କ୍ୟାବିନେଟ

ବୈଶ୍ୱିକ ନବସୃଜନ କ୍ଷେତ୍ରରେ ଭାଗିଦାରୀ ନିମନ୍ତେ ଭାରତ-ବ୍ରିଟେନ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 05 MAY 2021 12:20PM by PIB Bhubaneshwar

ବୈଶ୍ୱିକ ନବସୃଜନ କ୍ଷେତ୍ରରେ ଭାଗିଦାରୀ ହୋଇ କାମ କରିବାକୁ ଭାରତ ଓ ବ୍ରିଟେନ ମଧ୍ୟରେ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ତାହାକୁ ପିଛିଲା ଭାବେ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ଚୁକ୍ତିକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ବୁଝାମଣାପତ୍ରରେ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ବ୍ରିଟେନର ବୈଦେଶିକ ତଥା ରାଜ୍ୟଗୋଷ୍ଠୀ ଓ ବିକାଶ ଦପ୍ତର (ଏଫସିଡିଓ) ସ୍ୱାକ୍ଷର କରିଥିଲେ । ବୈଶ୍ୱିକ ନବସୃଜନ ବା ଗ୍ଲୋବାଲ ଇନୋଭେସନ କ୍ଷେତ୍ରରେ ଦୁଇ ଦେଶ ମିଳିତଭାବେ କାମ କରିବାକୁ ଏହି ଚୁକ୍ତି ଉଦ୍ଦିଷ୍ଟ ।

ଉଦ୍ଦେଶ୍ୟ-

ଏହି ବୁଝାମଣାପତ୍ର ଅନୁସାରେ ଦୁଇନେତା ଭାରତୀୟ ଇନୋଭେଟରମାନଙ୍କୁ ତୃତୀୟ ରାଷ୍ଟ୍ରରେ ନିଜର ନବସୃଜନ ସୁବିଧାସୁଯୋଗ ବଢାଇବା ପାଇଁ ସାହାଯ୍ୟ ସହଯୋଗ କରିବେ । ଏହା ଫଳରେ ସମ୍ପୃକ୍ତ ଇନୋଭେଟରମାନେ  ନୂଆ ବଜାର ସହିତ ପରିଚିତ ହେବା ସହ ଆତ୍ମନିର୍ଭର ହୋଇପାରିବେ । ଏହାଛଡା ଭାରତରେ ନବସୃଜନର ପରିବେଶକୁ ବଢାଇବା ପାଇଁ ଚୁକ୍ତି ଅନୁସାରେ ବ୍ରିଟେନ ସାହାଯ୍ୟ ସହଯୋଗ କରିବ । ଏହି ନବସୃଜନ ପ୍ରକ୍ରିୟା ନିରନ୍ତର ବିକାଶ ଲକ୍ଷ୍ୟ ବା ଏସ୍‌ଡିଜି ସଂକ୍ରାନ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ । ଏହି ପ୍ରକ୍ର୍ରିୟାରେ ଅନ୍ୟାନ୍ୟ ରାଷ୍ଟ୍ରକୁ ସେମାନଙ୍କ ଏସ୍‌ଡିଜି  ଲକ୍ଷ୍ୟପୂରଣ ଦିଗରେ ସହାୟତା ଯୋଗାଇ ଦିଆଯିବ ଓ ସେମାନେ ଉପକୃତ ହେବେ ।

ପ୍ରାରମ୍ଭିକ ମୂଳଧନ, ଅନୁଦାନ, ନିବେଶ ଓ ବୈଷୟିକ ସହାୟତା ମାଧ୍ୟମରେ ଏହି ଭାଗିଦାରୀ ଭାରତୀୟ ନୂଆ ଉଦ୍ୟୋଗୀ ଓ ଇନୋଭେଟରଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା, ଉଦ୍ୟୋଗ ଓ ବ୍ୟବସାୟ ବୃଦ୍ଧି ଏବଂ ନିଜର  ଉପଲବ୍ଧିକୁ ବଛାବଛା ବିକାଶମୁଖୀ ଦେଶକୁ ନେବାରେ ସହାୟତା ଯୋଗାଇ ଦେବ ।

 ଏହି ସହଯୋଗ ମାଧ୍ୟମରେ ଯେଉଁସବୁ ଇନୋଭେସନ ମନୋନୀତ ହେବ ତାହା ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବିଶେଷ ସହାୟକ ହେବ । ଏହା ମଧ୍ୟ ସମ୍ପୃକ୍ତ ଦେଶର ହିତାଧିକାରୀବର୍ଗଙ୍କୁ ସମାନତା ଓ ସମାବେଶୀ ପ୍ରକ୍ରିୟାରେ ସାମିଲ କରିବାରେ ବିଶେଷ ଉପଯୋଗୀ ଭୂମିକା ରଖିବ ।

ଏହି ସହଯୋଗ ମଧ୍ୟ ଏକ ମୁକ୍ତ ଓ ସମାବେଶୀ ଇ-ମାର୍କେଟ (ଇ-ବଜାର) ସୃଷ୍ଟି କରିବ, ଯେଉଁଠି  ସୀମାପାର ଇନୋଭେସନ ଟ୍ରାନ୍ସଫର ସହଜରେ କରାଯାଇ ପାରିବ । ଏହା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱଦେଇ ଫଳାଫଳ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବ ।

****

TKM



(Release ID: 1716385) Visitor Counter : 175