କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଚାକିରି ପାଇଁ ‘କମନ୍‌ ଏଲିଜିବିଲିଟି ଟେଷ୍ଟ’ ୨୦୨୨ ପ୍ରଥମ ଭାଗରେ ଦେଶବ୍ୟାପୀ ଅନୁଷ୍ଠିତ ହେବ: ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀର ‘ନର୍ଥବ୍ଲକ’ରେ ମନ୍ତ୍ରୀଙ୍କ ଦ୍ୱାରା ଆଇଏଏସ୍ ଅଧିକାରୀଙ୍କ ସିଭିଲ ଲିଷ୍ଟ-୨୦୨୧ ଇ-ବୁକ୍ ଉନ୍ମୋଚିତ

Posted On: 06 JUL 2021 5:59PM by PIB Bhubaneshwar

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ ଓ ସାଧାରଣ ଅଭିଯୋଗ, ପରମାଣୁ ଶକ୍ତି ଓ ମହାକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ତଥା ଉତର-ପୂର୍ବାଞ୍ଚଳ ବ୍ୟାପାର ବିଭାଗର ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ଏଠାରେ କହିଛନ୍ତି ଯେ ଭାରତ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଚାକିରି ପାଇଁ କମନ୍ ଏଲିଜିବିଲିଟି ଟେଷ୍ଟ (ସିଇଟି) ସମଗ୍ର ଦେଶରେ ୨୦୨୨ ମସିହାର ପ୍ରଥମଭାଗରେ ଅନୁଷ୍ଠିତ ହେବ । ବିଭିନ୍ନ କେନ୍ଦ୍ରୀୟ ଚାକିରି ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛିବା ନିମନ୍ତେ ଏହି ଯୋଗ୍ୟତା ପରୀକ୍ଷା ପରିଚାଳନା କରିବାକୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତଭାବେ ଆଗ୍ରହ ପ୍ରକାଶ କରି ଏଭଳି ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଆସନ୍ତାବର୍ଷର ଆରମ୍ଭରେ ଏହି ଯୋଗ୍ୟତା ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହେବ । ଏହା ହେବ  ଦେଶରେ ଏହି ଧରଣର ପ୍ରଥମ ପରୀକ୍ଷା । କରୋନା ମହାମାରୀ ଯୋଗୁଁ ଏହି ପରୀକ୍ଷା ପରିଚାଳନା ବିଳମ୍ବିତ ହୋଇଛି ବୋଲି ସେ କହିଛନ୍ତି ।

ଆଜି ଡକ୍ଟର ସିଂହ ନର୍ଥବ୍ଲକରେ ଆଇଏଏସ୍ ଅଧିକାରୀମାନଙ୍କର ୨୦୨୧ ସିଭିଲ ଲିଷ୍ଟର ଇ-ବୁକ ଉନ୍ମୋଚନ କରିବା ପରେ କହିଛନ୍ତି ଯେ ଯୁବ ନିଯୁକ୍ତି ପ୍ରତ୍ୟାଶୀମାନଙ୍କ ପାଇଁ ସର୍ବଭାରତୀୟସ୍ତରରେ ଏଭଳି କମନ୍ ଏଏଣ୍ଟ୍ରାନ୍ସ ଟେଷ୍ଟ ବା ଏକକ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ଏକ ଐତିହାସିକ ପଦକ୍ଷେପ । କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସମଗ୍ର ବ୍ୟବସ୍ଥାକୁ ସହଜ ଓ ସୁଗମ କରିବାକୁ ସରକାର ଏହି ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । କେନ୍ଦ୍ର ନିଯୁକ୍ତି /କାର୍ମିକ ଓ ତାଲିମ ବିଭାଗ ଏହି ସଂସ୍କାରକୁ କାର୍ଯ୍ୟକାରୀ କରୁଛି । ଏହା ଯୁବ ନିଯୁକ୍ତି ଅଶାୟୀ, ବିଶେଷକରି ଦେଶର ଅଗମ୍ୟ ଓ ଦୂରଦୂରାନ୍ତ ଅଂଚଳରେ ରହୁଥିବା ପ୍ରତ୍ୟାଶୀମାନଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ । ସେ କହିଛନ୍ତି ଯେ ଏହି ଐତିହାସିକ ସଂସ୍କାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଯୁବ ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ଆଶାୟୀଙ୍କ ପ୍ରତି ଗଭୀର ସମ୍ବୋଦନା ଓ ଦାୟିତ୍ୱବୋଧ ନିହିତ । ଦେଶର ସବୁ ଯୁବକଯୁବତୀଙ୍କୁ ନିଜର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ସମାନ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏହି ସଂସ୍କାର ଆଣିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ସଂସ୍ଥା(ଏନ୍‌ଆରଏ) ଯାହା ସିଇଟି ମାଧ୍ୟମରେ ପ୍ରାର୍ଥୀମାନଙ୍କର  ଯୋଗ୍ୟତା ନିର୍ଦ୍ଧାରଣ କରିବ, ତାହାର ଗଠନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏହି ସଂସ୍ଥା ସିଇଟି ମାଧ୍ୟମରେ ବିଭିନ୍ନ କେନ୍ଦ୍ରୀୟ ସରକାରୀ ଚାକିରି ପାଇଁ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ଭିତିରେ ବାଛି ଏକ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଦେବ । ଏବେ ସେ କାମ ବିଭିନ୍ନ ସଂସ୍ଥା ଯଥା ଷ୍ଟାଫ ସିଲେକସନ କମିଶନ, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ଏବଂ ବ୍ୟାଙ୍କିଙ୍ଗ ପର୍ସୋନେଲ ସିଲେକସନ ପ୍ରତିଷ୍ଠାନ ଦ୍ୱାରା କରାଯାଉଛି ।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଜାତୀୟ ନିଯୁକ୍ତି ସଂସ୍ଥା ଏନ୍‌ଆରଏ, ଏକ ମଲ୍ଟି ଏଜେନ୍ସି ବଡି ହେବ । ଏହା କମନ୍‌ଟେଷ୍ଟ (ଏକକ ପରୀକ୍ଷା) ମାଧ୍ୟମରେ ଆବେଦନକାରୀଙ୍କ ଯୋଗ୍ୟତା ଓ ସାମର୍ଥ୍ୟକୁ ମାପି ଗ୍ରୁପ-ବି ଓ ସି-ବର୍ଗ (ନନ୍‌ଟେକ୍ନିକାଲ)ର ଚାକିରି ପାଇଁ ପ୍ରାର୍ଥୀମାନଙ୍କର ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ । ଏହି ସଂସ୍କାରରର ଏକ ଗୁରୁତ୍ୱପୂର୍ଣ୍ଣ  ଦିଗ ହେଲା ଯେ ଦେଶର ସବୁ ଜିଲ୍ଲାରେ ଏଥିପାଇଁ ଅତିକମ୍‌ରେ ଗୋଟିଏ ପରୀକ୍ଷା କେନ୍ଦ୍ର ରହିବ । ଏହା ଫଳରେ ଦୂରଦୂରାନ୍ତ ଓ ଅଗମ୍ୟ ଅଂଚଳରେ ରହୁଥିବା ଶିକ୍ଷିତ ଯୁବବର୍ଗ ପରୀକ୍ଷା ଦେବାର ସୁବିଧା ପାଇବେ ।

ସେ କହିଛନ୍ତି ଯେ ଏହି ଐତିହାସିକ ସଂସ୍କାର ସବୁ ଯୁବବର୍ଗଙ୍କୁ ସେମାନଙ୍କ ସାମାଜିକ-ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ପରୀକ୍ଷାଦେଇ ସରକାରୀ ଚାକିରି ପାଇବାରେ ସୁଯୋଗ ଯୋଗାଇବ । ଏହାଦ୍ୱାରା ମହିଳା ଓ ଦିବ୍ୟାଙ୍ଗମାନେ ବିଶେଷ ଉପକୃତ ହେବେ, କାରଣ ସେମାନଙ୍କୁ ଆଉ ପୂର୍ବଭଳି ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତ କେନ୍ଦ୍ରକୁ ଯାଇ ବିଭିନ୍ନ ପ୍ରକାର ପରୀକ୍ଷା ଦେବାକୁ ପଡିବ ନାହିଁ ।

ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ କାର୍ମିକ ଓ ତାଲିମ ବିଭାଗ ଗତ ସାତବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ନଜରରେ ରଖି ଅନେକ ସଂସ୍କାର କାର୍ଯ୍ୟକାରୀ କରିଛି । ୨୦୧୪ରୁ ବିଭିନ୍ନ ପ୍ରକାର ଅଭିନବ ଓ ସଂସ୍କାରମୁଖୀ କାର୍ଯ୍ୟ ହାତକୁ ନିଆଯାଇଛି । ଗେଜେଟେଡ୍ ଅଫିସରଙ୍କ ଦ୍ୱାରା ନଥିପତ୍ର ଆଟେଷ୍ଟେଡ କରିବା ଭଳି ପୁରୁଣା ବ୍ୟବସ୍ଥାର ଅବସାନ ଘଟାଇ ଏବେ ସ୍ୱୟଂ ପ୍ରମାଣନ(ସେଲ୍‌ଫ ଅଟେଷ୍ଟେଡ) ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଆଇଏଏସ୍ ଅଧିକାରୀଙ୍କୁ ଆଉ ପୂର୍ବଭଳି ଚାକିରି ଆରମ୍ଭରେ ବାଧ୍ୟତାମୂଳକ କେନ୍ଦ୍ରରେ ତିନିମାସ ସହକାରୀ ସଚିବ ଭାବେ କାର୍ଯ୍ୟକରିବାକୁ ପଡୁନାହିଁ । ଏଭଳି ଅନେକ କିଛି ସଂସ୍କାର ଅଣାଯାଇଛି ।

ଆଇଏଏସ ସିଭିଲ ଲିଷ୍ଟ-୨୦୨୧ ଇ-ବୁକ ସମ୍ପର୍କରେ ସେ କହିଛନ୍ତି ଯେ ଏହା ଏକ ଗତିଶୀଳ ତାଲିକା । ଏହା ମାଧ୍ୟମରେ ଉପଯୁକ୍ତ ଅଧିକାରୀଙ୍କୁ ଉପଯୁକ୍ତ ଦାୟିତ୍ୱ ପ୍ରଦାନ କରାଯାଇପାରିବ । ଏହି ଇ-ବୁକ୍‌ରେ ସମ୍ପୃକ୍ତ ବ୍ୟାଚର ସବୁ ଆଇଏଏସ୍ ଅଧିକାରୀଙ୍କ ଯୋଗ୍ୟତା ଓ ଅନ୍ୟାନ୍ୟ ଦରକାରୀ ବ୍ୟକ୍ତିଗତ ତଥ୍ୟାବଳୀ ଉପଲବ୍ଧ । ଏହି ସିଭିଲ ଲିଷ୍ଟ ଇ-ବୁକ୍ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆକାର୍ଯ୍ୟକ୍ରମର ଏକ ପ୍ରୟାସ । ସରକାରଙ୍କ ଉପରେ ଆର୍ଥିକ ବୋଝ କମାଇ ସମ୍ବଳର ଯଥାର୍ଥ ଉପଯୋଗରେ ଏହି ଇ-ବୁକ୍ ସହାୟକ ହେବ ।

ଏହା ସିଭିଲ ଲିଷ୍ଟର ୬୬ତମ ଏବଂ ଇ-ବୁକ୍‌ର ପ୍ରଥମ ସଂସ୍କରଣ । ଏହା ପିଡିଏଫ ଫର୍ମାଟରେ ଉପଲବ୍ଧ । ଏହାକୁ ସର୍ବ କରିବା ଓ ପଢିବା ଅତି ସହଜ । ଏହା ଫଳରେ କାର୍ମିକ ବିଭାଗକୁ ଆଉ ପୂର୍ବଭଳି ମୋଟା ମୋଟା ବିରାଟ ଆକାରର ଆଇଏଏସ୍ ସିଭିଲ ଲିଷ୍ଟ ଛାପିବାକୁ ପଡିବ ନାହିଁ । ଏହି ଲିଷ୍ଟରେ ଆଇଏଏସ୍ ଅଧିକାରୀମାନଙ୍କର ବ୍ୟାଚ, କ୍ୟାଡର, ବର୍ତମାନର ନିଯୁକ୍ତି, ବେତନହାର,ଶିକ୍ଷାଗତ ଯୋଗ୍ୟତା, ଫଟୋ, ଅବସର ତାରିଖ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଏହି ଇ-ବୁକ୍ (ଆଇଏ ସିଭିଲ ଲିଷ୍ଟ-୨୦୨୧) ବିଭାଗୀୟ ୱେବସାଇଟ୍ https://dopt.gov.inରେ ଉପଲବ୍ଧ ।

 

*****

 TKM/ SLP



(Release ID: 1733291) Visitor Counter : 249