ବୟନ ଶିଳ୍ପ ମନ୍ତ୍ରଣାଳୟ

ପରିଧାନ/ବସ୍ତ୍ର ଓ ମେଡ୍‌-ଅପ୍ସର ରପ୍ତାନି ଉପରେ ରାଜ୍ୟ ଓ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କ (ଆରଓଏସସିଟିଏଲ) ରିହାତିକୁ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

• ଆରଓଏସସିଟିଏଲକୁ ବର୍ତ୍ତମାନର ହାରରେ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ବୃଦ୍ଧି କରାଗଲା
• ଏକ ସ୍ଥିର ଓ ପୂର୍ବାନୁମାନଯୋଗ୍ୟ ନୀତି ବ୍ୟବସ୍ଥାକୁ ସୁନିଶ୍ଚିତ କରିଥାଏ
• ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ବସ୍ତ୍ର ରପ୍ତାନିକୁ ପ୍ରୋତ୍ସାହନ
• ଷ୍ଟାର୍ଟଅପ୍ସ ଓ ଉଦ୍ୟମୀଙ୍କ ଦ୍ୱାରା ରପ୍ତାନିକୁ ପ୍ରୋତ୍ସାହନ
• ଲକ୍ଷାଧିକ ଚାକିରି ସୃଷ୍ଟି ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହନ

Posted On: 14 JUL 2021 4:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରାଜ୍ୟ ଓ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କ (ଆରଓଏସସିସିଟିଏଲ)ରେ ରିହାତିକୁ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ତାରିଖ 8 ମାର୍ଚ୍ଚ, 2019ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ନିର୍ଦ୍ଧାରିତ ଦର ଅନୁଯାୟୀ ଏହି ରିହାତି ଜାରି ରଖାଯିବ। ଏହା ରପ୍ତାନି ଉତ୍ପାଦ (ଆରଓଡିଟିଇପି) ଯୋଜନା ଉପରେ ଶୁଳ୍କ ଓ ଟିକସରେ ଛାଡ଼କୁ ବାଦ୍ ଦେଇ ପରିଧାନ/ବସ୍ତ୍ର (ଅଧ୍ୟାୟ-61 ଓ 62) ଏବଂ ମେଡ୍ଅପ୍ସ (ଅଧ୍ୟାୟ-63) ପାଇଁ ଲାଗୁ ହେବ। ଏହି ଯୋଜନା 31 ମାର୍ଚ୍ଚ, 2024 ପର୍ଯ୍ୟନ୍ତ ଜାରି ରହିବ।

ଆରଓଏସସିଟିଏଲ ଅଧୀନରେ ସାମିଲ ହୋଇନଥିବା ଅନ୍ୟ ବୟନ ଉତ୍ପାଦ (ଅଧ୍ୟାୟ-61,62 ଏବଂ 63କୁ ଛାଡ଼ି)କୁ ମଧ୍ୟ ଆରଓଡିଟିଇପି ଅନ୍ତର୍ଗତ ଅନ୍ୟ ଉତ୍ପାଦଗୁଡ଼ିକ ସହିତ ଲାଭ ପ୍ରଦାନ କରାଯିବ। ବାଣିଜ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ତାରିଖରେ ଜାରି ବିଜ୍ଞପ୍ତିରେ ନିର୍ଦ୍ଧାରିତ କରାଯାଇଥିବା ଅନୁଯାୟୀ ଏହି ଲାଭ ମିଳିବ। ଏ ସଂକ୍ରାନ୍ତରେ ମଧ୍ୟ ବିଜ୍ଞପ୍ତି ଜାରି କରାଯିବ।

ପରିଧାନ/ବସ୍ତ୍ର ଏବଂ ମେଡଅପ୍ସ ଲାଗି ଆରଓଏସସିଟିଏଲକୁ ଜାରି ରଖିବା ଫଳରେ ଏହି ଉତ୍ପାଦଗୁଡ଼ିକୁ ସମସ୍ତ ଅନ୍ତର୍ନିହିତ ଟିକସ/ଶୁଳ୍କରେ ରିହାତି ଦେଇ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଏଗୁଡ଼ିକ ଅନ୍ୟ କୌଣସି ବ୍ୟବସ୍ଥାରେ ରିହାତି ପାଉନାହାନ୍ତି। ଏହା ଏକ ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ ଏବଂ ଭାରତୀୟ ବସ୍ତ୍ର ରପ୍ତାନିକାରୀମାନଙ୍କ ଲାଗି ଗୋଟିଏ ସମାନ ସ୍ତରର ବାତାବରଣ ପ୍ରଦାନ କରିବ। ଏହାବ୍ୟତୀତ ଏହା ଷ୍ଟାର୍ଟଅପ୍ସ ଏବଂ ଉଦ୍ୟୋଗୀମାନଙ୍କୁ ରପ୍ତାନି ଲାଗି ପ୍ରୋତ୍ସାହନ ଦେବା ସହିତ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ସୁନିଶ୍ଚିତ କରିବ।

ରପ୍ତାନି କରାଯାଇଥିବା ଉତ୍ପାଦ ଲାଗି ଟିକସ ରିଫଣ୍ଡ

ରପ୍ତାନିକାରୀମାନଙ୍କ ଲାଗି ଅନ୍ତର୍ଜାତୀୟ ବଜାରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ଟିକସ ଓ ଶୁଳ୍କ ଲାଗୁ କରାଯିବା ଉଚିତ୍ ନୁହେଁ, ଏହା ଏକ ବିଶ୍ୱସ୍ତରୀୟ ସିଦ୍ଧାନ୍ତ। ଏହାବ୍ୟତୀତ, ଆମଦାନୀ ଶୁଳ୍କ ଏବଂ ଜିଏସଟି ସାଧାରଣତଃ ଫେରସ୍ତ କରାଯାଇଥାଏ। କିନ୍ତୁ ଏପରି ଅନେକ ଭିନ୍ନ ଟିକସ/ଶୁଳ୍କ ରହିଛି ଯାହା କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥାଏ। କିନ୍ତୁ ଏହାକୁ ରପ୍ତାନିକାରୀମାନଙ୍କୁ ଫେରସ୍ତ କରାଯାଇନଥାଏ। ଏହି ଟିକସ ଓ ଲେଭି ରପ୍ତାନି କରାଯାଉଥିବା ଅନ୍ତିମ ଉତ୍ପାଦର ମୂଲ୍ୟରେ ସାମିଲ ହୋଇଯାଇଥାଏ। ଏପରି ସାମିଲ ହୋଇଥିବା ଟିକସ ଏବଂ ଶୁଳ୍କ ଭାରତୀୟ ପରିଧାନ ଓ ମେଡଅପ୍ସର ମୂଲ୍ୟ ବୃଦ୍ଧି ଘଟାଇଥାଏ ଏବଂ ସେଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ବଜାରରେ ପ୍ରତିଦ୍ୱନ୍ଦ୍ୱିତାକୁ କଷ୍ଟକର କରିଥାଏ

ଲେଭି ଫେରସ୍ତ କରାଯାଉନଥିବା ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିବା ଟିକସର ଅଂଶବିଶେଷ ଥିବା କେତେକ ଉପକର, ଶୁଳ୍କ, ନିମ୍ନମତେ:-

  1. ମାଲ ପରିବହନ ଲାଗି ଉପଯୋଗ କରାଯାଉଥିବା ଇନ୍ଧନ, ବିଦ୍ୟୁତ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ଟିକସ, ଶୁଳ୍କ ଓ ଉପକର
  2. ମଣ୍ଡି ଟିକସ
  3. ଉତ୍ପାଦନ ଶୃଙ୍ଖଳର ସମସ୍ତ ସ୍ତରରେ ବିଦ୍ୟୁତ ଦେୟ ଉପରେ ଲାଗୁ ଶୁଳ୍କ
  4. ଷ୍ଟାମ୍ପ ଶୁଳ୍କ
  5. କୀଟନାଶକ, ସାର ଆଦି ଭଳି ନିବେଶ ଉପରେ ଜିଏସଟିର ପରିଷୋଧ
  6. ଅଣପଞ୍ଜିକୃତ ଡିଲର ଆଦିଙ୍କ ଠାରୁ କ୍ରୟ ଉପରେ ଜିଏସଟିର ପରିଷୋଧ
  7. କୋଇଲା କିମ୍ବା ଅନ୍ୟ କୌଣସି ଉତ୍ପାଦ ଉପରେ ଉପକର

ଅନ୍ତର୍ନିହିତ କର, ଉପକର ଏବଂ ଶୁଳ୍କ ରିଫଣ୍ଡର ଗୁରୁତ୍ୱକୁ ବୁଝି, ବୟନଶିଳ୍ପ ମନ୍ତ୍ରଣାଳୟ ପ୍ରଥମ ଥର 2016ରେ ରାଜ୍ୟ ଶୁଳ୍କ ରିହାତି (ଆରଓଏସଏଲ) ନାମକ ଏକ ଯୋଜନାର ଶୁଭାରମ୍ଭ କରିଥିଲା। ଏହି ଯୋଜନାରେ ପରିଧାନ, ବସ୍ତ୍ର ଏବଂ ମେଡଅପ ରପ୍ତାନିକାରୀମାନଙ୍କୁ ବୟନଶିଳ୍ପ ମନ୍ତ୍ରଣାଳୟର ବଜେଟ୍ ମାଧ୍ୟମରେ ଅନ୍ତର୍ନିହିତ ଟିକସ ଏବଂ ଶୁଳ୍କ ଫେରାଇ ଦିଆଯାଇଥିଲା। 2019ରେ ବୟନ ଶିଳ୍ପ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କ (ଆରଓଏସସିଟିଏଲ) ରିହାତି ନାମରେ ଏକ ନୂଆ ଯୋଜନା ବିଜ୍ଞପିତ କରିଥିଲା। ଏହି ଯୋଜନା ଅନ୍ତର୍ଗତ, ରପ୍ତାନିକାରୀଙ୍କୁ ରପ୍ତାନି କରାଯାଇଥିବା ଉତ୍ପାଦରେ ସାମିଲ ଟିକସ ଓ ଲେଭି ମୂଲ୍ୟ ନିମନ୍ତେ ଏକ ଡ୍ୟୁଟି କ୍ରେଡିଟ୍ ଚିଠା ଜାରି କରାଯାଇଥାଏ। ରପ୍ତାନିକାରୀ ଏହି ଚିଠାର ଉପଯୋଗ ଉପକରଣ, ଯନ୍ତ୍ରପାତି, କିମ୍ବା ଅନ୍ୟ ସାମଗ୍ରୀ ଆମଦାନୀ ଲାଗି ମୂଳ ସୀମା ଶୁଳ୍କ ପରିଶୋଧ କରିବା ଲାଗି କରିପାରିବେ।

ଆରଓଏସସିଟିଏଲ ଆରମ୍ଭ ହେବାର ଠିକ୍ ଏକ ବର୍ଷ ପରେ ମହାମାରୀ ଆରମ୍ଭ ହୋଇଥିଲା। ତେଣୁ ରପ୍ତାନିକାରୀଙ୍କ ଲାଗି କିଛି ସ୍ଥିର ନୀତି ବ୍ୟବସ୍ଥା ପ୍ରଦାନ କରାଯିବାର ଆବଶ୍ୟକତା ଅନୁଭୂତ ହେଲା। ବୟନ ଉଦ୍ୟୋଗରେ, କ୍ରେତା ଦୀର୍ଘ ଅବଧିର ଅର୍ଡର ଦେଇଥାନ୍ତି ଏବଂ ରପ୍ତାନିକାରୀଙ୍କୁ ନିଜର ଗତିବିଧିକୁ ପୂର୍ବରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ତେଣୁ ଏସବୁ ଉତ୍ପାଦଗୁଡ଼ିକର ରପ୍ତାନି ସଂକ୍ରାନ୍ତରେ ଏକ ସ୍ଥିର ନୀତି ବ୍ୟବସ୍ଥା କରିବା ମହତ୍ୱପୂର୍ଣ୍ଣ। ଏହାକୁ ଧ୍ୟାନରେ ରଖି, ବୟନ ଶିଳ୍ପ ମନ୍ତ୍ରଣାଳୟ ଆରଓଏସସିଟିଏଲ ଯୋଜନାକୁ 31 ମାର୍ଚ୍ଚ, 2024 ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ଏକ ପୃଥକ ଯୋଜନା ରୂପରେ ଜାରି ରଖିବା ନିମନ୍ତେ ନିଷ୍ପତ୍ତି ନେଇଛି।

ଆରଓଏସସିଟିଏଲ ଯୋଜନାକୁ ଜାରି ରଖିବା ଫଳରେ ଅତିରିକ୍ତ ନିବେଶ ଉତ୍ପନ୍ନ କରିବାରେ ସହାୟତା ମିଳିପାରିବ ଏବଂ ଲକ୍ଷାଧିକ ବିଶେଷ କରି ମହିଳାମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ସୁଯୋଗ ମିଳିପାରିବ।

 

*******

P.S.



(Release ID: 1735797) Visitor Counter : 172