କ୍ୟାବିନେଟ

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ

• ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ ଦୁଇ ମିନିଟ ନୀରବତା

Posted On: 24 SEP 2020 12:04PM by PIB Bhubaneshwar

ସେପ୍ଟେମ୍ବର 23, 2020 ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଶୋକ ବ୍ୟକ୍ତ କରିଛନ୍ତି ।

ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ କ୍ୟାବିନେଟ ଦୁଇ ମିନିଟ ନୀରବତା ଅବଲମ୍ବନ କରିଥିଲା ।

କେନ୍ଦ୍ର କ୍ୟାବିନେଟରେ ଆଜି ନିମ୍ନ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଛି ।

ସେପ୍ଟେମ୍ବର 23, 2020 ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କ୍ୟାବିନେଟ ଗଭୀର ଶୋକ ବ୍ୟକ୍ତ କରିଛି । ତାଙ୍କ ମୃତ୍ୟୁରେ ଦେଶ ଜଣେ ପ୍ରବୀଣ ନେତା, ଶିକ୍ଷାବିତ, ପ୍ରତିଷ୍ଠିତ ସାଂସଦ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଛି ।

ଜୁନ 1, 1955ରେ କର୍ଣ୍ଣାଟକର ବେଲଗାଭି ଜିଲ୍ଲାର କେକେ କୋପ୍ପା ଗାଁରେ ଜନ୍ମିତ ଶ୍ରୀ ଅଙ୍ଗାଡି ଏସ.ଏସ.ଏସ. ସମିତି କଲେଜ, ବେଲଗାଭିରୁ ସ୍ନାତକ କରିବା ପରେ ରାଜା ଲକ୍ଷ୍ମଣଗୌଡା ଆଇନ କଲେଜ, ବେଲଗାଭିରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।

ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ସେ 1996ରେ ପାର୍ଟିର ବେଲଗାଭି ଜିଲ୍ଲା ୟୁନିଟର ଉପସଭାପତି ହୋଇଥିଲେ । 2001ରେ ବେଲଗାଭି ଜିଲ୍ଲା ୟୁନିଟ ସଭାପତି ଭାବେ ମନୋନୀତ ହୋଇଥିଲେ ଓ 2004ରେ ବେଲଗାଭି ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ ହେବା ପର୍ଯ୍ୟନ୍ତ ସେ ବେଲଗାଭି ଜିଲ୍ଲା ୟୁନିଟ ସଭାପତି ଭାବେ କାର୍ଯ୍ୟ କରିଥିଲେ । ବିପୁଳ ବ୍ୟବଧାନରେ ଜିତି ସେ 14ତମ ଲୋକସଭା ସଦସ୍ୟ ହୋଇଥିଲେ । 2009, 2014 ଓ 2019ରେ ସେ ବେଲଗାଭିରୁ ଲୋକସଭାକୁ ପୁନଃନିର୍ବାଚିତ ହୋଇଥିଲେ ।

ସେ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ମାନବ ସମ୍ବଳ ବିକାଶ ଓ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପେନସନ, ସାଂସଦମାନଙ୍କ ଦରମା ଓ ଭତ୍ତା ଯୁଗ୍ମ କମିଟି ସଦସ୍ୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରାମର୍ଶଦାତା କମିଟି, ହାଉସ କମିଟି ଓ ପିଟିସନ କମିଟି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମେ, 2019ରେ ଶ୍ରୀ ଅଙ୍ଗାଡି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ।

ସେ ବହୁ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜଡ଼ତ ଥିଲେ । ଶିଳ୍ପ,କୃଷି, ଗରିବଙ୍କ ପାଇଁ ଶିକ୍ଷା ଆଦି ପ୍ରତି ତାଙ୍କର ବିଶେଷ ଋଚି ରହିଥିଲା । ସେ 2009ରୁ ସୁରେଶ ଅଙ୍ଗାଡି ଏଜୁକେଶନ ଫାଉଣ୍ଡେସନ, ବେଲଗାମର ଅଧ୍ୟକ୍ଷ ଥିଲେ । ପଢ଼ିବାକୁ ଓ ବୁଲିବାକୁ ସେ ଭଲ ପାଉଥିଲେ ।

ସରକାର ଓ ସାରା ଦେଶ ପକ୍ଷରୁ କେନ୍ଦ୍ର କ୍ୟାବିନେଟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛି । 

 

**********

 



(Release ID: 1658782) Visitor Counter : 127