ଯୋଗାଯୋଗ ମନ୍ତ୍ରଣାଳୟ

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ

Posted On: 23 MAR 2021 5:45PM by PIB Bhubaneshwar

କେନ୍ଦ୍ର ଶିକ୍ଷା, ସଞ୍ଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିଜିଟାଲ ମାଧ୍ୟମରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କଟକସ୍ଥିତ ସ୍ୱରାଜ ଆଶ୍ରମ ଠାରେ ଏକ ଜନସମାରୋହ ଆୟୋଜନ କରାଯାଇଥିଲା । ଏଥିରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ରାଜ୍ୟ ଓଡ଼ିଆ ଭାଷା, ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ଡାକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ପ୍ରଥମ ଥର ପାଇଁ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଆଗମନ କରିଥିଲେ । ଭାରତ ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାର ସ୍ମୃତିରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରାଯାଇଥିଲା ।  ଏହି ଘଟଣା ଅସହଯୋଗ ଆନ୍ଦୋଳନକୁ ସକ୍ରିୟ କରିଥିଲା ଏବଂ ସ୍ୱାଧୀନତା ଆନ୍ଦୋଳନର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିଥିଲା । ମହାତ୍ମାଗାନ୍ଧୀଙ୍କ ଗସ୍ତ ସମୟରେ ବହୁସଂଖ୍ୟକ ଯୁବକ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ଏବଂ ମହିଳାମାନେ ନିୟମିତ ଭାବେ ଚରଖା ଚଳାଇ ସାଧାରର ଜନତାଙ୍କ ମଧ୍ୟରେ ଖଦୀର ବ୍ୟବହାର ପାଇଁ ପ୍ରଚାର କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଯାଦୁକରୀ ବ୍ୟକ୍ତିତ୍ୱ ପ୍ରଭାବରେ ଅନୁପ୍ରାଣିତ ହୋଇ ଓଡ଼ିଶା, ଜାତୀୟ ଆନ୍ଦୋଳନରେ ସକ୍ରିୟ ଭାବେ ସମ୍ପୃକ୍ତ ହୋଇଥିଲା ।

          କେନ୍ଦ୍ରମନ୍ତ୍ରୀ ଶ୍ରୀ ଧୋତ୍ରେ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ଆଜି ସାରା ଭାରତ ଆଜାଦୀ କା ଅମୃତ ମହୋତ୍ସବପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଭଳି ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘଟଣାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଡାକ ଟିକେଟ ଉନ୍ମୋଚନ କରାଯିବା ଏହି ମହୋତ୍ସବର ଏକ ଅଂଶବିଶେଷ । ଆଗାମୀ ଦିନରେ, ଡାକ ବିଭାଗ ପକ୍ଷରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱ ବହନ କରୁଥିବା ଘଟଣାର ସ୍ମୃତିରେ ଏପରି ଆହୁରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

          ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଏକ ଭାରତ ଶ୍ରେଷ୍ଠ ଭାରତକାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଶ୍ରୀ ଧୋତ୍ରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରସ୍ପର ସହ ଯୋଡ଼ାଯାଇଛି ଯେପରିକି ମହାରାଷ୍ଟ୍ର ସହ ଓଡ଼ିଶା, ଗୋଆ ସହିତ ଝାଡ଼ଖଣ୍ଡ, ଦିଲ୍ଲୀ ଓ ସିକ୍କିମ ଆଦି ।

ଏହାଦ୍ୱାରା ପରସ୍ପରର ସଂସ୍କୃତି, ଭାଷା, ସାହିତ୍ୟ, ନୃତ୍ୟ କଳା ଏବଂ ଆହୁରି ଅନେକ ଦିଗରେ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ସହ ଭାବବିନିମୟ କରିପାରିବେ, ଶିଖିପାରିବେ ଓ ଗ୍ରହଣ କରିପାରିବେ । ଏହା ଭାରତକୁ ଗୋଟିଏ ରାଷ୍ଟ୍ର ଭାବେ ଆହୁରି ସୁଦୃଢ଼ କରିବ । ଆଜିର କାର୍ଯ୍ୟକ୍ରମ ଏ ଦିଗରେ ଏକ ପ୍ରୟାସ ବୋଲି ଶ୍ରୀ ଧୋତ୍ରେ କହିଥିଲେ ।

          ଆଜି ଉନ୍ମୋଚନ ହୋଇଥିବା ସ୍ମାରକୀ ଡାକ ଟିକେଟ ଯୁବକ, ମହିଳା, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ପାଇଁ ଏକ ପ୍ରେରଣା ସାଜିବ । ୧୦୦ ବର୍ଷ ପୂର୍ବେ ଉପନିବେଶବାଦର ଶାସନ ସମୟରେ ସମାଜ ଭୋଗିଥିବା ଯନ୍ତ୍ରଣାକୁ ହୁଏତ ର୍ତ୍ତମାନର ସମାଜ ଅନୁଭବ କରିନପାରେ ।

          ସ୍ମାରକୀ ଡାକ ଟିକେଟର ପ୍ରଥମ ଦିବସ ପ୍ରଚ୍ଛଦରେ ସ୍ଥାନ ପାଇଛି କଟକର ସ୍ୱରାଜ ଆଶ୍ରମ ଯେଉଁଠି ୨୩ ମାର୍ଚ୍ଚ, ୧୯୨୧ରେ ପ୍ରଥମ ଥର ଓଡ଼ିଶା ଆସିବା ସମୟରେ ମହାତ୍ମା ଗାନ୍ଧୀ ଅବସ୍ଥାନ କରିଥିଲେ ।

          ସ୍ମାରକୀ ଡାକ ଟିକେଟ, ପ୍ରଥମ ଦିବସ ପ୍ରଚ୍ଛଦ ଏବଂ ସୂଚନା ପୁସ୍ତିକା ଦେଶର ବିଭିନ୍ନ ସ୍ଥାନରେ ଥିବା ୭୬ଟି ଫିଲାଟେଲିକ ବ୍ୟୁରୋରେ ବିକ୍ରି ପାଇଁ ଉପଲବ୍ଧ ରହିଛି । ଏହାକୁ ମଧ୍ୟ ଇ-ପୋଷ୍ଟ ଅଫିସ ମାଧ୍ୟମରେ(ପରିଦର୍ଶନ କରନ୍ତୁ: https://www.epostoffice.gov.in/) ଅନଲାଇନରେ ଅର୍ଡର କରାଯାଇପାରିବ

 

*****

 

PS

 

 

 

 



(Release ID: 1707005) Visitor Counter : 203