ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଏନଏଫଏସଏ ହିତାଧିକାରୀମାନଙ୍କ ପାଇଁ ଅତିରିକ୍ତ ଦୁଇ ମାସ-ମେ ଓ ଜୁନ, 2021ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 05 MAY 2021 12:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁରି ମିଳିଛି:

 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଆହୁରି ଦୁଇ ମାସ ମେ, ଜୁନ, 2021ରେ ଅତିରିକ୍ତ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନଏଫଏସଏ) (ଏଏୱାଇ ଏବଂ ପିଏଚଏଚ)ର 79.88 କୋଟି ହିତାଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମୁଣ୍ଡପିଛା 5 କିଗ୍ରା ଲେଖାଏଁ ରାସନ ଯୋଗାଇ ଦିଆଯିବ । ଡିବିଟି ଅଧୀନରେ ଆସୁଥିବା ହିତାଧିକାରୀମାନେ ମଧ୍ୟ ଏହି ସୁବିଧା ପାଇବେ।

ଏନଏଫଏସଏ ଅନ୍ତର୍ଗତ ବର୍ତ୍ତମାନର ଆବଣ୍ଟନ ଅନୁପାତ ଆଧାରରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ଗହମ/ଚାଉଳର ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ୱାରୀ ଆବଣ୍ଟନ ନିର୍ଦ୍ଧାରଣ କରାଯିବ । ଏହାଛଡ଼ା ଆଂଶିକ ଓ ସ୍ଥାନୀୟ ଲକଡାଉନ ପରିସ୍ଥିତି ଏବଂ ମୌସୁମୀ, ବାତ୍ୟା ଭଳି ପ୍ରତିକୂଳ ପାଣିପାଗ, ଯୋଗାଣ ଶୃଙ୍ଖଳ ଓ କୋଭିଡ ଜନିତ ବାଧା ଆଦିକୁ ଦୃଷ୍ଟିରେ ରଖି ପିଏମଜିକେୱାଇ ଅନ୍ତର୍ଗତ ପରିଚାଳନା ଆବଶ୍ୟକତା ଅନୁଯାୟୀ ଉଠାଣ/ବିତରଣ ଅବଧିର ସମ୍ପ୍ରସାରଣ ସଂକ୍ରାନ୍ତରେ ମଧ୍ୟ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିଷ୍ପତ୍ତି ଗ୍ରହଣ କରିବ ।

ଏଥିପାଇଁ ଆନୁମାନିକ ମୋଟ 80 ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଆବଶ୍ୟକ ପଡ଼ିବ ।

ଧାର୍ଯ୍ୟଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡିଏସ) ଅନ୍ତର୍ଗତ ଆନୁମାନିକ 79.88 କୋଟି ହିତାଧିକାରୀମାନଙ୍କୁ ଦୁଇ ମାସ ମେ, ଜୁନ 2021 ପାଇଁ ମୁଣ୍ଡପିଛା 5 କିଗ୍ରା ଲେଖାଏଁ ଅତିରିକ୍ତ ଖାଦ୍ୟଶସ୍ୟ ମାଗଣାରେ ଆବଣ୍ଟନ କରାଯିବ । ଏଥିପାଇଁ ଖାଦ୍ୟ ସବସିଡି ବାବଦକୁ ଆନୁମାନିକ 25332.92 କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତି ମେଟ୍ରିକ ଟନ ଚାଉଳ ପାଇଁ 36789.2 ଟଙ୍କା ଏବଂ ପ୍ରତି ମେଟ୍ରିକ ଟନ ଗହମ ପାଇଁ 25731.4 ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି ।

ଏହି ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ଫଳରେ କରୋନା ଭୂତାଣୁ ସଂକ୍ରମଣ କାରଣରୁ ଦେଖାଦେଇଥିବା ଆର୍ଥିକ ବାଧା ଫଳରେ ଗରିବମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର ହୋଇପାରିବ । ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଗରିବ ପରିବାରଗୁଡ଼ିକ ଖାଦ୍ୟଶସ୍ୟ ଅଭାବ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । 

 

*******

P.S



(Release ID: 1716360) Visitor Counter : 176