ପ୍ରତିରକ୍ଷା ମନ୍ତ୍ରଣାଳୟ

ଡିଆରଡିଓ ପକ୍ଷରୁ ବର୍ଦ୍ଧିତ ଦୂରତା ବିଶିଷ୍ଟ 122 ଏମ୍‌ଏମ୍‌ କ୍ଷମତାସମ୍ପନ୍ନ ରକେଟ୍‌ର ସଫଳ ପରୀକ୍ଷଣ

Posted On: 25 JUN 2021 6:34PM by PIB Bhubaneshwar

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ବର୍ଦ୍ଧିତ ଦୂରତା ବିଶିଷ୍ଟ 122 ଏମ୍‌ଏମ୍‌ କ୍ଷମତାସମ୍ପନ୍ନ ରକେଟ୍‌ର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର୍‌)ରୁ ଜୁନ୍‌ 25, 2021ରେ ସ୍ବଦେଶୀ ଭାବେ ବିକଶିତ ଏହି ରକେଟ୍‌ର ପରୀକ୍ଷଣ ସମ୍ପନ୍ନ ହୋଇଥିଲା। ସମ୍ପୂର୍ଣ୍ଣ ସାଧନବିନିଯୋଗ (ଇନଷ୍ଟ୍ରୁମେଣ୍ଟେସନ) ସହିତ 122 ଏମ୍‌ଏମ୍‌ କ୍ଷମତା ବିଶିଷ୍ଟ ଚାରିଟି ରକେଟ୍‌ର ପରିବର୍ଦ୍ଧିତ ସଂସ୍କରଣକୁ ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏଗୁଡ଼ିକ ସେମାନଙ୍କର ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ଭେଦ କରିବାରେ ସଫଳ ହୋଇଥିଲେ। ସ୍ଥଳସେନାର ପ୍ରୟୋଗ ନିମନ୍ତେ ଏହି ରକେଟ୍‌ଗୁଡ଼ିକୁ ବିକଶିତ କରାଯାଇଛି ଏବଂ 40 କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟକୁ ଧ୍ବଂସ କରିବାରେ ଏଗୁଡ଼ିକ ସକ୍ଷମ ହୋଇପାରିବେ।

ଆଇଟିଆର ଏବଂ ପ୍ରୁଫ୍ ଓ ପରୀକ୍ଷଣ ପ୍ରତିଷ୍ଠାନ (ପିଏକ୍ସଇ) ଦ୍ବାରା ମୁତୟନ କରାଯାଇଥିବା ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ସମେତ ସମସ୍ତ ରେଞ୍ଜ ଉପକରଣ ମାଧ୍ୟମରେ ସମସ୍ତ ଫ୍ଲାଇଟ୍‌ ଆର୍ଟିକିଲ୍‌କୁ ଟ୍ରାକ୍‌ କରାଯାଇଥିଲା।

ଏହି ରକେଟ୍‌ ପ୍ରଣାଳୀକୁ ପୁନେସ୍ଥିତ ଅସ୍ତ୍ରଶସ୍ତ୍ର ଗବେଷଣା ଏବଂ ବିକାଶ ସଂଗଠନ (ଏଆରଡିଇ) ଏବଂ ଉଚ୍ଚ ଊର୍ଜା ସାମଗ୍ରୀ ଗବେଷଣା ପ୍ରୟୋଗଶାଳା(ଏଚଇଏମଆରଏଲ) ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଥିବା ବେଳେ ନାଗପୁରସ୍ଥିତ ମେସର୍ସ ଇକୋନୋମିକ ଏକ୍ସପ୍ଲୋସିଭ୍ ଲିମିଟେଡ୍‌ ଏହାକୁ ଉତ୍ପାଦନ ସହାୟତା ଯୋଗାଇ ଦେଉଛି। ବର୍ତ୍ତମାନର 122 ଏମ୍‌ଏମ୍‌ ଗ୍ରେଡ ରକେଟ୍‌ ସ୍ଥାନରେ ଏହି ପରିବର୍ଦ୍ଧିତ ରକେଟ୍‌ ପ୍ରଣାଳୀ କାର୍ଯ୍ୟ କରିବ।

122 ଏମ୍‌ଏମ୍‌ କ୍ୟାଲିବର ରକେଟ୍‌ ଉତ୍‌କ୍ଷେପଣ ସଫଳ ହେବା ପରେ ଡିଆରଡିଓ ଏବଂ ପ୍ରତିରକ୍ଷା ଉଦ୍ୟୋଗକୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣ ପଛରେ ରହିଥିବା ଦଳର ପ୍ରୟାସକୁ ପ୍ରଶଂସା କରିଛନ୍ତି।

 

*******

P.S

 



(Release ID: 1730397) Visitor Counter : 231