ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ସିବିଆଇସିର ଅଂଶବିଶେଷ କୃଷ୍ଣାପାଟନମ୍‍ ଏବଂ ତୁମାକୁରୁରେ ଶିଳ୍ପ କରିଡର ନୋଡ ନିର୍ମାଣକୁ କ୍ୟାବିନେଟର ଅନୁମୋଦନ

ଗ୍ରେଟର ନୋଏଡାରେ ମଲ୍ଟି ମୋଡାଲ ଲଜିଷ୍ଟିକ ହବ୍‍ ଏବଂ ମଲ୍‍ଟି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ ନିର୍ମାଣକୁ ଅନୁମୋଦନ

ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପଗୁଡିକର ମୋଟ ବ୍ୟୟ ଅଟକଳ 7725 କୋଟି ଟଙ୍କା; ଏଥିରେ 2.8 ଲକ୍ଷରୁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ

ଏହାଦ୍ୱାରା ମ୍ୟାନୁଫାକ୍‍ଚରିଂ କ୍ଷେତ୍ରରେ ନିବେଶ ସୁବିଧା ସୃଷ୍ଟି ହେବ ଏବଂ ଦେଶରେ ଉଚ୍ଚମାନର ବିଶ୍ୱସ୍ତ ସ୍ଥାୟୀ ଓ ସ୍ଥିତିସ୍ଥାପକ ଭିତ୍ତିଭୂମି ସୃଷ୍ଟି କରାଯାଇ ଶିଳ୍ପ ଉଦ୍ୟୋଗକୁ ସୁବିଧା ମିଳିବ

ବିଶ୍ୱ ଯୋଗାଣ ପ୍ରକ୍ରିୟାରେ ଏହାଦ୍ୱାରା ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବ; ସହରଗୁଡିକରେ ଉଦ୍ୟୋଗ ଉପଯୋଗୀ ଜମି ତୁରନ୍ତ ବିକଶିତ କରି ନିବେଶକମାନଙ୍କୁ ଅବିଳମ୍ବେ ଯୋଗାଇ ଦିଆଯାଇପାରିବ

ଅନୁମୋଦିତ ହୋଇଥିବା ପ୍ରସ୍ତାବଗୁଡିକ ଆତ୍ମନିର୍ଭର ଭାରତ ଓ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବ

ଏହାଦ୍ୱାରା ମଧ୍ୟ ସାମଗ୍ରୀର ପରିବହନ ଖର୍ଚ୍ଚ କମିବ ଏବଂ ଉଦ୍ୟୋଗର ପରିଚାଳନା ଦକ୍ଷତା ବୃଦ୍ଧି ପାଇବ

ରେଳ, ସଡ଼କ, ଏମ୍‍ଆରଟିଏସ୍‍ ମାଧ୍ୟମରେ ଉଭୟ ଯାତ୍ରୀ ଓ ମାଲ ପରିବହନ ବ୍ୟବସ୍ଥା ଅଧିକ ସୁଗମ ଏବଂ ଭରସାଯୋଗ୍ୟ ହେବ

Posted On: 30 DEC 2020 3:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଶିଳ୍ପ ପ୍ରୋତ୍ସାହନ ତଥା ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ବା ଡିପିଆଇଆଇଟିର ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।  ଆଜି ଏହି ବୈଠକରେ ଯେଉଁସବୁ ଟ୍ରଙ୍କ ଇନ୍‍ଫ୍ରାଷ୍ଟ୍ରକଚର ନିର୍ମାଣ ପ୍ରସ୍ତାବ ସରକାରୀ ସବୁଜ ସଂକେତ ପାଇଛି ସେସବୁ ନିମ୍ନରେ ପ୍ରଦାନ କରାଯାଇଛି ।

କ) କୃଷ୍ଣାପାଟନମ୍‍- ଆନ୍ଧ୍ରପ୍ରଦେଶର କୃଷ୍ଣାପାଟନମ୍‍ଠାରେ 2139.44 କୋଟି ଟଙ୍କା ବିନିଯୋଗରେ ଏକ ଶିଳ୍ପାଞ୍ଚଳ ସ୍ଥାପନ କରାଯିବ ।

(ଖ) କର୍ଣ୍ଣାଟକର ତୁମାକୁରୁଠାରେ 1701.81 କୋଟି ଟଙ୍କା ବ୍ୟୟରେ ଏକ ଶିଳ୍ପାଞ୍ଚଳ ତିଆରି ହେବ ।

(ଗ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଏକ ମଲ୍‍ଟି ମୋଡାଲ ଲିଜିଷ୍ଟିକ ହବ୍‍ (ଏମଏମଏଲଏଚ) ଏବଂ ମଲ୍‍ଟି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ (ଏମଏମ୍‍ଟିଏସ୍‍) ପ୍ରତିଷ୍ଠା କରାଯିବ । ଏଥିପାଇଁ ମୋଟ 3883.80 କୋଟି ଟଙ୍କା ଖର୍ଚ୍ଚ ହେବ ।

ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ କରିଡର, ଏକ୍ସପ୍ରେସ ସଡ଼କ, ଜାତୀୟ ରାଜପଥ, ବନ୍ଦର ଓ ବିମାନ ବନ୍ଦର ଆଦି ସଂଯୋଗପଥକୁ ଆଧାର କରି ନୂଆ ଶିଳ୍ପ କରିଡର ସ୍ଥାପନ ସହ ନୂତନ ଶିଳ୍ପ ନଗରୀମାନ ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏସବୁ ସହରରେ ଶିଳ୍ପ ବିକାଶ ପାଇଁ ନିରନ୍ତର ସୁବିଧା ସୁଯୋଗ ତଥା ଆଇସିଟି ଦକ୍ଷ ମୌଳିକ ସୁବିଧା ଯୋଗାଣ ବ୍ୟବସ୍ଥାରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି । ଏହିସବୁ ନୂଆ ଶିଳ୍ପ ସହରରେ ମୌଳିକ ସୁବିଧା ସୁଯୋଗକୁ ସୁଦୃଢ ଓ ଉଚ୍ଚମାନର କରି ସରକାର ବିଶ୍ୱସନୀୟ ସ୍ଥାୟୀ ନିରନ୍ତର ଏବଂ ସ୍ଥିତିସ୍ଥାପକ ପରିବେଶ ଓ ଭିତ୍ତିଭୂମି ଶିଳ୍ପସଂସ୍ଥାକୁ ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି । ଏହାଦ୍ୱାରା ଭାରତରେ ନିବେଶକମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ । ଏହି କାର୍ଯ୍ୟକ୍ରମରେ ଏହିସବୁ ସହରରେ ଜମିର ବିକାଶ କରାଯାଇ ତାହାକୁ ଶିଳ୍ପ ଉପଯୋଗୀ କରାଯିବ ଏବଂ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ତତ୍କାଳ ସେହି ଜମି ଯୋଗାଇ ଦିଆଯିବ । ଏହା ଫଳରେ ଭାରତରେ ମ୍ୟାନୁଫାକ୍‍ଚରିଂ ଉଦ୍ୟୋଗରେ ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହ ଭାରତ ବିଶ୍ୱର ଯୋଗାଣ ଶୃଙ୍ଖଳାରେ ଏକ ଶକ୍ତିଶାଳୀ ଭୂମିକା ନିର୍ବାହ କରିପାରିବ । ଏହି ଶିଳ୍ପ କରିଡର କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ନିର୍ମାଣର ଲକ୍ଷ୍ୟ ଅନୁସାରେ ହୋଇଛି । ଏହାଦ୍ୱାରା ଶିଳ୍ପ ଅଭିବୃଦ୍ଧି ବଢିବ ଏବଂ ଦେଶର ବିଭିନ୍ନ ଭାଗରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବ ।

ମଲ୍‍ଟି ମୋଡାଲ କନେକ୍ଟିଭିଟି ଇନ୍‍ଫ୍ରାଷ୍ଟ୍ରକଚରକୁ ମୁଖ୍ୟ ଆଧାରଭାବେ ଗ୍ରହଣ କରାଯାଇ ଏହିସବୁ ନୂଆ ପ୍ରକଳ୍ପର ପରିକଳ୍ପନା କରାଯାଇଛି ।

ଆନ୍ଧ୍ରର କୃଷ୍ଣାପାଟନମ୍‍ ଶିଳ୍ପାଞ୍ଚଳ ଏବଂ କର୍ଣ୍ଣାଟକର ତୁମାକୁରୁ ଶିଳ୍ପାଞ୍ଚଳ ଉଭୟ ଚେନ୍ନଇ-ବେଙ୍ଗାଲୁରୁ ଶିଳ୍ପ କରିଡର ମଧ୍ୟରେ ରହିଛି । ଏହି ଶିଳ୍ପାଞ୍ଚଳ ପ୍ରତିଷ୍ଠା ପ୍ରସ୍ତାବ ସରକାରଙ୍କ ଅନୁମୋଦନ ଲାଭ କରିବା ପରେ ସମଗ୍ର ଚେନ୍ନଇ-ବେଙ୍ଗାଲୁରୁ ଶିଳ୍ପ କରିଡର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଉପରୋକ୍ତ ଦୁଇଟି ନୂଆ ଶିଳ୍ପ ନଗରୀ ସଂପୂର୍ଣ୍ଣ ନୂଆଭାବେ ତିଆରି ହେବ । ଏହା ସବୁକଥାରେ ଆତ୍ମନିର୍ଭର ହେବା ସହ ଏଥିରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ସଡ଼କ ଓ ରେଳସଂଯୋଗ ବ୍ୟବସ୍ଥା ଉପଲବ୍‍ଧ କରାଯିବ । ସାମଗ୍ରୀ ପରିବହନ ନିମନ୍ତେ ଏହି ଦୁଇ ସହର ବନ୍ଦର ସହିତ ସଡ଼କ ଓ ରେଳପଥରେ ସଂଯୁକ୍ତ ହେବ । ଏହାଛଡା ଏହି ଦୁଇ ସହରରେ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଏବଂ ଉଚ୍ଚମାନର ସାମାଜିକ ଭିତ୍ତିଭୂମି ତିଆରି କରାଯିବ ।

ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେଲେ ବିପୁଳ ନିଯୁକ୍ତି ସୁବିଧା ସୃଷ୍ଟି ହେବ ଏବଂ ସେହି ଅଞ୍ଚଳରେ ଶିଳ୍ପାୟନ ଧାରା ତ୍ୱରାନ୍ୱିତ ହୋଇପାରିବ । କୃଷ୍ଣାପାଟନମ୍‍ ନୋଡ (ସଂଯୋଗସ୍ଥଳ)ରେ ପ୍ରଥମ ପର୍ଯ୍ୟାୟ ବିକାଶ କାର୍ଯ୍ୟ ଶେଷ ହେବା ପରେ ପ୍ରାୟ 98 ହଜାର ଲୋକଙ୍କ ପାଇଁ କର୍ମନିଯୁ୍‍କ୍ତି ସୁବିଧା ସୃଷ୍ଟି ହେବ । ସେଥିମଧ୍ୟରୁ କେବଳ ଶିଳ୍ପାଞ୍ଚଳରେ ପ୍ରାୟ 58 ହଜାର ଲୋକ ନିଯୁକ୍ତି ପାଇବେ । ସେହିଭିଳ ତୁମାକୁରୁରେ ନିର୍ମିତ ହେବାକୁ ଥିବା ଶିଳ୍ପ ନଗରୀ ଆଉ ଏକ ଔଦ୍ୟୋଗିକ ସଂଯୋଗ କେନ୍ଦ୍ରଭାବେ କାମ କରିବ । ସେଠାରେ ପ୍ରାୟ 88500 ଲୋକ ନିଯୁକ୍ତି ସୁବିଧା ପାଇବେ ବୋଲି ଆକଳନ କରାଯାଇଛି । ସେମାନଙ୍କ ମଧ୍ୟରୁ ସେବା ଉଦ୍ୟୋଗ ଯଥା ଖୁଚୁରା, ବିଭିନ୍ନ ଦପ୍ତର ଏବଂ ଅନ୍ୟାନ୍ୟ ବ୍ୟାବସାୟିକ କ୍ଷେତ୍ରରେ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟରେ 17700 ଲୋକ ସିଧା ନିଯୁକ୍ତି ପାଇବେ ।

ମଲ୍‍ଟିମୋଡାଲ ଲଜିଷ୍ଟିକ ହବ୍‍ ବା ଏମଏମଏଲ୍‍ଏଚ ଓ ମଲ୍‍ଟି ମୋଡାଲ ଟ୍ରାନସପୋର୍ଟ ହବ୍‍ ବା ଏମ୍‍ଏମ୍‍ଟିଏଚ୍‍ ପ୍ରକଳ୍ପ ଯାହା ଗ୍ରେଟର ନୋଏଡାରେ ତିଆରି ହେବ ତାହା ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ, ଜାତୀୟ ରାଜପଥ 91, ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ ସଡ଼କ, ଯମୁନା ଏକ୍ସପ୍ରେସ ସଡ଼କ, ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ କରିଡରର ନିକଟବର୍ତ୍ତୀ । ଏହି ଲଜିଷ୍ଟିକ ହବ୍‍ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରାଯିବ ଏବଂ ସେଠାରେ ସବୁ ଆନ୍ତର୍ଜାତିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଉତ୍ସର୍ଗୀକୃତ ଫ୍ରେଟ କରିଡର ଦ୍ୱାରା ଆସୁଥିବା ଏବଂ ପ୍ରେରଣ ହେବାକୁ ଥିବା ସାମଗ୍ରୀ ସବୁକୁ ଏଠାରେ ଭଣ୍ଡାର କରି ରଖିବା ଏବଂ ତାହାକୁ ଅନ୍ୟତ୍ର ପଠାଇବା କାର୍ଯ୍ୟ କରାଯିବ । ବିଭିନ୍ନ କଂପାନୀ ଓ ଗ୍ରାହକ ଏକାଥରକେ ନିଜର ଗନ୍ତବ୍ୟସ୍ଥଳରେ ନିଜ ମାଲପତ୍ର ଓ ସାମଗ୍ରୀ ପଠାଇବାର ସୁବିଧା ଏହାଦ୍ୱାରା ପାଇବେ । ଏଥିରେ କଣ୍ଟେନର ହ୍ୟାଣ୍ଡଲିଂ ବ୍ୟବସ୍ଥା ଯୋଗାଇଦେବା ସହ ସାମଗ୍ରୀ ପରିବହନ ଖର୍ଚ୍ଚ କମାଇବା ପାଇଁ ଉନ୍ନତ ବ୍ୟବସ୍ଥା ତିଆରି ହେବ ।

ମଲ୍‍ଟି ମୋଡାଲ ଟ୍ରାନସ୍‍ପୋର୍ଟ ହବ୍‍ ପ୍ରକଳ୍ପ ଯାହା ବର୍ତ୍ତମାନର ବୋରାକି ରେଳଷ୍ଟେସନ ପାଖରେ ରହିଛି, ତାହା ଏକ ପରିବହନ ହବ୍‍ଭାବେ କାର୍ଯ୍ୟ କରିବ । ସେଠାରେ ରେଳ, ସଡ଼କ ଓ ଏମ୍‍ଆରଟିଏସ୍‍ ସଂଯୋଗ ସୁବିଧା ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ଏବଂ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ନିରନ୍ତର କରାଯିବ । ଏହି ମଲ୍‍ଟି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ରେ ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲ ପାଇଁ ଜାଗା, ସ୍ଥାନୀୟ ବସ୍‍ ଟର୍ମିନାଲ ପାଇଁ ସ୍ଥାନ, ମେଟ୍ରୋ, ବ୍ୟାବସାୟିକ, ଖୁଚୁରା କାରବାର ତଥା ହୋଟେଲ ଆଦି ପାଇଁ ଜାଗା ରହିବ । ଏହାଛଡା ଏଥିରେ ସବୁଜିମାଭରା ମୁକ୍ତ ଅଞ୍ଚଳ ମଧ୍ୟ ରଖିବାର ବ୍ୟବସ୍ଥା  ରହିଛି । ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ହରିଆନା ଆଦିର ଜନସଂଖ୍ୟା ଦ୍ରୁତଗତିରେ ବଢିବା ସହ ରାଜଧାନୀ ପାଶ୍ୱର୍ବର୍ତ୍ତୀ  ଅଞ୍ଚଳରେ ନୂଆ ନୂଆ ଛୋଟ ସହର ଓ ଆବାସିକ ଅଞ୍ଚଳ ଗଢି ଉଠୁଛି । ତେଣୁ ଜାତୀୟ ରାଜଧାନୀ କ୍ଷେତ୍ରକୁ ଗହଳିମୁକ୍ତ କରି ଲୋକଙ୍କୁ ନୂଆ ସ୍ଥାନରେ ବିଶ୍ୱସ୍ତରୀୟ ଯାତ୍ରୀ ପରିବହନ ସେବା, ଆବାସିକ ସୁବିଧା ଏବଂ ଅନ୍ୟାନ୍ୟ ସୁଖସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 2040 ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକ ନିଯୁକ୍ତି ସୁବିଧା ପାଇବେ ଏବଂ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେବ ।

 

**********

DS/TM



(Release ID: 1684866) Visitor Counter : 107