ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ 2021 ଲାଗି ବିଜ୍ଞପ୍ତି ପ୍ରକାଶ କଲେ ସରକାର

ଭାରତରେ ବ୍ୟବସାୟ କରିବା ଲାଗି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ସ୍ୱାଗତ କିନ୍ତୁ ସେମାନେ ଭାରତୀୟ ସମ୍ବିଧାନ ଓ ଆଇନକୁ ପାଳନ କରିବା ଆବଶ୍ୟକ

ପ୍ରଶ୍ନ କରିବା ଓ ସମାଲୋଚନା ଲାଗି ନିଶ୍ଚିତ ଭାବେ ଉପଯୋଗ ହୋଇପାରିବ ସାମାଜିକ ଗଣମାଧ୍ୟମ

ସାଧାରଣ ବ୍ୟବହାରକାରୀଙ୍କୁ ସଶକ୍ତ କରିଥିବା ସାମାଜିକ ଗଣମାଧ୍ୟମ ମଞ୍ଚ ଅପବ୍ୟବହାର ଏବଂ ଦୁରୂପଯୋଗ କ୍ଷେତ୍ରରେ ଉତ୍ତରଦାୟୀ ରହିବା ଉଚିତ୍

ଡିଜିଟାଲ ମିଡିଆ ଏବଂ ଓଟିଟି ପାଇଁ ଉଦ୍ଦିଷ୍ଟ ନିୟମରେ ଅନ୍ତରୀଣ ଏବଂ ସ୍ୱ-ନିୟନ୍ତ୍ରଣ ବ୍ୟବସ୍ଥା ରହିଛି, ଯେଉଁଥିରେ ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା ସହିତ ସାମ୍ବାଦିକ ଓ ସୃଜନଶୀଳ ସ୍ୱାଧୀନତା ପାଇଁ ରହିଛି ସୁଯୋଗ

ପ୍ରସ୍ତାବିତ ଢାଞ୍ଚା ପ୍ରଗତିଶୀଳ, ଉଦାର ଏବଂ ସମକାଳୀନ

ନୂଆ ନିୟମରେ ଜନସାଧାରଣଙ୍କ ବିଭିନ୍ନ ଚିନ୍ତା ଦୂର କରାଯିବା ସହିତ ସୃଜନଶୀଳତା ଉପରେ ଅଙ୍କୁଶ ଏବଂ ବିଚାର ଓ ଅଭିବ୍ୟକ୍ତିର ସ୍ୱାଧୀନତା ସଂକ୍ରାନ୍ତରେ ରହିଥିବା ଭ୍ରମଧାରଣା ଦୂର ପାଇଁ ପ୍ରୟାସ

ଥିଏଟର ଓ ଟେଲିଭିଜନ ତୁଳନାରେ ଇଣ୍ଟରନେଟ୍ ଦର୍ଶକଙ୍କ ମଧ୍ୟରେ ରହିଥିବା ତାରତମ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଦିଶାନିର୍ଦ୍ଦେଶ

Posted On: 25 FEB 2021 2:44PM by PIB Bhubaneshwar

ଡିଜିଟାଲ ଗଣମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱର ଅଭାବ ଏବଂ ବ୍ୟବହାରକାରୀ (ୟୁଜର)ଙ୍କ ଅଧିକାର କ୍ଷୁଣ୍ଣ ହେବା ନେଇ ଚିନ୍ତା ବୃଦ୍ଧି ପାଉଥିବା ବେଳେ ସରକାର ବିଭିନ୍ନ ବର୍ଗର ଜନସାଧାରଣ ଓ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରି ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ 2021 କାର୍ଯ୍ୟକାରୀ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରକାର ସୂଚନା ପ୍ରଯୁକ୍ତି ଆଇନ, 2000 ର ଧାରା 87(2) ଅନୁଯାୟୀ ରହିଥିବା କ୍ଷମତାର ଉପଯୋଗ କରି ଏହି ନିୟମାବଳୀ ଆଣିଛନ୍ତି। ଏହା ପୂର୍ବରୁ ରହିଥିବା ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ) ନିୟମାବଳୀ 2011 ସ୍ଥାନରେ କାର୍ଯ୍ୟକାରୀ ହେବ।

ଏହି ନିୟମାବଳୀକୁ ଚୁଡ଼ାନ୍ତ ରୂପ ଦେବା ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ସାମାଜିକ ଗଣମାଧ୍ୟମ (ସୋଶଲ ମିଡିଆ), ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଏକ ସୁସଂଗତ, ଉଦାର ତଦାରଖ ପ୍ରଣାଳୀ ଆଣିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ବର୍ତ୍ତମାନ ସାଧାରଣ ଭାରତୀୟଙ୍କ ପାଇଁ ଏକ ଆନ୍ଦୋଳନ ପାଲଟିଛି। ମୋବାଇଲ ଫୋନ, ଇଣ୍ଟରନେଟ୍ ଆଦିର ପ୍ରସାର କାରଣରୁ ଭାରତରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସେମାନଙ୍କର ସ୍ଥିତି ଜମାଇପାରିଛନ୍ତି। ଜନସାଧାରଣ ମଧ୍ୟ ଏହିସବୁ ପ୍ଲାଟଫର୍ମଗୁଡ଼ିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଉପଯୋଗ କରୁଛନ୍ତି। ସାମାଜିକ ଗଣମାଧ୍ୟମ ସମ୍ପର୍କରେ ନିରପେକ୍ଷ ବିଶ୍ଳେଷଣ କରୁଥିବା କେତେକ ପୋର୍ଟାଲରୁ ଜଣାପଡ଼ିଛି ଯେ ଭାରତରେ 53 କୋଟି ହ୍ବାଟ୍ସଆପ ବ୍ୟବହାରକାରୀ ଥିବା ବେଳେ ୟୁଟ୍ୟୁବର 44.8 କୋଟି, ଫେସବୁକର 41 କୋଟି, ଇନଷ୍ଟାଗ୍ରାମର 21 କୋଟି ଏବଂ ଟୁଇଟରର 1.75 କୋଟି ବ୍ୟବହାରକାରୀ ରହିଛନ୍ତି।

ଏହିସବୁ ସାମାଜିକ ଗଣମାଧ୍ୟମଗୁଡ଼ିକ ସାଧାରଣ ଭାରତୀୟମାନଙ୍କୁ ସେମାନଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ପ୍ରଶ୍ନ ପଚାରିବା, ସୂଚନା ହାସଲ କରିବା ଏବଂ ମୁକ୍ତ ଭାବେ ମତାମତ ବ୍ୟକ୍ତ କରିବା, ସରକାର ଏବଂ ଏହାର ସଂସ୍ଥାଗୁଡ଼ିକୁ ସମାଲୋଚନା କରିବା ଆଦି ନିମନ୍ତେ ସଶକ୍ତ କରିଛି। ସମାଲୋଚନା ଓ ଅସହମତ ହେବା ଲାଗି ପ୍ରତ୍ୟେକ ଭାରତୀୟଙ୍କର ଅଧିକାର ରହିଛି। ଗଣତନ୍ତ୍ରରେ ଏହା ଏକ ଜରୁରି ଉପାଦାନ ବୋଲି ସରକାର ଏହାକୁ ଗ୍ରହଣ କରିଛନ୍ତି। ଭାରତ ବିଶ୍ୱର ସର୍ବବୃହତ ମୁକ୍ତ ଇଣ୍ଟରନେଟ୍ ସମାଜ ଏବଂ ଭାରତରେ କାରବାର କରିବା ଏବଂ ଲାଭ ଅର୍ଜନ କରିବା ଲାଗି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ସରକାର ସ୍ୱାଗତ କରିଥାନ୍ତି। ତେବେ ସେମାନେ ଭାରତୀୟ ସମ୍ବିଧାନ ଏବଂ ଆଇନ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ।

ସାମାଜିକ ଗଣମାଧ୍ୟମର ପ୍ରସାର ଗୋଟିଏ ପଟେ ନାଗରିକମାନଙ୍କୁ ସଶକ୍ତ କରୁଥିବା ବେଳେ ଅନ୍ୟପଟେ କେତେକ ଗମ୍ଭୀର ପରିଣାମ ଓ ଚିନ୍ତାକୁ ଜନ୍ମ ଦେଇଥାଏ ଯାହା ନିକଟବର୍ତ୍ତୀ ବର୍ଷଗୁଡ଼ିକରେ ଦେଖିବାକୁ ମିଳିଛି। ଦିନକୁ ଦିନ ଏଗୁଡ଼ିକ ବୃଦ୍ଧି ପାଉଥିବା ଦେଖାଯାଉଛି। ଏ ସମ୍ପର୍କରେ ସଂସଦରେ ଏବଂ ଏହାର ସମିତିରେ, ନ୍ୟାୟିକ ଆଦେଶ ଓ ନାଗରିକ ସମାଜର ଆଲୋଚନାରେ ଚିନ୍ତା ବ୍ୟକ୍ତ କରାଯାଇଛି। ଏପରି ଚିନ୍ତା ସାରା ବିଶ୍ୱରେ ଦେଖାଦେଇଛି ଏବଂ ଏହା ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି।

ସାମାଜିକ ଗଣମାଧ୍ୟମରେ କେତେକ ଚିନ୍ତାଜନକ ଘଟଣା ଦେଖିବାକୁ ମିଳୁଛି। ମିଛ ଖବର ପ୍ରସାର କାରଣରୁ ଅଧିକାଂଶ ଗଣମାଧ୍ୟମ ମଞ୍ଚଗୁଡ଼ିକ ତଥ୍ୟ ଯାଞ୍ଚ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ମହିଳାମାନଙ୍କର ଅଶ୍ଳୀଳ ଫଟୋ ଛଡ଼ାଯାଉଛି। ଅନେକ ସମୟରେ ପ୍ରତିଶୋଧ ନେବା ପାଇଁ ମହିଳାଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା କାରଣରୁ ସେମାନଙ୍କର ସମ୍ମାନ ପ୍ରତି ଆଞ୍ଚ ଆସୁଛି। କର୍ପୋରେଟ ଶତ୍ରୁତା ପାଇଁ ଅନୈତିକ ଭାବେ ସାମାଜିକ ଗଣମାଧ୍ୟମର ଉପଯୋଗ କରାଯାଉଥିବାରୁ ବଡ଼ ବ୍ୟବସାୟଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଆପତ୍ତିଜନକ ଭାଷା, ଅପମାନଜନକ ଏବଂ ଅଶ୍ଳୀଳ ଉପାଦାନଗୁଡ଼ିକ ଏହି ସାମାଜିକ ଗଣମାଧ୍ୟମରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି।

ଅପରାଧୀ, ରାଷ୍ଟ୍ରବିରୋଧୀ ତତ୍ତ୍ବମାନେ ସାମାଜିକ ଗଣମାଧ୍ୟମର ଦୂରୁପଯୋଗ କରିବା ଭଳି ଘଟଣା ଆଇନ ପ୍ରବର୍ତ୍ତନ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଏଥିରେ ଆତଙ୍କବାଦୀଙ୍କୁ ସଂଗଠନରେ ସାମିଲ କରିବା, ଆପତ୍ତିଜନକ ବିଷୟବସ୍ତୁ ପ୍ରସାର କରିବା, ସାମାଜିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବା, ଆର୍ଥିକ ଠକେଇ, ହିଂସାକୁ ଉସୁକାଇବା ଏବଂ ଆଇନଶୃଙ୍ଖଳା ଭଙ୍ଗ କରିବା ଭଳି କାର୍ଯ୍ୟ କରାଯାଉଛି।

ଏଭଳି ପରିସ୍ଥିତିରେ ଏହା ଦେଖିବାକୁ ମିଳିଛି ଯେ ସାମାଜିକ ଗଣମାଧ୍ୟମ ଏବଂ ଓଟିଟି ମଞ୍ଚ ପାଇଁ କୌଣସି ସୁଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା ନାହିଁ ଯାହା ନିର୍ଦ୍ଧାରିତ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିପାରିବ।

ସୋଶଲ ମିଡିଆ ଏବଂ ଅନ୍ୟାନ୍ୟ ମଧ୍ୟସ୍ଥ (ଇଣ୍ଟରମିଡିଆରୀ) ଗୁଡ଼ିକର କ୍ରମବିକାଶ:

ଯଦି ଆମେ ସୋଶଲ ମିଡିଆ ମଧ୍ୟସ୍ଥଗୁଡ଼ିକର କ୍ରମବିକାଶ ଦେଖିବା ତା’ହେଲେ ଜଣାପଡ଼ିବ ଯେ ସେମାନଙ୍କ ଭୂମିକା ଏବେ କେବଳ ମଧ୍ୟସ୍ଥ ଭାବେ ସୀମିତ ହୋଇ ରହିନାହିଁ ଏବଂ ସେମାନେ ପ୍ରକାଶକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଏହି ନିୟମାବଳୀଗୁଡ଼ିକରେ ସାଧାରଣ ସ୍ୱନିୟନ୍ତ୍ରିତ ଢାଞ୍ଚା ସହିତ କେତେକ ଉଦାର ବ୍ୟବସ୍ଥା କରାଯାଇଛି। ଏହା ଦେଶରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଆଇନ ଓ ବିଧାନ ଅନୁଯାୟୀ କାର୍ଯ୍ୟ କରିବ ଏବଂ ଅନଲାଇନ କିମ୍ବା ଅଫଲାଇନ ବିଷୟବସ୍ତୁ ପାଇଁ ପ୍ରଯୁଜ୍ୟ ହେବ। ସମାଚାର ଏବଂ ସାମ୍ପ୍ରତିକ ଘଟଣାବଳୀ ସଂକ୍ରାନ୍ତ ବିଷୟବସ୍ତୁ ପ୍ରକାଶ କରୁଥିବା ପ୍ରକାଶକମାନଙ୍କ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସାମ୍ବାଦିକତା ଆଚାର ସଂହିତା ଏବଂ ଛାପା ଓ ଟିଭିଗୁଡ଼ିକ ପାଇଁ ପ୍ରଯୁଜ୍ୟ କେବୁଲ ଟିଭି ନେଟଓ୍ବର୍କ ଆଇନ ଅଧୀନରେ କାର୍ଯ୍ୟକ୍ରମ ସଂହିତା ଲାଗୁ ହେବ।

ନୂତନ ନିର୍ଦ୍ଦେଶାବଳୀର ଔଚିତ୍ୟ ଏବଂ ଯଥାର୍ଥତା:

ଏହି ନିୟମାବଳୀରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ସାଧାରଣ ବ୍ୟବହାରକାରୀଙ୍କୁ ସେମାନଙ୍କର ଅଭିଯୋଗ ସମାଧାନ ପାଇଁ କ୍ଷମତା ଦିଆଯାଇଛି ଏବଂ ସେମାନଙ୍କର ଅଧିକାର ଉଲ୍ଲଙ୍ଘନ କ୍ଷେତ୍ରରେ ଅପରପକ୍ଷକୁ ଉତ୍ତରଦାୟୀ କରିବାର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ନିମ୍ନୋକ୍ତ  ଘଟଣାବଳୀ ଉଲ୍ଲେଖନୀୟ:

  • 11.12.2018ରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ରିଟ ପିଟିସନ (ପ୍ରଜ୍ଜ୍ବଳା ମାମଲା) ଉପରେ ନିଜ ଆଡ଼ୁ ଦେଇଥିବା ଆଦେଶରେ କହିଥିଲେ ଯେ ହୋଷ୍ଟିଂ ପ୍ଲାଟଫର୍ମ ଏବଂ ଅନ୍ୟ ଆପ୍ଲିକେସନଗୁଡ଼ିକରେ ରହିଥିବା ଶିଶୁ ଅଶଡ଼ ଚଳଚ୍ଚିତ୍ର (ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ), ଦୁଷ୍କର୍ମ, ଗଣଦୁଷ୍କର୍ମ ଚିତ୍ର, ଭିଡିଓ ଏବଂ ସାଇଟଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଭାରତ ସରକାର ଆବଶ୍ୟକ ଗାଇଡଲାଇନ ଆଣିବା ଆବଶ୍ୟକ।
  • 24.09.2019ରେ ଅନ୍ୟ ଏକ ଆଦେଶରେ ସୁପ୍ରିମକୋର୍ଟ ନୂଆ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଲାଗି ନିର୍ଦ୍ଧାରିତ ସମୟସୀମା ଧାର୍ଯ୍ୟ କରିବା ଲାଗି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ଆଦେଶ ଦେଇଥିଲେ।
  • ସେହିପରି ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଏବଂ ମିଛ ଖବର ପ୍ରସାର ସମ୍ପର୍କରେ ରାଜ୍ୟସଭାରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ କରାଯାଇଥିଲା। 26.07.2018ରେ ମନ୍ତ୍ରୀ ସଦନକୁ ଅବଗତ କରାଇଥିଲେ ଯେ ସରକାର ଆଇନଗତ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି ସଂକଳ୍ପବଦ୍ଧ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ଆଇନ ଅଧୀନରେ ଉତ୍ତରଦାୟୀ କରାଯିବ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସଦନର ସଦସ୍ୟମାନଙ୍କ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ସେ ଏହି ଉତ୍ତର ରଖିଥିଲେ।
  • 03.02.2020ରେ ରାଜ୍ୟସଭାର ଆଡହକ କମିଟି ନିଜର ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲା ଏବଂ ସାମାଜିକ ଗଣମାଧ୍ୟମରେ ପର୍ଣ୍ଣୋଗ୍ରାଫୀର ପ୍ରସାର କାରଣରୁ ଶିଶୁ ଏବଂ ସର୍ବୋପରି ସମାଜ ଉପରେ ଏହାର ପ୍ରଭାବ ନେଇ ଚିନ୍ତା ବ୍ୟକ୍ତ କରିଥିଲା।

ବିଚାରବିମର୍ଶ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଚିଠା ନିୟମାବଳୀ ପ୍ରସ୍ତୁତ କରିଥିଲା ଏବଂ 24.12.2018ରେ ଏଥିପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲା। ଏ ସଂକ୍ରାନ୍ତରେ ଜନସାଧାରଣ, ନାଗରିକ ସମାଜ, ଶିଳ୍ପ ସଂସ୍ଥା ଓ ସଂଗଠନ ପକ୍ଷରୁ 171ଟି ମତାମତ ପାଇଥିଲା। ଏହିସବୁ ମତାମତର 80ଟି ବିରୋଧାତ୍ମକ ମତାମତ ମଧ୍ୟ ମିଳିଥିଲା। ଏହିସବୁ ମତାମତ ବିସ୍ତୃତ ଭାବେ ବିଶ୍ଳେଷଣ କରାଯାଇଥିଲା। ଏହାପରେ ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ ହୋଇ ଏସବୁ ନିୟମାବଳୀକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।

ପ୍ରମୁଖ ବୈଶିଷ୍ଟ୍ୟ

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବାକୁ ଥିବା ସୋଶଲ ମିଡିଆ ସଂକ୍ରାନ୍ତ ଗାଇଡଲାଇନ:

  • ମଧ୍ୟସ୍ଥମାନଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ପାଳନ କରାଯିବ: ସୋଶଲ ମିଡିଆ ମଧ୍ୟସ୍ଥଙ୍କ ସମେତ ସମସ୍ତ ମଧ୍ୟସ୍ଥମାନଙ୍କୁ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ହେବ। ଏହାର ଉଲ୍ଲଙ୍ଘନ କ୍ଷେତ୍ରରେ ସେମାନଙ୍କୁ ନିରାପଦ ଆଶ୍ରୟ ସୁବିଧା ମିଳିବ ନାହିଁ।
  • ଅଭିଯୋଗ ସମାଧାନ ବ୍ୟବସ୍ଥା : ବ୍ୟବହାରକାରୀଙ୍କ ସଶକ୍ତିକରଣ ଲାଗି ସୋଶଲ ମିଡିଆ ମଧ୍ୟସ୍ଥଙ୍କ ସମେତ ମଧ୍ୟସ୍ଥଗୁଡ଼ିକ ପାଇଁ ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା କରିବା ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟବହାରକାରୀ ଏବଂ ପୀଡ଼ିତଙ୍କ ଅଭିଯୋଗ ଗ୍ରହଣ ଓ ସମାଧାନ ଲାଗି ଉଦ୍ଦିଷ୍ଟ ହେବ। ଅଭିଯୋଗଗୁଡ଼ିକର ସମାଧାନ ଲାଗି ଏଗୁଡ଼ିକ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବେ ଏବଂ ତାଙ୍କର ନାମ ଓ ଠିକଣା ବିବରଣୀ ଦେବେ।  ଏହି ଅଧିକାରୀ ଚବିଶ ଘଣ୍ଟା ମଧ୍ୟରେ ଅଭିଯୋଗ ଗ୍ରହଣ କରିବେ ଏବଂ ଗ୍ରହଣ କରିବାର ପନ୍ଦର ଦିନ ମଧ୍ୟରେ ଏହାର ସମାଧାନ କରିବେ।
  • ବ୍ୟବହାରକାରୀ, ବିଶେଷ କରି ମହିଳା ବ୍ୟବହାରକାରୀଙ୍କ ଅନଲାଇନ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବେ : ବ୍ୟକ୍ତିବିଶେଷଙ୍କ ଗୋପନୀୟ ଅଙ୍ଗ ପ୍ରଦର୍ଶିତ କରୁଥିବା କିମ୍ବା ଏପରି ବ୍ୟକ୍ତିବିଶେଷଙ୍କୁ ଆଂଶିକ ଭାବେ କିମ୍ବା ସମ୍ପୂର୍ଣ୍ଣ ଭାବେ ଉଲଗ୍ନ ଭାବେ ଦର୍ଶାଉଥିବା କିମ୍ବା ସହବାସରେ ଥିବା ସମୟରେ ଅଥବା ଆପତ୍ତିଜନକ ଫଟୋ ଛାଡ଼ି ସେମାନଙ୍କର ସମ୍ମାନହାନି କରାଯାଉଥିବା ସମ୍ପର୍କରେ ଅଭିଯୋଗ ହସ୍ତଗତ ହେବା କ୍ଷଣି ମଧ୍ୟସ୍ଥସଂସ୍ଥାଗୁଡ଼ିକ ଏପରି ବିଷୟବସ୍ତୁକୁ 24 ଘଣ୍ଟା ମଧ୍ୟରେ ହଟାଇବେ କିମ୍ବା ଏହାର ଆକ୍ସେସକୁ ବନ୍ଦ କରିବେ। ଏପରି ଅଭିଯୋଗ ସମ୍ପୃକ୍ତ ଅଭିଯୋଗକାରୀ କିମ୍ବା ତାଙ୍କ ପକ୍ଷରୁ ଅନ୍ୟ କେହି କରିପାରିବେ।
  • ଦୁଇ ପ୍ରକାରର ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ (ଇଣ୍ଟରମିଡିଆରିଜ୍) : ଛୋଟ ପ୍ଲାଟଫର୍ମଗୁଡ଼ିକୁ ଜରୁରି ଅନୁପାଳନ ଆବଶ୍ୟକତାରୁ ବାଦ ଦେଇ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକର ନବୋନ୍ମେଷ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଏହି ନିୟମାବଳୀରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ ମଧ୍ୟରେ ଏକ ତୁଳନାତ୍ମକ ବିଭାଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ମଞ୍ଚରେ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଆଧାର କରି ଏହି ବିଭାଜନ କରାଯିବ। ନିୟମାବଳୀରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ ଏବଂ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥର ସଂଜ୍ଞା ନିର୍ଦ୍ଧାରଣ ଲାଗି ସରକାର ବ୍ୟବହାରକାରୀଙ୍କ ସଂଖ୍ୟାର ଏକ ସୀମା ସମ୍ପର୍କରେ ସରକାର ବିଜ୍ଞପ୍ତି ଜାରି କରିବେ।
  • ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ଅତିରିକ୍ତ ନିୟମ ପାଳନ କରିବେ : ଏମାନେ ଏକ ମୁଖ୍ୟ ଅନୁପାଳନ ଅଧିକାରୀ ନିଯୁକ୍ତ କରିବେ ଯିଏକି ଆଇନ ଓ ନିୟମ ଅନୁପାଳନ ସୁନିଶ୍ଚିତ କରିବେ।
  • ସେମାନେ ଜଣେ ନୋଡାଲ କଣ୍ଟାକ୍ଟ ଅଧିକାରୀଙ୍କୁ ନିଯୁକ୍ତି ଦେବେ ଯିଏକି ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ବୟ ସ୍ଥାପନ କରିବେ। ଏହି ବ୍ୟକ୍ତି ଜଣକ ଭାରତର ନାଗରିକ ହୋଇଥିବା ଆବଶ୍ୟକ।
  • ଜଣେ ଆବାସିକ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତି ଦେବେ ଯିଏକି ଅଭିଯୋଗ ସମାଧାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବେ। ଏହି ବ୍ୟକ୍ତି ଜଣକ ଭାରତର ନାଗରିକ ହୋଇଥିବା ଆବଶ୍ୟକ।
  • ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବେ ଯେଉଁଥିରେ ହାସଲ କରାଯାଇଥିବା ଅଭିଯୋଗଗୁଡ଼ିକର ସମାଧାନ ଏବଂ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ତଥା ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ଦ୍ବାରା ହଟାଯାଇଥିବା ବିଷୟବସ୍ତୁର ବିବରଣୀ ରହିଥିବ।
  • କେବଳ ମେସେଜିଂ (ବାର୍ତ୍ତା ପ୍ରେରଣ) ପାଇଁ ଉର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ପ୍ରଥମେ ସୂଚନା ପଠାଉଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିବେ। ଯାହାଫଳରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା, ରାଷ୍ଟ୍ର ସୁରକ୍ଷା, ବନ୍ଧୁରାଷ୍ଟ୍ରଗୁଡ଼ିକ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ଆଇନଶୃଙ୍ଖଳାର ହାନି, ଉପରୋକ୍ତ ଅପରାଧକୁ ଉସୁକାଇବା ଭଳି କାର୍ଯ୍ୟ କିମ୍ବା ଦୁଷ୍କର୍ମ, ଯୌନ ଉଦ୍ଦୀପକ ବିଷୟବସ୍ତୁ କିମ୍ବା ଶିଶୁ ଯୌନ ନିର୍ଯାତନା ଭଳି 5 ବର୍ଷରୁ ଅଧିକ କାରାଦଣ୍ଡ ବ୍ୟବସ୍ଥା ଥିବା ଦଣ୍ଡନୀୟ ଅପରାଧର ନିରାକରଣ, ଅଭିଯୁକ୍ତଙ୍କ ଅଟକ, ତଦନ୍ତ, ଦୋଷୀ ସାବ୍ୟସ୍ତ କରିବା ଏବଂ ଦଣ୍ଡ ଦେବା ଲାଗି ଉପଯୋଗ କରାଯାଇପାରିବ।
  • ମଧ୍ୟସ୍ଥଗୁଡ଼ିକ ପ୍ରଥମ ପ୍ରେରଣକାରୀଙ୍କୁ କୌଣସି ପ୍ରକାର ବାର୍ତ୍ତାର ବିଷୟବସ୍ତୁ କିମ୍ବା ଅନ୍ୟ କୌଣସି ସୂଚନା ଦେବାର ଆବଶ୍ୟକତା ନାହିଁ।
  • ଗୁରୁତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ କିମ୍ବା ଉଭୟର ଭାରତରେ ଏକ ସ୍ଥାୟୀ ଠିକଣା ରହିବା ଆବଶ୍ୟକ।
  • ସ୍ବେଚ୍ଛାକୃତ ବ୍ୟବହାରକାରୀ ଯାଞ୍ଚ ବ୍ୟବସ୍ଥା : ସ୍ବେଚ୍ଛାକୃତ ଭାବେ ନିଜର ଆକାଉଣ୍ଟ ଯାଞ୍ଚ କରିବାକୁ ଚାହୁଁଥିବା ବ୍ୟବହାରକାରୀମାନଙ୍କୁ ଏକ ଉପଯୁକ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ।
  • ବ୍ୟବହାରକାରୀଙ୍କ ଆପତ୍ତି ଶୁଣିବା ଲାଗି ସୁଯୋଗ ଦେବେ : ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥଗୁଡ଼ିକ ବ୍ୟବହାରକାରୀଙ୍କର ଯେଉଁ ବିଷୟବସ୍ତୁକୁ ହଟାଇବେ କିମ୍ବା ଏହାର ଆକ୍ସେସକୁ ବନ୍ଦ କରିବେ ସେଥିପାଇଁ ସେମାନଙ୍କୁ ବ୍ୟବହାରକାରୀଙ୍କୁ ସୂଚନା ଦେବେ ଏବଂ  ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର କାରଣ ଦର୍ଶାଇବେ। ମଧ୍ୟସ୍ଥଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପର ଆପତ୍ତି ଦର୍ଶାଇବା ଲାଗି ବ୍ୟବହାରକାରୀଙ୍କୁ ଆବଶ୍ୟକ ସୁଯୋଗ ଦିଆଯିବ।

ବେଆଇନ ସୂଚନା ଅପସାରଣ : ଅଦାଲତଙ୍କ ଆଦେଶ, ସରକାର କିମ୍ବା ସରକାରୀ ସଂସ୍ଥାର କୌଣସି କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଅବଗତ କରାଯିବା ପରେ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତାର ହାନି କରୁଥିବା, ଆଇନଶୃଙ୍ଖଳା, ବିଦେଶୀ ରାଷ୍ଟ୍ରଗୁଡ଼ିକ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ କ୍ଷତିଗ୍ରସ୍ତ କରୁଥିବା କୌଣସି ପ୍ରକାରର ବେଆଇନ ସୂଚନାକୁ ଅପସାରଣ କରିବେ।

ଗେଜେଟରେ ପ୍ରକାଶିତ ହେବା ପରଠାରୁ ଏହି ନିୟମାବଳୀଗୁଡ଼ିକ କାର୍ଯ୍ୟକାରୀ ହେବ।

ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ସଂକ୍ରାନ୍ତ ଡିଜିଟାଲ ମିଡିଆ ଆଚାର ସଂହିତାକୁ କାର୍ଯ୍ୟକାରୀ କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମର ବିଷୟବସ୍ତୁକୁ ନେଇ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି। ନାଗରିକ ସମାଜ, ଚଳଚ୍ଚିତ୍ର ନିର୍ମାତା, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜନୈତିକ ବ୍ୟକ୍ତିବିଶେଷ, ବ୍ୟବସାୟୀ ସଂଗଠନ ଏବଂ ସଂଘଗୁଡ଼ିକ ଏଥିପାଇଁ ଆବଶ୍ୟକ ସଂସ୍ଥାଗତ ବ୍ୟବସ୍ଥା ଆଣିବା ଲାଗି ଦାବି କରିଛନ୍ତି। ନାଗରିକ ସମାଜ ଓ ଅଭିଭାବକମାନେ ବିଷୟବସ୍ତୁକୁ ନେଇ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଭିନ୍ନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳଗୁଡ଼ିକ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଅନୁରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟରେ ଡିଜିଟାଲ ମିଡିଆ ଏବଂ ଓଟିଟିଗୁଡ଼ିକର ପ୍ଲାଟଫର୍ମ ପରିଚାଳନା ଲାଗି ସୂଚନା ପ୍ରଯୁକ୍ତି ଆଇନ ଅଧୀନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ସାମଗ୍ରିକ ଢାଞ୍ଚା ପ୍ରସ୍ତୁତ କରିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇରେ ଗତ ଦେଢ଼ ବର୍ଷ ଧରି ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା। ଯେଉଁଠି ଏକ “ସ୍ୱ-ନିୟାମକ ପ୍ରଣାଳୀ” କାର୍ଯ୍ୟକାରୀ କରିବା ଲାଗି ଓଟିଟି ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ସରକାର ମଧ୍ୟ ସିଙ୍ଗାପୁର, ଅଷ୍ଟ୍ରେଲିଆ, ୟୁରୋପୀୟ ସଂଘ ଏବଂ ବ୍ରିଟେନରେ କାର୍ଯ୍ୟକାରୀ ହେଉଥିବା ମଡେଲର ଅନୁଧ୍ୟାନ କରିଥିଲେ। ଏଥିରେ ଡିଜିଟାଲ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ଲାଗି ସଂସ୍ଥାଗତ ବ୍ୟବସ୍ଥା ରହିଥିବା କିମ୍ବା ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଥିଲା।

ସମାଚାର ପ୍ରକାଶନ ଏବଂ ଓଟିଟି ପ୍ଲାଟଫର୍ମ ଓ ଡିଜିଟାଲ ମିଡିଆ ପାଇଁ ଏହି ନିୟମାବଳୀଗୁଡ଼ିକ ଏକ ସ୍ୱ-ନିୟାମକ ପ୍ରଣାଳୀ ବିକଶିତ କରିବ ଏବଂ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରଦାନ କରିବ।

  • ସୂଚନା ଓ ପ୍ରଯୁକ୍ତି ଆଇନର ଧାରା 87 ଅନୁଯାୟୀ, ଏହି ନିୟମାବଳୀଗୁଡ଼ିକ ନିୟମାବଳୀର ଭାଗ-III କୁ କାର୍ଯ୍ୟକାରୀ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଆବଶ୍ୟକ କ୍ଷମତା ପ୍ରଦାନ କରିବ।
  • ଅନଲାଇନ ନ୍ୟୁଜ, ଓଟିଟି ପ୍ଲାଟଫର୍ମ ଏବଂ ଡିଜିଟାଲ ମିଡିଆ ପାଇଁ ଆଚାର ସଂହିତା : ଏହି ଆଚାର ସଂହିତା ଓଟିଟି ପ୍ଲାଟଫର୍ମ, ଅନଲାଇନ ନ୍ୟୁଜ ଏବଂ ଡିଜିଟାଲ ମିଡିଆ ସଂସ୍ଥାଗୁଡ଼ିକ ଦ୍ୱାରା ପାଳନ କରାଯିବାକୁ ଥିବା ଗାଇଡଲାଇନ ସୁପାରିସ କରିଛି।
  • ବିଷୟବସ୍ତୁଗୁଡ଼ିକର ସ୍ୱ-ବର୍ଗୀକରଣ : ଏହି ନିୟମାବଳୀରେ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ଅନଲାଇନ କ୍ୟୁରେଟ କରାଯାଇଥିବା ବିଷୟବସ୍ତୁର ପ୍ରକାଶକ ଭାବେ ଦର୍ଶାଯାଇଛି। ଏଗୁଡ଼ିକ ବିଷୟବସ୍ତୁଗୁଡ଼ିକୁ ପାଞ୍ଚଟି ଭାଗରେ ସ୍ୱ-ବର୍ଗୀକରଣ କରିବେ- ୟୁ(ସାର୍ବଜନୀନ), ୟୁ/ଏ7+, ୟୁ/ଏ13+, ୟୁ/ଏ 16+ ଏବଂ ଏ (ପ୍ରାପ୍ତବୟସ୍କ)। ୟୁ/ଏ13+ କିମ୍ବା ତତୋଧିକ ବର୍ଗର ବିଷୟବସ୍ତୁ  ପାଇଁ ପ୍ଲାଟଫର୍ମରେ ପ୍ୟାରେଣ୍ଟାଲ ଲକ୍ (ଅଭିଭାବକଙ୍କ ଦ୍ବାରା ନିୟନ୍ତ୍ରିତ) ବ୍ୟବସ୍ଥା ରହିବ। ପ୍ରକାଶକ ବିଷୟବସ୍ତୁ ପ୍ରକାଶ କରିବା ସମୟରେ ବର୍ଗୀକରଣ ରେଟିଂ ପ୍ରଦର୍ଶିତ କରିବେ। ଏଥିରେ ବିଷୟବସ୍ତୁର ପ୍ରକୃତି ସମ୍ପର୍କରେ ସୂଚନା ରହିବ ଏବଂ ଦର୍ଶକଙ୍କ ପାଇଁ ଆବଶ୍ୟକ ପରାମର୍ଶ ରହିବ। ଯାହା ସେମାନଙ୍କୁ କାର୍ଯ୍ୟକ୍ରମ ଦେଖିବା ପୂର୍ବରୁ ନିଷ୍ପତ୍ତି ନେବାରେ ସହାୟକ ହେବ।
  • ଡିଜିଟାଲ ମିଡିଆରେ ସମାଚାର ସଂକ୍ରାନ୍ତ ବିଷୟବସ୍ତୁ ପ୍ରକାଶ କରୁଥିବା ପ୍ରକାଶକମାନଙ୍କ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସାମ୍ବାଦିକତା ଆଚାର ସଂହିତା ଏବଂ  ଅଫଲାଇନ ଗଣମାଧ୍ୟମ (ଛାପା ଓ ଟିଭି)ଗୁଡ଼ିକ ପାଇଁ ପ୍ରଯୁଜ୍ୟ କେବୁଲ ଟିଭି ନେଟଓ୍ବର୍କ ଆଇନ ଅଧୀନରେ କାର୍ଯ୍ୟକ୍ରମ ସଂହିତା ଲାଗୁ ହେବ।
  • ସ୍ୱ-ନିୟନ୍ତ୍ରିତ ବ୍ୟବସ୍ଥା ସହିତ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି।

ପ୍ରଥମ ସ୍ତର: ପ୍ରକାଶକଙ୍କ ଦ୍ୱାରା ସ୍ୱ-ନିୟନ୍ତ୍ରଣ ବ୍ୟବସ୍ଥା

ଦ୍ୱିତୀୟ ସ୍ତର: ପ୍ରକାଶକଙ୍କ ସ୍ୱ-ନିୟନ୍ତ୍ରିତ ସଂସ୍ଥା ଦ୍ୱାରା ସ୍ୱ-ନିୟନ୍ତ୍ରଣ

ତୃତୀୟ ସ୍ତର : ତଦାରଖ ପ୍ରଣାଳୀ

ପ୍ରକାଶକଙ୍କ ଦ୍ୱାରା ସ୍ୱ-ନିୟନ୍ତ୍ରଣ ବ୍ୟବସ୍ଥା : ଭାରତରେ ପ୍ରକାଶକ ଜଣେ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରିବେ ଯିଏକି ଭାରତରେ ପ୍ରାପ୍ତ ଅଭିଯୋଗଗୁଡ଼ିକର ସମାଧାନ କରିବେ। 15 ଦିନ ମଧ୍ୟରେ ଏହି ଅଧିକାରୀ ଅଭିଯୋଗଗୁଡ଼ିକର ସମାଧାନ କରିବେ।

ସ୍ୱ-ନିୟନ୍ତ୍ରିତ ସଂସ୍ଥା : ପ୍ରକାଶକାମନଙ୍କ ପାଇଁ ଆଉ ଏକ ସ୍ୱ-ନିୟନ୍ତ୍ରିତ ସଂସ୍ଥା ରହିବ। ଏହି ସଂସ୍ଥାର ମୁଖ୍ୟ ଜଣେ ସୁପ୍ରିମକୋର୍ଟ, ହାଇକୋର୍ଟର ବିଚାରପତି କିମ୍ବା ଜଣେ ନିରପେକ୍ଷ ବିଶିଷ୍ଟ ବ୍ୟକ୍ତି ହୋଇଥିବେ ଏବଂ ଏଥିରେ ଛଅ ଜଣରୁ ଅଧିକ ସଦସ୍ୟ ରହିବେ ନାହିଁ। ଏହି ସଂସ୍ଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ପଞ୍ଜିକୃତ ହେବ। ଏହି ସଂସ୍ଥା ପ୍ରକାଶକଙ୍କ ଦ୍ୱାରା ଆଚାରସଂହିତାର ପାଳନ ଏବଂ 15ଦିନ ମଧ୍ୟରେ ଅଭିଯୋଗର ସମାଧାନ ତଦାରଖ କରିବେ।

ତଦାରଖ ପ୍ରଣାଳୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ତଦାରଖ ପ୍ରଣାଳୀ ପ୍ରତିଷ୍ଠା କରିବେ। ଏହା ପ୍ରଚଳିତ ସଂହିତା ସମେତ ସ୍ୱ-ନିୟନ୍ତ୍ରିତ ବ୍ୟବସ୍ଥା ପ୍ରକାଶ କରିବ। ଏହା ଅଭିଯୋଗ ସମାଧାନ ଲାଗି ଏକ ଆନ୍ତଃ ବିଭାଗୀୟ ସମିତି ଗଠନ କରିବ।

 

*********

P.S



(Release ID: 1700928) Visitor Counter : 105