କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ସରକାର ଓ କୃଷକ ସଂଗଠନଗୁଡିକ ମଧ୍ୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ 9ମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ପରବର୍ତ୍ତୀ

ପର୍ଯ୍ୟାୟ କଥାବାର୍ତ୍ତା ଜାନୁୟାରୀ 19ରେ ହେବ

Posted On: 15 JAN 2021 7:09PM by PIB Bhubaneshwar

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସରକାର ଓ ବିଭିନ୍ନ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର, ରେଳବାଇ, ବାଣିଜ୍ୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଏବଂ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୋମପ୍ରକାଶ ଭାଗ ନେଇଥିଲେ । ସେହିଭଳି 41ଟି କୃଷକ ସଂଗଠନର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆରମ୍ଭରେ କୃଷିମନ୍ତ୍ରୀ ଶ୍ରୀ ତୋମର କୃଷକ ସଂଗଠନଗୁଡିକୁ ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ଏ ଯାଏଁ ସେମାନେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣଭାବେ ଚଳାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଏହି ଅବସରରେ ପ୍ରସ୍ତାବ ଦେଇଥିଲେ ଯେ ଚାଷୀ ସଂଗଠନଗୁଡିକ ସହ ଆଲୋଚନା ଅଣଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ । ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଉଛନ୍ତି । ଚାଷୀ ସଂଗଠନଗୁଡିକ ସହ ବିବାଦୀୟ ପ୍ରସଙ୍ଗଗୁଡିକ ଉପରେ ଗୋଟି ଗୋଟି ଆଲୋଚନା କରାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଦେଶର ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାର ପରିବେଶ ଓ ପରିସ୍ଥିତି ରହିଛି । ଅନେକ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି । ଆହୁରି ମଧ୍ୟ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କ୍ରୟ କରାଯାଉଛି । ଚଳିତ ଋତୁରେ ଏମ୍‍ଏସ୍‍ପି ପରିମାଣ ବୃଦ୍ଧି କରାଯିବା ସହ ଖାଦ୍ୟଶସ୍ୟ ସଂଗ୍ରହ କେନ୍ଦ୍ରର ସଂଖ୍ୟା ବଢାଯାଇଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଲୋଚନା କାଳରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ 2020ର ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ । ଏହି ନୂଆ ଆଇନ ଦ୍ୱାରା ଉଭୟ ଚାଷୀ ଓ ଚାଷର କିପରି ଉନ୍ନତି ଘଟିବ ତାହା ସେ କହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଚଳିତମାସ 19 (ଜାନୁୟାରୀ)ରେ କରିବା ପାଇଁ ଉଭୟ ପକ୍ଷ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ । କଥାବାର୍ତ୍ତା ସମାଧାନର ଏକମାତ୍ର ରାସ୍ତା ହୋଇଥିବାରୁ ଅଧିକ ଆଲୋଚନା ପାଇଁ ଉଭୟପକ୍ଷ ରାଜି ହୋଇଥିଲେ ।

 

*****

TM



(Release ID: 1688966) Visitor Counter : 147