ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାରାଜ ସୁହେଲ ଦେବ ସ୍ମାରକ ଓ ଚିତ୍ତୌରା ହ୍ରଦ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ

ଭାରତୀୟତାର ପରିଚୟ ସୁରକ୍ଷାରେ ମହାରାଜ ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି: ପ୍ରଧାନମନ୍ତ୍ରୀ

ଇତିହାସ ନିର୍ମାତାଙ୍କ ପ୍ରତି ଲେଖକମାନେ କରିଥିବା ଅନ୍ୟାୟକୁ ଏବେ ସଂଶୋଧନ କରାଯାଉଛି: ଶ୍ରୀ ମୋଦୀ

ଏହି ବସନ୍ତ ଭାରତ ପାଇଁ ନୂଆ ଆଶା ଆଣିଛି ଏବଂ ମହାମାରୀର ନୈରାଶ୍ୟକୁ ପଛରେ ପକାଇ ଦେଇଛି: ପ୍ରଧାନମନ୍ତ୍ରୀ

ନୂଆ କୃଷି ଆଇନ ବିଷୟରେ ଚାଲିଥିବା ମିଥ୍ୟା ଓ ଭିତ୍ତିହୀନ ପ୍ରଚାର ପଦାରେ ପଡିଯାଇଛି: ଶ୍ରୀ ମୋଦୀ

Posted On: 16 FEB 2021 1:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦୀ ଶକ୍ତି ଦ୍ୱାରା ଭାରତୀୟ ଇତିହାସ କେବଳ ରଚନା ହୋଇନାହିଁ ; ବିଦେଶୀ ଶାସନ ପ୍ରତି ଅନୁରକ୍ତ ଓ ସମଭାବାପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମଧ୍ୟ ଏହା ଲିଖିତ ହୋଇଛି । ଭାରତର ଇତିହାସ ଲୋକଙ୍କ ଦ୍ୱାରା ପ୍ରତିପାଳିତ ହୋଇଛି ଏବଂ ଲୋକକଥାରେ ଏହା ପିଢି ପରେ ପିଢି ଆଗକୁ ବଢିଛି । ଯେଉଁମାନେ ଭାରତ ଓ ଭାରତୀୟତା ପାଇଁ ନିଜର ସବୁ କିଛି ତ୍ୟାଗ କରିଥିଲେ ସେମାନଙ୍କୁ ଦେଶର ଇତିହାସରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନାହିଁ; ସେମାନଙ୍କୁ ଉପେକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ଭାରତୀୟ ଇତିହାସର ନିର୍ମାତାଙ୍କ ପ୍ରତି ଇତିହାସକାରମାନେ ଯେଉଁ ଅନ୍ୟାୟ ଓ ଅନିୟମିତତା କରିଛନ୍ତି ତାହାର ସଂଶୋଧନ କରାଯାଉଛି । ଆମେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ଆମେ ଆମ ସ୍ୱାଧୀନତା ସଂଗ୍ରାମୀ ଓ ଇତିହାସ ନିର୍ମାତାମାନଙ୍କ ଅବଦାନକୁ ମନେ ପକାଇବା ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଉଦ୍ୟମ ଜାରି ରହିଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଲାଲକିଲ୍ଲାଠାରୁ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ତାଙ୍କ ଅବଦାନକୁ ସ୍ମରଣକରି ତାହା ପାଳନ କରୁଛୁ । ସେହିଭଳି ଷ୍ଟାଚ୍ୟୁ ଅଫ୍‍ ୟୁନିଟ ମାଧ୍ୟମରେ ସର୍ଦ୍ଦାର ପଟେଲ ଏବଂ ପଞ୍ଚତୀର୍ଥ ଜରିଆରେ ବାବା ସାହେବ ଆମ୍ବେଦକରଙ୍କୁ ମନେ ପକାଉଛୁ । ଦେଶରେ ଅଗଣିତ ବ୍ୟକ୍ତିବିଶେଷ ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକ ଗ୍ରହଣ କରିଥିଲେ ସେମାନଙ୍କୁ ବିଭିନ୍ନ କାରଣରୁ ମାନ୍ୟତା ଓ ସ୍ୱୀକୃତି ଆଜିଯାଏଁ ମିଳିପାରି ନାହିଁ । ଚଉରି ଚଉରାର ସାହସୀମାନଙ୍କ କ୍ଷେତ୍ରରେ ଯାହା ଘଟିଥିଲା ତାହାକୁ ଆମେ କଣ ଭୁଲିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେହିଭଳି ଭାରତୀୟତା ଓ ଭାରତ ପାଇଁ ମହାରାଜା ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି । ଏହି ଉପେକ୍ଷା ସତ୍ତ୍ୱେ ମହାରାଜ ସୁହେଲ ଦେବ ଅବଧ, ତରାଇ ଏବଂ ପୂର୍ବାଞ୍ଚଳର ଲୋକଙ୍କ ହୃଦୟରେ ଲୋକକଥା ମାଧ୍ୟମରେ ବଞ୍ଚି ରହିଛନ୍ତି ; ଅଥଚ ତାଙ୍କ ବିଷୟରେ ପଢା ବହିରେ ଉଲ୍ଲେଖ ନାହିଁ । ସେ କହିଛନ୍ତି ଯେ ମହାରାଜା ସୁହେଲ ଦେବ ଜଣେ ସମ୍ବେଦନଶୀଳ, ପ୍ରଜାନୁରଞ୍ଜନ ଓ ବିକାଶମୁଖୀ ଶାସକ ଥିଲେ । ତାଙ୍କ ପାଇଁ ଯେଉଁ ସ୍ମାରକ ନିର୍ମିତ ହେବ ତାହା ଆଗାମୀ ପିଢିକୁ ଅନୁପ୍ରାଣିତ କରିବ । ସେହିଭଳି ତାଙ୍କ ନାମରେ ନାମିତ ହୋଇଥିବା ମେଡିକାଲ କଲେଜ ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ସଂପ୍ରସାରଣ ଦ୍ୱାରା ଏହି ଆକାଂକ୍ଷୀ ଜିଲା ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକେ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ଦୁଇବର୍ଷ ପୂର୍ବେ ମହାରାଜା ସୁହେଲ ଦେବଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିଥିଲେ ।

ଆଜି ବସନ୍ତ ପଞ୍ଚମୀ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ଏହି ବସନ୍ତ କରୋନା ମହାମାରୀଜନିତ ନୈରାଶ୍ୟକୁ ପଛରେ ପକାଇ ଭାରତ ପାଇଁ ନୂଆ ଆଶା ଆଣିଛି । ମୁଁ  ଆଶା କରୁଛି ମାସରସ୍ୱତୀ ଭାରତର ଜ୍ଞାନ ଓ ବିଜ୍ଞାନକୁ ଆଶିଷ ପ୍ରଦାନ କରିବେ । ଆହୁରି ମଧ୍ୟ ଗବେଷଣା ଓ ନବସୃଜନ ମାଧ୍ୟମରେ ଯେଉଁମାନେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ନିମଗ୍ନ ସେମାନଙ୍କୁ ମାବାଗ୍‍ଦେବୀ ଆଶୀର୍ବାଦ ରହିବ ବୋଲି ମୋର ଆଶା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ, ବିଶ୍ୱାସ ଓ ଅଧ୍ୟାତ୍ମ ସହ ଜଡିତ ଯେତେସବୁ କୀର୍ତ୍ତିରାଜି ଗତ କେଇବର୍ଷ ମଧ୍ୟରେ ନିର୍ମିତ ହୋଇଛି ସେସବୁର ପ୍ରମୁଖ ଲକ୍ଷ୍ୟ ହେଲା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା । ଉତ୍ତର ପ୍ରଦେଶ ଉଭୟ ପର୍ଯ୍ୟଟନ ଓ ତୀର୍ଥାଟନ ଦୃଷ୍ଟିରୁ ସମୃଦ୍ଧ । ଏ କ୍ଷେତ୍ରରେ ଏହାର ଅନନ୍ତ ସମ୍ଭାବନା ରହିଛି । ରାମାୟଣ ସର୍କିଟ, ଆଧ୍ୟାତ୍ମିକ ସର୍କିଟ ଓ ବୌଦ୍ଧ ସର୍କିଟଗୁଡିକୁ ବିକଶିତ କରାଯାଉଛି । ଏହାଛଡା ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ ଓ ବୁଦ୍ଧଦେବଙ୍କ ଜୀବନୀ ସହ ସଂପୃକ୍ତ ସ୍ଥାନଗୁଡିକୁ ବିକଶିତ କରିବା ପାଇଁ ଅଯୋଧ୍ୟା, ଚିତ୍ରକୁଟ, ମଥୁରା, ବୃନ୍ଦାବନ, ଗୋବର୍ଦ୍ଧନ, କୁଶିନଗର ଏବଂ ଶ୍ରାବସ୍ତି ଆଦି ସ୍ଥାନରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଏସବୁ କାର୍ଯ୍ୟର ଉତ୍ତମ ଫଳ ମଧ୍ୟ ମିଳୁଛି । ଉତ୍ତର ପ୍ରଦେଶକୁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ପର୍ଯ୍ୟଟକ ଆସିବା ତାହାର ପ୍ରମାଣ । ସେହିଭଳି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଉତ୍ତର ପ୍ରଦେଶ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ ପାଇଁ ଉତ୍ତର ପ୍ରଦେଶରେ ଆଧୁନିକ ସଂଯୋଗ ଓ ଗମନାଗମନ ବ୍ୟବସ୍ଥା କରାଯାଉଛି । ଅଯୋଧ୍ୟା ଏବଂ କୁଶିନଗର ଆନ୍ତର୍ଜାତିକ ବିମାନ ବନ୍ଦର ପର୍ଯ୍ୟଟକଙ୍କ ପାଇଁ ବିଶେଷ ଉପଯୋଗୀ ହେବ ।  ଭବିଷ୍ୟତରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏହାର ସୁଯୋଗ ନେବେ । ସେହିଭଳି ଉତ୍ତର ପ୍ରଦେଶରେ ଯେଉଁ ଛୋଟବଡ଼  10-12ଟି ବିମାନ ବନ୍ଦର ତିଆରି ହେଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବାଞ୍ଚଳରେ ଅବସ୍ଥିତ । ସେ କହିଛନ୍ତି ଯେ ପୂର୍ବାଞ୍ଚଳ ଏକ୍ସପ୍ରେସବୁନ୍ଦେଲଖଣ୍ଡ ଏକ୍ସପ୍ରେସ, ଗଙ୍ଗା ଏକ୍ସପ୍ରେସ, ଗୋରଖପୁର ଲିଙ୍କ୍‍ ଏକ୍ସପ୍ରେସ, ବଲିଆ ଲିଙ୍କ୍‍ ଏକ୍ସପ୍ରେସ ଭଳି ଯେଉଁସବୁ ଆଧୁନିକ ଓ ପ୍ରଶସ୍ତ ସଡକମାନ ତିଆରି ଚାଲିଛି ତାହା ଆଧୁନିକ ଉତ୍ତର ପ୍ରଦେଶର ଆଧୁନିକ ଭିତ୍ତିଭୂମି ନିର୍ମାଣର ଅୟମାରମ୍ଭ । ସେ କହିଛନ୍ତି ଯେ ଦୁଇଟି ବୃହତ୍‍ ସମର୍ପିତ ଫ୍ରେଟ କରିଡରର ସଂଗମସ୍ଥଳ ଉତ୍ତର ପ୍ରଦେଶ । ଏହି ରାଜ୍ୟରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବା ଫଳରେ ନିବେଶକମାନେ ପୁଞ୍ଜି ନିବେଶ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଉତ୍ତର ପ୍ରଦେଶରେ ଉଭୟ ଉଦ୍ୟୋଗ ଓ ଯୁବକମାନଙ୍କ ପାଇଁ ନୂଆ ସୁବିଧା ସୁଯୋଗ ତିଆରି ହେଉଛି ।

କରୋନା ମହାମାରୀର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ରାଜ୍ୟରେ ମସ୍ତିଷ୍କ ପ୍ରଦାହ ରୋଗ ସଂକ୍ରମଣ ଉଲ୍ଲେଖନୀୟଭାବେ ହ୍ରାସ ପାଇବା ଏକ ଭଲ ଖବର; ଏହା ଫଳରେ ପୂର୍ବାଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହା ପଛରେ ରାଜ୍ୟ ସରକାରଙ୍କ ନିଷ୍ଠା କଥା ସେ ଉଲ୍ଲେଖ କରିଛନ୍ତି । ଗତ 6 ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ମେଡିକାଲ କଲେଜ ସଂଖ୍ୟା 14ରୁ 24କୁ ବୃଦ୍ଧି ପାଇଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋରଖପୁର ଏବଂ ବରେଲିରେ ଦୁଇଟି ଏମ୍ସର ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ବ୍ୟତୀତ ଆଉ 22ଟି ନୂଆ ମେଡିକାଲ କଲେଜ ତିଆରି ହେଉଛି । ବାରାଣସୀରେ ଖୋଲିଥିବା ଆଧୁନିକ କ୍ୟାନସ୍‍ର ହସପିଟାଲ ସୁବିଧା ପୂର୍ବାଞ୍ଚଳବାସୀ ପାଇପାରିବେ । ସେ ମଧ୍ୟ ଏହି ଅବସରରେ ଉତ୍ତର ପ୍ରଦେଶ ଜଳଜୀବନ ମିସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ୱଚ୍ଛ ପାନୀୟଜଳ ଲୋକେ ପାଇଲେ ଅନେକ ବ୍ୟାଧିରୁ ରକ୍ଷା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।

ଉତ୍ତରପ୍ରଦେଶ ଚାଷୀଙ୍କ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଗରିବ ଲୋକ ଓ ଚାଷୀମାନେ ଉନ୍ନତ ବିଦ୍ୟୁତ୍‍, ଜଳ ଯୋଗାଣ, ସଡକ ଏବଂ ସ୍ୱାସ୍ଥ୍ୟ ସୁବିଧାରୁ ସିଧାସଳଖ ଉପକୃତ ହେଉଛନ୍ତି । ପିଏମ୍‍ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର 2.5 କୋଟି ଚାଷୀ ସିଧାଳସଖ ଲାଭ ପାଉଛନ୍ତି । ଆଗରୁ ସେମାନେ ସାର ବସ୍ତାଏ କିଣିବା ପାଇଁ ଋଣ କରୁଥିଲେ । ଏବେ ସେ ଅବସ୍ଥା ନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଉତ୍ପାଦକ ସଂଗଠନ ତିଆରି ହେବା ଫଳରେ ଚାଷୀମାନେ ବିଶେଷ ଉପକୃତ ହେବେ । ଏଥିରେ ଚାଷଜମିର ଚକବନ୍ଦୀ ସୁବିଧା ମିଳିବ । ଛୋଟ ଛୋଟ ଚାଷୀ ମିଶି ଯେଉଁ ଚକ ତିଆରି କରିବେ ତାହା ବଡ଼ ବଡ଼ ଚାଷୀଙ୍କ ଜମିଠାରୁ ଅଧିକ ହେବ ଏବଂ ସେମାନେ ଏହାଦ୍ୱାରା ଲାଭବାନ ହେବେ । ସହଯୋଗଭିତ୍ତିରେ ସେମାନେ ନିଜର ଉତ୍ପାଦିତ ପନିପରିବା, ଫଳ, ଦୁଗ୍ଧ, ମାଛ ଓ ଅନ୍ୟାନ୍ୟ ସାମଗ୍ରୀକୁ ସୁବିଧାରେ ବିକ୍ରିବଟା କରି ନିଜର ରୋଜଗାର ବଢାଇପାରିବେ । ବଡ଼ ବଡ଼ ବଜାରରେ ପହଞ୍ଚିବା ପାଇଁ କିଷାନ ରେଳ ପ୍ରଚଳନ କରାଯାଇଛି । ଏହାର ସୁବିଧା ମଧ୍ୟ ଚାଷୀ ନେଲେଣି । କୃଷି କ୍ଷେତ୍ରରେ ଯେଉଁସବୁ ସଂସ୍କାର ଆସିଛି ତାହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଏହି ସଂସ୍କାର ସପକ୍ଷରେ ଚାଷୀ ମହଲରୁ ଅନୁକୂଳ ପ୍ରସ୍ତାବ ବହୁ ସଂଖ୍ୟାରେ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ କୃଷି ଆଇନ ସଂପର୍କରେ ନାନାପ୍ରକାର ଅପପ୍ରଚାର ଓ ଭୁଲତଥ୍ୟ ପ୍ରଚାର କରାଯାଉଛି । ସେ କହିଛନ୍ତି ଯେ ଦେଶକୁ ବିଦେଶୀ କମ୍ପାନୀମାନଙ୍କୁ ଡାକିବା ପାଇଁ ଯେଉଁମାନେ ଆଇନ ତିଆରି କରିଥିଲେ ଏବେ ସେହି ଲୋକମାନେ ଭାରତୀୟ କମ୍ପାନୀଗୁଡିକ ବିରୋଧରେ ଚାଷୀଙ୍କୁ ମତାଇ ଉଦ୍‍ଭ୍ରାନ୍ତ କରୁଛନ୍ତି । ସେମାନଙ୍କର ଏହି ମିଥ୍ୟା ଓ ଅପପ୍ରଚାର ପଦାରେ ପଡିଯାଇଛି । ନୂଆ କୃଷି ଆଇନ ପ୍ରଣୀତ ହେବା ପରେ ଧାନର ସଂଗ୍ରହ ପରିମାଣ ଉତ୍ତର ପ୍ରଦେଶରେ ଗତବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି । ଯୋଗୀ ସରକାର ଇତିମଧ୍ୟରେ ଆଖୁଚାଷୀଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଖୁଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏହି ଟଙ୍କା ରାଜ୍ୟ ସରକାର ଚିନିକଳ ମାଲିକଙ୍କୁ ଦେବେ ଓ ସେମାନଙ୍କଠାରୁ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇବେ ଆଖୁଚାଷୀ ଯେପରି ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଆନ୍ତି ରାଜ୍ୟ ସରକାର ତାହା ନିଶ୍ଚିତ କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳ ଲୋକ ଓ ଚାଷୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥିପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ସ୍ୱାମିତ୍ୱ ଯୋଜନାରେ ଘର ଓ ଆବାସିକସ୍ଥଳର ଜବରଦଖଲ ସମ୍ଭାବନା ଦୂର ହୋଇଛି । ପ୍ରକୃତ ମାଲିକଙ୍କୁ ଏହାର ସ୍ୱତ୍ୱ ମିଳୁଛି । ଉତ୍ତର ପ୍ରଦେଶର ପ୍ରାୟ 50ଟି ଜିଲାରେ ଏହି ଯୋଜନାରେ ଘର ଓ ଜମି ଆଦିର ସର୍ଭେ କାର୍ଯ୍ୟ ଡ୍ରୋନ ସାହାଯ୍ୟରେ କରାଯାଉଛି । ସେଥିମଧ୍ୟରୁ 12 ହଜାର ଗ୍ରାମରେ ସର୍ଭେ ଶେଷ ହୋଇଛି ଏବଂ ଦୁଇଲକ୍ଷରୁ ଅଧିକ ପରିବାରକୁ ସଂପତ୍ତି କାର୍ଡ ଯୋଗାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଯେତେବେଳେ ଭୂମି ଉପରେ ମାଲିକର ଅଧିକାରକୁ ସାବ୍ୟସ୍ତ କରି ସେମାନଙ୍କୁ କାର୍ଡ ପ୍ରଦାନ କରୁଛି ସେତେବେଳେ କୃଷି ଆଇନ ଦ୍ୱାରା ଚାଷୀଙ୍କଠାରୁ ଜମି ଛଡାଇ ନେବାର ସମ୍ଭାବନା ଆସିଲା କେଉଁଠି ? ସେ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ ଏବଂ ଦେଶକୁ ଆତ୍ମନିର୍ଭର କରିବା ଆମର ଲକ୍ଷ୍ୟ । ଏଥିପାଇର୍ ଆମେ ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛୁ । ଗୋସ୍ୱାମୀ ତୁଳସୀ ଦାସଙ୍କ ରାମରଚିତ ମାନସରୁ ଏକ ଚୌପଦି ଉଦ୍ଧାର କରି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ଏହାର ଅର୍ଥ ହେଲା ଯେ ସତ୍‍ ଉଦ୍ଦେଶ୍ୟ ନେଇ କୌଣସି କାର୍ଯ୍ୟ ଆରମ୍ଭ କଲେ ଏବଂ ହୃଦୟରେ ପ୍ରଭୁ ଶ୍ରୀରାମଙ୍କୁ ରଖିଲେ ଏଥିରେ ସଫଳ ହେବା ନିଶ୍ଚିତ ।

*****

TKM



(Release ID: 1698548) Visitor Counter : 186