ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଡୁଚେରୀରେ ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

Posted On: 25 FEB 2021 12:47PM by PIB Bhubaneshwar

ପୁଡୁଚେରୀର ଉପରାଜ୍ୟପାଳ,

ବିଶିଷ୍ଟ ଅତିଥିଗଣ, ମୋର ବନ୍ଧୁଗଣ

ପୁଡୁଚେରୀର ଦିବ୍ୟତା ମୋତେ ପୁଣି ଥରେ ଏହି ପବିତ୍ର ଭୂମିକୁ ଫେରାଇ ଆଣିଛି । ଠିକ୍‍ ୩ ବର୍ଷ ତଳେ ମୁଁ ଏଠାକୁ ଆସିଥିଲି । ଏହି ଭୂମି ସାଧୁ, ସନ୍ଥ, ବିଦ୍ୱାନ ଓ କବିଙ୍କର ଭୂମି । ଏହା ମଧ୍ୟ ଭାରତମାତାର ବିପ୍ଳବୀମାନଙ୍କର ଆବାସସ୍ଥଳୀ । ମହାକବି ସୁବ୍ରମଣ୍ୟା ଭାରତୀ ଏଠାରେ ରହୁଥିଲେ । ଶ୍ରୀ ଅରବିନ୍ଦ ଏହାର କୂଳରେ ପାଦ ରଖିଥିଲେ । ପୁଡୁଚେରୀରେ ଭାରତର ପଶ୍ଚିମ ଓ ପୂର୍ବ ଉପକୂଳର ଉପସ୍ଥିତି ଅନୁଭୂତ ହୁଏ । ଏହି ଭୂମି ଏକ ବିବିଧତାର ପ୍ରତୀକ । ଏଠାକାର ଲୋକେ ୫ଟି ବିଭିନ୍ନ ଭାଷା କହନ୍ତି ଓ ବିଭିନ୍ନ ଆସ୍ଥା ଓ ଧର୍ମ ପାଳନ କରନ୍ତି ; କିନ୍ତୁ ଏକପ୍ରକାର ଜୀବନ ବିତାଇଥାନ୍ତି ।

ବନ୍ଧୁଗଣ,

ଆଜି ଆମେ ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଆରମ୍ଭ ଉତ୍ସବକୁ ପାଳନ କରୁଛୁ । ଏହାଦ୍ୱାରା ଏଠାକାର ଲୋକଙ୍କ ଜୀବନରେ ଉନ୍ନତି ଆସିବ । ଏହିସବୁ କାମ ବିଭିନ୍ନ କ୍ଷେତ୍ରରେ କରାଯାଉଛି । ପୁନଃନିର୍ମିତ ମେରି ବିଲ୍ଡିଂକୁ ଉଦ୍‍ଘାଟନ କରି ମୁଁ ବିଶେଷ ଆନନ୍ଦିତ । ଏହାର ପୁରୁଣା ରୂପରେଖ ଓ ଐତିହ୍ୟକୁ ବଜାୟ ରଖି ଏହାର ପୁନଃନିର୍ମାଣ କରାଯାଇଛି । ଏହାଦ୍ୱାରା ସମୁଦ୍ରକୂଳର ସୌନ୍ଦ୍ୟର୍ଯ୍ୟ ଆହୁରି ବଢିବ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ ।

ବନ୍ଧୁଗଣ,

ଆମର ବିକାଶ ଆବଶ୍ୟକତା ପୂରଣ ପାଇଁ ଭାରତ ଅଧିକ ବିଶ୍ୱସ୍ତରୀୟ ଭିତ୍ତିଭୂମି ଲୋଡୁଛି । ଜାତୀୟ ରାଜପଥ ୪୫-(କ)କୁ ୪ ଟିକିଆ କରିବା ପାଇଁ ଯେଉଁ ଶିଳାନ୍ୟାସ କରାଗଲା ତଦ୍ଦ୍ୱାରା ଆପଣମାନେ ନିଶ୍ଚିତ ଖୁସି ହେବେ । ଏହି ରାଜପଥର ଲମ୍ବ ୫୬ କିମି ଏବଂ ଏହା ସାତନାଥପୁରମ୍‍-ନାଗପଟ୍ଟିନମ୍‍ ମଧ୍ୟରେ ସଂଯୋଗ ସ୍ଥାପନ କରିବ । ଏହା ମଧ୍ୟରେ କଡାଇକଲ ଜିଲା ରହୁଛି । ତେଣୁ ନିଶ୍ଚିତଭାବେ ଏହାଦ୍ୱାରା ଏହି ଅଞ୍ଚଳରେ ଯୋଗାଯୋଗର ଉନ୍ନତି ଘଟିବ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ । ଆହୁରି ମଧ୍ୟ ଏହାଦ୍ୱାରା ପବିତ୍ର ଶନିଶ୍ୱରମ୍‍ ମନ୍ଦିରକୁ ସଡକ ସଂଯୋଗ ସୁଗମ ହୋଇପାରିବ । ଆହୁରି ମଧ୍ୟ ଏହି ସଡକ ପଥର ବିକାଶ ଦ୍ୱାରା ଆନ୍ତଃରାଜ୍ୟ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଲେଡି ଅଫ୍‍ ଗୁଡ୍‍ ହେଲ୍‍ଥ ବାସିଲିକା ସହିତ ନାଗୋର ଦର୍ଘା ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ ।

ବନ୍ଧୁଗଣ,

 ଭାରତ ସରକାର ଗ୍ରାମାଞ୍ଚଳ ଓ ଉପକୂଳ ଅଞ୍ଚଳର ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ କିଛି ଉଦ୍ୟମ କରିଛନ୍ତି । ଏହାଦ୍ୱାରା ଦେଶର କୃଷି ଉଦ୍ୟୋଗ ଉପକୃତ ହେବ । ସମଗ୍ର ଭାରତରେ ଆମ ଚାଷୀମାନେ ନୂଆ ନୂଆ ପ୍ରୟୋଗ ଓ ଉଦ୍ୟମ ଚଳାଇଛନ୍ତି । ଅତଏବ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଯେପରି ଉତ୍ତମ ବଜାର ପାଏ ତାହା ନିଶ୍ଚିତ କରିବା ଆମର କାର୍ଯ୍ୟ । ଉତ୍ତମ ସଡକ ସେହି କାମଟି କରିବାକୁ ଉଦ୍ଦିଷ୍ଟ । ରାସ୍ତାକୁ ୪ ଟିକିଆ କରିବା ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଶିଳ୍ପାୟନ ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେବ । ଏହା ଫଳରେ ସ୍ଥାନୀୟ ଯୁବକମାନେ ନିଯୁକ୍ତିର ସୁବିଧା ପାଇବେ ।

ବନ୍ଧୁଗଣ,

 ଉତ୍ତମ ସ୍ୱାସ୍ଥ୍ୟ ସହିତ ସମୃଦ୍ଧି ନିବିଡଭାବେ ଜଡିତ । ଗତ ୭ ବର୍ଷ ମଧ୍ୟରେ ଭାରତ ଏ କ୍ଷେତ୍ରରେ ଅନେକ କିଛି ଉଦ୍ୟମ କରି ନାଗରିକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛି । ଏଠାକାର ସ୍ପୋର୍ଟସ୍‍ କମ୍ପେ୍ଳକ୍ସରେ ୪୦୦ ମିଟର ସିନ୍ଥେଟିକ ଆଥ୍‍ଲେଟିକ ଟ୍ରାକର ଭିତ୍ତିପ୍ରସ୍ଥର ସ୍ଥାପନ କରି ମୁଁ ବିଶେଷ ଆନନ୍ଦିତ । ଏହା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ । ଏହି ଉଦ୍ୟମ କ୍ରୀଡା ପ୍ରତିଭା ବିକାଶରେ ସହାୟକ ହେବ । କ୍ରୀଡାରୁ ଆମେ ଟିମ୍‍ୱାର୍କର ଶିକ୍ଷା ପାଉ । ପୁଡୁଚେରୀରେ ଉତ୍ତମ କ୍ରୀଡା ଭିତ୍ତିଭୂମି ସୃଷ୍ଟି ହେବା ଫଳରେ ଏଠାକାର ଯୁବକଯୁବତୀ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଉତ୍କର୍ଷ ଲାଭ କରିପାରିବେ ।  ଲସ୍‍ପେଟରେ ଯେଉଁ ୧୦୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ବାଳିକା ହଷ୍ଟେଲ ଆଜି ଉଦ୍‍ଘାଟିତ ହେଲା, ତାହା କ୍ରୀଡା ପ୍ରତିଭାଙ୍କ କାର୍ଯ୍ୟରେ ଲାଗିବ । ଏହି ହଷ୍ଟେଲରେ ହକି, ଭଲିବଲ, ଭାରୋତ୍ତଳନ, କବାଡି ଓ ହ୍ୟାଣ୍ଡବଲ ଖେଳାଳିମାନେ ରହିବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଭାରତୀୟ କ୍ରୀଡା ପ୍ରାଧିକରଣର ପ୍ରଶିକ୍ଷକମାନେ ତାଲିମ ପ୍ରଦାନ କରିବେ ।

ବନ୍ଧୁଗଣ,

 ଆଗାମୀ ଦିନରେ ଦେଶରେ ଯେଉଁ କ୍ଷେତ୍ରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ତାହାହେଲା ସ୍ୱାସ୍ଥ୍ୟସେବା । ସ୍ୱାସ୍ଥ୍ୟସେବାରେ ଅର୍ଥ ନିବେଶ କରିଥିବା ଦେଶ ପ୍ରଗତି କରିଥାଏ । ଦେଶର ସବୁ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆମେ ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛୁ ତାହାର ଅଂଶବିଶେଷ ସ୍ୱରୂପ ମୁଁ ଆଜି ଏଠାକାର ଜିପ୍‍ମରର ରକ୍ତ ଭଣ୍ଡାରକୁ ଉଦ୍‍ଘାଟନ କରୁଛି । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୮ କୋଟି ଟଙ୍କା । ଏହାଦ୍ୱାରା ଏହି କେନ୍ଦ୍ରରେ ରକ୍ତ, ରକ୍ତଜାତ ସାମଗ୍ରୀ ଓ ଷ୍ଟେମ ସେଲ ଆଦି ଏଠାରେ ଅନେକ ଦିନ ନିରାପଦରେ ସଂରକ୍ଷିତ ହୋଇରହିପାରିବ । ଏହି କେନ୍ଦ୍ରଟି ମଧ୍ୟ ଏକ ଗବେଷଣାଗାର ଏବଂ ତାଲିମ କେନ୍ଦ୍ରଭାବେ କାର୍ଯ୍ୟ କରିବ । ରକ୍ତ ସଞ୍ଚରଣ ଓ ଅନ୍ୟାନ୍ୟ ବିଷୟରେ ଏଠାରେ ତାଲିମ ପ୍ରଦାନ କରାଯିବ । ଆପଣମାନେ ଜାଣିଥିବେ ଯେ ଚଳିତବର୍ଷ ବଜେଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ବହୁ ଅଧିକ ଅର୍ଥ ବରାଦ କରାଯାଇଛି ।

ବନ୍ଧୁଗଣ,

 ମହାନ୍‍ କବି ତିରୁବଲ୍ଳୁବର କହିଛନ୍ତି ଯେ ଉଭୟ ଜ୍ଞାନ ଆହରଣ ଓ ଶିକ୍ଷା ହିଁ ବାସ୍ତବ ଧନ । ଏହା ସ୍ଥାୟୀ ଏବଂ ଅନ୍ୟ ସବୁ ଅସ୍ଥାୟୀ । ଉତ୍ତମ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉତ୍ତମ ସ୍ୱାସ୍ଥ୍ୟ ପେସାଦାରଙ୍କର ଆବଶ୍ୟକତା ରହିଛି । କଡାଇକଲ ମେଡିକାଲ କଲେଜ ବିଲ୍ଡିଂର ନୂଆ କ୍ୟାମ୍ପସରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରକଳ୍ପ ଆରମ୍ଭ ହୋଇଛି ତାହା ଏହି ଉଦ୍ୟମର ଅଂଶବିଶେଷ । ଏହି ପରିବେଶ ଅନୁକୂଳ ଭବନ ଓ ପରିସରରେ ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆଧୁନିକ ଶିକ୍ଷା  ଓ ଚିକିତ୍ସା ସୁବିଧା ମିଳିବ ।

ବନ୍ଧୁଗଣ,

ପୁଡୁଚେରୀର ଉପକୂଳ ହିଁ ଏହାର ଆତ୍ମା । ଏଠି ମତ୍ସ୍ୟ ସଂପଦ, ବନ୍ଦର, ଜାହାଜ ଚଳାଚଳ ଓ ନୀଳ ଅର୍ଥନୀତିର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ଓ ସମ୍ଭାବନା ରହିଛି । ସାଗରମାଳା ଯୋଜନାରେ ମୁଁ ପୁଡୁଚେରୀ ବନ୍ଦର ବିକାଶର ଶିଳାନ୍ୟାସ କରି ନିଜକୁ ଧନ୍ୟ ମନେ କରୁଛି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଏଠାକାର ମତ୍ସ୍ୟଜୀବିମାନେ ବିଶେଷ ଉପକୃତ ହେବେ । ସେମାନେ ଏହି ବନ୍ଦରରୁ ମୁଖ୍ୟତଃ ମାଛ ଧରିବାକୁ ସମୁଦ୍ରକୁ ଯାତ୍ରା କରିଥାନ୍ତି । ଏହି ବନ୍ଦର ମଧ୍ୟ ଚେନ୍ନଇ ସହ ସାମୁଦ୍ରିକ ସଂପର୍କ ଯୋଗାଇଦେବ । ଏହା ଫଳରେ ପୁଡୁଚେରୀରେ ଶିଳ୍ପ ଉଦ୍ୟୋଗ ସ୍ଥାପନ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳିବ । ଆହୁରି ମଧ୍ୟ ଏହି ବନ୍ଦର ଚେନ୍ନଇ ବନ୍ଦରର କାର୍ଯ୍ୟ ବୋଝ ହ୍ରାସ କରିବାରେ ସହାୟକ ହେବ । ସର୍ବୋପରି ଏହି ବନ୍ଦର ଉପକୂଳ ନଗରୀଗୁଡିକ ମଧ୍ୟରେ ସାମୁଦ୍ରିକ ଯାତ୍ରୀସେବା ଯୋଗାଣରେ ସହାୟକ ହୋଇପାରିବ ।

ବନ୍ଧୁଗଣ,

ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରିବା କ୍ଷେତ୍ରରେ ପୁଡୁଚେରୀ ବେଶ୍‍ ଭଲ କାମ କରିଛି । ଏହାଦ୍ୱାରା ଲୋକମାନେ ସଶକ୍ତ ହୋଇଛନ୍ତି । ଏଠାକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯୋଗୁଁ ପୁଡୁଚେରୀର ମାନବ ସମ୍ବଳ ବେଶ୍‍ ସମୃଦ୍ଧ । ଏଠାରେ ମଧ୍ୟ ଶିଳ୍ପ ଓ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । ଏହା ଫଳରେ ଏହି ଅଞ୍ଚଳରେ ବ୍ୟାପକ କର୍ମନିଯୁକ୍ତିର ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ । ପୁଡୁଚେରୀର ଲୋକମାନେ ପ୍ରତିଭାଶାଳୀ । ଏହି ଭୂମି ସୁନ୍ଦର । ପୁଡୁଚେରୀର ସର୍ବାଙ୍ଗୀନ ବିକାଶ ପାଇଁ ମୋ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପାଇଁ ମୁଁ ଏଠାକୁ ବ୍ୟକ୍ତିଗତଭାବେ ଆସିଛି ।

ପୁଡୁଚେରୀରେ ଆଜି ଯେଉଁସବୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଲା ସେଥିପାଇଁ ମୁଁ ଏହାର ଅଧିବାସୀଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ଧନ୍ୟବାଦ ।

ୱଣକମ୍‍ । ନମସ୍କାର ।

 

******

TKM

 



(Release ID: 1700930) Visitor Counter : 149