ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଦେଶରେ ଗବେଷଣା ପରିବେଶକୁ ସୁଦୃଢ଼ କରିବ ଜାତୀୟ ଗବେଷଣା ପ୍ରତିଷ୍ଠାନ

• ଗବେଷଣା ଓ ବିକାଶ, ଶିକ୍ଷା କ୍ଷେତ୍ର ଏବଂ ଉଦ୍ୟୋଗ ମଧ୍ୟରେ ସମନ୍ବୟ ପାଇଁ ପରିକଳ୍ପନା କରିଛି ଏନଆରଏଫ
• ଏନଇପି-2020 ଅନ୍ତର୍ଗତ ଶିକ୍ଷା, ଗବେଷଣା ଏବଂ କୌଶଳ ବିକାଶରେ ଆଞ୍ଚଳିକ ଭାଷାଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହନ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର

Posted On: 26 JUL 2021 1:23PM by PIB Bhubaneshwar

ସରକାର ଦେଶରେ ଗବେଷଣା ପରିବେଶକୁ ସୁଦୃଢ଼ କରିବା ଲାଗି ଏକ ଜାତୀୟ ଗବେଷଣା ପ୍ରତିଷ୍ଠାନ (ଏନଆରଏଫ) ଗଠନ କରିବା ଲାଗି ପ୍ରସ୍ତାବ ରଖିଛନ୍ତି। ଏନଆରଏଫର ପରିକଳ୍ପନା ଏକ ବ୍ୟାପକ ଢାଞ୍ଚା ଆକାରରେ କରାଯାଉଛି, ଯାହା ଗବେଷଣା ଓ ବିକାଶ, ଶିକ୍ଷା କ୍ଷେତ୍ର ଏବଂ ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିବ। ଜାତୀୟ ଗବେଷଣା ପ୍ରତିଷ୍ଠାନ ପାଇଁ 5 ବର୍ଷର ଅବଧି ଲାଗି ମୋଟ 50,000 କୋଟି ଟଙ୍କା ବ୍ୟୟ କରାଯିବା ଲାଗି ପ୍ରସ୍ତାବ ରହିଛି ବୋଲି ଆଜି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇ କହିଛନ୍ତି ଯେ, ଏନଆରଏଫର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି, ବିଶେଷ କରି ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ଗବେଷଣାକୁ ପ୍ରୋତ୍ସାହନ ଦେବା। ଯେଉଁସବୁ ଶିକ୍ଷାନୁଷ୍ଠାନରେ ବର୍ତ୍ତମାନର ଗବେଷଣା କ୍ଷମତା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି, ଏନଆରଏଫ ଅଧୀନରେ ସେଠାରେ ଆବଶ୍ୟକ ସୁବିଧା ବିକଶିତ ଏବଂ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହା ଉଚ୍ଚ ପ୍ରଭାବ, ବ୍ୟାପକ ସ୍ତର, ବହୁ-ଅନ୍ବେଷକ, ବହୁସଂସ୍ଥାନ ବିଶିଷ୍ଟ ହେବ। କେତେକ କ୍ଷେତ୍ରରେ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା, ବିଶେଷ କରି ଉଦ୍ୟୋଗଗୁଡ଼ିକର ସହଯୋଗ ମାଧ୍ୟମରେ ଆନ୍ତଃବିଷୟୀ କିମ୍ବା ବହୁରାଷ୍ଟ୍ରୀୟ ପ୍ରକଳ୍ପ ନିମନ୍ତେ ଅର୍ଥ ଯୋଗାଣ ଏବଂ ସହାୟତା କରିବ।

ସରକାର 34 ବର୍ଷ ବ୍ୟବଧାନ ପରେ 29.07.2020ରେ ଜାତୀୟ ଶିକ୍ଷା ନୀତି, 2020 (ଏନଇପି)ର ଘୋଷଣା କରିଥିଲେ। ଏହି ନୀତିରେ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ନିମନ୍ତେ ପରିକଳ୍ପନା କରାଯାଇଛି। ଏହି ନୀତିରେ ରହିଥିବା ପ୍ରମୁଖ ସୁପାରିସଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଏବଂ ସେଗୁଡ଼ିକୁ ଅଧିକରୁ ଅଧିକ ମାତ୍ରାରେ ଉପଯୋଗ କରିବା। ଏ ସମ୍ପର୍କରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଥିରେ ସାମିଲ ରହିଛି:

 

  1. ଡାକ୍ତରୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା- ନିଟ୍ ପୂର୍ବରୁ 11ଟି ଭାଷାରେ କରାଯାଉଥିବା ବେଳେ ବର୍ତ୍ତମାନ ଏହା 13ଟି ଭାଷାରେ ଆୟୋଜିତ ହେବ।
  2. ଜେଇଇ (ମେନ) ପୂର୍ବରୁ ତିନୋଟି ଭାଷାରେ ହେଉଥିବା ବେଳେ ଏବେ 13ଟି ଭାଷାରେ ହେବ।
  3. ପାଇଲଟ୍ ଆଧାରରେ 2021-22 ଶିକ୍ଷା ବର୍ଷରେ କେତେକ ନିର୍ଦ୍ଦିଷ୍ଟ ଏଆଇସିଟିଇ ଅନୁମୋଦିତ ସଂସ୍ଥାନରେ 8ଟି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ ଆରମ୍ଭ ହେବ।
  4. ବିଜ୍ଞାନ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ହ୍ୟୁମାନିଟିଜ ଓ ସାମାଜିକ ବିଜ୍ଞାନ, ଆଇନ, ମ୍ୟାନେଜମେଣ୍ଟ ଆଦି ବିଷୟରେ ଅନଲାଇନ ଶିକ୍ଷାଦାନ ପ୍ରଦାନ କରୁଥିବା ସ୍ବୟଂ ପ୍ଲାଟଫର୍ମ ଅନ୍ତର୍ଗତ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ନିମନ୍ତେ ବିଷୟବସ୍ତୁର ଅନୁବାଦ କରାଯିବ।
  5. ଆଞ୍ଚଳିକ ଭାଷାରେ ପାଠ୍ୟକ୍ରମ ପରିଚାଳନା କରିବାକୁ ଚାହୁଁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ (ଆପ୍ରୁଭାଲ ପ୍ରୋସେସ ହ୍ୟାଣ୍ଡବୁକ 2021-22) ଯୋଗାଇ ଦିଆଯିବ।
  6. ଗ୍ରାମୀଣ କ୍ଷେତ୍ରରେ ଆହୁରି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦେବା ନିମନ୍ତେ ଇଂରାଜୀ ଭାଷାରେ ଅନଲାଇନ ପାଠ୍ୟକ୍ରମଗୁଡ଼ିକୁ ହିନ୍ଦୀ, ବଙ୍ଗଳା, ମରାଠୀ, ତେଲୁଗୁ, ତାମିଲ, ଗୁଜରାଟୀ, କନ୍ନଡ଼, ମାଲାୟଲମ, ପଞ୍ଜାବୀ, ପଞ୍ଜାବୀ, ଅହମୀୟା ଏବଂ ଓଡ଼ିଆ ଭଳି 11ଟି ଭିନ୍ନ ଭିନ୍ନ ଭାଷାରେ ଅନୁବାଦ କରିବା ଲାଗି ‘ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍’ ବ୍ୟବସ୍ଥା କରାଯାଇଛି।
  7. ହିନ୍ଦୀ ଭାଷାରେ 1000 ପୁସ୍ତକ ପ୍ରକାଶିତ କରିବା ଲାଗି ହରିୟାଣା ସରକାର ଏବଂ ଏଆଇସିଟିଇ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ।
  8. ପ୍ରଥମ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମର ଏକ ବାଧ୍ୟତାମୂଳକ ବିଭାଗ ଷ୍ଟୁଡେଣ୍ଟ ଇଣ୍ଡକ୍ସସନ ପ୍ରୋଗ୍ରାମ (ଏଆଇପି) ଏବେ ଆଞ୍ଚଳିକ ଭାଷାରେ ଯୋଗାଇ ଦିଆଯାଉଛି।

 

*********

 

P.S



(Release ID: 1739264) Visitor Counter : 185