ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଏଣିକି ଗର୍ଭବତୀ ମହିଳା ନେଇପାରିବେ କୋଭିଡ-19 ଟିକା

ଏନଟିଏଜିଆଇର ସୁପାରିସକୁ ଗ୍ରହଣ କଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ

ଟିକା ନେବା ପାଇଁ ଗର୍ଭବତୀ ମହିଳାମାନେ ଏବେ କୋ-ୱିନ ପ୍ଲାଟଫର୍ମରେ ପଞ୍ଜୀକରଣ କରିପାରିବେ କିମ୍ବା ନିକଟସ୍ଥ କୋଭିଡ୍ ଟିକାକରଣ କେନ୍ଦ୍ର (ସିଭିସି)କୁ ଯାଇ ଟିକା ନେଇପାରିବେ

ଗର୍ଭବତୀ ମହିଳାମାନଙ୍କୁ ଟିକା ଦେବା ପାଇଁ ପରିଚାଳନାଗତ ମାର୍ଗଦର୍ଶିକା, ଚିକିତ୍ସା ଅଧିକାରୀ ଓ ଏଫଏଲଡବ୍ଲୁଙ୍କ ପାଇଁ ପରାମର୍ଶଦାତା କିଟ୍‌ ଏବଂ ସାଧାରଣ ଜନତାଙ୍କ ପାଇଁ ଆଇଇସି ଉପକରଣ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଯୋଗାଇ ଦିଆଯାଇଛି

Posted On: 02 JUL 2021 5:55PM by PIB Bhubaneshwar

ଏଣିକି ଗର୍ଭବତୀ ମହିଳାମାନେ କୋଭିଡ-19 ପ୍ରତିଷେଧକ ଟିକା ନେଇପାରିବେ। ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ)ର ସୁପାରିସକୁ ଆଧାର କରି ଏହି ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଫଳରେ ଗର୍ଭବତୀ ମହିଳାମାନେ ସମ୍ପୂର୍ଣ୍ଣ ସଚେତନତାର ସହିତ କୋଭିଡ ଟିକାକରଣର ବିକଳ୍ପ ଚୟନ କରିପାରିବେ। ବର୍ତ୍ତମାନ ଜାରି ରହିଥିବା ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସୂଚୀତ କରାଯାଇଛି।

ଟିକାକରଣ, ଜନସ୍ୱାସ୍ଥ୍ୟ, ରୋଗ ନିୟନ୍ତ୍ରଣ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞମାନଙ୍କର ସୁପାରିସକୁ ଆଧାର କରି ଭାରତର ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବୈଜ୍ଞାନିକ ଏବଂ ମହାମାରୀ ବିଜ୍ଞାନ ଜନିତ ପ୍ରମାଣକୁ ଆଧାର କରି, ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରତି ପ୍ରାଥମିକତା ଦିଆଯାଉଛି। ଏଥିରେ ପେସାଦାର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ସହିତ ମାନବ ସମ୍ବଳଙ୍କୁ ପ୍ରସ୍ତୁତ ଓ ନିୟୋଜିତ କରି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସବୁଠୁ ଦୁର୍ବଳ ଜନ ସମୁଦାୟଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ବର୍ତ୍ତମାନସୁଦ୍ଧା, ଗର୍ଭବତୀ ମହିଳାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବର୍ଗ କୋଭିଡ-19 ଟିକା ନେବା ପାଇଁ ଯୋଗ୍ୟ ଥିଲେ। ଏବେ, ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସାମିଲ କରାଯାଇଛି।

ଅଧ୍ୟୟନରୁ ଜଣାଯାଇଛି ଯେ ଗର୍ଭାବସ୍ଥାରେ କୋଭିଡ-19 ସଂକ୍ରମଣ ହେଲେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡ଼ିବାର ଆଶଙ୍କା ରହିଥାଏ। ଏହାଛଡ଼ା ଗମ୍ଭୀର ରୋଗ କିମ୍ବା ଗର୍ଭସ୍ଥ ଭ୍ରୂଣ ଉପରେ କୁପ୍ରଭାବ ପଡ଼ିବାର ବିପଦ ରହିଥାଏ। ବିଷୟ ବିଶେଷଜ୍ଞମାନେ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବା ପରେ ଏପରି ପ୍ରମାଣ ମିଳିଛି ଯେ କୋଭିଡ-19ରେ ସଂକ୍ରମିତ ହେଲେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଠାରେ କୋଭିଡଜନିତ ଗମ୍ଭୀର ଅସୁସ୍ଥତା ଦେଖାଦେଇପାରେ। ଆହୁରି କୋଭିଡ-19ରେ ସଂକ୍ରମିତ ହେଉଥିବା ଗର୍ଭବତୀ ମହିଳାଙ୍କ ଠାରେ ଅକାଳ ସନ୍ତାନ ପ୍ରସବ କିମ୍ବା ନବଜାତ ଶିଶୁର ମୃତ୍ୟୁ ଭଳି ହାନିକାରକ ଗର୍ଭାବସ୍ଥାଜନିତ ସମସ୍ୟା ଦେଖାଦେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ପୂର୍ବରୁ ରହିଥିବା କୌଣସି ଦୁରାରୋଗ୍ୟ ବ୍ୟାଧି, ଅଧିକ ବୟସରେ ମାତୃତ୍ୱ ଲାଭ ଏବଂ ଶରୀରରେ ଅଧିକ ଓଜନ ରହିଥିଲେ ଗର୍ଭାବସ୍ଥା ସମୟରେ କୋଭିଡ-19 ସଂକ୍ରମଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଚାଲିଯାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଗର୍ଭବତୀ ମହିଳାଙ୍କ ଟିକାକରଣ ପାଇଁ ସୁପାରିସ କରିଛି। କୋଭିଡ-19 ପାଇଁ ଜାତୀୟ ଟିକାକରଣ ଉପରେ ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି) ମଧ୍ୟ ସର୍ବସମ୍ମତିକ୍ରମେ ଏହାକୁ ସୁପାରିସ କରିଛି। ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗର୍ଭବତୀ ମହିଳାଙ୍କ ଠାରେ କୋଭିଡ୍ ଟିକାକରଣ କରାଇବା ଲାଗି ସହମତି ହାସଲ କରିବା ନିମନ୍ତେ ଉଦ୍ୟମ କରାଯାଇଥିଲା। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଗର୍ଭବତୀ ମହିଳାମାନଙ୍କ କୋଭିଡ-19 ଟିକାକରଣ ସଂକ୍ରାନ୍ତରେ ଏକ ଜାତୀୟ ସ୍ତରର ବିଚାରବିମର୍ଶ ଆୟୋଜନ କରାଯାଇଥିଲା। ଏହି ବିଚାର ଆଲୋଚନା ସମୟରେ ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ଦିଆଯିବା ଲାଗି ଏନଟିଏଜିଆଇର ସୁପାରିସକୁ ସର୍ବସମ୍ମତିକ୍ରମେ ସ୍ୱୀକାର କରାଯାଇଥିଲା। ଏହି ବିଚାରବିମର୍ଶ ପ୍ରକ୍ରିୟାରେ ଏଫଓଜିଏସଆଇ ଭଳି ପେସାଦାର ସଂସ୍ଥା, ରାଜ୍ୟ ସରକାର, ସିଏସଓ, ସ୍ୱେଚ୍ଛାସେବୀ ସଂସ୍ଥା, ବିକାଶ ଭାଗୀଦାର ସଂସ୍ଥା, ବୈଷୟିକ ବିଶେଷଜ୍ଞ ଆଦିର ପ୍ରତିନିନିଧିମାନେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏସବୁ ସୁପାରିସକୁ ଗ୍ରହଣ କରିଥିଲା ଏବଂ ଗର୍ଭବତୀ ମହିଳାଙ୍କ ଟିକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନଙ୍କୁ ସକ୍ଷମ କରିବା ଲାଗି ଗର୍ଭବତୀ ମହିଳାମାନଙ୍କୁ ଟିକା ଦେବା ପାଇଁ ପରିଚାଳନାଗତ ମାର୍ଗଦର୍ଶିକା, ଚିକିତ୍ସା ଅଧିକାରୀ ଓ ଏଫଏଲଡବ୍ଲୁଙ୍କ ପାଇଁ ପରାମର୍ଶଦାତା କିଟ୍‌ ଏବଂ ସାଧାରଣ ଜନତାଙ୍କ ପାଇଁ ଆଇଇସି ଉପକରଣ ପ୍ରସ୍ତୁତ କରିଥିଲା। ଟିକା ନେବାକୁ ଚାହୁଁଥିବା ଗର୍ଭବତୀ ମହିଳାମାନେ ଦେଶରେ ଉପଲବ୍ଧ କୋଭିଡ-19 ଟିକା ସେମାନଙ୍କର ଗର୍ଭାବସ୍ଥାର ଯେକୌଣସି ସମୟରେ ନେଇପାରିବେ। ସେମାନେ କୋ-ୱିନ୍‌ ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ପରେ ନିକଟସ୍ଥ ସରକାରୀ କିମ୍ବା ଘରୋଇ କୋଭିଡ-19 ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ ଅଥବା ଟିକା କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ପଞ୍ଜୀକରଣ କରି ଟିକା ନେଇପାରିବେ। ପଞ୍ଜୀକରଣ, ଟିକାକରଣ ପରେ ପ୍ରମାଣପତ୍ର ବାହାର କରିବା ଆଦି କୋଭିଡ-19 ଟିକାକରଣର ପଦ୍ଧତି ଓ ପ୍ରକ୍ରିୟା ପୂର୍ବରୁ 18 ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ପାଇଁ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଲାଗୁ ହେଉଥିବା ନିୟମ ଅନୁରୂପ ହେବ।

 

********

P.S

 



(Release ID: 1732401) Visitor Counter : 362