ଆୟୁଷ

9ଟି ରାଜ୍ୟ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ଖୋଲିବା ପାଇଁ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି

• ଓଡ଼ିଶା ସମେତ 3ଟି ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଇଛି

Posted On: 15 SEP 2020 4:10PM by PIB Bhubaneshwar

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପରିଷଦ ଆୟୂଷ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥାଭାବେ କାର୍ଯ୍ୟ କରୁଛି । ଓଡିଶା, ହରିଆନା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି ।

ଆଜି ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ 3ଟି ରାଜ୍ୟକୁ 121 କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ହରିୟାଣାକୁ ଦିଆଯାଇଥିବା 59.21 କୋଟି ଟଙ୍କା ମଧ୍ୟରୁ 56.55 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା 59.67 କୋଟି ଟଙ୍କା ମଧ୍ୟରୁ 56.35 କୋଟି ଟଙ୍କା ବିନିଯୋଗ ହୋଇଛି । ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା 1.58 କୋଟି ଟଙ୍କା ମଧ୍ୟରୁ 9 ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ସମଗ୍ର ଦେଶରେ ଯୋଗ ଓ ନେଚରପ୍ୟାଥିକୁ ପ୍ରୋତ୍ସାହିତ କରିବା ସହ ବିଦେଶରେ ଏହାକୁ ପହଞ୍ଚାଇବା ଲକ୍ଷ୍ୟରେ ଏସବୁ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟ 6ଟି ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ପର୍ଯ୍ୟାୟକ୍ରମେ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

 

**********

 


(Release ID: 1654703)
Read this release in: English , Urdu , Assamese , Telugu