମାତା: ରାଷ୍ଟ୍ରପତି କୋବିନ୍ଦ

ଶିକ୍ଷକମାନଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

Posted On: 05 SEP 2021 12:02PM by PIB Bhubaneshwar

ଛାତ୍ରମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶର ସମନ୍ୱୟ ଘଟାଇବା ଦାୟିତ୍ୱ ଶିକ୍ଷକ ସମାଜର; ଜଣେ ଉତ୍ତମ ଶିକ୍ଷକ ହେଉଛନ୍ତି ବ୍ୟକ୍ତିତ୍ୱ ଗଠନର ପ୍ରକୃତ ନିର୍ମାତା, ଜଣେ ସମାଜ ନିର୍ମାତା ଏବଂ ଜଣେ ରାଷ୍ଟ୍ର ନିର୍ମାତା ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମତ ପୋଷଣ କରିଛନ୍ତି । ଆଜି (ସେପ୍ଟେମ୍ବର ୫,୨୦୨୧ ଗୁରୁ ଦିବସ ଅବସରରେ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ଉତ୍ସବରେ ଭର୍ଚୁଆଲ ମୋଡ଼ରେ ଦେଶର ୪୪ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିବା ବେଳେ ସେ ଏହି ମତ ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଉଥିବା ସମସ୍ତ ଶିକ୍ଷକମାନଙ୍କୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ଓ ସେମାନଙ୍କ ବିଶେଷ ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଲେ ଯେ କେବଳ ଉତ୍ତମ ଭାବେ ପ୍ରଶିକ୍ଷିତ ତଥା ଉତ୍ସର୍ଗୀକୃତ ଶିକ୍ଷକମାନଙ୍କ ହାତରେ ହିଁ ଆମମାନଙ୍କ ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିପାରିବେ ଏବଂ ସେମାନଙ୍କୁ ସୁଦୃଢ଼ କରାଯାଇପାରିବ । ଲୋକମାନେ ସେମାନଙ୍କର ଶିକ୍ଷକମାନଙ୍କୁ ହିଁ ସାରା ଜୀବନ ସ୍ମରଣ ରଖିଥାନ୍ତି । ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ସେହିଭଳି ଶ୍ରଦ୍ଧା ରଖିଥାନ୍ତି, ତେଣୁ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସାରା ଜୀବନ ଶ୍ରଦ୍ଧା କରିଥାନ୍ତି ।

ରାଷ୍ଟ୍ରପତି ଦେଶର ଶିକ୍ଷକମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ନିଜର ଛାତ୍ରଛାତ୍ରୀମାନଙ୍କୁ ଏଭଳି ସଦାବେଳେ ପ୍ରଭାବିତ କରନ୍ତୁ ଯଦ୍ୱାରା ସେମାନେ ଶିଷ୍ୟମାନେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ପରିକଳ୍ପନା କରିପାରିବେ ଏବଂ ସେମାନଙ୍କର ଆଶା ଆକାଂକ୍ଷାକୁ ସାକାର କରିପାରିବେ । ରାଷ୍ଟ୍ରପତି କହିଲେ ଯେ ପ୍ରତ୍ୟେକ ଶିକ୍ଷକଙ୍କର ଏହା ଦାୟିତ୍ୱ ଯେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଧ୍ୟୟନ ନିମନ୍ତେ ଅନୁପ୍ରାଣୀତ କରନ୍ତୁ । ସଂବେଦନୀ ଶିକ୍ଷକମାନଙ୍କ ଏଭଳି ଆଚରଣ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ି ହୋଇପାରିବ । ସେ କହିଲେ ଯେ ସେମାନେ ଏକଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଯେ ପ୍ରତ୍ୟେକ ଛାତ୍ରଙ୍କ ଭିତରେ ନିହିତ ଥିବା ଭିନ୍ନ ଭିନ୍ନ ସାମର୍ଥ୍ୟ, ପ୍ରଜ୍ଞା, ମାନସିକତାକୁ ସାମାଜିକ ପୃଷ୍ଠଭୂମି ତଥା ପରିବେଶ ଦୃଷ୍ଟିରୁ କିଭଳି ଭାବେ ଉପଯୋଗୀ କରାଯାଇପାରିବ । ତଦ୍ୱାରା ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ଘଟିପାରିବ ଏବଂ ସେମାନଙ୍କର ବିଶେଷ ଆବଶ୍ୟକତା, ସ୍ୱାର୍ଥ ଓ ସାମର୍ଥ୍ୟ ପ୍ରତି ଦୃଷ୍ଟି ପ୍ରଦାନ କରାଯାଇପାରିବ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଯେ ଗତ ପ୍ରାୟ ଦେଢ଼ ବର୍ଷ ଧରି ସମଗ୍ର ବିଶ୍ୱ ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇରହିଛି ଏବଂ ତାହା ଏକ ସମସ୍ୟା ରୂପେ ଦେଖାଦେଇଛି । ଏହି ପରିସ୍ଥିତିରେ ଯେତେବେଳେ କି ସମସ୍ତ ସ୍କୁଲ ଓ କଲେଜ ବନ୍ଦ୍ ରହିଛି, ଶିକ୍ଷକମାନଙ୍କୁ ନିଜର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଦାନର ସୁଯୋଗ କିଭଳି ଯୋଗାଇ ଦିଆଯାଇପାରିବ ତାହା ସେମାନେ ଚିନ୍ତା କରିବା ଉଚିତ । ଏଥିପାଇଁ ଶିକ୍ଷକମାନଙ୍କୁ ଡିଜିଟାଲ ପ୍ଲାଟଫର୍ମକୁ ଖୁବ୍ କମ୍ ସମୟରେ ଓହ୍ଲେଇବାକୁ ପଡ଼ିଥିଲା ଓ ସେମାନେ ଏହି ମାଧ୍ୟମରେ ଶିକ୍ଷାଦାନ ପଦ୍ଧତି ଶିକ୍ଷା କରିଥିଲେ ଯାହାକି ବେଶ୍ ଉଲ୍ଲେଖନୀୟ । ବିଦ୍ୟାଳୟମାନଙ୍କରେ ଏବେ ସେହିଭଳି ବିଶେଷ ସଂସାଧନର ବିକାଶ ଘଟାଯାଇଛି ଏବଂ ଏହା ପଛରେ ଶିକ୍ଷକମାନଙ୍କର କଠିନ ଶ୍ରମ ଓ ନିଷ୍ଠ ନିହିତ ରହିଛି ବୋଲି ରାଷ୍ଟ୍ରପତ କହିଥିଲେ । ସେଥିପାଇଁ ସେ ଶିକ୍ଷକମାନଙ୍କ କର୍ମନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଶା ପୋଷଣ କରି କହିଥିଲେ ଯେ ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶ ସହିତ ଖାପ ଖୁଆଇ ସେମାନଙ୍କୁ ଶିକ୍ଷାଦାନର ପଦ୍ଧତିରେ ପରିବର୍ତ୍ତନ ଘଟାଇବା ଆବଶ୍ୟକ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଯେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି, ଗତ ବର୍ଷ ଠାରୁ ଦେଶରେ ପ୍ରବର୍ତ୍ତନ କରାଯାଇଛି ଏବଂ ଭାରତକୁ ଜ୍ଞାନର ଏକ ବୈଶ୍ୱିକ ସୁପର ପାୱାରରେ ପରିଣତ କରିବା ନିମନ୍ତେ ମହତ୍ତ୍ୱାକାୀ ଲକ୍ଷ୍ୟ ରଖାଯାଇଛି । ଆମକୁ ଆମର ଛାତ୍ରଛାତ୍ରୀମାନଙ୍କୁ ଏଭଳି ଶିକ୍ଷା ଦାନ ଦିଆଯିବା ଆବଶ୍ୟକ ଯାହା ଫଳରେ ଜ୍ଞାନ ଭିତ୍ତିକ ଏକ ଉଚିତ ସମାଜ ଗଠନ କରାଯାଇପାରିବ । ଆମର ଶିକ୍ଷା ବ୍ୟବସ୍ଥା ଏଭଳି ହେବା ଦରକାର ଯାହାକି ଛାତ୍ରଛାତ୍ରୀଙ୍କ ମନରେ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ମୌଳିକ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାର ଭାବନା ବୃଦ୍ଧି କରିବ ଏବଂ ମନରେ ଦେଶାତ୍ମବୋଧକ ଚିନ୍ତାର ବିକାଶ ଘଟାଇବ ତଥା ବୈଶ୍ୱିକ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ସେମାନଙ୍କର ଭୂମିକା କଣ ହେବା ଆବଶ୍ୟକ ସେ ସଂପର୍କରେ ସେମାନେ ସଚେତନ ହୋଇପାରିବେ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ନିଜ ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷକମାନଙ୍କୁ ଅଧିକ ସକ୍ରିୟ ଓ ସକ୍ଷମ କରିବା ସକାଶେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ସମନ୍ୱିତ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ନିଷ୍ଠାଆରମ୍ଭ କରାଯାଇଛି ଯାହା ଅଧୀନରେ ଶିକ୍ଷକମାନଙ୍କ ଅନଲାଇନ୍ ଦକ୍ଷତା ବୃଦ୍ଧିପ୍ରତି ଅଧିକ ଧ୍ୟାନ ଦିଆଯାଉଛି । ଏହା ବ୍ୟତୀତ ପ୍ରାଜ୍ଞତାଅର୍ଥାତ, ଡିଜିଟାଲ ଶିକ୍ଷା ନିମନ୍ତେ ଗାଇଡ଼ଲାଇନ ମଧ୍ୟ ଗତ ବର୍ଷ ଜାରି କରାଯାଇଥିଲା । ଏହା ବେଶ୍ ପ୍ରଶଂସନୀୟ ପଦକ୍ଷେପ ଯଦ୍ୱାରା କରୋନା ମହାମାରି ଭଳି ସଂକଟର ଘଡ଼ିରେ ସୁଦ୍ଧା ଶିକ୍ଷାଦାନର ପ୍ରକ୍ରିୟାକୁ ଆଗକୁ ଆଗେଇ ନେବାରେ ସହାୟକ ହେବ । ସେ ସଂକଟ ଘଡ଼ିରେ ଏଭଳି ନୂତନ ଶିକ୍ଷାଦାନ ପଦ୍ଧତି ପ୍ରସ୍ତୁତ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସମଗ୍ର ଟିମକୁ ପ୍ରଶଂସା କରିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇତି ପୂର୍ବରୁ ସକାଳେ ରାଷ୍ଟ୍ରପତି ଭାରତର ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀମାନେ ରାଷ୍ଟ୍ରପତି ଭବନରେ ଥିବା ଡକ୍ଟର ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାନ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ ।

ରାଷ୍ଟ୍ରପତିଙ୍କ ହିନ୍ଦୀ ଅଭିଭାଷଣ ନିମନ୍ତେ ଏଠାରେ କ୍ଲିକ୍ କରନ୍ତୁ

 

*****

SS



(Release ID: 1752370) Visitor Counter : 243