ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୁଦ୍ଧ ପୂର୍ଣ୍ଣିମାରେ ଭର୍ଚୁଆଲ ବୈଶାଖ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Posted On: 26 MAY 2021 12:16PM by PIB Bhubaneshwar

ପୂଜନୀୟ ମହାସଂଘର ଆଦରଣୀୟ ସଦସ୍ୟବୃନ୍ଦ, ନେପାଳ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ, ମୋର ସହକର୍ମୀ ମନ୍ତ୍ରୀଗଣ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ଶ୍ରୀ କିରେନ୍ ରିଜିଜୁ, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାସଚିବ, ପୂଜନୀୟ ଡକ୍ଟର ଧମ୍ମପିୟ ମହୋଦୟ, ସମ୍ମାନନୀୟ ବିଦ୍ୱାନ୍‌ଗଣ, ଧମ୍ମ ଅନୁଗାମୀବୃନ୍ଦ, ସମଗ୍ର ବିଶ୍ୱର ଭାଇ ଓ ଭଉଣୀମାନେ ।

ନମୋ ବୁଦ୍ଧାୟ

ନମସ୍କାର ।

ବୈଶାଖର ଏହି ବିଶେଷ ଦିବସରେ ଆପଣମାନଙ୍କୁ ସମ୍ବୋଧନ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେକରୁଛି । ବୈଶାଖ ହେଉଛି ଏକ ଦିବସ ଯେଉଁଦିନ ଆମେ ଭଗବାନ ବୁଦ୍ଧଙ୍କ ଜୀବନକୁ ଉତ୍ସବ ଭାବେ ପାଳନ କରିଥାଉ । ଏହା ମଧ୍ୟ ଏକ ଦିନ ଯାହା ଆମ ଗ୍ରହର ଉନ୍ନତି ପାଇଁ ତାଙ୍କର ତ୍ୟାଗ ଓ ଆଦର୍ଶ ବିଚାରଧାରା ଉପରେ ଚିନ୍ତନ-ମନ୍ଥନ କରିବାର ସୁଯୋଗ ଆଣିଦେଇଥାଏ ।

ବନ୍ଧୁଗଣ,

ଗତ ବର୍ଷ ମଧ୍ୟ ମୁଁ ଏକ ବୈଶାଖ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲି । କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ମାନବ ଜାତିର ସଂଗ୍ରାମର ନେତୃତ୍ୱ ନେଉଥିବା ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସେହି କାର୍ଯ୍ୟକ୍ରମଟି ଉତ୍ସର୍ଗୀକୃତ ଥିଲା । ଗୋଟିଏ ବର୍ଷ ପରେ, ଆମେ ନିରନ୍ତରତା ଓ ପରିବର୍ତନର ସମାହାର ଦେଖୁଛେ । କୋଭିଡ-୧୯ ମହାମାରୀ ଆମକୁ ଛାଡି ଯାଇନାହିଁ । ଭାରତ ସମେତ ଅନେକ ଦେଶ ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହା ହେଉଛି ଦୀର୍ଘ ଦଶନ୍ଧି ମଧ୍ୟରେ ମାନବ ଜାତି ସମ୍ମୁଖୀନ ହୋଇଥିବା ସବୁଠାରୁ ସାଂଘାତିକ ସଙ୍କଟ । ଆମେ ଏକ ଶତାଦ୍ଦୀ ହେବ ଏଭଳି ମହାମାରୀ ଦେଖିନାହୁଁ । ସମଗ୍ର ଜୀବଦ୍ଦଶାରେ ଥରୁଟିଏ ଦେଖାଦେଇଥିବା ଏହି ମହାମାରୀ ଅନେକଙ୍କୁ ଦୁଃଖ ଓ ଯନ୍ତ୍ରଣା ଆଣିଦେଇଛି ।

ଏହି ମହାମାରୀ ପ୍ରତ୍ୟେକ ରାଷ୍ଟ୍ରକୁ ପ୍ରଭାବିତ କରିଛି । ଅର୍ଥନୀତି ଉପରେ ଏହାର ବହୁଳ ପ୍ରଭାବ ପଡିଛିି । କୋଭିଡ-୧୯ ପରବର୍ତୀ ସମୟରେ ଆମ ଗ୍ରହ ଏକା ଭଳି ହୋଇ ରହିବ ନାହିଁ । ଆଗାମୀ ସମୟରେ ଆମେ ଘଟଣାଗୁଡିକୁ ନିଶ୍ଚିତଭାବେ ପ୍ରାକ୍‌-କୋଭିଡ ବା କୋଭିଡ ପରବର୍ତୀ ଘଟଣାଭାବେ ସ୍ମରଣ କରିବୁ । କିନ୍ତୁ, ଗତ ଏକ ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ ପରିବର୍ତନ ମଧ୍ୟ ଦେଖିବାକୁ ମିଳିଛି । ମହାମାରୀକୁ ନେଇ ଏବେ ଆମର ଧାରଣା ବଢିଛି ଯାହା ଏହା ବିରୁଦ୍ଧରେ ଲଢେଇ ପାଇଁ ଆମ ରଣନୀତିକୁ ମଜବୁତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମ ନିକଟରେ ପ୍ରତିଷେଧକ ରହିଛି, ଯାହା ଜୀବନ ବଂଚାଇବା ଓ ମହାମାରୀକୁ ପରାସ୍ତ କରିବା ପାଇଁ ଅତ୍ୟନ୍ତ ଜରୁରୀ । ମହାମାରୀ ଦେଖା ହେବାର ଗୋଟିଏ ବର୍ଷ ମଧ୍ୟରେ ଟିକାର ଆବିର୍ଭାବ ମନୁଷ୍ୟର ଦୃଢ ସଂକଳ୍ପ ଏବଂ ଅଟଳ ମାନସିକତାର ଶକ୍ତିକୁ ପ୍ରତିଫଳିତ କରୁଛି । ଭାରତ ଏହାର ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ, ଯେଉଁମାନେ କୋଭିଡ୍‌-୧୯ ଟିକାର ବିକାଶ ଉପରେ କାର୍ଯ୍ୟ କରିଛନ୍ତି ।

ଏହି ମଂଚ ମାଧ୍ୟମରେ ମୁଁ ପୁଣିଥରେ ଆମର ଅଗ୍ରଣୀ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଏବଂ ସ୍ୱେଚ୍ଛାସେବୀମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି ଯେଉଁମାନେ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କ ସେବା କରିଥାଆନ୍ତି । ଯେଉଁମାନେ ଅନେକ ଯନ୍ତ୍ରଣା ଭୋଗିଛନ୍ତି ଏବଂ ସେମାନଙ୍କର ଆତ୍ମୀୟ ସ୍ୱଜନମାନଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ଦୁଃଖରେ ନିଜକୁ ସାମିଲ କରୁଛି । 

ବନ୍ଧୁଗଣ,

ଗୌତମ ବୁଦ୍ଧଙ୍କ ଜୀବନକୁ ଅଧ୍ୟୟନ କଲାବେଳେ ଦୂରଦୃଷ୍ଟି ସମ୍ପର୍କରେ ଉଲ୍ଲେଖ ଆମର ଦୃଷ୍ଟିଗୋଚର ହେବ । ଏହି ଦୂରଦୃଷ୍ଟିସବୁ ଭଗବାନ ବୁଦ୍ଧଙ୍କୁ ମାନବଜାତି ଭୋଗୁଥିବା ପୀଡାର ସାମ୍ନାସାମ୍ନି କରାଇଥିଲା । ଏହା ମାନବର ଯନ୍ତ୍ରଣାର ଉପଶମ ନିମନ୍ତେ ନିଜର ଜୀବନକୁ ଉତ୍ସର୍ଗ କରିବାର ଦୃଢ ଇଚ୍ଛାକୁ ଇନ୍ଧନ ଯୋଗାଇଥିଲା । 

ଭଗବାନ ବୁଦ୍ଧ ଆମକୁ ଶିଖାଇଥିଲେ ‘ଭବତୁ ସବ୍‌ବ ମଙ୍ଗଳମ”, ଆଶୀର୍ବାଦ, କରୁଣା ଏବଂ ସମସ୍ତଙ୍କର ମଙ୍ଗଳ । ଗତ ବର୍ଷ ଆମେ ଦେଖିଥିଲେ ଅନେକ ବ୍ୟକ୍ତି ଓ ସଂଗଠନ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବା ପାଇଁ ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ଯଥାସମ୍ଭବ ପ୍ରୟାସ କରିଥିଲେ । 

ସମଗ୍ର ବିଶ୍ୱରୁ ବୌଦ୍ଧ ସଂଗଠନ ଏବଂ ବୌଦ୍ଧ ଧର୍ମର ଅନୁଗାମୀମାନେ ବଦାନ୍ୟତା ସହକାରେ ଅନେକ ଉପକରଣ ଓ ସାମଗ୍ରୀ ଯୋଗାଇ ଦେଇଥିବା ବିଷୟରେ ମଧ୍ୟ ମୁଁ ଜାଣିବାକୁ ପାଇଛି । ଉଭୟ ଜନସଂଖ୍ୟା ଏବଂ ଭୌଗୋଳିକ ପରିବ୍ୟାପ୍ତି ଆଧାରରେ ଏହି ଦାୟିତ୍ୱର ଆକାର ଖୁବ୍ ବିଶାଳ ଥିଲା । ସାଥି ମାନବ ସମୁଦାୟଙ୍କ ଦ୍ୱାରା ଅଜାଡି ହୋଇ ପଡିଥିବା ବଦାନ୍ୟତାର ସାହାଯ୍ୟ ଓ ସହଯୋଗ ମାନବିକତାକୁ କୃତଜ୍ଞତାରେ ଭରିଦେଇଛି । ଏହି କାର୍ଯ୍ୟକଳାପ ଭଗବାନ ବୁଦ୍ଧଙ୍କ ବାଣୀର ପରିଚାୟକ । ଏହା ଅପ୍ପ ଦୀପୋ ଭବଃର ମହାମନ୍ତ୍ରକୁ ପରିପ୍ରକାଶ କରିଥାଏ । 

ବନ୍ଧୁଗଣ,

କୋଭିଡ ୧୯ ନିଶ୍ଚିତ ଭାବେ ଆମେ ସମ୍ମୁଖୀନ ହେଉଥିବା ଏକ ବିରାଟ ଆହ୍ୱାନ । ଆମେ ଯେତେବେଳେ ଏହାର ମୁକାବିଲା ପାଇଁ ଯଥାସମ୍ଭବ ପ୍ରୟାସ କରୁଛୁ ସେତେବେଳେ ଆମେ ମାନବ ଜାତି ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଆହ୍ୱାନଗୁଡିକୁ ଅଣଦେଖା କରିବା ଉଚିତ୍ ହେବ ନାହିଁ । ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ଆହ୍ୱାନ ହେଉଛି ଜଳବାୟୁ ପରିବର୍ତନ । ଏହି ପିଢୀର ଧୃଷ୍ଟ ଜୀବନଶୈଳୀ ଆଗାମୀ ପିଢୀ ପାଇଁ ବିପଦ ସୃଷ୍ଟି କରୁଛି । ପାଣିପାଗର ସ୍ୱରୂପରେ ପରିବର୍ତନ ଘଟୁଛି । ହିମପିଣ୍ଡଗୁଡିକ ତରଳି ଚାଲିଛି । ନଦୀ ଏବଂ ଅରଣ୍ୟ ବିପଦର ଦ୍ୱାରଦେଶରେ । ଆମେ ଆମର ଗ୍ରହକୁ ଏଭଳି କ୍ଷତାକ୍ତ ଅବସ୍ଥାରେ ଛାଡି ପାରିବା ନାହିଁ । ଭଗବାନ ବୁଦ୍ଧ ଏଭଳି ଏକ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥିଲେ ଯେଉଁଠାରେ ପ୍ରକୃତି ମାତା ପ୍ରତି ସମ୍ମାନ ସର୍ବୋପରି ।

ମୁଁ ଏହି ବିଷୟରେ ଉଲ୍ଲେଖ କରି ନିଜକୁ ଗର୍ବିତ ମନେ କରୁଛି ଯେ ଭାରତ ମୁଷ୍ଟିମେୟ ବୃହତ ଅର୍ଥନୀତି ମଧ୍ୟରେ ଅନ୍ୟତମ, ଯେଉଁମାନେ ପ୍ୟାରିସ ଲକ୍ଷ୍ୟ ପୂରଣ କରିବା ପାଇଁ ସଠିକ୍ ମାର୍ଗରେ ଯାତ୍ରା କରୁଛନ୍ତି । ଆମ ପାଇଁ ଦୀର୍ଘସ୍ଥାୟୀ ଜୀବନ ଯାପନ କେବଳ ଯଥାର୍ଥ କଥାରେ ସୀମିତ ନୁହେଁ ବରଂ ଏହାକୁ କାର୍ଯ୍ୟରେ ଲଗାଇବା ଉପରେ ଆମେ ଗୁରୁତ୍ୱ ଦେଉ ।

ବନ୍ଧୁଗଣ,

ଗୌତମ ବୁଦ୍ଧଙ୍କ ଜୀବନ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ସହାବସ୍ଥାନ ଉପରେ ପର୍ଯ୍ୟବେଶିତ ଥିଲା । ଆଜି ମଧ୍ୟ ଏଭଳି ଶକ୍ତି ରହିଛନ୍ତି ଯେଉଁମାନଙ୍କର ଅବସ୍ଥିତି ଘୃଣା, ସନ୍ତ୍ରାସବାଦ ଏବଂ ଅବିଚାରିତ ହିଂସା ଉପରେ ନିର୍ଭରଶୀଳ । ଏହିଭଳି ଶକ୍ତି ଉଦାରବାଦୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିଶ୍ୱାସ କରନ୍ତି ନାହିଁ । ମାନବିକତାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଜୁଟ ହୋଇ ଆତଙ୍କବାଦ ଓ ଉଗ୍ରବାଦକୁ ପରାସ୍ତ କରିବା ହେଉଛି ସମୟର ଆବଶ୍ୟକତା । 

ସେଥିପାଇଁ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦଶିତ ମାର୍ଗ ସମ୍ପୁର୍ଣ୍ଣ ପ୍ରାସଙ୍ଗିକ । ଭଗବାନ ବୁଦ୍ଧଙ୍କ ବାଣୀ ଏବଂ ସାମାଜିକ ନ୍ୟାୟକୁ ଦିଆଯାଇଥିବା ଗୁରୁତ୍ୱ ଏକଜୁଟ କରାଇବାର ଏକ ବିଶ୍ୱସ୍ତରୀୟ ଶକ୍ତି ହୋଇପାରିବ ।

ସେ ଯଥାର୍ଥରେ କହିଥିଲେ -, “ନତି ଶନ୍ତି ପରଣ ସୁଖଂ”: ଶାନ୍ତି ହିଁଁ କେବଳ ପରମ ଆନନ୍ଦ ।

ବନ୍ଧୁଗଣ,

ଭଗବାନ ବୁଦ୍ଧ ସମ୍ପୁର୍ଣ୍ଣ ବ୍ରହ୍ମାଣ୍ଡ ପାଇଁ ଦୀପ୍ତିମନ୍ତ ପ୍ରତିଭାର ଭଣ୍ଡାର ଥିଲେ । ତାଙ୍କରିଠାରୁ ଆମେ ଆବଶ୍ୟକ ସମୟରେ ଜ୍ଞାନର ଆଲୋକ ପ୍ରାପ୍ତ ହୋଇଥାଉ ଏବଂ କରୁଣା, ସାର୍ବଜନୀନ ଦାୟିତ୍ୱବୋଧ ଏବଂ କଲ୍ୟାଣର ପଥରେ ଅଗ୍ରସର ହୋଇଥାଉ । ଗୌତମ ବୁଦ୍ଧଙ୍କ ସମ୍ପର୍କରେ ମହାତ୍ମାଗାନ୍ଧୀ ଯଥାର୍ଥରେ କହିଥିଲେ, “ବୁଦ୍ଧ ଆମକୁ ଶିକ୍ଷା ଦେଇଥିଲେ ଯେ ଶାରିରୀକ ଉପସ୍ଥିତି ପରିବର୍ତେ ସତ୍ୟ ଓ ପ୍ରେମର ଚୁଡାନ୍ତ ବିଜୟ ଉପରେ ଆସ୍ଥା ରଖିବାକୁ ପଡିବ ।

ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ, ଭଗବାନ ବୁଦ୍ଧଙ୍କ ବିଚାରଧାରା ନିକଟେରେ ଆସନ୍ତୁ ପୁନଃସମର୍ପିତ ହେବା ପାଇଁ ପ୍ରତିଶୃତିବଦ୍ଧ ହେବ ।

କୋଭିଡ୍‌-୧୯ ବୈଶ୍ୱିକ ମହାମାରୀର ଏହି କଠିନ ସମୟରୁ ମୁକ୍ତି ନିମନ୍ତେ ଆମେ ସମସ୍ତେ ମିଶି ତ୍ରି-ରତ୍ନ ନିକଟରେ ପ୍ରାର୍ଥନା କରିବା ।

ଧନ୍ୟବାଦ ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

JP


(Release ID: 1721948) Visitor Counter : 273