ଯୋଗାଯୋଗ ମନ୍ତ୍ରଣାଳୟ

ସରକାରୀ ଓ ଘରୋଇ ଭାଗିଦାରୀତା ମଡେଲରେ ୧୬ଟି ରାଜ୍ୟରେ ଭାରତ ନେଟ୍ ତ୍ୱରାନ୍ୱିତ କରିବାକୁ କ୍ୟାବିନେଟର ମଞ୍ଜୁରି

ସମସ୍ତ ଜନବସତିପୂର୍ଣ୍ଣ ଗ୍ରାମକୁ ଅପଟିକାଲ ଫାଇବର ସଂଯୋଗ

● ୧୬ଟି ରାଜ୍ୟରେ ଭାରତ ନେଟ ତ୍ୱରାନ୍ୱିତ କରିବାକୁ ୧୯,୦୪୧ କୋଟି ଟଙ୍କା ମଞ୍ଜୁରି
● ଦେଶର ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ମଧ୍ୟ ଭାରତ ନେଟ ସଂଯୋଗ ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ

Posted On: 30 JUN 2021 4:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ରାଜ୍ୟ ନିମନ୍ତେ ସଂଶୋଧିତ ଭାରତ ନେଟ୍ କାର୍ଯ୍ୟକାରୀ କରିବାକୁ ରଣନୀତି ଅନୁମୋଦିତ ହୋଇଛି । ଏହା ସରକାରୀ ଓ ଘରୋଇ ଭାଗିଦାରୀତାରେ କାର୍ଯ୍ୟକାରୀ କରାଯିବ । ଏହି ସବୁ ରାଜ୍ୟର ଗ୍ରାମପଞ୍ଚାୟତ ବାହାରେ ମଧ୍ୟ ଅନ୍ୟାନ୍ୟ ଜନବସତିପୂର୍ଣ୍ଣ ଗ୍ରାମକୁ ଭାରତ ନେଟ୍ ସମ୍ପ୍ରସାରିତ ହେବ ।  ଏହି ସଂଶୋଧିତ ରଣନୀତିରେ ଉନ୍ନୀତକରଣ, ନିର୍ମାଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣର କାର୍ଯ୍ୟ ପ୍ରତିଯୋଗିତାମୂଳକ ଆର୍ନ୍ତଜାତିକ ନିଲାମଦ୍ୱାରା ବଛାଯାଉଥିବା ଏହାର ଭାରପ୍ରାପ୍ତ ସଂସ୍ଥାର ମଧ୍ୟ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ଆକଳିକ ସର୍ବାଧିକ ପିପିପି ମଡେଲ ପାଣ୍ଠି ୧୯, ୦୪୧ କୋଟି ଟଙ୍କା ରଖାଯାଇଛି ।

ଯେଉଁ ରାଜ୍ୟଗୁଡିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି, ସେଗୁଡିକ ହେଲା କେରଳ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ । ଏଥିରେ ୩ଲକ୍ଷ ୬୧ହଜାର ଗ୍ରାମ (ଗ୍ରାମପଞ୍ଚାୟତ) ସହିତ ଅନ୍ତର୍ଭୁକ୍ତ ହେବ ।

            ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନବସତି ପୂର୍ଣ୍ଣ ଗ୍ରାମଗୁଡିକୁ  ଭାରତ ନେଟ୍ ସମ୍ପ୍ରସାରଣ ପାଇଁ କ୍ୟାବିନେଟ୍ ନୀତିଗତ ନିଷ୍ପତ୍ତି ନେଇଛି । ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଦୂରସଂଚାର ମନ୍ତ୍ରଣାଳୟ ନୀତି ନିର୍ଦ୍ଧାରଣ କରିବ ।

            ଏହି ପିପିପି ମଡେଲରେ ଘରୋଇ କ୍ଷେତ୍ରର ଉପସ୍ଥିତି ଯୋଗୁଁ  ରକ୍ଷଣାବେକ୍ଷଣ କାର୍ଯ୍ୟକାରିତା ଓ  ଉପଯୋଗିତାର ଦକ୍ଷତା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଁ ଭାରତ ନେଟ ଅଧିକ ସଶକ୍ତ ହେବ । ନିର୍ବାଚିତ ଘରୋଇ କ୍ଷେତ୍ର ଅଂଶୀଦାର, ପୂର୍ବ ନିର୍ଦ୍ଦାରିତ ସେବାସ୍ତରୀୟ ରାଜିନାମା(ଏସଏଲଏ) ଯୋଗୁଁ ଅଧିକ ନିର୍ଭରଯୋଗ୍ୟ, ଦୃତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ଆଶା କରାଯାଉଛି । ଜନବସତି ଅଧୁଷିତ ଗ୍ରାମଗୁଡିକୁ ନିର୍ଭରଯୋଗ୍ୟ, ଗୁଣାତ୍ମକ ଓ ଦ୍ରୁତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା ଦୃଷ୍ଟିରୁ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯୋଗାଉଥିବା ଇ-ସେବା ମଧ୍ୟ ସହଜରେ ଉପଲବ୍ଧ ହେବ । ଏହା ଦ୍ୱାରା ଅନଲାଇନ ଶିକ୍ଷା, ଟେଲି ମେଡିସିନ୍‌, କୌଶଳ ବିକାଶ, ଇ-କମର୍ସ ଓ ବ୍ରଡବ୍ୟାଣ୍ଡ ଜନିତ ଅନ୍ୟାନ୍ୟ ବ୍ୟବହାର ମଧ୍ୟ ସୁବିଧାଜନକ ହେବ । ଏହା ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡର ଦୃତ ବିସ୍ତାର ଯୋଗୁଁ ଗ୍ରାମ-ସହର ମଧ୍ୟରେ ଦୂରତା ସଙ୍କୁଚିତ ହେବା ସହ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଁ ଡିଜିଟାଲ ଇଣ୍ଡିଆ ସଫଳତାକୁ ଅଧିକ ଗତି ପ୍ରଦାନ କରିବ ।

କେବଳ ସେତିକି ନୁହେଁ ଏହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ଓ ଆୟବୃଦ୍ଧି ମଧ୍ୟ ଘଟିବ ।

ଭାରତ ନେଟ୍ ପିପିପି ମଡେଲ ନିମ୍ନଲିଖିତ ଖାଉଟି ସୁଲଭ ସୁବିଧା ମଧ୍ୟ ପ୍ରଦାନ କରିବ ।

(କ) ଖାଉଟିମାନଙ୍କ ନିମନ୍ତେ ଘରୋଇ କ୍ଷେତ୍ର ଦ୍ୱାରା ଅତ୍ୟାଧୁନିକ ପ୍ରଯୁକ୍ତି ସୁବିଧା ।

(ଖ) ଉଚ୍ଚମାନର ଗ୍ରାହକ ସେବା

(ଗ) ନେଟୱାର୍କ ତୀବ୍ରତା ସହ ଗ୍ରାହକଙ୍କୁ ତୁରନ୍ତ ସଂଯୋଗ ବ୍ୟବସ୍ଥା ।

(ଘ) ପ୍ରତିଯୋଗିତାମୂଳକ ଶୁଳ୍କ ସେବା

(ଙ) ଦ୍ରୁତ ଗତିଶୀଳ ଇଂଟରନେଟ୍‌ର ବିବିଧ ସେବା ଯଥା ଓଟିଟି ସେବା ଓ ମଲ୍‌ଟି ମିଡିଆ ସେବା

(ଚ) ସମସ୍ତ ଅନଲାଇନ ସେବା ସୁବିଧା

ପିପିପି ମଡେଲ ଏକ ଅଭିନବ ଦୂରସଞ୍ଚାର ଭିତ୍ତିଭୂମି ପଦକ୍ଷେପ । ଘରୋଇ କ୍ଷେତ୍ର ନିଜର ଅଂଶଧନ ବିନିଯୋଗ  ଓ ମୂଳପୁଞ୍ଜି ବୃଦ୍ଧି କରି ରକ୍ଷଣାବେକ୍ଷଣା ଦିଗରେ କାର୍ଯ୍ୟ କରିପାରିବେ । ସେ ଦୃଷ୍ଟିରୁ ଭାରତନେଟ୍‌ରେ ପିପିପି ମଡେଲ ଗୁଣାତ୍ମକ ସେବା, କାର୍ଯ୍ୟଦକ୍ଷତା ଓ ଗ୍ରାହକ ସେବା ବୃଦ୍ଧି ସହ ଜନସାଧାରଣଙ୍କ ପୁଞ୍ଜି ମଧ୍ୟ ବଞ୍ଚାଇବାରେ ସହାୟକ ହେବ ।

 

****

 

SM/ SLP



(Release ID: 1731719) Visitor Counter : 140