ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ – କିଷାନ କିସ୍ତି ଅର୍ଥ ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Posted On: 25 DEC 2020 5:52PM by PIB Bhubaneshwar

ଏହି କାର୍ଯ୍ୟକ୍ରମ ସହ ଯୋଡ଼ିହୋଇ ରହିଥିବା ସାରା ଦେଶର କୃଷକ ଭାଇ ଉଭଣୀଗଣ, ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଯୋଡ଼ି ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ପଞ୍ଚାୟତ ଠାରୁ ନେଇ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଚୟନ କରାଯାଇଥିବା ସମସ୍ତ ଜନ ପ୍ରତିନିଧି ଏବଂ ସମସ୍ତ ଗାଁକୁ ଯାଇ କୃଷକମାନଙ୍କ ସହିତ ବସିଥିବା ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ମୋର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ମୋ ତରଫରୁ ନମସ୍କାର ।

କୃଷକମାନଙ୍କ ଜୀବନରେ ଖୁସି, ଏହା ଆମ ସମସ୍ତଙ୍କ ମନରେ ଖୁସି ବଢ଼ାଇ ଦେଇଥାଏ ଏବଂ ଆଜିର ଦିବସ ତ ଅନେକ ଦୃଷ୍ଟିରୁ ପବିତ୍ର ଓ ମହାନ ଦିନ । କୃଷକମାନଙ୍କୁ ଆଜି ଯେଉଁ ସମ୍ମାନ ନିଧିର କିସ୍ତି ପ୍ରଦାନ କରାଯାଇଛି, ସେଥି ସହ ଆଜିର ଦିନ କେତେ ଗୁଡ଼ିଏ ସୁଯୋଗ ଏବଂ ସମ୍ଭାବନା ନେଇ ଆପଣମାନଙ୍କ ପାଖକୁ ଆସିଛି । ସମସ୍ତ ଦେଶବାସୀଙ୍କୁ ଆଜି ବଡ଼ଦିନର ବହୁତ ବହୁତ ଶୁଭକାମନା । ମୋର ଏହି କାମନା ଯେ ବଡ଼ଦିନର ଏହି ଉତ୍ସବ, ବିଶ୍ୱରେ ପ୍ରେମ, ଶାନ୍ତି ଏବଂ ସଦ୍ଭାବନାର ପ୍ରସାର ଘଟାଉ ।

ସାଥୀଗଣ, 

 ଆଜି ମୋକ୍ଷଦା ଏକାଦଶୀ ତିଥି, ଗୀତା ଜୟନ୍ତୀ ମଧ୍ୟ । ଆଜିର ଦିନରେ ଭାରତ ରତ୍ନ ମହମନା ମଦନ ମୋହନ ମାଲବ୍ୟ ଜୀଙ୍କର ମଧ୍ୟ ଜୟନ୍ତୀ । ଦେଶର ମହାନ କର୍ମଯୋଗୀ, ଆମର ପ୍ରେରଣା ପୁରୁଷ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀ ଜୀଙ୍କର ମଧ୍ୟ ଆଜି ଜନ୍ମ ଜୟନ୍ତୀ । ଏହିସବୁ ମହାତ୍ମାମାନଙ୍କ ସ୍ମୃତିରେ ଆଜି ଦେଶ ଗୁଡ଼ ଗଭର୍ଣ୍ଣାନ୍ସ ଡେ, ଅର୍ଥାତ୍‍, ସୁଶାସନ ଦିବସ ମଧ୍ୟ ପାଳନ କରୁଛି । 

ସାଥୀଗଣ,

ଅଟଳ ଜୀ ଗୀତାର ସଂଦେଶର ଅନୁରୂପ ଜୀବନ ବଞ୍ଚିବାକୁ ଲଗାତାର ପ୍ରୟାସ କରିଥିଲେ । ଗୀତାରେ କୁହାଯାଇଛି ଯେ ସ୍ୱେ ସ୍ୱେ କର୍ମଣୀ ଅଭିରତଃ ସଂସିଦ୍ଧିମ୍‍ ଲଭତେ ନରଃ । ଅର୍ଥାତ୍‍, ନିଜର ସ୍ୱାଭାବିକ କର୍ମକୁ ତତ୍ପରତାର ସହିତ ସଂପାଦନ କରିବାକୁ ହେବ, ଏହା ଦ୍ୱାରା ମନୁଷ୍ୟକୁ ସିଦ୍ଧି ପ୍ରାପ୍ତ ହୋଇଥାଏ । ଅଟଳଜୀ ନିଜର ସଂପୂର୍ଣ୍ଣ ଜୀବନ ରାଷ୍ଟ୍ର ପାଇଁ ନିଜର କର୍ମକୁ ସଂପୂର୍ଣ୍ଣ ନିଷ୍ଠାର ସହିତ ସଂପାଦନ କରିବାରେ ସମର୍ପିତ କରି ଦେଇଥିଲେ । ସୁଶାସନକୁ, ଗୁଡ ଗଭର୍ଣ୍ଣାନ୍ସକୁ ଅଟଳ ଜୀ ଭାରତର ରାଜନୀତି ଏବଂ ସାମାଜିକ ବିମର୍ଷର ଅଂଶରେ ପରିଣତ କରିଥିଲେ । ଗାଁ ଏବଂ ଗରିବମାନଙ୍କ ବିକାଶକୁ ଅଟଳ ଜୀ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ହୋଇଥାଉ କିମ୍ବା ସ୍ୱର୍ଣ୍ଣିମ ଚତୁର୍ଭୁଜ ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନା ହୋଇଥାଉ କିମ୍ବା ସର୍ବ ଶିକ୍ଷା ଅଭିଯାନ, ରାଷ୍ଟ୍ର ଜୀବନରେ ସାର୍ଥକ ପରିବର୍ତ୍ତନ ଆଣିବା ଦିଗରେ ସେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଆଜି ପୁରା ଦେଶ ସେହି ମହାନ ପୁରୁଷଙ୍କୁ ସ୍ମରଣ କରୁଛି, ଅଟଳ ଜୀଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ନମନ କରୁଛି । ଆଜି ଯେଉଁ କୃଷି ସଂସ୍କାରକୁ ଦେଶରେ ପ୍ରବର୍ତ୍ତନ କରାଯାଉଛି, ଏହାର ସୂତ୍ରଧର ଏକପ୍ରକାର ଅଟଳ ବିହାରୀ ବାଜପେୟୀ ଥିଲେ ବୋଲି କୁହାଯାଇପାରେ । 

ସାଥୀଗଣ,

ଅଟଳଜୀ ଦେଶର ଗରିବ ଓ କୃଷକମାନଙ୍କ ହିତ ନିମନ୍ତେ ପ୍ରସ୍ତୁତ ହେବାକୁ ଥିବା ସମସ୍ତ ଯୋଜନାରେ ହେଉଥିବା ଭ୍ରଷ୍ଟାଚାରକୁ ରାଷ୍ଟ୍ରୀୟ ରୋଗ ବୋଲି ବିବେଚନା କରୁଥିଲେ । ଆପଣମାନଙ୍କର ସମସ୍ତଙ୍କର ସ୍ମରଣ ଥିବ, ସେ ଥରେ ପୂର୍ବର ଏକ ସରକାରଙ୍କ ଉପରେ କଟାକ୍ଷ କରିବା ଅବସରରେ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ କଥା ସ୍ମରଣ କରାଇଥିଲେ ଏବଂ ତାଙ୍କ ସ୍ମରଣ କରାଇ ସେ କହିଥିଲେ- ଟଙ୍କା ଯେତେବେଳେ ଚାଲେ, ସେତେବେଳେ ତାହା ଘଷି ହୋଇଥାଏ, ହାତରେ ଲାଗିଥାଏ ଏବଂ ଧୀରେ ଧୀରେ ତାହା ପକେଟ ଭିତରକୁ ଚାଲି ଯାଇଥାଏ । ମୁଁ ଖୁସି ଯେ ଆଜି ନା ଟଙ୍କା ଘଷି ହେଉଛି ନା କୌଣସି ଭୁଲ ହାତରେ ତାହା ଲାଗୁଛି । ଗରିବ ଲୋକଙ୍କ ପାଇଁ ଦିଲ୍ଲୀରୁ ଯେଉଁ ଟଙ୍କା ବାହାରୁଛି ତାହା ସିଧା ସଳଖ ଯାଇ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାରେ ପୈଠ ହେଉଛି । ଆମର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଜୀ ଏହି ପ୍ରସଙ୍ଗ ଉପରେ ବିସ୍ତାରିତ ଭାବେ ଆମ ସମ୍ମୁଖରେ ରଖିଛନ୍ତି । ପିଏମ କିଷାନ ସମ୍ମାନ ନିଧି ଏହାର ଏକ ଉତ୍ତମ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । 

ଆଜି ଦେଶର 9 କୋଟିରୁ ଅଧିକ କୃଷକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସିଧା, କମ୍ପ୍ୟୁଟରର ଗୋଟିଏ କ୍ଲିକ୍‍ରେ 18 ହଜାର କୋଟିରୁ ଅଧିକ ରାଶି ସେହି କୃଷକମାନଙ୍କ ବ୍ୟାଙ୍କ ଜମାଖାତାରେ ଜମା ହୋଇଯାଇଛି । ଯେବେଠାରୁ ଏହି ଯୋଜନା ଆରମ୍ଭ ହୋଇଛି, ସେହି ଦିନଠାରୁ ଏପର୍ଯ୍ୟନ୍ତ 1 ଲକ୍ଷ 10 ହଜାର କୋଟି ଟଙ୍କାରୁ ଅଧିକ ରାଶି କୃଷକମାନଙ୍କ ଜମାଖାତାରେ ପହଞ୍ଚି ସାରିଛି ଏବଂ ଏହାକୁ ତ କହନ୍ତି ଗୁଡ଼ ଗଭର୍ଣ୍ଣାନ୍ସ । ପ୍ରଯୁକ୍ତି ଦ୍ୱାରା ଏଭଳି ଗୁଡ଼ ଗଭର୍ଣ୍ଣାନ୍ସର ଉପଯୋଗ କରାଯାଇପାରିଛି । 18 ହଜାର କୋଟିରୁ ଅଧିକ ଟଙ୍କା ମାତ୍ରା ଗୋଟିଏ ମୁହୂର୍ତ୍ତରେ, ଆଖି ପିଛୁଡାକେ ସିଧା କୃଷକମାନଙ୍କ ବ୍ୟାଙ୍କ ଜମାଖାତାରେ ପହଞ୍ଚିବା କିଛି କମ୍‍ କଥା ନୁହେଁ । ଏଥିରେ କୌଣସି କମିଶନ ନାହିଁ, କୌଣସି ଟଙ୍କା କାଟ ନାହିଁ, କୌଣସି ପ୍ରକାର ହେରାଫେରୀ ନାହିଁ । ଟେକ୍ନୋଲୋଜିର ଉପଯୋଗ କରାଯାଇ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଏହା ସୁନିଶ୍ଚିତ କରାଯାଇଛି ଯେ ଏଥିରେ ଯେପରି କୌଣସି ପ୍ରକାର ଲିକେଜ୍‍ ଅବା ବାଟମାରଣା ନହୋଇପାରେ । ରାଜ୍ୟ ସରକାରଙ୍କ ମାଧ୍ୟମରେ କୃଷକମାନଙ୍କୁ ଅନଲାଇନ ରେଜିଷ୍ଟ୍ରେସନ କରାଯିବାପରେ, ସେମାନଙ୍କ ଆଧାର ନମ୍ବର ଏବଂ ବ୍ୟାଙ୍କ ଜମାଖାତାକୁ ଭେରିଫିକେଶନ କରାଯାଇଥାଏ । ଏହା ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ । କିନ୍ତୁ, ମୋତେ ଆଜି ଏହି କଥାକୁ ନେଇ କ୍ଷୋଭ ବି ଲାଗୁଛି ଯେ ସମଗ୍ର ଭାରତରେ କୃଷକମାନଙ୍କୁ ଯେତେବେଳେ ଏହି ଯୋଜନାର ଲାଭ ପ୍ରାପ୍ତ ହେଉଛି, ସମସ୍ତ ବିଚାରଧାରାର ସରକାର ଏହି ଯୋଜନା ସହିତ ଯୋଡ଼ି ହୋଇଛନ୍ତି । କିନ୍ତୁ ଏକମାତ୍ର ପଶ୍ଚିମବଙ୍ଗ ସରକାର ସେଠାକାର 70 ଲକ୍ଷରୁ ଅଧିକ କୃଷକ, ମୋର କୃଷକ ଭାଇ ଭଉଣୀ ଯେଉଁମାନେ ବଙ୍ଗଳାର ଅଧିବାସୀ, ସେମାନେ ଏହି ଯୋଜନାରୁ ଲାଭ ଉଠାଇ ପାରୁନାହାନ୍ତି । ସେମାନଙ୍କୁ ଏହି ଅର୍ଥ ମିଳିପାରୁନାହିଁ କାରଣ ପଶ୍ଚିମବଙ୍ଗ ସରକାର ନିଜର ରାଜନୈତିକ କାରଣ ଯୋଗୁ ତାଙ୍କ ରାଜ୍ୟର କୃଷକମାନଙ୍କୁ ଭାରତ ସରକାରଙ୍କ ଠାରୁ ଯେଉଁ ଅର୍ଥ ଯିବା କଥା, ରାଜ୍ୟ ସରକାରଙ୍କୁ ଏଥିପାଇଁ ଗୋଟିଏ ହେଲେ କଉଡ଼ି ଖର୍ଚ୍ଚ କରିବାକୁ ପଡ଼ିବନାହିଁ, ସେମାନଙ୍କୁ ଏଭଳି ଅର୍ଥ ମିଳିପାରୁନାହିଁ । ଅନେକ କୃଷକ ଭାରତ ସରକାରଙ୍କୁ ଏ ସଂପର୍କରେ ସିଧାସଳଖ ଚିଠି ମଧ୍ୟ ଲେଖିଛନ୍ତି । ସେମାନଙ୍କୁ ସୁଦ୍ଧା ସେ ଏଭଳି ମାନ୍ୟତା ପ୍ରଦାନ କରୁନାହାନ୍ତି ଅର୍ଥାତ୍‍, ଆପଣମାନେ କଳ୍ପନା କରି ପାରୁଥିବେ ଯେ କେତେ ଲକ୍ଷ କୃଷକଙ୍କ ଲାଭ ଉଠାଇ ପାରନ୍ତେ, ଯୋଜନାର ସୁଫଳ ନିମନ୍ତେ ଅନଲାଇନରେ ଆବେଦନ ପତ୍ର ମଧ୍ୟ ଜମା କରିସାରିଛନ୍ତି । କିନ୍ତୁ ସେଠାକାର ରାଜ୍ୟ ସରକାର ତାହାକୁ ମଧ୍ୟ ଅଟକାଇ ବସି ରହିଛନ୍ତି । 

ଭାଇ ଓ ଭଉଣୀଗଣ,

ମୁଁ ବିସ୍ମିତ ଏବଂ ଏହି କଥା ଆଜି ମୁଁ ଦେଶବାସୀଙ୍କ ସମ୍ମୁଖରେ ବେଶ୍‍ ଦୁଃଖର ସହିତ, ବହୁତ ପୀଡ଼ାର ସହିତ କହିବାକୁ ଚାହୁଁଛି ଯେଉଁ ଲୋକମାନେ 30-30 ବର୍ଷ ଧରି ବଙ୍ଗଳାରେ ଶାସନ କରୁଥିଲେ, ସେହିଭଳି ଏକ ଦଳ ନିଜର ରାଜନୈତିକ ବିଚାରଧାରାକୁ ନେଇ ବଙ୍ଗଳାକୁ କେଉଁଠୁ ନେଇ କେଉଁଠାରେ ପହଞ୍ଚାଇଦେଲେ? ସେମାନେ ସେ ରାଜ୍ୟର ଅବସ୍ଥା ଏଭଳି କରି ଦେଇଛନ୍ତି ଯେ ସାରା ଦେଶ ଏକଥା ଜାଣିଛି ଏବଂ ମମତା ଜୀଙ୍କ 15 ବର୍ଷ ତଳର ପୁରୁଣା ଭାଷଣ ଶୁଣିବେ ତ ସେଥିରୁ ଜଣା ପଡ଼ିବ ଯେ ଏହି ରାଜନୈନିକ ବିଚାରଧାରା ବଙ୍ଗଳାକୁ କେତେ ବରବାଦ କରିଦେଇଥିଲା । ଏବେ ସେମାନେ କେମିତିକା ଲୋକ, ବଙ୍ଗଳାରେ ସେମାନଙ୍କ ପାର୍ଟି ଅଛି, ସେମାନଙ୍କର ସଂଗଠନ ଅଛି, 30 ବର୍ଷ ସରକାର ଚଳାଇଥିଲେ । କେତେ ଲୋକ ସେମାନଙ୍କ ପାଖରେ ଥିବେ? ଥରେ ସୁଦ୍ଧା ସେହି ଲୋକମାନେ କୃଷକମାନଙ୍କୁ ଏହି 2 ହଜାର ଟଙ୍କା ମିଳିବାବାଲା କାର୍ଯ୍ୟକ୍ରମ ପଶ୍ଚିମ ବଙ୍ଗଳାରେ ମିଳିବା ସକାଶେ କୌଣସି ଆନ୍ଦୋଳନ କରିନାହାନ୍ତି । ଯଦି ଆପଣମାନଙ୍କ ହୃଦୟରେ କୃଷକମାନଙ୍କ ସକାଶେ ଏତେ ସ୍ନେହ ଓ ପ୍ରେମ ଅଛି, ବଙ୍ଗଳା ତ ଆପଣମାନଙ୍କ ଧରଣୀ । ତା’ହେଲେ ଆପଣମାନେ ବଙ୍ଗଳାର କୃଷକମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାର ପଇସା କୃଷକମାନଙ୍କୁ ମିଳୁ ସେଥିପାଇଁ କାହିଁକି କୌଣସି ଆନ୍ଦୋଳନ କରିନାହାନ୍ତି? କାହିଁକି ଆପଣମାନେ କେତେବେଳେ ସୁଦ୍ଧା ନିଜର ସ୍ୱର ଉତ୍ତୋଳନ କରିନାହାନ୍ତି? ଏବଂ ଆପଣ ଏଠାରୁ ଉଠି ପଞ୍ଜାବ ପର୍ଯ୍ୟନ୍ତ ପହଞ୍ଚିଗଲେ । ସେତେବେଳେ ପ୍ରଶ୍ନ ଉଠୁଛି ଏବଂ ପଶ୍ଚିମ ବଙ୍ଗଳା ସରକାର ବି ଦେଖନ୍ତୁ ନିଜ ରାଜ୍ୟରେ ଏତେ ସଂଖ୍ୟକ କୃଷକମାନଙ୍କୁ ଲାଭ ମିଳିପାରୁନାହିଁ । 70 ଲକ୍ଷ କୃଷକଙ୍କୁ ଏତେ ଅର୍ଥ ମିଳିବା ଆବଶ୍ୟକ, ହଜାର ହଜାର କୋଟି ଟଙ୍କା ମିଳିବା ଦରକାର । ଏକଥା କହିଲେ ସେମାନଙ୍କ ରାଜନୀତିର ଗଉଁ ପଦାରେ ପଡ଼ିଯିବ । କିନ୍ତୁ ସେତିକିବେଳେ ପଞ୍ଜାବ ଯାଇ ସେମାନେ ସେଠାରେ ଲଢ଼େଇ କରୁଛନ୍ତି । ଏଠାକୁ ଆସି ସେମାନେ ଗୁମସୁମ ହୋଇ ବସି ପଡ଼ୁଛନ୍ତି । ଦେଶର ଜନସାଧାରଣ କ’ଣ ଏହି ଖେଳକୁ ଜାଣିପାରୁନାହାନ୍ତି? କ’ଣ ଦେଶର ଜନତାଙ୍କୁ ଏହି ଖେଳ କଥା ମାଲୁମ ନାହିଁ? ଯେଉଁମାନେ ଆଜି ବିରୋଧୀ ପକ୍ଷରେ ଅଛନ୍ତି, ସେମାନେ ଏହି ପ୍ରସଙ୍ଗ ଉପରେ କାହିଁକି ସେମାନଙ୍କର ତୁଣ୍ଡ ଚୁପ ରଖିଛନ୍ତି? କାହିଁକ ସେମାନେ କିଛି କହୁନାହାନ୍ତି? 

ସାଥୀଗଣ,

ଆଜି ଯେଉଁ ରାଜନୈତିକ ଦଳର ଲୋକ ନିଜେ ନିଜକୁ ଏହି ରାଜନୀତିକ ପ୍ରବାହରେ ଯେତେବେଳେ ଦେଶର ଜନତା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ଏଇଭଳି କିଛିନା କିଛି କାର୍ଯ୍ୟକ୍ରମ କରି ଚାଲିଛନ୍ତି । ଇଭେଣ୍ଟ ମ୍ୟାନେଜମେଣ୍ଟ ହୋଇ ଚାଲିଛି । ଯେମିତି କିଏ ସେଲ୍ଫି ନେଉଛି, କିଛି ଫଟୋ କେଉଁଠି ନା କେଉଁଠି ଛପିଯିବ, କେଉଁଠି ଟିଭିରେ ମୁହଁ ଦେଖାଯିବ ଏବଂ ସେମାନଙ୍କର ରାଜନୀତି ଚାଲିଥିବ । ଏବେ ଦେଶ ସେହିସବୁ ଲୋକମାନଙ୍କୁ ବି ଦେଖିସାରିଛି, ପରଖି ସାରଛି । ଦେଶ ସମ୍ମୁଖରେ ସେମାନଙ୍କର ମୁଖା ଖୋଲି ସାରିଛି । ସ୍ୱାର୍ଥର ରାଜନୀତିର ଏକ ପ୍ରକୃଷ୍ଟ ଉଦାହରଣ ଆମେ ଅତି ନିକଟରୁ ଦେଖୁଛୁ । ଯେଉଁ ଦଳ ପଶ୍ଚିମ ବଙ୍ଗଳା କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ସଂପର୍କରେ କିଛି କହୁନାହାନ୍ତି, ସେମାନେ ଏଠାରେ ଦିଲ୍ଲୀର ନାଗରିକମାନଙ୍କୁ ହଇରାଣ ହରକତ କରିବାରେ ଲାଗି ପଡ଼ିଛନ୍ତି । ଦେଶର ଅର୍ଥନୀତିକୁ ବରବାଦ କରିବା କାମରେ ଲାଗିଛନ୍ତି । ଏବଂ ତାହା ପୁଣି କୃଷକମାନଙ୍କ ନାମରେ । ସେହିସବୁ ରାଜନୈତିକ ଦଳଙ୍କୁ ଆପଣମାନେ ଶୁଣିଥିବେ – ମଣ୍ଡି, ମଣ୍ଡି ବୋଲି ଚିତ୍କାର ଛାଡ଼ୁଛନ୍ତି, ଏପିଏମସି କଥା କହୁଛନ୍ତି ଏବଂ ବଡ଼ ବଡ଼ ହେଡଲାଇନ ନେବା ସକାଶେ ଭାଷଣବାଜି କରୁଛନ୍ତି । କିନ୍ତୁ ସେହି ଦଳ, ସେହି ଝଣ୍ଡାବାଲା, ସେହି ବିଚାରଧାରାରେ ବିଶ୍ୱାସ ରଖିଥିବା ବାଲା ହିଁ ବଙ୍ଗଳାକୁ ବରବାଦ କରିଛନ୍ତି । କେରଳରେ ସେମାନଙ୍କର ସରକାର ଅଛି । ଏହା ପୂର୍ବରୁ ଯେଉଁ 50 ବର୍ଷ 60 ବର୍ଷ ପର୍ଯ୍ୟନ୍ତ ଦେଶରେ ରାଜତ୍ୱ କରୁଥିଲେ ସେମାନଙ୍କର ସରକାର ଥିଲା । କେରଳରେ ଏପିଏମସି ନାହିଁ, ମଣ୍ଡି ବ୍ୟବସ୍ଥା ନାହିଁ । ମୁଁ ଆଜି ସେମାନଙ୍କୁ ପଚାରିବାକୁ ଚାହେଁ, ଏଠାରେ ତ ସେମାନେ ଫଟୋ ବାହାର କରିବା କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି । ସେମାନେ ଯାଇ କେରଳରେ ଆନ୍ଦୋଳନ କରନ୍ତୁ । ସେଠାରେ ତ ଏପିଏମସି ଚାଲୁ କରନ୍ତୁ । ପଞ୍ଜାବର କୃଷକମାନଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଆପଣମାନଙ୍କ ପାଖରେ ସମୟ ଅଛି, କେରଳ ଭିତରେ ଯେତେବେଳେ ଏପରି ବ୍ୟବସ୍ଥା ନାହିଁ, ଯଦି ଏହି ବ୍ୟବସ୍ଥା ଏତେ ଉତ୍ତମ ତା’ହେଲେ କେରଳରେ କାହିଁକି ତାହା ଲାଗୁ କରୁନାହାନ୍ତି? କାହିଁକି ଆପଣମାନେ ଏଭଳି ଦୋମୁହାଁ ନୀତି ନେଇ ଚାଲୁଛନ୍ତି? ଏହା କି ପ୍ରକାର ରାଜନୀତି ଆପଣମାନେ କରୁଛନ୍ତି ଯେଉଁଥିରେ କୌଣସି ଯୁକ୍ତି ନାହିଁ, କୌଣସି ତଥ୍ୟ ନାହିଁ । କେବଳ ମିଛ ଆରୋପ ଲଗାଇ ଚାଲିଛନ୍ତି । କେବଳ ବିଭ୍ରାନ୍ତକର ଖବର ପ୍ରସାର କରୁଛନ୍ତି । ଆମ କୃଷକମାନଙ୍କୁ ଡରେଇ ଦିଅ ଏବଂ ସରଳ କୃଷକ ବେଳେବେଳେ ଆପଣମାନଙ୍କ କଥାରେ ବି ଭୁଆଁ ବୁଲି ଯାଉଛନ୍ତି ।

ସାଥୀଗଣ,

ଏ ଲୋକମାନେ ଲୋକତନ୍ତ୍ରର କୌଣସି ବ୍ୟବସ୍ଥାକୁ, କୌଣସି ପାରାମିଟରକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କୁ କେବଳ ନିଜର ଲାଭ, ନିଜର ସ୍ୱାର୍ଥ ହିଁ ନଜର ଆସୁଛି ଏବଂ ମୁଁ ଯେତେସବୁ କଥା କହୁଛି, କୃଷକମାନଙ୍କ ସକାଶେ କହୁନାହିଁ । କୃଷକମାନଙ୍କ ନାଁରେ ନିଜର ଝଣ୍ଡା ନେଇ ଯେଉଁ ଖେଳ ଖେଳାଯାଉଛି ଓ ସେମାନେ ଖେଳୁଛନ୍ତି ଏବେ ସେମାନଙ୍କୁ ଏହି ସତ୍ୟକୁ ଶୁଣିବାକୁ ପଡ଼ିବ । ଏବଂ ପ୍ରତି କଥାରେ କୃଷକମାନଙ୍କୁ ଗାଳି ଦେଲି, କୃଷକମାନଙ୍କୁ ଅପମାନିତ କରିଛି ଏଭଳି କରି କରି ଆପଣମାନେ ବର୍ତ୍ତିଯାଇ ପାରିବେନାହିଁ । ଏ ଲୋକମାନେ ଖବରକାଗଜ ଓ ଗଣମାଧ୍ୟମରେ ସ୍ଥାନ ଜମାଇ ରାଜନୈତିକ ମୈଦାନରେ ନିଜକୁ ଜୀବିତ ରଖିବା ସକାଶେ ଜଡ଼ି ବୁଟି ଖୋଜିବାରେ ବ୍ୟସ୍ତ । କିନ୍ତୁ ଦେଶର କୃଷକମାନେ ସେମାନଙ୍କୁ ଭଲଭାବେ ଚିହ୍ନି ସାରିଛନ୍ତି । ଏବେ ଦେଶର କୃଷକମାନେ ସେମାନଙ୍କୁ ଏଭଳି ଜଡ଼ି ବୁଟି କଦାପି ଦେବେନାହିଁ । କୌଣସି ରାଜନୀତିରେ କି ଲୋକତନ୍ତ୍ରରେ ରାଜନୀତି କରିବା ନିମନ୍ତେ ସେମାନଙ୍କର ଆଉ ହକ୍‍ ନାହିଁ । ଆମେ ସେମାନଙ୍କୁ ବିରୋଧ କରୁନାହୁଁ । କିନ୍ତୁ ନିର୍ଦ୍ଦୋଷ କୃଷକମାନଙ୍କ ଜୀବନ ସହ ସେମାନେ ଆଉ ଖେଳନ୍ତୁନାହିଁ । ସେମାନଙ୍କର ଭବିଷ୍ୟତ ସହିତ ସେମାନେ ଆଉ ଏଭଳି ଖେଳ ନଖେଳନ୍ତୁ । ସେମାନଙ୍କୁ ବିଭ୍ରାନ୍ତ ନକରନ୍ତୁ, ଭ୍ରମିତ ନକରନ୍ତୁ ।

ସାଥୀଗଣ,

ସେମାନେ ସେହି ଲୋକ ଯେଉଁମାନେ ଦୀର୍ଘ ବର୍ଷ ଧରି କ୍ଷମତାରେ ରହି ଆସିଥିଲେ । ସେମାନଙ୍କର ନୀତି କାରଣରୁ ହିଁ ଦେଶରେ କୃଷି ଏବଂ କୃଷକଙ୍କର ସେତିକି ବିକାଶ ହୋଇ ପାରିନଥିଲା ଯେତିକି ସେମାନଙ୍କ ସାମର୍ଥ୍ୟରେ ଥିଲା । ପୂର୍ବର ସରକାରଙ୍କ ନୀତି ନିୟମ କାରଣରୁ ସବୁଠାରୁ ବେଶୀ କ୍ଷତି କୃଷକମାନଙ୍କୁ ହିଁ ସହ୍ୟ କରିବାକୁ ପଡ଼ିଛି । ଯେଉଁମାନଙ୍କ ପାଖରେ ନା ଅଧିକ ଜମି ଥିଲା, ନା ଥିଲା ସଂସାଧନ । ସେହି ଛୋଟ ଛୋଟ କୃଷକମାନଙ୍କୁ ବ୍ୟାଙ୍କମାନଙ୍କରୁ ଅର୍ଥ ମିଳୁନଥିଲା । କାରଣ, ସେମାନଙ୍କ ପାଖରେ ବ୍ୟାଙ୍କ୍‍ ଜମାଖାତା ସୁଦ୍ଧା ନଥିଲା । ପୂର୍ବରୁ ଯେଉଁ ଫସଲ ବୀମା ବ୍ୟବସ୍ଥା ଥିଲା, ତାହାର ଲାଭ ମଧ୍ୟ ସେହିସବୁ ଛୋଟ ମୋଟ କୃଷକମାନଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁନଥିଲା । ସେଥିରେ ସେମାନଙ୍କର ନାମ ସନ୍ତକ ସୁଦ୍ଧା ନଥିଲା । କାହାକୁ ଜଣକୁ ଅଧକୁ କେତେବେଳେ କେମିତି ତାହା ମିଳି ଯାଉଥିଲା, କିନ୍ତୁ ସେ କଥା ଭିନ୍ନ । ଜଣେ କ୍ଷୁଦ୍ର ଚାଷୀର କ୍ଷେତକୁ ଜଳସେଚନ ନିମନ୍ତେ ନା ମିଳୁଥିଲା ଜଳ, ନା ମିଳୁଥିଲା ବିଜୁଳି । ଆମର ସେହି ବିଚରା ଗରିବ କୃଷକ ନିଜର ଲହୁ ଲୁହ ଓ ଝାଳକୁ ଏକାକାର କରି କ୍ଷେତରେ ଯାହା କିଛି ଉପୁଜାଉଥିଲା, ସେସବୁକୁ ବିକ୍ରି କରିବା ନିମନ୍ତେ କୌଣସି ବ୍ୟବସ୍ଥା ସୁଦ୍ଧା ନଥିଲା ।ଯେଉଁ ବ୍ୟବସ୍ଥା ଥିଲା ତାହା ଅତି ଶୋଚନୀୟ ଅବସ୍ଥାରେ ଥିଲା । ତେଣୁ ସେମାନଙ୍କୁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲ । ସେହିସବୁ ଛୋଟ ଛୋଟ କୃଷକମାନଙ୍କୁ ଋଣ ଦେବାକୁ କେହି ନଥିଲେ ଏବଂ ଆଜି ମୁଁ ଦେଶବାସୀଙ୍କୁ ପୁଣି ଥରେ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଦେଶର ଏହିସବୁ କୃଷକମାନଙ୍କ ସଂଖ୍ୟା କିଛି କମ୍‍ ନୁହେଁ ଯେଉଁମାନଙ୍କ ସହିତ ଘୋର ଅନ୍ୟାୟ କରାଯାଇଛି । ମୋଟ କୃଷକମାନଙ୍କ ସଂଖ୍ୟାର 80 ପ୍ରତିଶତରୁ ଅଧିକ ହେଉଛନ୍ତି ଏହି ଛୋଟ କୃଷକ । ପାଖାପାଖି 10 କୋଟିରୁ ସେମାନଙ୍କ ସଂଖ୍ୟା ଅଧିକ । ଯେଉଁ ଲୋକମାନେ ଏତେ ବର୍ଷ ଧରି କ୍ଷମତାରେ ରହିଲେ ସେମାନେ ଦେଶର କୃଷକମାନଙ୍କୁ ସେମାନଙ୍କ ନିଜ ଭାଗ୍ୟ ଉପରେ ଛାଡ଼ି ଦେଇଥିଲେ । ନିର୍ବାଚନ ହୋଇ ଚାଲିଥିଲା, ସରକାର ପରେ ସରକାର ଗଢ଼ା ଯାଉଥିଲା, ରିପୋର୍ଟ ପରେ ରିପୋର୍ଟ ଆସୁଥିଲା, ଆୟୋଗ ପରେ ଆୟୋଗ ଗଢ଼ା ଯାଉଥିଲା, ପ୍ରତିଶ୍ରୁତି ଦିଆ ଚାଲିଥିଲା, ସେସବୁକୁ ଭୁଲାଇ ଦିଆଯାଇ ଚାଲିଥିଲା, କର, ଭୁଲାଇ ଦିଅ, କର, ଭୁଲାଇ ଦିଅ, ଏମିତି ହୋଇ ଚାଲିଥିଲା । କିନ୍ତୁ କୃଷକମାନଙ୍କ ସ୍ଥିତିରେ କୌଣସି ଉନ୍ନତି ହୋଇନଥିଲା । ଏହାର ପରିଣାମ କ’ଣ ହେଲା? ଗରିବ କୃଷକ ବିଚରା ଆହୁରି ଗରିବ ହୋଇଗଲା । ଦେଶର ଏଭଳି ସ୍ଥିତିରେ କ’ଣ ପରିବର୍ତ୍ତନ ଆଣିବାର ଆବଶ୍ୟକତା ନଥିଲା?

ମୋର କୃଷକ ଭାଇ ଓ ଭଉଣୀଗଣ,

2014ରେ କେନ୍ଦ୍ରରେ ଆମ ସରକାର ଗଠିତ ହେବା ପରେ, ଆମ ସରକାର ଏକ ନୂତନ କାର୍ଯ୍ୟପନ୍ଥାର ସହିତ କାମ କରିବା ଆରମ୍ଭ କରିଥିଲା । ଆମେ ଦେଶର କୃଷକଙ୍କ ଛୋଟ ମୋଟ ସକଳ ପ୍ରକାର ଅଭାବ ଅସୁବିଧା ସମାଧାନ କରିବା ସହ କୃଷିର ଆଧୁନିକୀକରଣ, ସେମାନଙ୍କର ଭବିଷ୍ୟତର ଆବଶ୍ୟକତା ପୂରଣ ନିମନ୍ତେ ଯୋଜନା ପ୍ରସ୍ତୁତ କଲୁ । ଏହି ଦୁଇଟି ଦିଗ ଉପରେ ଏକାସଙ୍ଗେ ଧ୍ୟାନ ଦିଆଗଲା । ପୂର୍ବରୁ ଆମେ ଢ଼େର୍‍ କଥା ଶୁଣୁଥିଲୁଯେ ସେ ଦେଶର କ୍ଷେତ କେତେ ଆଧୁନିକ, ସେଠାରେ କୃଷକମାନେ ଏତେ ସମୃଦ୍ଧ । କେତେବେଳେ ଆମକୁ ଇସ୍ରାଏଲର ଉଦାହରଣ ଦିଆ ଯାଉଥିଲା । ପୁଣି କେତେବେଳେ ଦୁନିଆସାରା କୃଷି କ୍ଷେତ୍ରରେ କି କି ପ୍ରକାର କ୍ରାନ୍ତି ଆସିଛି, କିଭଳି ପରିବର୍ତ୍ତନ ଘଟିଛି, କେଉଁ କେଉଁ ନୂତନ ପ୍ରୟାସମାନ ଅଣାଯାଇଛି, ଅର୍ଥ ବ୍ୟବସ୍ଥା ସହିତ ଏହା କିଭଳି ଭାବେ ଯୋଡ଼ିହୋଇ ରହିଛି, ଆସେ ସେସବୁ କଥାକୁ ଗହନ ଭାବେ ଅଧ୍ୟୟନ କଲୁ । ଏହା ପରେ ଆମେ ଭିନ୍ନ ଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କଲୁ ଏବଂ ସମସ୍ତ ଯୋଜନା ଉପରେ ଏକା ସଙ୍ଗେ କାର୍ଯ୍ୟ ଆରମ୍ଭ କଲୁ । ଆମେ ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ କଲୁ ଯେ ଦେଶର କୃଷକମାନେ କୃଷି ପାଇଁ ଖର୍ଚ୍ଚ କରୁଥିବା ଅର୍ଥ କିପରି କମିବ, ଇନପୁଟ୍‍ ବ୍ୟୟ କମ୍‍ ହେବ, ସେଥିପାଇଁ ବ୍ୟୟ କରାଯାଉଥିବା ରାଶିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ, ସେଥିରେ ଆମେ ସଫଳତା ପାଇଛୁ । ସେହିଭଳି ଆମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ୟୁରିଆରେ ନିମ ପ୍ରଲେପ ଦେବା, ଲକ୍ଷ ଲକ୍ଷ ସଂଖ୍ୟାର ସୋଲାର ପମ୍ପ ସ୍ଥାପନ, ଏସବୁ ଯୋଜନା ଓ ସେହିସବୁର ଇନପୁଟ୍‍ କଷ୍ଟ କମ୍‍ କରିବା ନିମନ୍ତେ ଗୋଟିକ ପରେ ଗୋଟିଏ ପଦକ୍ଷେପ ଉଠାଇ ଚାଲିଲୁ । ଆମ ସରକାର ପ୍ରୟାସ କଲା ଯେ କୃଷକମାନଙ୍କ ନିକଟରେ କେମିତି ଏକ ଉତ୍ତମ ଫସଲ ବୀମା କବଚ ପହଞ୍ଚିପାରିବ । ଆଜି ଦେଶର କୋଟି କୋଟି କୃଷକଙ୍କୁ ପିଏମ ଫସଲ ବୀମା ଯୋଜନାର ଲାଭ ମିଳିପାରୁଛି । ସେମାନେ ଉପକୃତ ହୋଇ ପାରୁଛନ୍ତି । 

ଏବଂ ମୋର ପ୍ରିୟ କୃଷକ ଭାଇ ଓ ଭଉଣୀଗଣ,

ଏବେ ଯେତେବେଳେ ମୁଁ ମୋର କୃଷକ ଭାଇମାନଙ୍କ ସହ କଥାବାର୍ତ୍ତା କରୁଥିଲି ତ ମୋତେ ମୋର ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଗଣେଶଜୀ ସୂଚାଇଥିଲେ ଯେ ସେ ଫସଲ ବୀମା ବାବଦକୁ ମାତ୍ର ଅଢ଼େଇ ହଜାର ଟଙ୍କା ଦେଇଥିଲେ ଏବଂ ତାଙ୍କୁ ପାଖାପାଖି ଚଉବନ ହଜାର ଟଙ୍କାର ବୀମା ରାଶି ମିଳିଛି । ସାମାନ୍ୟ ପ୍ରିମିୟମ ବଦଳରେ କୃଷକମାନଙ୍କୁ ଗତ ଏକ ବର୍ଷ ମଧ୍ୟରେ 87 ହଜାର କୋଟି ଟଙ୍କାର କ୍ଲେମ୍‍ ରାଶି ମିଳିଛି । 87 ହଜାର ଅର୍ଥାତ ପାଖାପାଖି 90 ହଜାର କୋଟି ଟଙ୍କା । କୃଷକମାନଙ୍କୁ ଏଥିପାଇଁ ସାମାନ୍ୟ ପ୍ରିମିୟମ୍‍ ଦେବାକୁ ପଡ଼ିଥିଲା । ସଂକଟ ସମୟରେ ଫସଲ ବୀମା ସେମାନଙ୍କ କାମରେ ଆସିପାରିଲା । ଆମେ ଏହି ଲକ୍ଷ୍ୟ ଦିଗରେ ମଧ୍ୟ କାମ କରିବା ଆରମ୍ଭ କରିଥିଲୁ ଯେ କୃଷକଙ୍କ ନିକଟରେ କ୍ଷେତରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା କେମିତି ପହଞ୍ଚାଯାଇ ପାରିବ । ଆମେ ଦଶନ୍ଧି ଦଶନ୍ଧି ଧରି ପୁରୁଣା ଜଳସେଚନ ଯୋଜନାଗୁଡ଼ିକର ଲକ୍ଷ୍ୟ ପୂରଣ କରିବା ସହିତ ସାରା ଦେଶରେ “ପ୍ରତି ବୁନ୍ଦା ଜଳ, ଅଧିକ ଅମଳ” ମନ୍ତ୍ର ସହିତ ମାଇକ୍ରୋ ଇରିଗେସନ କାର୍ଯ୍ୟକ୍ରମକୁ ବଢ଼ାଇ ଚାଲିଛୁ ଏବଂ ଆଜି ଏକଥା କହିବାବେଳେ ମୋତେ ଖୁସି ଅନୁଭବ ହେଉଛି ଯେ ଏବେ ତାମିଲନାଡ଼ୁର ଆମର ସୁବ୍ରମଣ୍ୟମ୍‍ ଜୀ ମୋତେ କହୁଥିଲେ ଯେ ସେ ଅଣୁ ଜଳସେଚନ ମାଧ୍ୟମରେ ବୁନ୍ଦା ଜଳ ସିଞ୍ଚନ କରି ଏକ ଲକ୍ଷରର ଅଧିକ ଅର୍ଥ ଉପାର୍ଜନ କରିପାରିଛନ୍ତି, ମାଇକ୍ରୋ ଇରିଗେସନ ମାଧ୍ୟମରେ । 

ସାଥୀଗଣ,

ଆମ ସରକାର ଏହି ପ୍ରୟାସ କରିଆସିଛି ଯେ ଦେଶର କୃଷକମାନଙ୍କୁ ଫସଲର ଉଚିତ ମୂଲ୍ୟ କିଭଳି ସୁନିଶ୍ଚିତ କରାଯାଇପାରିବ । ଆମେ ଦୀର୍ଘ ସମୟ ଧରି ଅଟକି ରହିଥିବା ସ୍ୱାମୀନାଥନ କମିଟିଙ୍କ ରିପୋର୍ଟ ଆଧାରରେ ସର୍ବନିମ୍ନ ସହାୟମ ମୂଲ୍ୟ- ଏମଏସପିରେ ଦେଢ଼ଗୁଣ ବୃଦ୍ଧି ଘଟାଇଛୁ । ଅର୍ଥାତ୍‍, କୃଷକମାନେ ଦେଢ଼ଗୁଣ ଅଧିକ ଏମଏସପି ପାଇଛନ୍ତି । ପୂର୍ବରୁ ମାତ୍ର କିଛି ଫସଲ ଉପରେ ଏମଏସପି ମିଳୁଥିଲା । ଆମେ ଏହାର ସଂଖ୍ୟାରେ ମଧ୍ୟ ବୃଦ୍ଧି କରିଛୁ । ଫସଲ ଉପରେ ଏମଏସପି ଘୋଷଣା ଏବେ ଖବରକାଗଜମାନଙ୍କରେ ଛୋଟ ଜାଗାରୁ ଅଧିକ ସ୍ଥାନନେଇ ପ୍ରକାଶ ପାଉଛି । ପୂର୍ବରୁ ତାହା କେବଳ ସୂଚନା ଆକାରରେ ଛପୁଥିଲା । ଏବେ କିନ୍ତୁ ତାହା ବଡ଼ ଆକାରରେ ପ୍ରକାଶ ପାଉଛି । କୃଷକ ପର୍ଯ୍ୟନ୍ତ ପୂର୍ବରୁ ସେଭଳି ଲାଭ ପହଞ୍ଚି ପାରୁନଥିଲା । କେଉଁଠି ତରାଜୁ ସୁଦ୍ଧା ଲଗାଯାଉନଥିଲା ।ଏବଂ ସେଥିପାଇଁ କୃଷକମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ହିଁ ଆସୁନଥିଲା । ଆଜି ଏମଏସପି ଉପରେ ରେକର୍ଡ଼ ସରକାରୀ କ୍ରୟ ସମ୍ଭବପର ହୋଇପାରିଛି । କୃଷକମାନଙ୍କ ପକେଟରେ ଏମଏସପିର ରେକର୍ଡ଼ ଅର୍ଥ ପହଞ୍ଚି ପାରୁଛି । ଯେଉଁମାନେ ଆଜି କୃଷକମାନଙ୍କ ନାମରେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ସମୟରେ ସେମାନେ କ’ଣ କରିଥିଲେ, ସେତେବେଳେ କାହିଁକି ଚୁପ ହୋଇ ବସି ରହିଥିଲେ? ଯେଉଁସବୁ ଲୋକମାନେ ଏବେ ଆନ୍ଦୋଳନ ଚଳାଇଛନ୍ତି, ଯେତେବେଳେ ସେମାନେ ସରକାରର ଅଂଶୀଦାର ଥିଲେ, ସମର୍ଥନ କରୁଥିଲେ ଏବଂ ସେହି ଲୋକ ସ୍ୱାମୀନାଥନ କମିଟି ରିପୋର୍ଟ ଉପରେ ବସି ରହିଥିଲେ, ବର୍ଷ ବର୍ଷ ଧରି ଏହାକୁ ଚାପି ରଖିଥିଲେ । ଆମେ ଆସିବା ପରେ ସେହି ରିପୋର୍ଟକୁ କାଢ଼ି ବାହାରକଲୁ । କାରଣ ଆମ ହୃଦୟରେ କୃଷକମାନଙ୍କ ପାଇଁ କିଛି ହିତ ସାଧନ କରିବାର ଭାବନା ଥିଲା । ସେମାନଙ୍କର କଲ୍ୟାଣ କରିବା- ଏହା ଥିଲା ଆମ ଜୀବନର ମନ୍ତ୍ର । ସେଥିପାଇଁ ଆମେ ଏଭଳି କାର୍ଯ୍ୟ କରିଛୁ ।

ସାଥୀଗଣ,

ଆମେ ଏ ଦିଗରେ ମଧ୍ୟ ଫସଲ ବିକ୍ରି ସକାଶେ କୃଷକମାନଙ୍କ ପାଖରେ କେବଳ ମଣ୍ଡି ନୁହେଁ, ଅପରନ୍‍ତୁ ଏହାର ବିକଳ୍ପ କିଭଳି ଉପଲବ୍ଧ ହେବ, ବଜାର ସୁବିଧା ମିଳିପାରିବ ତାହା ସୁନିଶ୍ଚିତ କରିଛୁ । ଆମେ ଦେଶର ଏକ ହଜାରରୁ ଅଧିକ କୃଷି ମଣ୍ଡିକୁ ଅନଲାଇନରେ ସଂଯୋଗ କରିଛୁ । ସେଥିରେ ମଧ୍ୟ ଏକ ଲକ୍ଷ କୋଟିରୁ ଅଧିକ କାରବାର କୃଷକମାନେ କରିଛନ୍ତି । କୃଷକମାନେ ଅନଲାଇନ ମାଧ୍ୟମରେ ସେମାନଙ୍କର ଉପଜ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ସାଥୀଗଣ,

ଆମେ ପ୍ରଥମେ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଯେ ଛୋଟ ଛୋଟ କୃଷକମାନଙ୍କର କିପରି ଗୋଷ୍ଠୀ ଗଠନ କରାଯାଇପାରିବ ଯାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ଏକ ସାମୂହିକ ଶକ୍ତି ରୂପେ ଉଭାହୋଇ କାର୍ଯ୍ୟ କରିପାରିବେ । ଆଜି ଦେଶରେ 10 ହଜାରରୁ ଅଧିକ କୃଷକ ଉତ୍ପାଦକ ସଂଘ- ଏଫପିଓ ଗଠନ କରିବାର ଅଭିଯାନ ଜାରି ରହିଛି । ସେମାନଙ୍କୁ ସକଳ ପ୍ରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ଏଇ ଅଳ୍ପ ସମୟ ତଳେ ଆମେ ମହାରାଜଗଞ୍ଜର ରାମଗୁଲାମଜୀଙ୍କ କଥା ଶୁଣୁଥିଲେ, 300 ପାଖାପାଖି କୃଷକଙ୍କୁ ସେ ଏକଜୁଟ କରିପାରିଛନ୍ତି ଏବଂ ପୂର୍ବ ତୁଳନାରେ ସେ ନିଜ ଉପଜକୁ ଦେଢ଼ଗୁଣ ଅଧିକ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଛନ୍ତି । ଏଫପିଓ ସେ ଗଠନ କରିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଛନ୍ତି ଯଦ୍ୱାରା ସେ ଅଧିକ ଅମଳ କରୁଛନ୍ତି ଏବଂ ଆଜି ତାଙ୍କୁ ପୂର୍ବ ତୁଳନାରେ ଅଧିକ ଫାଇଦା ମିଳୁଛି । 

ସାଥୀଗଣ,

ଆମର କୃଷି କ୍ଷେତ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଗାଁରେ ଭଣ୍ଡାରଣ, କୋଲ୍ଡ ଷ୍ଟୋରେଜର ଆଧୁନିକ ସୁବିଧା ସୁଯୋଗ କମ୍‍ ମୂଲ୍ୟରେ ଆମ କୃଷକମାନଙ୍କ ସକାଶେ ଉପଲବ୍ଧ ହେବା । ଆମ ସରକାର ଏହା ଉପରେ ପ୍ରାଥମିକତା ପ୍ରଦାନ କରୁଛି । ଆଜି ଦେଶବ୍ୟାପୀ କୋଲ୍ଡ ଷ୍ଟୋରୋଜ୍‍ର ଯେଉଁ ନେଟୱାର୍କର ବିକାଶ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି ତାହା ଆମ ନୀତି ଓ ସିଦ୍ଧାନ୍ତର ପ୍ରତିଫଳନ । ଆମେ ଗ୍ରହଣ କରିଥିବା ନୀତିରେ ଏହାର ପ୍ରତିଫଳନକୁ ସ୍ପଷ୍ଟ ରୂପେ ଦେଖିହେବ । କାରଣ ଏହି ପ୍ରସଙ୍ଗ ଉପରେ ଆମେ ଜୋର୍‍ ଦେଇଛୁ ଯଦ୍ୱାରା କୃଷିକର୍ମ ସହିତ କୃଷକମାନଙ୍କ ପାଖରେ ଆୟ ବୃଦ୍ଧିର ଦ୍ୱିତୀୟ ବିକଳ୍ପ ସୁଦ୍ଧା ଉପଲବ୍ଧ ହୋଇପାରିବ । ଆମ ସରକାର ମତ୍ସ୍ୟଚାଷ, ପଶୁପାଳନ, ଡାଏରୀ ଉଦ୍ଦ୍ୟୋଗ, ମହୁ ଚାଷ ଏହିଭଳି ସବୁ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ଆମ ସରକାର ଏକଥା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ଦେଶର ବ୍ୟାଙ୍କଗୁଡିକ କିଭଳି ଭାବେ ଦେଶର କୃଷକମାନଙ୍କ ହିତରେ ଲାଗିପାରିବ । 2014 ମସିହାରେ ଯେତେବେଳେ ଆମେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଲୁ ଏବଂ ତାହା ଆମର ଅୟମାରମ୍ଭ ଥିଲା, 2014 ମସିହାରେ ଯେତେବେଳେ ଏଥିପାଇଁ 7 ଲକ୍ଷ କୋଟି ଟଙ୍କାର ପ୍ରାବଧାନ ଥିଲା, ଏବେ ତାହା ପାଖାପାଖି 14 ଲକ୍ଷ କୋଟି ଟଙ୍କା ଅର୍ଥାତ୍‍, ଦୁଇଗୁଣ କରାଯାଇଛି ଯଦ୍ୱାରା ଦେଶର କୃଷକମାନଙ୍କୁ ସହଜରେ ଋଣ ମିଳିପାରିବ । ବିଗତ କିଛି ମାସ ମଧ୍ୟରେ ପାଖାପାଖି ଅଢ଼େଇ କୋଟି କ୍ଷୁଦ୍ର ଚାଷୀଙ୍କୁ କିଷାନ କ୍ରେଡ଼ିଟ୍‍ କାର୍ଡ଼ ସହିତ ସଂଯୋଗ କରାଯାଇଛି ଏବଂ ଏହି ଅଭିଯାନ ବେଶ୍‍ ଦ୍ରୁତ ଗତିରେ ଚାଲିଛି । ଆମେ ମତ୍ସ୍ୟଚାଷୀ, ପଶୁପାଳନକାରୀମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍‍ କାର୍ଡ଼ ଦେଇଛୁ । କାରଣ ଆମେ ଚାହୁଁ, ଏପରି ଲାଭ ଏବେ ସେମାନଙ୍କୁ ସୁଦ୍ଧା ମିଳିବା ଆବଶ୍ୟକ । ସାଥୀଗଣ,

ଆମେ ସେହିସବୁ ଲକ୍ଷ୍ୟ ଦିଗରେ ମଧ୍ୟ କାମ କରୁଛୁ ଯଦ୍ୱାରା ଚାଷବାସ କ୍ଷେତ୍ରରେ କିପ୍ରକାର ଧାରା ଚାଲିଛି, ସେଥିପାଇଁ ଦେଶରେ କିପରି ଆଧୁନିକ କୃଷି ସଂସ୍ଥାନ ସୃଷ୍ଟି ହୋଇପାରିବ । ବିଗତ ବର୍ଷମାନଙ୍କରେ ଦେଶରେ ଅନେକ ନୂଆ ନୂଆ କୃଷି ସଂସ୍ଥାନମାନ ଆରମ୍ଭ କରାଯାଇଛି । କୃଷି ଶିକ୍ଷା କ୍ଷେତ୍ରରେ ସିଟ୍‍ ସଂଖ୍ୟା ମଧ୍ୟ ବଢ଼ାଯାଇଛି । 

ଏବଂ ସାଥୀଗଣ, କୃଷିକ୍ଷେତ୍ର ସହିତ ସଂଶ୍ଳିଷ୍ଟ ଏଭଳି ସମସ୍ତ ପ୍ରୟାସ ସହିତ ଆମେ ଆଉ ଏକ ବଡ଼ ଲକ୍ଷ୍ୟ ଦିଗରେ ମଧ୍ୟ କାମ କରିଛୁ । ସେହି ଲକ୍ଷ୍ୟ ହେଲା- ଗାଁରେ ବସବାସ କରୁଥିବା କୃଷକମାନଙ୍କ ଜୀବନଧାରଣର ମାନ କିଭଳି ସହଜସାଧ୍ୟ ହୋଇପାରିବ । 

ସାଥୀଗଣ, 

ଆଜି ଯେଉଁମାନେ କୃଷକମାନଙ୍କ ପାଇଁ ଆଖିରୁ ଏତେ ଲୁହ ଢ଼ାଳୁଛନ୍ତି, ଏତେ ବଡ଼ ବଡ଼ ବିବୃତିମାନ ଦେଇ ଚାଲିଛନ୍ତି, ବହୁତ ଦୁଃଖ ପ୍ରକଟ କରୁଛନ୍ତି, ଯେତେବେଳେ ସେମାନେ ସରକାରରେ ଥିଲେ, ସେତେବେଳେ ସେମାନେ କୃଷକମାନଙ୍କ ଦୁଃଖ, ସେମାନଙ୍କ ସମସ୍ୟା ଦୂର କରିବା ସକାଶେ କ’ଣ କରିଛନ୍ତି, ସେକଥା ଦେଶର କୃଷକକୁଳ ଉତ୍ତମ ରୂପେ ଜାଣିଛନ୍ତି । ଆଜି କେବଳ କ୍ଷେତ ନୁହେଁ ବରଂ ସେମାନଙ୍କ ଜୀବନକୁ ସୁଦ୍ଧା ସହଜସାଧ୍ୟ କରିବା ନିମନ୍ତେ ଆମ ସରକାର ସେମାନଙ୍କ ଦୁଆରମୁହଁରେ ନିଜେ ପହଞ୍ଚିସାରିଛି । ଚାଷଜମିର ହିଡ଼ ପର୍ଯ୍ୟନ୍ତ ପହଞ୍ଚିଛି । ଆଜି ଦେଶର ଛୋଟ ଏବଂ ସୀମାନ୍ତ କୃଷକମାନଙ୍କୁ ନିଜର ପକ୍କା ଘର ମିଳିପାରୁଛି, ଶୌଚାଳୟ ଉପଲବ୍ଧ ହୋଇପାରୁଛି । ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ସେମାନଙ୍କ ନିକଟରେ ପହଞ୍ଚି ପାରିଛି । ସେହି କୃଷକମାନଙ୍କୁ ମାଗଣାରେ ବିଜୁଳି ସଂଯୋଗ, ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି ଯାହା ସେମାନଙ୍କ ପାଇଁ ବେଶ୍‍ ଲାଭପ୍ରଦ ହୋଇପାରିଛି ।ପ୍ରତି ବର୍ଷ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସାସେବାର ସୁବିଧା ଆଜି ମୋର ଛୋଟ ଛୋଟ କୃଷକ ଭାଇମାନଙ୍କ ଜୀବନରେ ଥିବା ଚିନ୍ତାକୁ ହ୍ରାସ କରିବାରେ ସହାୟକ ହୋଇପାରିଛି । ପ୍ରତି ଦିନ ଏଥିପାଇଁ ମାତ୍ର 90 ପଇସା, ଅର୍ଥାତ୍‍, ଗୋଟିଏ କପ୍‍ ଚା’ର ମୂଲ୍ୟ ଠାରୁ ସୁଦ୍ଧା କମ୍‍ ମୂଲ୍ୟରେ ଏବଂ ମାସକୁ 1 ଟଙ୍କା ପ୍ରିମିୟମର ବୀମା, ଏହା ମୋର ପ୍ରିୟ କୃଷକ ଭାଇମାନଙ୍କ ଜୀବନରେ ବହୁତ ବଡ଼ ଶକ୍ତିରେ ପରିଣତ ହୋଇଛି । 60 ବର୍ଷ ବୟସ ହେବାପରେ 3 ହଜାର ଟଙ୍କା ମାସିକ ପେନସନ୍‍ ଏହି ସୁରକ୍ଷା କବଚ ମଧ୍ୟ ଆଜି କୃଷକମାନଙ୍କ ନିକଟରେ ଉପଲବ୍ଧ । 

ସାଥୀଗଣ,

ଆଜିକାଲି କିଛି ଲୋକ କୃଷକମାନଙ୍କ ଚାଷଜମି କଥା ଚିନ୍ତା କରୁଥିବାର ଦେଖେଇ ହେଉଛନ୍ତି । କୃଷକମାନଙ୍କ ଜମି ହଡ଼ପ କରିବାରେ କେତେ କେତେ ଲୋକଙ୍କ ନାମ ସମ୍ବାଦପତ୍ରମାନଙ୍କରେ ଚମକପ୍ରଦ ଖବର ଭାବେ ଛପିଛି ତାହା ଆମ ସମସ୍ତଙ୍କୁ ଜଣା । ଏ ଲୋକମାନେ ସେତେବେଳେ କେଉଁଠି ଥିଲେ ଯେତେବେଳେ ମାଲିକାନା ଦଲିଲର ଅଭାବ ଯୋଗୁ କୃଷକମାନଙ୍କ ଘର ଓ ଜମି ଉପରେ ଅବୈଧ କବ୍ଚା ହେଉଥିଲା? ଗାଁର ଛୋଟ ଓ ସୀମାନ୍ତ କୃଷକମାନଙ୍କୁ କୃଷି ଶ୍ରମିକମାନଙ୍କୁ, ଏହି ଅଧିକାର ଦେବାରେ ଏତେ ବର୍ଷ ପର୍ଯ୍ୟନ୍ତ କାହିଁକି ବଞ୍ଚିତ ରଖାଯାଇଥିଲା? ଏହାର ଜବାବ ସେଭଳି ଲୋକଙ୍କ ପାଖରେ ନାହିଁ । ଗାଁରେ ବସବାସ କରୁଥିବା ଆମର ଭାଇ ଭଉଣୀମାନଙ୍କ ପାଇଁ ଆଜି ଏଭଳି କାମ ହେଉଛି । ଏବେ ଗାଁର କୃଷକମାନଙ୍କର, ସେମାନଙ୍କର ଘରର , ଜମିର ନକ୍ସା ଏବଂ ଆଇନଗତ ଦଲିଲ ପ୍ରଦାନ କରାଯାଉଛି । ଟେକ୍ନୋଲୋଜିର ସହାୟତାରେ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଏବେ ଗାଁରେ କୃଷକମାନଙ୍କୁ ମଧ୍ୟ ଜମି ଓ ଘର ନାଁରେ ବ୍ୟାଙ୍କରୁ କରଜ ମିଳିବା ସହଜସାଧ୍ୟ ହୋଇପାରିଛି । 

ସାଥୀଗଣ, 

ବଦଳୁଥିବା ସମୟ ସହିତ ନିଜର ଆପ୍ରୋଚର ବିସ୍ତାର କରିବା ମଧ୍ୟ ସେତିକି ଜରୁରି । ଆମେ ଏକବିଂଶ ଶତାବ୍ଦୀରେ ଭାରତର କୃଷିକୁ ଆଧୁନିକ କରିବାକୁ ପଡ଼ିବ ଏବଂ ଏହାର ଦାୟିତ୍ୱ ଦେଶର କୋଟି କୋଟି କୃଷକ ଉଠାଉଛନ୍ତି ଏବଂ ସରକାର ମଧ୍ୟ ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଅଗ୍ରସର ହେବାଲାଗି କୃତସଂକଳ୍ପ । ଆଜି ପ୍ରତ୍ୟେକ କୃଷକକୁ ଏକଥା ଉତ୍ତମ ରୂପେ ଜଣା ଯେ ତାଙ୍କର ଉତ୍ପାଦକୁ ସବୁଠାରୁ ଅଧିକ ମୂଲ୍ୟ କେଉଁଠାରେ ମିଳିପାରିବ । ପୂର୍ବରୁ କ’ଣ ହେଉଥିଲା? ଯଦି ମଣ୍ଡିରେ ଉତ୍ତମ ଦାମ୍‍ ମିଳୁନଥିଲା କିମ୍ବା ସେମାନଙ୍କର ଉପଜକୁ ଅଧିକ ମୂଲ୍ୟ ବୋଲି କହି କିଣିବା ନିମନ୍ତେ ପ୍ରତ୍ୟାଖ୍ୟାନ କରି ଦିଆଯାଉଥିଲା ସେତେବେଳେ କୃଷକ ବାଧ୍ୟ ହୋଇ ନିଜର ସେହି ସାମଗ୍ରୀକୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲା । ଏଭଳି କୃଷି ସୁଧାର ମାଧ୍ୟମରେ ଆମେ କୃଷକମାନଙ୍କୁ ଉତ୍ତମ ବିକଳ୍ପ ପ୍ରଦାନ କରିଛୁ । ଏହି ଆଇନ ପ୍ରଣୟନ ହେବାପରେ କୃଷକମାନେ ଯେଉଁଠି ଚାହିଁବେ ସେଠାରେ ନିଜର ଉତ୍ପାଦକୁ ବିକ୍ରି କରିପାରିବେ ।

ମୋର କୃଷକ ଭାଇ ଓ ଭଉଣୀମାନେ,

ମୋର ଏଇ କଥାକୁ ଆପଣମାନେ ଧ୍ୟାନପୂର୍ବକ ଶୁଣନ୍ତୁ, ମୁଁ ପୁଣି ଥରେ କହୁଛି ଯେ ଆପଣ ନିଜର ଫସଲକୁ ଯେଉଁଠାରେ ଚାହିଁବେ ଆପଣଙ୍କ ନିର୍ଣ୍ଣୟ ଅନୁସାରେ ବିକ୍ରି କରିପାରିବେ । ଆପଣମାନଙ୍କୁ ଯେଉଁଠାରେ ଉଚିତ ମୂଲ୍ୟ ମିଳିବ, ଆପଣ ସେଠାରେ ନିଜର ଉତ୍ପାଦନକୁ ବିକି ପାରିବେ । ଆପଣମାନେ ନ୍ୟୂନତମ ସହାୟକ ମୂଲ୍ୟ ଅର୍ଥାତ୍‍, ଏମଏସପି ଆଧାରରେ ବିକିବାକୁ ଚାହାନ୍ତି କି? ଆପଣ ସେହି ମୂଲ୍ୟରେ ବିକି ପାରିବେ । ଆପଣମାନେ ମଣ୍ଡିରେ ନିଜର କୃଷି ଉତ୍ପାଦ ବିକିବାକୁ ଚାହାନ୍ତି? ତାହା ମଧ୍ୟ ଆପଣ ଚାହିଁଲେ କରିପାରିବେ । ଆପଣ ନିଜର ଉପଜକୁ ରପ୍ତାନୀ କରିବାକୁ ଚାହାନ୍ତି? ଆପଣ ରପ୍ତାନୀ ମଧ୍ୟ କରିପାରିବେ । ଆପଣ ସେସବୁକୁ କୌଣସି ବେପାରୀକୁ ବିକିବାକୁ ଚାହାନ୍ତି? ଆପଣଙ୍କ ନିକଟରେ ସେପରି ବିକଳ୍ପ ମଧ୍ୟ ରହିଛି । ଆପଣ ନିଜର ଉତ୍ପାଦନ ଅନ୍ୟ ରାଜ୍ୟରେ ବିକିବାକୁ ଚାହାନ୍ତି? ସେକଥା ମଧ୍ୟ ଆପଣ କରିପାରିବେ । ଆପଣ ଚାହିଁଲେ ସାରା ଗାଁର କୃଷକମାନଙ୍କୁ ଏଫପିଓ ମାଧ୍ୟମରେ ଏକଜୁଟ କରି ନିଜର ସମଗ୍ର ଉପଜକୁ ଏକା ସଙ୍ଗେ ତାହା ମଧ୍ୟ କରିପାରିବେ । ଆପଣମାନେ ବିସ୍କୁଟ, ଚିପ୍ସ, ଜାମ୍‍, କିମ୍ବା ସେହିଭଳି ଆଉ କିଛି ଖାଉଟି ସାମଗ୍ରୀର ଭାଲ୍ୟୁ ଚେନର ଅଂଶବିଶେଷ ବନିବାକୁ ଚାହୁଁଥିଲେ ତାହା ମଧ୍ୟ ହୋଇପାରିବେ । ଦେଶର କୃଷକମାନଙ୍କୁ ଏତେ ଅଧିକାର ମିଳୁଛି ସେଥିରେ ଭୁଲ ରହିଲା କେଉଁଠି? ଏଥିରେ କ’ଣ ଭୁଲ୍‍ ରହିଲା ଯେ ଅଦି କୃଷକମାନେ ନିଜର ଉତ୍ପାଦନକୁ ବିକିବାକୁ ବିକଳ୍ପ ଅନଲାଇନ ମାଧ୍ୟମରେ ବର୍ଷ ସାରା ଏବଂ ଯେଉଁଠାରେ ଇଚ୍ଛା ସେଠାରେ ବିକି ପାରିବେ? 

ସାଥୀଗଣ,

ଆଜି ନୂତନ କୃଷି ସୁଧାର ସଂପର୍କରେ ଦେଶସାରା ଅସଂଖ୍ୟ ବିଛ ପ୍ରଚାର ପ୍ରସାର କରାଯାଉଛି । କିଛି ଲୋକ କୃଷକମାନଙ୍କ ଭିତରେ ଭ୍ରବ ସୃଷ୍ଟି କରୁଛନ୍ତି ଯେ ଏମଏସପି ବ୍ୟବସ୍ଥାକୁ ସମାପ୍ତ କରିଦିଆଯାଉଛି । ପୁଣି ଆଉ କିଛି ଲୋକ ମିଛ ପ୍ରଚାର କରୁଛନ୍ତି ଯେ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ । ମୁଁ ଆପଣମାନଙ୍କୁ ପୁଣି ଥରେ ସ୍ମରଣ ଦେବାକୁ ଚାହୁଁଛି ଯେ ଏହି ଆଇନକୁ ଲାଗୁ କରାଯିବାର ମାତ୍ର କିଛି ମାସ ବିତିଛି । ଆପଣମାନେ ଦେଶର କୌଣସି କୋଣ ଅନୁକୋଣରେ ସୁଦ୍ଧା ଗୋଟିଏ ହେଲେ ମଣ୍ଡି ବନ୍ଦ ହେବାର ଦେଖିଛନ୍ତି କି ଖବର ପାଇଛନ୍ତି କି? ଏମଏସପି ସଂପର୍କରେ ଯାହା ହେଉଛି ବାସ୍ତବତା ତାହା ହେଲା ସରକାର ଅନେକ ଫସଲ ଉପରେ ନ୍ୟୂନତମ ସମର୍ଥନ ମୂଲ୍ୟ ବୃଦ୍ଧି କରିଛନ୍ତି । ଏହା କୃଷି ସଂସ୍କାର ପରେ ସୁଦ୍ଧା କରାଯାଇଛି । ନୂତନ କୃଷି ନୀତି ପ୍ରଣୀତ ହେବା ପରେ ସୁଦ୍ଧା ହୋଇଛି । କେବଳ ଏତିକି ନୁହେଁ, ଯେଉଁ ଲୋକମାନେ କୃଷକମାନଙ୍କ ନାମରେ ଏଭଳି କଥା କହୁଛନ୍ତି ଅବା ଏହି ଆନ୍ଦୋଳନ ଚାଲିଛି, ସେମାନଙ୍କ ଭିତରେ କିଛି ପ୍ରକୃତ କୃଷକ ଏବଂ ନିର୍ଦ୍ଦୋଷ କୃଷକ ମଧ୍ୟ ଅଛନ୍ତି । ଏକଥା ନୁହେଁ ଯେ ସମସ୍ତେ ସେମାନେ ରାଜନୀତିକ ବିଚାରଧାରା ବାଲା ଲୋକ କେବଳ ନେତା ହୋଇପାରିବେ ଓ ଅନ୍ୟ ସମସ୍ତେ କେବଳ ନିରୀହ କୃଷକ । ସେମାନଙ୍କ ନିକଟକୁ ଯାଇ ଯଦି ଗୁପ୍ତରେ ପଚରାଯିବ ଯେ ଭାଇ, ଆପଣଙ୍କ ପାଖରେ କେତେ ଜମି ଅଛି? ଆପଣ ସେଥିରେ କି କି ଫସଲ କରନ୍ତି? ଏଥର କିଛି ଫସଲ ବିକିଛନ୍ତି ନା ନାହିଁ? ତା’ହେଲେ ସେମାନେ ବି ବତେଇବେ ଯେ ସେମାନେ ଏମଏସପି ଆଧାରରେ ହିଁ ଉପଜକୁ ବିକିସାରି ଆସିଛନ୍ତି ଏବଂ ଯେତେବେଳେ ଏମଏସପି ଆଧାରରେ ଖର୍ଦ୍ଦି ଚାଲିଥିଲା ସେତେବେଳେ ଏହି ଆନ୍ଦୋଳନକୁ ସେମାନେ ଥଣ୍ଡା କରି ଦେଇଥିଲେ । କାରଣ ସେମାନଙ୍କୁ ମାଲୁମ ଥିଲା ଯେ ଏବେ କୃଷକମାନେ ମଣ୍ଡିକୁ ଯାଇ ସେମାନଙ୍କର ମାଲ୍‍ ବିକ୍ରି କରୁଛନ୍ତି । ସେମାନଙ୍କର ଉପଜ ପ୍ରଥମେ ବିକ୍ରି ହୋଇଗଲା, କାମ ଖତମ୍‍ । ତା’ପରେ ସେମାନେ ଆନ୍ଦୋଳନ ଆରମ୍ଭ କଲେ । 

ସାଥୀଗଣ, 

ବାସ୍ତବିକତା ହେଉଛି ଏଇଆ ଯେ ବଦ୍ଧିତ ନ୍ୟୂନତମ ସମର୍ଥନ ମୂଲ୍ୟ- ଏମଏସପି ଉପରେ ସରକାର କୃଷକମାନଙ୍କ ଉତ୍ପାଦର ରେକର୍ଡ଼ ସ୍ତରର କ୍ରୟ କରିଛନ୍ତି ଏବଂ ତାହା ପୁଣି ନୂତନ ଆଇନ ପ୍ରଣୟନ ହେବା ପରେ । ଏବଂ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସଂସ୍କାର ଦ୍ୱାରା ସରକାରଙ୍କ ଦାୟିତ୍ୱ ଆହୁରି ବଢ଼ିଯାଇଛି । ଉଦାହରଣ ଭାବେ ଏଗ୍ରିମେଣ୍ଟ ଫାର୍ମିଂ କଥା ନିଆଯାଇ ପାରେ । କେତେକ ରାଜ୍ୟରେ ଏହି ଆଇନ, ଏଭଳି ପ୍ରାବଧାନ ଗତ କିଛି ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି । ପଞ୍ଜାବରେ ବି ଅଛି । ସେଠାରେ ତ ଘରୋଇ କମ୍ପାନୀମାନେ ଚୁକ୍ତିନାମା ସ୍ୱାକ୍ଷର କରି ଚାଷବାସ କରୁଛନ୍ତି । ଆପଣମାନଙ୍କୁ ମାଲୁମ ଅଛି କି ଯେ ପୂର୍ବର ଆଇନରେ ଯଦି ରାଜିନାମା ଭଙ୍ଗ କରାଯାଉଥିଲା ତେବେ କୃଷକମାନଙ୍କୁ ଉପରେ ପେନାଲ୍ଟି ଅର୍ଥାତ୍‍, ଜୋରିମାନା ଲାଗୁ ହେଉଥିଲା! ମୋର କୃଷକ ଭାଇମାନଙ୍କୁ ଏକଥା କେହି ସମ୍ଭବତଃ ବୁଝାଇ ନାହାନ୍ତି । କିନ୍ତୁ ଆମ ସରକାର ଏଥିରେ ସଂସ୍କାର ଆଣିଛନ୍ତି ଏବଂ ଏକଥା ସୁନିଶ୍ଚିତ କରିଛନ୍ତି ଯେ ଯେପରି ମୋର କୃଷକ ଭାଇମାନଙ୍କୁ ପେନାଲ୍ଟି ଅବା ଅନ୍ୟ କୌଣସି ପ୍ରକାର ଜୋରିମାନା ଦେବାକୁ ନପଡ଼େ । 

ସାଥୀଗଣ, 

ଏକଥା ଆପଣମାନଙ୍କୁ ଭଲ ଭାବେ ଜଣା ଯେ ପୂର୍ବରୁ କୌଣସି କାରଣବଶତଃ କୃଷକମାନେ ମଣ୍ଡି ଯାଇ ସୁଦ୍ଧା ପାରୁନଥିଲେ, ସେତେବେଳେ ସେମାନେ କ’ଣ କରୁଥିଲେ? ସେମାନେ କୌଣସି ବେପାରୀଙ୍କୁ ନିଜର ଉପଜ ବିକ୍ରି କରୁଥିଲେ । ଏଭଳି ଅବସ୍ଥାରେ ସେଭଳି ବ୍ୟକ୍ତି କୃଷକର ଦୁର୍ବଳପଣରୁ ବେଶ୍‍ ଫାଇଦା ଉଠାଇ ପାରୁଥିଲା । ସେମାନଙ୍କ ଲାଗି ମଧ୍ୟ ଆମର ସରକାର ଆଇନଗତ ଉପାୟ କରିଛନ୍ତି । କ୍ରୟ ସମୟରେ ଆପଣମାନଙ୍କ ଠାରୁ ସଂଗ୍ରହ କରି ମୂଲ୍ୟ ଦେବା ନିମନ୍ତେ ସେମାନେ ଆଇନତଃ ବାଧ୍ୟ । ସେମାନଙ୍କୁ ରସିଦ ମଧ୍ୟ କାଟିବାକୁ ପଡ଼ିବ ଏବଂ 3 ଦିନ ଭିତରେ ସଂଗୃହୀତ ଶସ୍ୟର ମୂଲ୍ୟ ପ୍ରଦାନ କରିବାକୁ ପଡ଼ିବ । ଅନ୍ୟଥା ଆଇନ କୃଷକମାନଙ୍କୁ କ୍ଷମତା ଦେଇଛି, କ୍ଷମତା ଦେଇଛି ଯେ ସେମାନେ ସଂପୃକ୍ତ ଅଧିକାରୀମାନଙ୍କ ପାଖକୁ ଯାଇ ଆଇନ ବ୍ୟବସ୍ଥାର ପରାମର୍ଶ ନେଇ ନିଜର ପଇସା ଅସୁଲ କରିପାରିବେ । ଏଭଳି ସମସ୍ତ ବ୍ୟବସ୍ଥା ହୋଇ ସାରିଛି, ହୋଇ ଚାଲିଛି । ଖବର ଆସୁଛି ଯେ କିଭଳି ଜଣ ଜଣ କରି ଆମର ଦେଶର କୃଷକ ଭାଇମାନେ ଏହି ଆଇନର ଫାଇଦା ପାଇପାରୁଛନ୍ତି! ସରକାର କୃଷକମାନଙ୍କ ସହିତ ପ୍ରତ୍ୟେକ ପଦକ୍ଷେପରେ ଠିଆ ହୋଇଛନ୍ତି ଏବଂ ଠିଆ ହେବେ । କୃଷକମାନେ ନିଜ ଇଚ୍ଛାରେ ସେମାନଙ୍କର ଉପଜ ଯାହାକୁ ବିକନ୍ତୁନା କାହିଁକି, ସରକାର ଏପରି ବ୍ୟବସ୍ଥା କରିଛନ୍ତି ଯେ ତାହା ବେଶ୍‍ ମଜଭୁତ ଆଇନ ଏବଂ ଏଥିପାଇଁ ଆଇନ ବ୍ୟବସ୍ଥା ସଦାବେଳେ କୃଷକମାନଙ୍କ ସହିତ ହିଁ ଠିଆ ହେବ । 

ସାଥୀଗଣ, 

କୃଷି ସଂସ୍କାରମାନଙ୍କର ଆଉ ଗୋଟିଏ ବିଶେଷ କଥା ହେଲା ଯାହା ସମସ୍ତେ ବୁଝିବା ଆବଶ୍ୟକ । ଏପେ ଯେତେବେଳେ କେହି କୃଷକମାନଙ୍କ ସହିତ କୌଣସି ପ୍ରକାର ରାଜିନାମା ସ୍ୱାକ୍ଷର କରିବ, ସେତେବେଳେ ସେମାନେ ଏକଥା ବି ଚାହିଁବେ ଯେ ସେମାନଙ୍କର କୃଷି ଉତ୍ପାଦନ ଅଧିକରୁ ଅଧିକ ମାତ୍ରାରେ ହେଉ । ସେଥିପାଇଁ ରାଜିନାମା ସ୍ୱାକ୍ଷର କରୁଥିବା କୃଷକମାନଙ୍କୁ ଉନ୍ନତ ବିହନ, ଆଧୁନିକ ପ୍ରଯୁକ୍ତି, ଅତ୍ୟାଧୁନିକ ଉପକରଣ, ବିଶେଷଜ୍ଞତା ହାସଲ କରିବା ନିମନ୍ତେ ସହାୟତା ଲୋଡ଼ାଯିବ । କାରଣ ସେଥିରେ ତା’ର ଉପାର୍ଜନର ମୂଳ ଆଧାର ନିହିତ । ଉତ୍ତମ ଫସଲ ଅମଳ ନିମନ୍ତେ କୃଷକମାନଙ୍କ ଦ୍ୱାରଦେଶରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏଣିକି ଉପଲବ୍ଧ କରାଯିବ । ରାଜିନାମା କରୁଥିବା ବ୍ୟକ୍ତି ବଜାରର ସ୍ଥିତିକୁ ଦେଖି ସଂପୂର୍ଣ୍ଣ ନିଶ୍ଚିନ୍ତ ରହିବ ଏବଂ ସେହି ଅନୁରୂପ ଆମର କୃଷକମାନଙ୍କୁ ବଜାରର ଚାହିଦା ଅନୁସାରେ କାମ କରିବାକୁ ସୁଯୋଗ ମିଳିବ । ଏବେ ମୁଁ ଆପଣମାନଙ୍କୁ ଆଉ ଗୋଟିଏ ସ୍ଥିତି କଥା ବତାଉଛି । ଯଦି କୌଣସି କାରଣରୁ, କୌଣସି ଅସୁବିଧା କାରଣରୁ ଜଣେ କୃଷକର ଉତ୍ପାଦନ ଭଲ ନହୋଇ ପାରିଲା ଏବଂ ତାହା ଉଜୁଡ଼ିଗଲା, ସେତେବେଳେ ସୁଦ୍ଧା, ଏକଥା ସ୍ମରଣ ରଖନ୍ତୁ , ଯେଉଁ ବ୍ୟକ୍ତି ରାଜିନାମା ସ୍ୱାକ୍ଷର କରିଛନ୍ତି ତାଙ୍କୁ କୃଷକଙ୍କ ଉତ୍ପାଦନକୁ ଯେଉଁ ମୂଲ୍ୟ ନିର୍ଦ୍ଧାରିତ ହୋଇଛି ସେହି ମୂଲ୍ୟରେ ହିଁ କ୍ରୟ କରିବାକୁ ପଡ଼ିବ । ରାଜିନାମା ସ୍ୱାକ୍ଷରକାରୀ ନିଜର ରାଜିନାମାକୁ ନିଜର ମର୍ଜି ଅନୁସାରେ ରଦ୍ଦ କରିପାରିବେନାହିଁ । କିନ୍ତୁ ଅନ୍ୟ ପକ୍ଷରେ ଯଦି କୌଣସି କୃଷକ, କୌଣସି ନା କୌଣସି କାରଣରୁ ରାଜିନାମାରୁ ଓହରି ଯିବାକୁ ଚାହିଁବେ ତେବେ ସେ ତାହା କରିପାରିବେ । କିନ୍ତୁ ତାଙ୍କର ସାମ୍ନା ପକ୍ଷ ତାହା କଦାପି କରିପାରିବେ ନାହିଁ । ଏଭଳି ସ୍ଥିତି କ’ଣ କୃଷକମାନଙ୍କୁ ଫାଇଦା ପ୍ରଦାନ କରିବ ନାହିଁ? ସବୁଠାରୁ ଅଧିକ ନିର୍ଭର ପ୍ରତିଶ୍ରୁତି କୃଷକମାନଙ୍କୁ ଦିଆ ଯାଇଛି ନା ନାହିଁ? କୃଷକମାନଙ୍କୁ ଫାଇଦା ପହଞ୍ଚାଇଲା ଭଳି ଗ୍ୟାରେଣ୍ଟି ଏଥିରେ ଅଛି ନା ନାହିଁ? ଆଉ ଗୋଟିଏ ପ୍ରଶ୍ନ ଲୋକମାନଙ୍କ ମନକୁ ଆତଙ୍କିତ କରି ରଖିଛି । ଆପଣମାନଙ୍କ ମନକୁ ବି ସେଭଳି କଥା ଆସି ଥାଇପାରେ । ଯଦି କୌଣସି ସ୍ଥିତିରେ ଉତ୍ପାଦନ ଭଲ ନହେଲା, ବଜାର ଦର ବହୁତ ବଢ଼ିଗଲା, ଯେତିକିରେ ରାଜିନାମା ହୋଇଥିଲା ତା’ଠାରୁ ଅଧିକ ଫାଇଦା ଚୁକ୍ତି ସ୍ୱାକ୍ଷରକାରୀଙ୍କୁ ହେଲା, ସେପରି ସ୍ଥଳେ ରାଜିନାମାରେ ଯେତିକି ମୂଲ୍ୟ ନିଦ୍ଧାରିତ ହୋଇଥିବ ସେ ମୂଲ୍ୟ ତ ସ୍ୱାକ୍ଷରକାରୀ ଦେବେ କିନ୍ତୁ ଯଦି ଅଧିକ ଲାଭ ହେବ ତାହେଲେ ସେଥିରୁ କିଛି ବୋନସ କୃଷକଙ୍କୁ ମଧ୍ୟ ସେ ଦେବାକୁ ବାଧ୍ୟ । ଏହାଠାରୁ ବଡ଼ କୃଷକମାନଙ୍କ ସୁରକ୍ଷା ଆଉ କ’ଣ ହୋଇପାରେ? ଏବଂ ତାହା କିଏ କରିବ? ଏଭଳି ସ୍ଥିତିରେ, କୃଷକମାନଙ୍କ ସହ ହୋଇଥିବା ରାଜିନାମା ଅନୁସାରେ ସ୍ଥିର କରାଯାଇଥିବା ମୂଲ୍ୟ ବ୍ୟତୀତ ମୁଁ ଯାହା କହିଲି କୃଷକମାନେ ବୋନସ ପାଇବାକୁ ସୁଦ୍ଧା ହକ୍‍ଦାର । ପୂର୍ବରୁ କ’ଣ ହେଉଥିଲା ତାହା ସମସ୍ତଙ୍କର ଅବଶ୍ୟ ସ୍ମରଣ ଥିବ । ସବୁ ରିସ୍କ କୃଷକମାନଙ୍କ ମୁଣ୍ଡ ଉପରେ ପକାଇ ଦିଆଯାଇଥିଲା ଏବଂ ଫାଇଦା ହେଉଥିଲା ଅନ୍ୟ କାହାର । ଏବେ ନୂତନ କୃଷି ନୀତି ଏବଂ ସଂସ୍କାର ପରେ ସ୍ଥିତି ସଂପୂର୍ଣ୍ଣ ରୂପେ କୃଷକମାନଙ୍କ ପକ୍ଷରୁ ଆସିଯାଇଛି । ଏବେ ସମସ୍ତ ରିସ୍କ ଏଗ୍ରିମେଣ୍ଟ କରିଥିବା ବ୍ୟକ୍ତି ଅଥବା କମ୍ପାନୀଙ୍କୁ ହେବ ଏବଂ ଫାଇଦା କୃଷକ ପାଇପାରିବ ।

ସାଥୀଗଣ, 

ଦେଶର ଅନେକ ଭାଗରେ ଚୁକ୍ତିଭିତ୍ତିକ ଚାଷକୁ ପୂର୍ବରୁ ମଧ୍ୟ ପରଖା ଯାଇସାରିଛି । ଏହାକୁ କଷଟି ପଥରରେ ପରୀକ୍ଷା କରି ଦେଖାଯାଇଛି । ଆପଣମାନଙ୍କୁ ଏକଥା ମାଲୁମ ଅଛି କି ବିଶ୍ୱ ବ୍ୟାପୀ ଆଜି ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କରିବା ଦେଶ କିଏ? ଏ ଦେଶ ଆଉ କେହି ନୁହେଁ, ଆମର ଭାରତ । ଆମର ପଶୁପାଳକ, ଆମର କୃଷକଙ୍କ ପରିଶ୍ରମର ଏହା ହେଉଛି ସଫଳତା । ଆଜି ଡାଏରୀ ସେକ୍ଟରରେ ବହୁତ ସହକାରୀ ଏବଂ ଘରୋଇ କମ୍ପାନୀମାନେ କୃଷକମାନଙ୍କ ଠାରୁ ଦୁଗ୍ଧ ଉତ୍ପାଦନ ଠାରୁ ଦୁଗ୍ଧ କିଣୁଛନ୍ତି ଏବଂ ତାହାକୁ ନେଇ ବଜାରରେ ବିକ୍ରି କରୁଛନ୍ତି । ଏହି ମଡ଼େଲ ଅନେକ ବର୍ଷ ଧରି ଚାଲି ଆସିଛି । ଆପଣମାନେ କ’ଣ କେବେ ଶୁଣିଛନ୍ତି ଯେ କୌଣସି କମ୍ପାନୀ କିମ୍ବା ସରକାରୀ ସଂସ୍ଥା ବଜାର ଉପରେ ନିଜର କବଜା ଜମାଇ ଦେଇଛି, ନିଜର ଏକାଧିକାର କରିପାରିଛି? ଏକଥା କ’ଣ ଆପଣମାନେ ସେହିସବୁ କୃଷକ ଏବଂ ସେହି ଦୁଗ୍ଧ ଉତ୍ପାଦକମାନଙ୍କ ସଫଳତା ସଂପର୍କରେ ପରିଚିତ ନୁହନ୍ତି ଯେଉଁମାନଙ୍କୁ ଡାଏରୀ ସେକ୍ଟରର ଏହି କାମରୁ ଲାଭ ହୋଇଛି? ଆଉ ଗୋଟିଏ ସେକ୍ଟର ଅଛି ଯେଉଁଥିରେଆମର ଦେଶ ବହୁତ ଆଗରେ ରହିଛି- ତାହା ହେଲା କୁକୁଡାପାଳନ । ଆଜି ଭାରତରେ ସବୁଠାରୁ ଅଧିକ ଅଣ୍ଡା ଉତ୍ପାଦିତ ହେଉଛି । ସମଗ୍ର ପଲ୍ୟୁଟ୍ରି ସେକ୍ଟରରେ ବହୁତ ବଡ଼ ବଡ଼ କମ୍ପାନୀମାନେ କାମ କରୁଛନ୍ତି । କିଛି ଛୋଟ ମୋଟ କମ୍ପାନୀମାନେ ମଧ୍ୟ ଅଛନ୍ତି ତ କିଛି ସ୍ଥାନୀୟ କ୍ରେତା ମଧ୍ୟ ଏହି ବ୍ୟବସାୟ ସହିତ ଜଡ଼ିତ ଅଛନ୍ତି । ଏହି ସେକ୍ଟର ସହିତ ସଂଶ୍ଳିଷ୍ଟ ଲୋକ, ନିଜର ଉତ୍ପାଦ ଯେକୌଣସି ବ୍ୟକ୍ତି ଅବା ସଂସ୍ଥାଙ୍କୁ ଯେକୌଣସି ସ୍ଥାନରେ ବିକ୍ରି କରିବାକୁ ଚାହିଁବେ କରିପାରିବେ । ଯେଉଁଠାରେ ସେମାନଙ୍କୁ ଅଧିକ ଦାମ୍‍ ମିଳିବ ସେମାନେ ସେଠାରେ ନିଜ ଉତ୍ପାଦିତ ଅଣ୍ଡା ବିକ୍ରି କରିପାରିବେ । ଆମେ ଚାହୁଁ ଯେ ଆମର କୃଷକମାନଙ୍କୁ, କୃଷି ସେକ୍ଟରକୁ ଏହିଭଳି ଭାବେ ବିକାଶ କରିବାର ଅବସର ମିଳିଚାଲୁ ଯେମିତି କୁକୁଡ଼ାପାଳନ ଏବଂ ଡାଏରୀ ସେକ୍ଟରକୁ ମିଳିଛି । ଆମର କୃଷକମାନଙ୍କ ସେବାରେ ଯେତେବେଳେ ଅନେକ କମ୍ପାନୀ, ବ୍ୟବସାୟର ଅନେକ ପ୍ରକାର ପ୍ରତିସ୍ପର୍ଦ୍ଧୀ ଉପଲବ୍ଧ ରହିବେ ସେତେବେଳେ ସେମାନେ ନିଜର ଉପଜକୁ ଅଧିକ ଦାମ ମିଳିପାରିବ ଏବଂ ବଜାର ପର୍ଯ୍ୟନ୍ତ ସେମାନଙ୍କର ଉତ୍ତମ ପହଞ୍ଚ ମଧ୍ୟ ସମ୍ଭବ ହୋଇପାରିବ । 

ସାଥୀଗଣ, 

ନୂତନ କୃଷି ସଂସ୍କାର ମାଧ୍ୟମରେ ଭାରତୀୟ କୃଷିରେ ନୂଆ ନୂଆ ପ୍ରଯୁକ୍ତିର ପ୍ରବେଶର ସୁଯୋଗ ମଧ୍ୟ ମିଳିପାରିବ । ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଆମର କୃଷକମାନେ ନିଜର ଉପଜକୁ ବୃଦ୍ଧି କରିପାରିବେ, ନିଜର ଉପଜକୁ ବିବିଧତା ପ୍ରଦାନ କରିପାରିବେ, ନିଜର ଉପଜକୁ ଉତ୍ତମ ଢ଼ଙ୍ଗରେ ପ୍ୟାକେଜିଂ କରିପାରିବେ, ନିଜର ଉପଜରେ ଭାଲ୍ୟୁ ଏଡ଼ିସନ୍‍ କରିପାରିବେ । ଯଦି ଏଭଳି ହେବ ତେବେ ଆମର କୃଷକମାନେ ସେମାନଙ୍କର କୃଷି ଉତ୍ପାଦନକୁ ସଂପୂର୍ଣ୍ଣ ବିଶ୍ୱରେ ପହଞ୍ଚାଇବା ସହ ସେମାନଙ୍କର ଉତ୍ପାଦର ଚାହିଦା ମଧ୍ୟ ସାରା ବିଶ୍ୱରେ ହୋଇପାରିବ ଓ ତାହା ବଢ଼ି ବଢ଼ି ଚାଲିବ । ଆମର କୃଷକମାନେ କେବଳ ଉତ୍ପାଦକ ହୋଇ ରହିବେନାହିଁ ଅପରନ୍ତୁ ନିଜେ ମଧ୍ୟ ସେସବୁର ରପ୍ତାନୀ କରିବାକୁ ସକ୍ଷମ ହୋଇପାରିବେ । ବିଶ୍ୱରେ ଯଦି କେହି କୃଷି ଉତ୍ପାଦନ ମାଧ୍ୟମରେ ବଜାରରେ ନିଜର ସ୍ଥିତି ଜମାଇବାକୁ ଚାହିଁବେ ତେବେ ସେମାନଙ୍କୁ ଅବଶ୍ୟ ଭାରତ ଆସିବାକୁ ପଡ଼ିବ । ଯଦି ବିଶ୍ୱରେ ଗୁଣାତ୍ମକ ମାନ ଓ ପରିମାଣ ଉଭୟର ଆବଶ୍ୟକ ପଡ଼ିବ ତେବେ ସେମାନଙ୍କୁ ଭାରତର କୃଷକମାନଙ୍କ ସହିତ ସହଭାଗୀ ହେବାକୁ ପଡ଼ିବ । ଯେତେବେଳେ ଆମେ ଅନ୍ୟ ସେକ୍ଟରେ ନିବେଶ ଏବଂ ଇନୋଭେସନ୍‍କୁ ପ୍ରୋତ୍ସାହନ ଦେଉଛୁ ସେତେବେଳେ ଆମେ ଉପାର୍ଜନ ବୃଦ୍ଧି ସହିତ ସେହି ସେକ୍ଟରର ବ୍ରାଣ୍ଡ ଇଣ୍ଡିଆର ମଧ୍ୟ ସ୍ଥାପନା କରିଛୁ । ଏବେ ସମୟ ଉପସ୍ଥିତ ଯେତେବେଳେ କି ଭାରତ ବିଶ୍ୱରେ କୃଷି କ୍ଷେତ୍ରରେ ତା’ର ବ୍ରାଣ୍ଡ୍‍ ଇଣ୍ଡିଆ ସ୍ଥାପିତ କରି ନିଜକୁ ସେତିକି ମାତ୍ରାରେ ସୁପ୍ରତିଷ୍ଠିତ କରୁ । 

ସାଥୀଗଣ, 

କିଛି ରାଜନୈତିକ ଦଳ, ଯେଉଁମାନଙ୍କୁ ଦେଶର ଜନତା ଲୋକତାନ୍ତ୍ରିକ ଭାବେ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି, ସେମାନେ ଆଜି କିଛି କୃଷକଙ୍କୁ ବିଭ୍ରାନ୍ତ କରି ଯାହା କିଛି କରୁଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାରମ୍ବାର ନମ୍ରତାପୂର୍ବକ ସରକାରଙ୍କ ତରଫରୁ ଅନେକ ପ୍ରୟାସ ସତ୍ତ୍ୱେ, କୌଣସି ନା କୌଣସି ରାଜନୈତିକ କାରଣରୁ, କୌଣସି ନା କୌଣସି ଋଢ଼ିବାଦୀ ରାଜନୈତିକ ବିଚାରଧାରା କାରଣରୁ ଏଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାକୁ ଦେଉନାହାନ୍ତି । କୃଷି ଆଇନ ସଂପର୍କରେ, ଏହି ଯେଉଁ କିଛି ରାଜନୈତିକ ଦଳଙ୍କ ବିଚାରଧାରାର ଲୋକ ଅଛନ୍ତି, ଯେଉଁମାନେ କୃଷକମାନଙ୍କ କାନ୍ଧ ଉପରେ ବନ୍ଧୁକ ରଖି ଫୁଟାଇବାକୁ ଚାହୁଁଛନ୍ତି, କୃଷି ଆଇନ ସଂପର୍କରେ ସେମାନଙ୍କ ନିକଟରେ କୌଣସି ଠୋସ୍‍ ତର୍କ ନଥିବା କାରଣରୁ ସେମାନେ କୃଷକଙ୍କ ନାମରେ ନାନା ପ୍ରକାର ମୁଦ୍ଦା ଉଠାଇ ଚାଲିଛନ୍ତି । ଆପଣମାନେ ଦେଖିଥିବେ, ଯେତେବେଳେ ଏହି ଆନ୍ଦୋଳନ ଆରମ୍ଭ ହେଲା, ସେତେବେଳେ ସେମାନଙ୍କର ଏତିକି ମାତ୍ର ଦାବି ଥିଲାଯେ ସରକାର ସେମାନଙ୍କୁ ଏମଏସପି ଉପରେ ଗ୍ୟାରେଣ୍ଟି ପ୍ରଦାନ କରନ୍ତୁ । ସେମାନଙ୍କ ମନରେ ବାସ୍ତବ ଆଶଙ୍କା ଥିଲା । କାରଣ ସେମାନେ ପ୍ରକୃତରେ କୃଷକ ଥିଲେ । ସେମାନଙ୍କୁ ଲାଗୁଥିଲା ଯେ କେଉଁଠି କିଛି ସେମାନଙ୍କର ଅସୁବିଧା ହୋଇ ଯିବ ନାହିଁ ତ? କିନ୍ତୁ ସେମାନଙ୍କର ମାହୋଲ ଦେଖି ସେହି ରାଜନୈତିକ ବିଚାରଧାରା ବାଲା ଲୋକ ସେହି ମଂଚ ଉପରକୁ ଚଢ଼ି ଆସିଲେ ଏବଂ ଏବେ ଏମଏସପି ପ୍ରସଙ୍ଗକୁ ହାତରେ ଏଡ଼ାଇଦେଇ କ’ଣ ଚାଲିଛି ? ଏ ଲୋକମାନେ ହିଂସାର ଆରୋପୀ, ଏଭଳି ଲୋକମାନେ ଜେଲରୁ ଛଡ଼ାଇବାକୁ ଦାବି କରୁଛନ୍ତି । ଦେଶର ଆଧୁନିକ ହାଇୱେଜ୍‍ ନିର୍ମାଣ ହେବ, ନିର୍ମାଣ ହେବ, ଯାହା ପୂର୍ବର ସବୁ ସରକାରମାନେ କରିଥିଲେ, ଏ ଲୋକମାନେ ବି ସରକାରକୁ ସମର୍ଥନ କରୁଥିଲେ, ଭାଗୀଦାର ଥିଲେ । ଏବେ କହୁଛନ୍ତି ଟୋଲ୍‍ ଟିକସ ଦେବେନାହିଁ, ଟୋଲ ଖୋଲିଦିଅ । ଭାଇ, କୃଷକମାନଙ୍କ ସମସ୍ୟା ପ୍ରସଙ୍ଗ ଛାଡ଼ି ନୂଆ ଜାଗାକୁ ଯିବାକୁ କାହିଁକି ପଡ଼ୁଛି? ଯେଉଁ ନୀତି ପୂର୍ବରୁ ପ୍ରଚଳିତ ରହି ଆସିଥିଲା, ଏବେ ତାହା କୃଷକ ଆନ୍ଦୋଳନ ଆଳରେ ସେମାନେ ସେକଥାକୁ ବି ବିରୋଧ କରୁଛନ୍ତି, ଟୋଲ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । 

ସାଥୀଗଣ, 

ଏଭଳି ପରିସ୍ଥିତିରେ ସୁଦ୍ଧା ଦେଶବ୍ୟାପୀ କୃଷକମାନେ କୃଷି ସଂସ୍କାରକୁ ସଂପୂର୍ଣ୍ଣ ସମର୍ଥନ ଦେଇଛନ୍ତି, ସଂପୂର୍ଣ୍ଣ ସ୍ୱାଗତ କରିଛନ୍ତି । ମୁଁ ସମସ୍ତ କୃଷକଭାଇଙ୍କ ନିକଟରେ ଏଥିଲାଗି କୃତଜ୍ଞତା ବ୍ୟକ୍ତ କରୁଛି । ମୁଁ ମୁଣ୍ଡ ନୁଆଇଁ ସେମାନଙ୍କୁ ପ୍ରଣାମ କରୁଛି ଯେ ଦେଶକୁ ଆଗକୁ ଆଗେଇ ନେଇଯିବା ସକାଶେ କୋଟି କୋଟି କୃଷକ ଆଜି ଏହି ନିର୍ଣ୍ଣୟର ସହିତ ଏଭଳି ସାହସର ସହିତ ଠିଆ ହୋଇଛନ୍ତି ଏବଂ ମୁଁ ମୋର କୃଷକ ଭାଇ ଓ ଭଉଣୀମାନଙ୍କୁ ଏହି ଭରସା ଦେବାକୁ ଚାହେଁ ଯେ ଆପଣମାନଙ୍କ ବିଶ୍ୱାସ ଉପରେ ଆମେ କଦାପି ଆଞ୍ଚ ଆସିବାକୁ ଦେବୁନାହିଁ । ଅତୀତରେ ଅନେକ ରାଜ୍ୟ ଏବଂ ଏକଥାକୁ ସମସ୍ତେ ବୁଝିବା ଦରକାର, ଅନେକ ରାଜ୍ୟ, ତାହା ଆସାମ ହୋଇଥାଉ ଅବା ଏପଟେ ରାଜସ୍ଥାନ, ଜମ୍ମୁ କଶ୍ମୀର ହୋଇଥାଉ, ଏଭଳି ଅନେକ ସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ପ୍ରମୁଖତା ଗ୍ରାମୀଣ କ୍ଷେତ୍ରର ଲୋକମାନେ ହିଁ ହି ଗ୍ରହଣ କରିଥିଲେ, ସେମାନେ ଏଥିରେ ଭୋଟ ଦେଇଥିଲେ । ଏକପ୍ରକାର କହିଲେ କୃଷକମାନେ ହିଁ ଏଥିରେ ଭୋଟ ଦେଇଥିଲେ । ସେମାନଙ୍କୁ ଏତେ ପ୍ରକାର ବିଭ୍ରାନ୍ତ କରିବାର ଖେଳ ଚାଲିଥିଲା । ଏତେ ବଡ଼ ଆନ୍ଦୋଳନର ନାମ ଦିଆ ଯାଉଥିଲା । ହୋହଲ୍ଲା କରାଯାଉଥିଲା । କିନ୍ତୁ ସେମାନଙ୍କର ଆଖ ପାଖରେ ଯେଉଁଠି ଯେଉଁଠି ସୁଦ୍ଧା ନିର୍ବାଚନ ହୋଇଥିଲା, ସେହିସବୁ ଗ୍ରାମର କୃଷକମାନେ ଏହି ଆନ୍ଦୋଳନ ଚଳାଉଥିବା ଯେତିକି ଲୋକ ଥିଲେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପରାଜିତ କରିଛନ୍ତି । ଏହା ବି ଏକପ୍ରକାର ସେମାନେ ବାଲଟ ବକ୍ସ ମାଧ୍ୟମରେ ନୂତନ କୃଷି ଆଇନକୁ ଖୋଲାଖୋଲି ଭାବେ ସମର୍ଥନ ଜ୍ଞାପନ କରିଛନ୍ତି । 

ସାଥୀଗଣ, 

ତର୍କ ଓ ତଥ୍ୟର ଆଧାରରେ, ପ୍ରତ୍ୟେକ କସଟିରେ ଆମର ଏହି ନିର୍ଣ୍ଣୟକୁ ପରଖା ଯାଇପାରେ । ଏଥିରେ ଯଦି କିଛି କମି ଥାଏ, ତା’ହେଲେ ସେଥିପ୍ରତି ଇଂଗିତ କରିବା ଦରକାର । ଲୋକତନ୍ତ୍ର ଅଛି, ଆମମାନଙ୍କୁ ଈଶ୍ୱର ସବୁ ପ୍ରକାର ଜ୍ଞାନ ଦେଇଛନ୍ତି ବୋଲି ଆମେ ଏଭଳି ଦାବି କଦାପି କରିପାରିବୁନାହିଁ । କିନ୍ତୁ କଥାବାର୍ତ୍ତା ତ କରିବା ଦରକାର । ଏଭଳି କଥା ସତ୍ତ୍ୱେ ସୁଦ୍ଧା, ଲୋକତନ୍ତ୍ରରେ ଅତୁଟ ଆସ୍ତା ଏବଂ ଶ୍ରଦ୍ଧା ଥିବା କାରଣରୁ କୃଷକମାନଙ୍କ ପ୍ରତି ଆମ ମନରେ ଥିବା ସମର୍ପଣ ମନୋଭାବ କାରଣରୁ ପ୍ରତ୍ୟେକ ସମୟରେ, କୃଷକମାନଙ୍କ ସହ ପ୍ରତ୍ୟେକ ପ୍ରସଙ୍ଗରେ ଚର୍ଚ୍ଚା କରିବା ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି । ସମାଧାନ ସୂତ୍ର ବାହାର କରିବା ସକାଶେ ଆମେ ଖୋଲା ମନ ନେଇ ଆଗକୁ ଅଗ୍ରସର ହେଉଛୁ । କିନ୍ତୁ କିଛି ରାଜନୈତିକ ଦଳ ଏଭଳି ଅଛନ୍ତି ଯେଉଁମାନେ ଏହି କୃଷି ସୁଧାର କାର୍ଯ୍ୟ ସପକ୍ଷରେ ରହିଛନ୍ତି, ସେମାନଙ୍କର ଲିଖିତ ବୟାନ ବି ଆମେ ଦେଖିଛୁ । ସେମାନେ ଆଜି ନିଜର ବକ୍ତବ୍ୟରୁ ସୁଦ୍ଧା ଓହରି ଯାଉଛନ୍ତି, ସେମାନଙ୍କର ଭାଷା ବଦଳି ଯାଇଛି । ସେହି ରାଜନୈତିକ ନେତା ଯେଉଁମାନେ କୃଷକମାନଙ୍କୁ ଭ୍ରମିତ କରିବା କାର୍ଯ୍ୟରେ ଲାଗି ରହିଛନ୍ତି, ଯେଉଁମାନଙ୍କ ମନରେ ଲୋକତନ୍ତ୍ର ପ୍ରତି ତିଳେ ହେଲେ ଶ୍ରଦ୍ଧା ନାହିଁ, ସେମାନେ ଗଣତନ୍ତ୍ରରେ ସୁଦ୍ଧା ବିଶ୍ୱାସ ରଖନ୍ତିନାହିଁ, ବିଶ୍ୱର ଅନେକ ଦେଶରେ ସେମାନଙ୍କର ଲୋକମାନଙ୍କ ସହିତ ପରିଚୟ ବି ରହିଛି, ଏହି ଲୋକମାନେ ଯେଉଁ କଥା ସେମାନେ ବିଗତ ଦିନରେ , ଯେଉଁ ପ୍ରକାର ଆଧାରହୀନ ଆରୋପ ସେମାନେ ଲଗାଇଛନ୍ତି, ଯେଉଁ ପ୍ରକାର ଭାଷା ସେମାନେ ପ୍ରୟୋଗ କରିଛନ୍ତି, ଜଣାନାହିଁ କିଭଳି ଇଚ୍ଛା ସେମାନେ ବ୍ୟକ୍ତ କରିଛନ୍ତି, ସେକଥା ମୁଁ କହି ସୁଦ୍ଧା ପାରିବିନି । ଏସବୁ କରିବା ସତ୍ତ୍ୱେ ସେହିସବୁ ପ୍ରସଙ୍ଗକୁ ସହ୍ୟ କରିବା ସତ୍ତ୍ୱେ, ତାହାକୁ ନିଜ ମନରେ ଛପାଇ ରଖି, ମନ ଥଣ୍ଡା କରି, ସେସବୁ ସହ୍ୟ କରି, ମୁଁ ଆଜି ପୁଣି ଥରେ ନମ୍ରତାର ସହିତ ସେହି ଲୋକମାନଙ୍କୁ ମଧ୍ୟ ଯେଉଁମାନେ ଆମର ଘୋର ସମାଲୋଚନା କରିବା ଲାଗି ବଦ୍ଧ ପରିକର, ସେମାନଙ୍କୁ ସୁଦ୍ଧା କହୁଛି ଯେ ଆମ ସରକାର କୃଷକମାନଙ୍କ ହିତ ନିମନ୍ତେ ସେମାନଙ୍କ ସହ ଆଲୋଚନା କରିବା ନିମନ୍ତେ ପ୍ରସ୍ତୁତ ଅଛୁ । କିନ୍ତୁ ମୁଁ କହିବାକୁ ଚାହେଁ ଯେ ଆଲୋଚନା ପ୍ରସଙ୍ଗ ଉପରେ ହେବ, ତର୍କ ଓ ତଥ୍ୟ ଆଧାରରେ ହେବ । 

ସାଥୀଗଣ, 

ଆମେ ଦେଶର ଅନ୍ନଦାତାମାନଙ୍କୁ ଉନ୍ନତ କରିବା ନିମନ୍ତେ ସକଳ ପ୍ରକାର ପ୍ରୟାସ କରିଚାଲିଛୁ । ଯେତେବେଳେ ଆପଣମାନଙ୍କର ଉନ୍ନତି ହେବ,ସେତେବେଳେ ସମଗ୍ର ଦେଶର ଉନ୍ନତି ନିଶ୍ଚିତ ହେବ । କେବଳ ଆତ୍ମନିର୍ଭର କୃଷକ ହିଁ ଆତ୍ମନିର୍ଭର ଭାରତର ଭିତ୍ତି ସ୍ଥାପନ କରିପାରିବେ । ମୋର ଦେଶର କୃଷକ ସମାଜକୁ ଗୋଟିଏ ଅନୁରୋଧ- କୌଣସି ପ୍ରକାର ବିଭ୍ରାନ୍ତିକର ଖବରରେ ସେମାନେ ଭୁଲି ନଯାଆନ୍ତୁ । କୌଣସି ପ୍ରକାର ମିଛକୁ ସେମାନେ ସ୍ୱୀକାର ନକରନ୍ତୁ । ତର୍କ ଏବଂ ତଥ୍ୟ ଆଧାରରେ ସେମାନେ ଚିନ୍ତା ଓ ବିଚାର କରନ୍ତୁ ଏବଂ ପୁଣି ଥରେ ଦେଶ ବ୍ୟାପୀ କୃଷକମାନେ ଯେଉଁଭଳି ଭାବେ ଖୋଲା ମନରେ ସମର୍ଥନ ଦେଇଛନ୍ତି ତାହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷ ଏବଂ ଗର୍ବର ବିଷୟ । ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । ପୁଣି ଥରେ ଶହେ କୋଟି କୃଷକ ପରିବାରଙ୍କୁ ପିଏମ କିଷାନ ସମ୍ମାନ ନିଧି ନିମନ୍ତେ ମୁଁ ବହୁତ ବହୁତ ବଧେଇ ଜଣାଉଛି ଏବଂ ମୁଁ ଆପଣମାନଙ୍କୁ ଲଗାତାର ପ୍ରାର୍ଥନା କରୁଛି, ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଆପଣମାନେ ସୁସ୍ଥ ରୁହନ୍ତୁ, ଆପଣମାନଙ୍କ ପରିବାର ସୁସ୍ଥ ରହୁ, ଏହି କାମନାର ସହ ଆପଣମାନଙ୍କୁ ସମସ୍ତଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ।

ଧନ୍ୟବାଦ!

**********

 


(Release ID: 1684036) Visitor Counter : 231